ବନ୍ଦେ ମାତରମର ମୂଳ ବିରୋଧୀ କିଏ?

ବନ୍ଦେ ମାତରମର ମୂଳ ବିରୋଧୀ କିଏ?

ଋତେଶ ପୃଷେଠ ୧୯୫୦ ଜାନୁଆରୀ ୨୪ ସମ୍ୱିଧାନ ସଭାରେ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ସମ୍ୱୋଧନ କରି କହିଲେ, ‘ଶଦ୍ଦ ଓ ସଂଗୀତର ସେହି ରଚନା ଯାହାକୁ ଜନ ଗଣ ମନ ଭାବେ ସମ୍ୱୋଧନ କରାଯାଏ, ତାହା ଭାରତର ରାଷ୍ଟ୍ରୀୟ ସଙ୍ଗୀତ ଅଟେ। ବନ୍ଦେ ମାତରମ ଗୀତ, ଯାହା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଐତିହାସିକ ଭୂମିକା ନିର୍ବାହ କରିଛି ତାକୁ ଜଣ ଗଣ ମନ ସମକକ୍ଷ ସମ୍ମାନ ଓ ପଦ ମିଳୁ। ମୁଁ ଆଶା କରୁଛି ସଦସ୍ୟଗଣ ଏହାକୁ ଗ୍ରହଣ କରିବେ’। ସ୍ୱାଧୀନ ଭାରତରେ ବନ୍ଦେ ମାତରମ ଜାତୀୟ ଗୀତ ଓ ଜନଗଣମନକୁ ରାଷ୍ଟ୍ରୀୟ ସଂଗୀତ ଭାବେ ଗ୍ରହଣ କରାଗଲା। ତେବେ ବନ୍ଦେ ମାତରମ କାହିଁକି ହେଲା ନାହିଁ ଜାତୀୟ ସଙ୍ଗୀତ? ଏହି ସଙ୍ଗୀତର ଇତିହାସ କ’ଣ? ଆସନ୍ତୁ ସେ ବିଷୟରେ କିଛି କଥା ଜାଣିବା। ଆନନ୍ଦ ମଠ ଉପନ୍ୟାସରୁ ‘ବନ୍ଦେ ମାତରମ’ ସଙ୍ଗୀତର ଜନ୍ମ। ଆନନ୍ଦମଠର ପ୍ରଥମ ଖଣ୍ଡ ବଙ୍ଗଳାର ଦୁର୍ଭିକ୍ଷରୁ ଆରମ୍ଭ, ଯେଉଁ ସମୟରେ ଲୋକେ ଭାତ ମୁଠାକ ପାଇଁ ବ୍ୟାକୁଳ ହେଇ ଉଠୁଥିଲେ। ସମସ୍ତ ଗ୍ରାମବାସୀ ଗାଁ ଛାଡ଼ି ଚାଲିଯାଉଥିଲେ। ଲୋକଙ୍କ ପାଟିରେ ଅନ୍ନ ନଥିଲା ନା ଚାଷୀର କ୍ଷେତରେ ଫସଲ। କିନ୍ତୁ ଇଂରେଜ ଅତ୍ୟାଚାର କରି ଲୋକଙ୍କଠୁ କର ଆଦାୟ କରୁଥିଲେ। ପଦଚିହ୍ନ ଗାଁର କଥା, ମହେନ୍ଦ୍ର ଓ କଲ୍ୟାଣୀ ନିଜର ଅବୋଧ ଶିଶୁକୁ ନେଇ ଗାଁଠୁ ଦୂରକୁ ଯିବାକୁ ଚାହୁଁଥାନ୍ତି। ଗାଁରେ ଲୁଟପାଟର ଘଟଣା ବୃଦ୍ଧି ପାଉଥିଲା। ଯିବା ସମୟରେ କଲ୍ୟାଣୀକୁ ଡାକୁମାନେ ଧରି ପକାଇଲେ। କିନ୍ତୁ କଲ୍ୟାଣୀ ନିଜ ଜୀବନ ବଞ୍ଚାଇବା ପାଇଁ ଜଙ୍ଗଲରେ ଲୁଚିଗଲା। ମହେନ୍ଦ୍ରକୁ ସୀପାହୀମାନେ ଧରିନେଲେ। ସେଠି ସିପାହୀମାନଙ୍କ ସହିତ ମହେନ୍ଦ୍ରର ହାତାହାତି ହୁଏ। କିନ୍ତୁ ଭବାନନ୍ଦ ନାମକ ସନ୍ନ୍ୟାସୀ ସେଠି ଆସି ମହେନ୍ଦ୍ରକୁ ରକ୍ଷା କରନ୍ତି। ଭବାନନ୍ଦ ଆତ୍ମରକ୍ଷା ପାଇଁ ଇଂରେଜ ସାହେବକୁ ହତ୍ୟା କରି ଲୁଟି ଥିବା ଧନ ଅନ୍ୟମାନଙ୍କ ଭିତରେ ବାଣ୍ଟିଦିଅନ୍ତି। ଅଳ୍ପ ସମୟପରେ ସେଠି ଦ୍ୱିତୀୟ ସନ୍ନ୍ୟାସୀ ଜୀବାନନ୍ଦ ପହଂଚନ୍ତି। ଭବାନନ୍ଦ ଓ ଜୀବାନନ୍ଦ ଦୁଇଜଣ ସତ୍ୟାନନ୍ଦଙ୍କ ପ୍ରଧାନ ଶିଷ୍ୟ। ସେ ଆନନ୍ଦ ମଠରେ ରହି ଦେଶର ସେବା ପାଇଁ କର୍ମ କରୁଥାନ୍ତି। ମହେନ୍ଦ୍ର, ଭବାନନ୍ଦଙ୍କ ପରିଚୟ ଜାଣିବା ପାଇଁ ଆଗ୍ରହୀ କାରଣ ଭବାନନ୍ଦଙ୍କ ପାଇଁ ହିଁ ଆଜି ସେ ଜୀବିତ। ଭବାନନ୍ଦ ଉତ୍ତର ଦିଅନ୍ତି, ମୋ ପରିଚୟ ଜାଣି କ’ଣ କରିବ? ମହେନ୍ଦ୍ର କହେ, ମଁୁ ଜାଣିବାକୁ ଚାହେଁ କାରଣ ଆପଣ ମୋର ବହୁ ଉପକାର କରିଛନ୍ତି। ମହେନ୍ଦ୍ର ବୁଝି ପାରୁନଥାଏ କି ଜଣେ ସନ୍ନ୍ୟାସୀ ମଧ୍ୟ ଡକାୟତ ହୋଇପାରିବ। ଏହାପରେ ଭବାନନ୍ଦ ମହେନ୍ଦ୍ରକୁ ତା ସ୍ତ୍ରୀ ଓ ଶିଶୁ ସହିତ ମିଳିତ କରିବାର ଆଶ୍ୱାସନ ଦିଅନ୍ତି। କିଛି କ୍ଷଣ ପରେ ଭବାନନ୍ଦଙ୍କ ଭାବ ଓ ସହସା ବଦଳି ଯାଏ। ଏବେ ସେ ଧୀର ପ୍ରକୃତିର ସନ୍ନ୍ୟାସୀ ପରି ଲାଗୁଥାନ୍ତି। ତାଙ୍କ ମୁ୍ଖମଣ୍ଡଳ ଏବେ ଆନନ୍ଦିତ। ସେତେବେଳେ ଭବାନନ୍ଦ ଗୀତ ଗାଇବା ଆରମ୍ଭ କରନ୍ତି ‘ବନ୍ଦେ ମାତରମ! ସୁଜଲାମ୍ ସୁଫଲାମ୍ ମଲୟଜ ଶୀତାଲାମ୍’। ଭାରତର ଇତିହାସରେ ସବୁଠୁ ବଡ଼ ବିଶ୍ୱାସଘାତକ ମିର ଜାଫର, ନବାବ ସିରାଜଦୌଲାଙ୍କ ସେନାପତି ଥିଲେ। ୨୩ ଜୁନ ୧୭୫୭ ପଲାସୀ ଯୁଦ୍ଧରେ ନବାବଙ୍କ ସହିତ ବିଶ୍ୱାସଘାତକତା କରି ସେ ଇଂରେଜମାନଙ୍କ ସହିତ ମଶିଗଲେ ଯାହାଫଳରେ ୫୦,୦୦୦ ସେନା ଥାଇ ମଧ୍ୟ ନବାବ ୩୦୦୦ ଇଂରେଜ ସିପାହୀମାନଙ୍କ ହାତରେ ପରାସ୍ତ ହେଲେ। ଏହି ପରାଜୟ ଭାରତର ପରାଧୀନତାର ଦ୍ୱାର ଖୋଲି ଦେଇଥିଲା। ଯୁଦ୍ଧରେ ବିଜୟୀ ହେଲା ପରେ ମିର ଜାଫରକୁ ଇଂରେଜମାନେ ବଙ୍ଗଳାର ନବାବ ଭାବେ ନିଯୁକ୍ତି କରନ୍ତି। କିନ୍ତୁ ଶାସନ କ୍ଷମତା ଇଂରେଜମାନଙ୍କ ପାଖରେ ଥାଏ। ବଙ୍ଗଳା ପ୍ରଦେଶ ଦଖଲ ପରେ ଇଷ୍ଟ୍-ଇଣ୍ଡିଆ କମ୍ପାନୀକୁ ଭାରତର ସବୁଠୁ ଘନ ଜନସଂଖ୍ୟା ଥିବା କ୍ଷେତ୍ରରେ ଅବାଧ ବ୍ୟବସାୟ କରିବାର ଅଧିକାର ମିଳେ ତଥା ଚବିଶ ପ୍ରଗଣାର ରାଜସ୍ୱ ସଂଗ୍ରହ ସହିତ ଯୁଦ୍ଧର କ୍ଷତିପୂରଣ ଭାବେ ୧ କୋଟି ୧୭ ଲକ୍ଷ ଟଙ୍କା ତାଙ୍କୁ ଦିଆଯାଏ। ପରେ ମିର ଜାଫରର ଦୁର୍ବଳତାର ସୁଯୋଗ ନେଇ ସାରା ବଙ୍ଗଳାର ଦେୱାନି ଇଂରେଜ ଅଧିକାରକୁ ଚାଲିଯାଏ। ଦେୱାନି ପାଇଲା ପରେ ଇଷ୍ଟ୍-ଇଣ୍ଡିଆ କମ୍ପାନୀ ବଳପୂର୍ବକ ଜନତାଙ୍କଠାରୁ କର ସଂଗ୍ରହ କରେ। ସମସ୍ତ ଉତ୍ପାଦିତ ଫସଲକୁ କର ମାଧ୍ୟମରେ ସଂଗ୍ରହ କରି ଇଂଲଣ୍ଡକୁ ପଠାଏ। ଫଳରେ ବଙ୍ଗଳାରେ ଏକ ମଣିଷକୃତ ଭୟାବହ ପରିସ୍ଥିତି ସୃଷ୍ଟି ହୁଏ। ଏହି ଅତ୍ୟାଚାର ବିରୁଦ୍ଧରେ ୧୭୭୦ରୁ ୧୮୨୦ ପର୍ଯ୍ୟନ୍ତ ବଙ୍ଗଳାର ମୁର୍ଶୀଦାବାଦ, ବୈକୁଣ୍ଠପୁରର ଜଙ୍ଗଲରେ ଏକ ସଶସ୍ତ୍ର ବିଦ୍ରୋହ ହୁଏ। ଏହାର ନେତୃତ୍ୱ ସନ୍ନ୍ୟାସୀମାନେ ନେଇଥିବା କାରଣରୁ ଏହାକୁ ସନ୍ନ୍ୟାସୀ ବିଦ୍ରୋହ ବୋଲି କୁହାଗଲା। ଏହି ସମୟର ବଙ୍ଗଳାର ଦୟନୀୟ ପରିସ୍ଥିତି ଓ ସନ୍ନ୍ୟାସୀ ବିଦ୍ରୋହକୁ ଆଧାର କରି ବଙ୍କିମ ଚନ୍ଦ୍ର ଚାଟାର୍ଜୀ ୧୮୮୨ ରେ ବଙ୍ଗଳା ଭାଷାରେ ଅନନ୍ଦ ମଠ ରଚନା କରିଥିଲେ। ଏଥିରେ ସନ୍ନ୍ୟାସୀମାନଙ୍କ ତପ ଓ ତପସ୍ୟା ଦ୍ୱାରା ମାତୃଭୂମିର ଆରାଧନାର ଗୀତ ବନ୍ଦେ ମାତରମ ସ୍ଥାନ ପାଇଥିଲା। ବନ୍ଦେ ମାତରମ ଗୀତ ପ୍ରକାଶିତ ହେଲା ପରେ ସାରା ଭାରତବର୍ଷର ମାତୃଭୂମି ଭକ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ମନ୍ତ୍ର ହୋଇଗଲା। ଏହି ଗୀତ ଅନେକ ତରୁଣ ଯୁବକଙ୍କ ମନରେ ଦେଶଭକ୍ତିର ଅଗ୍ନି ଜଳାଇଥିଲା। ସାରା ଭାରତବର୍ଷର ଆକାଶ ବନ୍ଦେ ମାତରମ ଧ୍ୱନୀରେ ଗୁଞ୍ଜରିତ ହେଲା। ସର୍ବ ପ୍ରଥମେ ଠାକୁର ରବୀନ୍ଦ୍ରନାଥ ୧୮୯୬ ରେ କଲିକତାରେ ଅନୁଷ୍ଠିତ କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନରେ ବନ୍ଦେ ମାତରମ ଗାନ କଲେ ଯେଉଁଠି ସାରା ଦେଶର କଂଗ୍ରେସର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଫଳରେ ଏହା ସାରା ଦେଶକୁ ପ୍ରଚାରିତ ହେଲା, ୧୯୦୧ ଓ ୧୯୦୫ରେ ପୁଣି କଂଗ୍ରେସ ଅଧିବେଶନରେ ବନ୍ଦେ ମାତରମ ଗାନ କରାଗଲା। ଲାହୋରରୁ ଲାଲା ଲଜପତ ରାଏ ସମାଜର ଜାଗରଣ ପାଇଁ ବନ୍ଦେ ମାତରମ ନାମରେ ଏକ ଯାତ୍ରା ବାହାର କଲେ। ଅରବିନ୍ଦ ଘୋଷ ୧୯୦୫ ରୁ ବନ୍ଦେ ମାତରମ ନାମରେ ଏକ ଇଂରାଜୀ ଦୈନିକ ଖବରକାଗଜ ପ୍ରକାଶ କଲେ। ଭିଖାଜି କାମା ୧୯୦୭ ରେ ପ୍ରସ୍ତୁତ କରିଥିବା ଭାରତର ପ୍ରଥମ ରାଷ୍ଟ୍ରୀୟ ଧ୍ୱଜ ମଧ୍ୟ ରେ ବନ୍ଦେ ମାତରମ ଲେଖା ହୋଇଥିଲା। ଏମିତି ଅନେକ ଘଟଣା ମାଧ୍ୟମରେ ବନ୍ଦେ ମାତରମ ସମାଜରେ ମାତୃଭୂମି ପ୍ରତି ଭକ୍ତି ଓ ସ୍ୱାଧୀନତାର ଭାବ ଜାତ କଲା। ୧୯ ଜୁଲାଇ ୧୯୦୫, ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଦୁର୍ବଳ କରିବା ପାଇଁି ତଥା କ୍ରାନ୍ତିକାରୀମାନଙ୍କ କେନ୍ଦ୍ରସ୍ଥଳୀ ବଙ୍ଗଳାକୁ ଶକ୍ତିହୀନ କରିବା ଉଦ୍ଦେଶ୍ୟରେ ଧାର୍ମିକ ଆଧାରରେ ବଙ୍ଗଳା ବିଭାଜନ କରିବାର ଘୋଷଣା ତତ୍କାଳୀନ ଭାରତର ଭାଇସରାଏ ଲର୍ଡ କର୍ଜନ କରନ୍ତି। ୧୬ ଅକ୍ଟୋବରରୁ ଏହି ଘୋଷଣା କାର୍ଯ୍ୟକାରୀ ହେଲା। ଏହାର ବିରୋଧ ପାଇଁ ଠାକୁର ରବୀନ୍ଦ୍ରନାଥଙ୍କ ଆହ୍ୱାନ କ୍ରମେ ଏହିଦିନ ସାରା ବଙ୍ଗଳାରେ ଶୋକଦିବସ ଭାବେ ପାଳନ କରାଗଲା। ଲୋକେ ଗଙ୍ଗାରେ ବୁଡ଼ ପକାଇ ପରସ୍ପର ମଧ୍ୟରେ ରାକ୍ଷୀ ବାନ୍ଧିଲେ। ବଙ୍ଗାଳୀ ମା’ମାନେ ବଙ୍ଗଲକ୍ଷ୍ମୀ ବ୍ରତ ପାଳନ କଲେ। ଆବାଳ ବୃଦ୍ଧ ବନିତା ପ୍ରଭାତଫେରିରେ ଭାଗନେଲେ ଓ ବନ୍ଦେ ମାତରମ ମନ୍ତ୍ର ବୋଲିଲେ। ସମସ୍ତ ଆନ୍ଦୋଳନକୁ ବନ୍ଦେ ମାତରମ ଉଦଘୋଷ ବାନ୍ଧି ରଖିଲା। ସମସ୍ତ ବିରୋଧ ସତ୍ତ୍ବେ ୧୬ ଅକ୍ଟୋବର ୧୯୦୫ରେ ବଙ୍ଗ ଭଙ୍ଗ ହେଲା। ଏହି ବିଭାଜନ ଦ୍ୱାରା ପୂର୍ବରେ ରାଜସାହି, ଢାକାକୁ ଆସାମ ସହିତ ମିଶାଇ ପୂର୍ବ ବଙ୍ଗ ଓ ଆସାମ ପ୍ରାନ୍ତ ନିର୍ମାଣ କରାଗଲା। ଏହି ବିଭାଜନ ଦ୍ୱାରା ଗଠିତ ନୂଆ ପ୍ରାନ୍ତରେ ମୁସଲମାନମାନଙ୍କ ଜନସଂଖ୍ୟା ଅଧିକ ଥିବାରୁ ମୁସଲମାନମାନଙ୍କ ଫାଇଦା କହି ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରାଗଲା। ପୂର୍ବବଙ୍ଗ ଓ ଆସାମର ଲେଫ୍‌ଟନାଂଟ ଗଭର୍ଣ୍ଣର ଯୋଶେଫ ବୈମଫିଲଡ ଫୁଲର ଅନେକ ସଭାରେ କହିଲେ, ମୋର ଦୁଇଜଣ ପତ୍ନୀ, ଜଣେ ହିନ୍ଦୁ ଆଉ ଜଣେ ମୁସଲମାନ। କିନ୍ତୁ ମୁଁ ମୋ ମୁସଲିମ ସ୍ତ୍ରୀକୁ ବେଶି ପ୍ରେମ କରେ। ଏହି ବାର୍ତ୍ତା ହିନ୍ଦୁ ଜନତାଙ୍କ ଭାବନାକୁ ଆଘାତ ଦେବା ପାଇଁ କୁହାଗଲା। ଏହି ବିଭାଜନ କୌଣସି ହିତ ଉଦ୍ଦେଶ୍ୟ ନରଖି କେବଳ ନବଜାଗ୍ରତ ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ଷଡଯନ୍ତ୍ର କରାଯାଇଥିଲା। ଷଡ଼ଯନ୍ତ୍ର ମାଧ୍ୟମରେ ମୁସଲମାନ ଓ ହିନ୍ଦୁଙ୍କୁ ପରସ୍ପର ସହିତ ଲଢେଇ ସ୍ୱାଧୀନତା ସଂଗ୍ରାମକୁ ଦିଗହରା କରିବାର ଚେଷ୍ଟା କରାଗଲା। ମୁସଲିମ ସ୍ୱାର୍ଥର ସୁରକ୍ଷା ନାଁରେ ନବଗଠିତ ପ୍ରଦେଶର ଢାକା ସହରରେ ୩୦ ଡିସେମ୍ୱର ୧୯୦୬ରେ ମୁସଲିମ ଲିଗ୍‌ର ସ୍ଥାପନା କରି ମୁସଲମାନ ଜନତାଙ୍କୁ ସ୍ୱାଧୀନତା ସଂଗ୍ରାମଠୁ ଦୂରକୁ ନେବା ପାଇଁ ଚେଷ୍ଟା କରାଗଲା। ୧୯୦୫ କଂଗ୍ରେସ କାର୍ଯ୍ୟକାରଣୀ ବୈଠକରେ ବନ୍ଦେ ମାତରମ ଗୀତକୁ ରାଷ୍ଟ୍ରୀୟ ଗୀତର ମର୍ଯ୍ୟାଦା ଦେଇ ମାତରମ ନାରାକୁ ରାଷ୍ଟ୍ରୀୟ ନାରା ଭାବେ ସ୍ୱୀକୃତି ଦିଆଗଲା। ବନ୍ଦେ ମାତରମ ପ୍ରଭାବରେ ବଙ୍ଗ ଭଙ୍ଗ ଆନ୍ଦୋଳନ ଜନତାଙ୍କ ଭାଗିଦାରୀ ବଢ଼ିଲା। ବଙ୍ଗ ଭଙ୍ଗ ଆନ୍ଦୋଳନକୁ ପ୍ରଭାବହୀନ କରିବା ପାଇଁ ଇଂରେଜ ସରକାର ଷଡ଼ଯନ୍ତ୍ର କଲେ ଓ ତାଙ୍କ ପ୍ରରୋଚନାରେ ମୁସଲିମ ଲିଗ୍ ବନ୍ଦେ ମାତରମକୁ ମୁସଲିମ ବିରୋଧୀ କହି ବିରୋଧ କଲା। ଭାରତୀୟ ରାଜନୀତିରେ ଧାର୍ମିକ ଆଧାରକୁ ନେଇ ମୁସଲିମ ଲିଗ୍ ନିଜ ସ୍ଥିତିକୁ ମଜବୁତ କରିବାକୁ ଲାଗୁଥାଏ। କିନ୍ତୁ କଂଗ୍ରେସ ସମସ୍ତ ହିନ୍ଦୁ ଓ ମୁସଲିମ୍‌ମାନଙ୍କର ଏକମାତ୍ର ରାଜନୈତିକ ନେତୃତ୍ୱ ଭାବେ ନିଜକୁ ଉପସ୍ଥାପିତ କରୁଥାଏ। ଏହି କ୍ରମରେ ତୁର୍କୀର ରାଜନୈତିକ ପରିସ୍ଥିତିକୁ ନେଇ କେବଳ ମୁସଲିମ ତୁଷ୍ଟିକରଣ ପାଇଁ ୧୯୧୯ରେ କଂଗ୍ରେସ ଭାରତରେ ଖିଲାଫତ ଆନ୍ଦୋଳନ ଆରମ୍ଭ କଲା। ଏହାଫଳରେ ଭାରତୀୟ ରାଜନୀତିରେ ରାଷ୍ଟ୍ରୀୟ ବିଷୟ ପରିବେର୍ତ୍ତ କଟ୍ଟରବାଦୀ ଧାର୍ମିକ ବିଷୟକୁ ନେଇ ରାଜନୀତି କରୁଥିବା ଲୋକମାନେ ନେତା ହେଲେ । କଂଗ୍ରେସ ଏହି ନେତାମାନଙ୍କୁ ନେଇ ମୁସଲମାନ ସମାଜକୁ ନିଜ ପକ୍ଷଭୁକ୍ତ କରିବା ପାଇଁ ଚେଷ୍ଟା କରୁଥିଲା। ଏହି ନେତାଙ୍କ ମଧ୍ୟରୁ ମୌଲାନା ମହମ୍ମଦ ଅଲି ଜୌହର ଅନ୍ୟତମ ଯାହାଙ୍କୁ ୧୯୨୩ ରେ କଂଗ୍ରେସର ଅଧ୍ୟକ୍ଷ ପଦ ଦିଆଗଲା। ୧୯୨୩ କାକିନାଡା କଂଗ୍ରେସ ଅଧିବେଶନରେ ବନ୍ଦେ ମାତରମ ସ୍ୱରକୁ ନୂଆ ଢଙ୍ଗରେ ସଜାଇଥିବା ସଙ୍ଗୀତଜ୍ଞ ବିଷ୍ଣୁଦିଗମ୍ୱର ପୁଲସ୍କର ଯେତେ ବେଳେ ମଞ୍ଚରେ ବନ୍ଦେ ମାତରମ ଗାଇବା ପାଇଁ ଠିଆହେଲେ ସେତେବେଳେ ମୌଲାନା ମହମଦ ଅଲ୍ଲୀ ବନ୍ଦେ ମାତରମ ଗାନକୁ ବିରୋଧ କଲେ। କେବଳ ମୁସଲିମ୍ ତୁଷ୍ଟୀକରଣ ଯୋଗଁୁ ବନ୍ଦେ ମାତରମର ଗାୟନ କଂଗ୍ରେସ ଅଧିବେଶନରେ ବନ୍ଦ କରାଗଲା। କୌଣସି କଂଗ୍ରେସୀ ନେତା ମୌଲାନା ମୋହମଦ ଅଲ୍ଲିକୁ ବିରୋଧ କଲେନାହିଁ। କଂଗ୍ରେସ ଅଧିବେଶନରେ ଏହାର ବିରୋଧ କରାଗଲା ପରେ ଏହି ବିରୋଧୀ ସ୍ୱର ସାରାଦେଶକୁ ବ୍ୟାପିଲା। ଅନେକ ସଭାସମିତିରେ ବନ୍ଦେ ମାତରମ ଗାୟନକୁ ମୁସଲିମ୍ ବିରୋଧୀ ଦର୍ଶାଇ ବିରୋଧ କରାଗଲା। ଭାରତରେ ମୁସଲିମ ଲିଗର ଅଭ୍ୟୁଦୟ କାରଣରୁ ଭାରତୀୟ ରାଜନୀତିରେ ମୁସଲିମମାନଙ୍କ ରାଜନୈତିକ ଶକ୍ତି ବୃଦ୍ଧି ପାଉଥିଲା। ଇଂରେଜମାନଙ୍କ ଷଡ଼ଯନ୍ତ୍ର ଓ ରାଜନୈତିକ ପ୍ରଭାବ ବଳରେ ଭାରତୀୟ ରାଜନୀତିରେ ବନ୍ଦେ ମାତରମ ବିରୋଧ କରାଗଲା। ପରବର୍ତ୍ତୀ ସମୟରେ ଠାକୁର ରବୀନ୍ଦ୍ରନାଥଙ୍କ ତତ୍ୱାବଧାନରେ ଜବାହରଲାଲ ନେହେରୁ, ମୌଲାନା ଆବୁଲ କଲାମ ଆଜାଦ, ସୁବାଷ ଚନ୍ଦ୍ର ବୋଷ ଓ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କୁ ନେଇ ଏକ ସମିତିର ଗଠନ କରାଗଲା। ଏହି ସମିତି ତାର ରିପୋର୍ଟ ୨୮ ଅକ୍ଟୋବର ୧୯୩୭ରେ କଲିକତା ଅଧିବେଶନରେ ପେଶ୍ କଲା। ଏହି କମିଟି ତା ରିପୋର୍ଟରେ ବନ୍ଦେ ମାତରମ ଗାୟନକୁ ଅନିବାର୍ଯ୍ୟତାରୁ ମୁକ୍ତି କରିବାର ପ୍ରସ୍ତାବ ଦେଲା ତଥା ଏହି ଗୀତର କେବଳ ଦୁଇପଦ ପ୍ରାସଙ୍ଗିକ ବୋଲି ମତ ଦେଲା। ମୋ:୯୧୭୮୦୯୧୫୩୦

Share :