ନିଶାଗ୍ରସ୍ତ ନିର୍ବାଚନ, ମୋହଗ୍ରସ୍ତ ଭୋଟ୍‌!

ନିଶାଗ୍ରସ୍ତ ନିର୍ବାଚନ, ମୋହଗ୍ରସ୍ତ ଭୋଟ୍‌!

ଦେବେନ୍ଦ୍ର ପୃଷ୍ଟି ୨୦୧୪ ସାଧାରଣ ନିର୍ବାଚନ ସମୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ନିର୍ବାଚନ କମିଶନଙ୍କ ପ୍ରତିନିଧିମାନେ ୨୯୯ କୋଟି ନଗଦ ଟଙ୍କା, ୧.୬୧ କୋଟି ଲିଟର ମଦ, ୧୫ ହଜାର କିଲୋଗ୍ରାମର ବିଭିନ୍ନ ନିଶାଦ୍ରବ୍ୟ ଜବତ କରିଥିଲେ। ଏସବୁ ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ବ୍ୟବହୃତ ହୋଇଥାନ୍ତା। ଏହାର ଅର୍ଥ ଏହା ନୁହେଁ ଯେ ସେହି ନିର୍ବାଚନ ମୁକ୍ତ ଓ ଅବାଧ ଥିଲା ଓ ଭୋଟରମାନେ କାହାଠାରୁ କିଛି ନନେଇ ନିଜ ବୁଦ୍ଧି ଓ ବିବେକ ଅନୁସାରେ ଭୋଟ ଦେଇଥିଲେ। ନିର୍ବାଚନ କମିଶନ ଯାହା ଜବତ କରିଥିଲେ ତାହା ନିର୍ବାଚନରେ ଭୋଟରମାନଙ୍କୁ ପ୍ରଲୁବ୍ଧ ଓ ପ୍ରଭାବିତ କରିବାରେ ବ୍ୟବହୃତ ଟଙ୍କା, ସୁନା ଓ ମଦ୍ୟାଦି ସାମଗ୍ରୀର କିୟଦଂଶ ମାତ୍ର। ୨୦୧୯ ସାଧାରଣ ନିର୍ବାଚନର ଏହାଠାରୁ ଯଥେଷ୍ଟ ଅଧିକ ପରିମାଣର ଟଙ୍କା ଓ ନିଶାଦି ଜିନିଷ ଜବତ ହେଲାଣି। ଏପ୍ରିଲ ୧୬ ତାରିଖ ସୁଦ୍ଧା ଭାରତର ବିଭିନ୍ନ ସ୍ଥାନରୁ ନଗଦ ୬୮୩ କୋଟି ଟଙ୍କା, ୨୧୩ କୋଟି ଟଙ୍କାର ମଦ, ୧୧୪୪ କୋଟି ଟଙ୍କାର ବିଭିନ୍ନ ନିଶାଦ୍ରବ୍ୟ, ୫୧୨ କୋଟି ଟଙ୍କାର ମୂଲ୍ୟବାନ ଧାତୁ ଓ ପଥର ଏବଂ ୫୪ କୋଟି ଟଙ୍କାର ଅନ୍ୟାନ୍ୟ ଉପହାର ସାମଗ୍ରୀ ଜବତ ହୋଇସାରିଲାଣି। ଏସବୁ ଟଙ୍କା, ମଦ ଓ ମୂଲ୍ୟବାନ ଉପହାର ଆଦି ନିର୍ବାଚନରେ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟବହୃତ ହୋଇଥାନ୍ତା। ଚଳିତ ନିର୍ବାଚନରେ ଆହୁରି ଛଅ ପର୍ଯ୍ୟାୟ ବାକି ଅଛି। ଯେତିକି ଜବତ ହୋଇଛି ତାହା ଯେ ସବୁ ତାହା କେହି ଗ୍ୟାରେଣ୍ଟି ଦେଇ କହିପାରିବେ ନାହିଁ। ଧରା ପଡ଼ିଥିବା ସାମଗ୍ରୀ ନିର୍ବାଚନରେ ଭୋଟରମାନଙ୍କୁ ମତୁଆଲା କରିବା ପାଇଁ ବ୍ୟବହୃତ ହେଉଥିବା ମୋଟ ଟଙ୍କା, ସୁନା ଓ ମଦ ଆଦି ଜିନିଷର ୧୦ ଭାଗ ହୋଇଥିବ କି ନାହିଁ ସନ୍ଦେହ। ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ର, ପଞ୍ଜାବ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ପଶ୍ଚିମ ବଙ୍ଗ ଆଦି ରାଜ୍ୟରୁ ସର୍ବାଧିକ ଟଙ୍କା, ମଦ, ନିଶାଦ୍ରବ୍ୟ ଓ ଉପହାର ସାମଗ୍ରୀ ଜବତ ହୋଇଛି। ତାମିଲନାଡ଼ୁର ଭେଲୋର ଲୋକସଭା ନିର୍ବାଚନ ମଣ୍ଡଳୀର ଜଣେ ପ୍ରାର୍ଥଙ୍କ ଘରୁ ୧୧ କୋଟି ଟଙ୍କାର ହିସାବ ବହିର୍ଭୁତ ଟଙ୍କା ଜବତ ହେବା ପରେ ସେଠାରେ ନିର୍ବାଚନ ରଦ୍ଦ କରିଛନ୍ତି ନିର୍ବାଚନ କମିଶନ। ଏହି ସମୟ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୬ କୋଟି ୯୦ ଲକ୍ଷ ଟଙ୍କାର ସାମଗ୍ରୀ ମଧ୍ୟ ଜବତ ହୋଇଛି। ଏହାର ଅର୍ଥ କ’ଣ? ନିର୍ବାଚନ କମିଶନଙ୍କ ସଜାଗ ଦୃଷ୍ଟି ଓ ସତର୍କ ବ୍ୟବସ୍ଥା ସତ୍ତ୍ବେ କ’ଣ ସତରେ ଭାରତର ନିର୍ବାଚନ ମୁକ୍ତ ଓ ଅବାଧ ଭାବେ ପରିଚାଳିତ ହୋଇପାରୁଛି? ନିର୍ବାଚନ କମିଶନଙ୍କ ପ୍ରହରୀମାନେ କ’ଣ ଦେଶର ସବୁ ଗାଁ ଓ ସହର ବୁଲିପାରୁଥିବେ? କମିଶନଙ୍କର ସେ ସାଧନ ଅଛି କି? ବିଭିନ୍ନ ରାଜ୍ୟର ପୁଲିସ ଓ ପ୍ରଶାସନ କମିଶନଙ୍କୁ ଏ ଦିଗରେ ଉପଯୁକ୍ତ ସହଯୋଗ କରୁଥିବେ କି? ନିର୍ବାଚନ ସମୟରେ ଭାରତ ସରକାର ଓ ବିଭିନ୍ନ ରାଜ୍ୟ ସରକାରଙ୍କର କେତେ ପ୍ରତିଶତ କର୍ମଚାରୀ ନିରପେକ୍ଷତା ଅବଲମ୍ବନ କରୁଥିବେ? ଯଦି ସରକାରୀ କର୍ମଚାରୀମାନେ ନିର୍ବାଚନ ସମୟରେ ସଂପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରୁଥାନ୍ତେ ଏବଂ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥାନ୍ତେ ତେବେ ଭୋଟରଙ୍କୁ ଲାଞ୍ଚ ଓ ନିଶା ଖୁଆଇ ଅଚେତ କରି ନେତାମାନେ ଭୋଟ-ହରଣ କରିପାରନ୍ତେ କି? ଓଡ଼ିଶାର ଗୋଟିଏ ଉଦାହରଣ ଯଥେଷ୍ଟ। ୨୦୧୪ ନିର୍ବାଚନ ସମୟରେ କେତେକ ପୁଲିସ ପଦାଧିକାରୀ ପୁଲିସ ଗାଡ଼ିରେ ଶାସକ ଦଳ ପାଇଁ ଟଙ୍କା ନେବା ଆଣିବା କରିବା ଘଟଣା ତତ୍କାଳୀନ ପୁଲିସ ଡିଜିଙ୍କ ଗୋଚର ହେବା ପରେ ସେ ତାହା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଅବଶ୍ୟ ଏଥିପାଇଁ ତାଙ୍କୁ ଶାସକ ଦଳ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଥିଲା। କେବଳ ଓଡ଼ିଶା ନୁହେଁ, ଅଧିକାଂଶ ରାଜ୍ୟରେ କ୍ଷମତାସୀନ ଦଳ ପ୍ରତି ସରକାରଙ୍କର ଅନେକ କର୍ମଚାରୀ ନିଜର ସ୍ବାର୍ଥ ପାଇଁ ଆନୁଗତ୍ୟ ପ୍ରକଟ କରିଥାନ୍ତି। ଏହି ସ୍ବାର୍ଥପର ସରକାରୀ କର୍ମଚାରୀଙ୍କ ପରି ଭୋଟରମାନେ ମଧ୍ୟ ନିଜର ସାମୟିକ ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଇ ଦେଶ ଓ ସରକାରର ମାଲିକାନା ସ୍ବତ୍ବ ନିଜ ହାତରେ ନରଖି ନେତାଙ୍କ ହାତରେ ଅର୍ପଣ କରିଥାନ୍ତି। ନିର୍ବାଚନ ସମୟରେ ଏତେ ଲକ୍ଷଲକ୍ଷ ଲିଟର ମଦ ଓ କୁଇଣ୍ଟାଲ କୁଇଣ୍ଟାଲ ନିଶାଦ୍ରବ୍ୟ ବ୍ୟବହୃତ ହେବାର ଅର୍ଥ କ’ଣ ଫଳାଫଳ ସୁସ୍ଥ ଓ ସଚେତନ ମସ୍ତିଷ୍କର ନିଷ୍ପତ୍ତି? ଟଙ୍କାର ମୋହରେ ମୋହଗ୍ରସ୍ତ ଓ ମଦ ଓ ନିଶାରେ ନିଶାଗ୍ରସ୍ତ ମଣିଷ କ’ଣ ସଠିକ ନିଷ୍ପତ୍ତି ନେଇପାରେ? ତେବେ, ଏ ନିର୍ବାଚନର ଅର୍ଥ କ’ଣ? କେଉଁ ଗୋଷ୍ଠୀର ଲୋକମାନେ ଚାହାନ୍ତି ଯେ ଭୋଟରମାନେ ନିଶାସକ୍ତ ଓ ମୋହଗ୍ରସ୍ତ ଅବସ୍ଥାର ଭୋଟ ଦିଅନ୍ତୁ? ନିଶାସକ୍ତ ଓ ମୋହଗ୍ରସ୍ତ ଭୋଟର ଯେଉଁ ଭୋଟ ଦିଏ ତାହା ନିଜର ଓ ଦେଶର ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ ନା ଅନ୍ୟ କେଉଁ ଗୋଷ୍ଠୀର? ଆଜିକାଲି କ୍ଷମତାରେ ଥିବା ଦଳଗୁଡ଼ିକ ନିର୍ବାଚନୀ ଫାଇଦା ପାଇଁ କେବଳ ଭୋଟ ସମୟରେ ଏଭଳି ଟଙ୍କା ଓ ମାଗଣା ଜିନିଷ ବାଣ୍ଟୁ ନାହାନ୍ତି। ସେମାନେ ନିର୍ବାଚନ ପୂର୍ବରୁ ମଧ୍ୟ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରମାନଙ୍କୁ ମୋହ ଓ ମଦଗ୍ରସ୍ତ କରିବାକୁ ସବୁ ପ୍ରକାର ବ୍ୟବସ୍ଥା ଚଳେଇଛନ୍ତି। ତାମିଲନାଡ଼ରୁ ଆମ୍ମା କ୍ୟାଣ୍ଟିନ ଓ ଓଡ଼ିଶାର ଆହାର ଯୋଜନା ଏହିପରି ଦୁଇଟି କାର୍ଯ୍ୟକ୍ରମ। ଶସ୍ତା ଚାଉଳ, ମାଗଣା ପୋଷାକ, ଛତା, ଜୋତା, କୋକେଇ ଓ କାଠ ଭଳି ସରକାରୀ ଯୋଜନା ସବୁ ଭୋଟରଙ୍କୁ ଖର୍ଦ୍ଦି କରିବାକୁ କିମ୍ବା ସେମାନଙ୍କୁ ମୋହଗ୍ରସ୍ତ କରିବା ପାଇଁ ହିଁ ଉଦ୍ଦିଷ୍ଟ। ସରକାରୀ ଭାବେ ଏଭଳି ଅନେକ କାର୍ଯ୍ୟକ୍ରମ ଓ ଯୋଜନା ଚାଲିଥିଲାବେଳେ ଭାରତର ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ହେବ କିପରି? ନିର୍ବାଚନ କମିଶନ ସିନା ଆଖି ଦେଖାଣିଆ ଭାବେ ନିର୍ବାଚନ ସମୟରେ ବଣ୍ଟା ଯାଉଥିବା କିଛି ଟଙ୍କା, ମଦ, ନିଶାଦ୍ରବ୍ୟ ଓ ସୁନାଦି ଉପହାର ଜବତ କରିବେ! ମାତ୍ର, ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସରକାରମାନେ ଦଳୀୟ ସ୍ବାର୍ଥକୁ ଆଖି ଆଗରେ ରଖି ସରକାରୀ ଧନରେ ବାଣ୍ଟୁଥିବା ମାଗଣା ଖାଦ୍ୟ ଓ ଉପହାର ଆଦିକୁ ବନ୍ଦ କରିପାରିବେ କି? ଯଦି, ନିର୍ବାଚନ କମିଶନଙ୍କର ଏଭଳି କ୍ଷମତା ନାହିଁ ତେବେ ବୁଝିବାକୁ ହେବ ଯେ ଭାରତର ରାଜନୀତିକ ଦଳ ଓ ନେତାମାନେ ଭାରତର ନିର୍ବାଚନକୁ କଦାଚିତ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳିତ ହେବାକୁ ଦେବେ ନାହିଁ।

Share :