ନିର୍ବାଚନରେ  ନେତାମାନଙ୍କ ପ୍ରତିଶ୍ରୁତି

ନିର୍ବାଚନରେ ନେତାମାନଙ୍କ ପ୍ରତିଶ୍ରୁତି

ସୁବାସ କୁମାର ତାରଣିଆଁ ଗଣତନ୍ତ୍ର ରାଷ୍ଟ୍ରର ମାନ୍ୟତା ପୂର୍ବରୁ ଭାରତକୁ ଏକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀ ଦିନ ରାତି ଉଦ୍ୟମ କରିଥିଲେ। ସେଥିପାଇଁ ଆଇନ ଅମାନ୍ୟ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହଠାରୁ ଆରମ୍ଭ କରି ଭାରତ ଛାଡ଼ ଆନ୍ଦୋଳନ ପର୍ଯ୍ୟନ୍ତ ସବୁ ଆନ୍ଦୋଳନର ନେତୃତ୍ୱ ନେଇ ଶେଷରେ ଭାରତକୁ ଇଂରେଜମାନଙ୍କ ଠାରୁ ମୁକ୍ତ କରିବାରେ ସଫଳ ହୋଇଥିଲେ। ଗାନ୍ଧୀଙ୍କର ବାଣୀ ଥିଲା ‘କୁଟି ଖାଅ, କାଟି ପିନ୍ଧ’ ଓ ବିଦେଶୀ ବସ୍ତ୍ରକୁ ବର୍ଜନ କର। ଏବେ ବି ଆମ ଦେଶ ତଥା ରାଜ୍ୟରେ ଖଦୀ ପୋଷାକର ଚାହିଦା ରହିଛି। ଗାନ୍ଧୀଙ୍କର ଏହି ଆନ୍ଦୋଳନକୁ ସମର୍ଥନ କରି ଆବାଳ ବୃଦ୍ଧବନିତା ଗାନ୍ଧୀଙ୍କ ସହିତ ଆନ୍ଦୋଳନରେ ସାମିଲ ହୋଇଥିଲଷ। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନତା ଲାଭ କଲା। ଏଥିପାଇଁ ନା ଥିଲା ଗାନ୍ଧୀଙ୍କର କ୍ଷମତା ଲୋଭ ନା ଥିଲା ଅର୍ଥର ଲାଳସା। ଗାନ୍ଧୀ ଚାହୁଁଥିଲେ, ଭାରତ ଏକ ଉନ୍ନତ ରାଷ୍ଟ୍ରରେ ପରିଣତ ହେଉ, ଭାରତର ଜନସାଧାରଣ ଇଂରେଜମାନଙ୍କ ଉପରେ ନିର୍ଭର ନ କରି ନିଜେ ରୋଜଗାରକ୍ଷମ ହୁଅନ୍ତୁ, ମହିଳାମାନେ ସ୍ୱାବଲମ୍ୱୀ ହୁଅନ୍ତୁ। ଦେଶରୁ ଗରିବୀ ହଟୁ, ନାରୀମାନଙ୍କ ଉପରେ ହିଂସା ଓ ନିର୍ଯ୍ୟାତନା ବନ୍ଦ ହେଉ। ନାରୀମାନେ ପୁରୁଷମାନଙ୍କ ସହ ସମକକ୍ଷ ହୋଇ ସମାଜ ପାଇଁ କାମ କରନ୍ତୁ। ସେହିପରି ଗୋପବନ୍ଧୁ ଦାସ ବନ୍ୟା ସମୟରେ ନିଜର ରୋଗୀଣା ସନ୍ତାନକୁ ଛାଡ଼ି ଚାଲିଆସିଥିଲେ ବନ୍ୟା ପ୍ରପୀଡ଼ିତମାନଙ୍କୁ ଉଦ୍ଧାର କରିବା ପାଇଁ। ସୁଭାଷ ବୋଷ ଆଜାଦ ହିନ୍ଦ୍ ଫୌଜ ଜରିଆରେ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ କହିଥିଲେ, ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’। ଏହିସବୁ ମହାପୁରୁଷମାନଙ୍କ ଦେଶ ପାଇଁ ଦେଇଥିବା ବଳିଦାନ ଯୋଗୁଁ ଆମେ ଏମାନଙ୍କ ଜନ୍ମ ଦିବସ ଓ ଶ୍ରାଦ୍ଧ ଦିବସ ପାଳନ କରୁଛୁ।କିନ୍ତୁ ସେ ମହାପୁରୁଷମାନେ ଆଉ ନାହାଁନ୍ତି କି ସେମାନଙ୍କ ସେବା ଓ ଆଦର୍ଶ ଆଉ ନାହିଁ। ବର୍ତ୍ତମାନ ରାଜନେତାମାନଙ୍କ ସେବା ଓ ତ୍ୟାଗ କେବଳ ନିଜ ପାଇଁ ଓ ନିଜ ପରିବାର ପାଇଁ ଉଦ୍ଦିଷ୍ଟ। ଆଜିର ନେତାମାନେ ନିର୍ବାଚନ ବିଗୁଲ୍ ବାଜିଲେ ଏମାନଙ୍କ ଦର୍ଶନ ମିଳିଥାଏ। ନିର୍ବାଚନ ସମୟରେ ତୁହାକୁ ତୁହା ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇଥାନ୍ତି ନିଜର ଭୋଟ ହାତେଇବା ପାଇଁ। ‘ଦିନେ ନାହିଁ କାଳେ ନାହିଁ-ଗହ୍ମା ପୁନେଇଁରେ ମାଇଁ ମାଇଁ’ ନ୍ୟାୟରେ ସାଧାରଣ ଲୋକଙ୍କୁ ଘୃଣା କରୁଥିବା ଏହି ନେତାମାନେ ନିର୍ବାଚନ ସମୟ ପାଖେଇ ଆସିଲେ ଗାଁ ଗହଳିରେ ବୁଲି କେଉଁ ଛୋଟ ଛୁଆକୁ କାଖେଇ ଗେଲ କରନ୍ତି ତ କେଉଁ ବୟସ୍କ ବୃଦ୍ଧ ବୃଦ୍ଧାଙ୍କୁ ଆଲିଙ୍ଗନ କରୁଛନ୍ତି ତ ଆଉ କେହି କେହି ବିଲରେ କୃଷକମାନଙ୍କ ସହିତ କ୍ଷେତରେ ଧାନ କାଟିଲାଣିତ ଆଉ କିଏ ମୁଗବୋଝକୁ କାନ୍ଧେଇ ସୋସିଆଲ ମିଡ଼ିଆରେ ଛାଡ଼ିଲାଣି। ଏହି ନେତାମାନେ ଲୋକମାନଙ୍କୁ ପ୍ରତିଶ୍ରୁତି ଦିଅନ୍ତି ମୁଁ କ୍ଷମତାକୁ ଆସିଲେ, ହାତୀ ଦେବି, ଘୋଡ଼ା ଦେବି, ରାଜ୍ୟରୁ ଗରିବୀ ହଟେଇବି, ବେକାରୀ ଦୂର କରିବି, ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ଦେବି, କୃଷକମାନଙ୍କୁ ଋଣ ଛାଡ଼ ସହିତ କୃଷି ଓ କୃଷକର ଉନ୍ନତ ପାଇଁ ପଦକ୍ଷେପ ନେବି, ମହିଳାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବା ସହିତ ରୋଜଗାରକ୍ଷମ କରିବା ଦିଗରେ ପଦକ୍ଷେପ ନେବି। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଦେବି, ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ ଓ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ କରାଇବା ସହ ସ୍ୱୟଂ ସହାୟକ ଗୋ ୀଙ୍କୁ ସହାୟତା ରାଶି ପ୍ରଦାନ, ପ୍ରତ୍ୟେକ ଗ୍ରାମକୁ ଆଲୋକୀ କରଣ, ମାଗଣାରେ ରନ୍ଧନ ଗ୍ୟାସ ପ୍ରଦାନ, ଗମନା ଗମନର ସୁବିଧା, ବରି ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ, ନିତ୍ୟ ବ୍ୟବହାର ଦ୍ରବ୍ୟର ମୂଲ୍ୟ ହ୍ରାସ କରିବି, ପେଟ୍ରୋଲ ଓ ଡ଼ିଜେଲର ମୂଲ୍ୟ ହ୍ରାସ ଇତ୍ୟାତି ଉନ୍ନତିମୂଳକ ଯୋଜନା କରିବି। ବିଚରା ଆମେ ଭୋଟରମାନେ ମଧ୍ୟ ସେମାନଙ୍କ ପ୍ରତିଶ୍ରୁତିର ବଶବର୍ତ୍ତୀ ହୋଇ ସେଇମାନଙ୍କୁ ହିଁ ଭୋଟ ଦେଇ ନିର୍ବାଚିତ କରାଇଥାଉ। ଆଉ ନିର୍ବାଚନ ଜିତିସାରିବା ପରେ ନା ଏମାନଙ୍କର ଦେଖା ମିଳେ ନା କୌଣସି ପ୍ରତିଶ୍ରୁତି ପାଳନ କରିଥାନ୍ତି। ନିର୍ବାଚିତ ହେବା ପରେ ନେତାମାନେ ଗରୀବଙ୍କ ବଦଳରେ ପୁଞ୍ଜିପତି, କର୍ପୋରେଟ ସଂସ୍ଥାମାନଙ୍କୁ ବେଶି ପ୍ରାଧାନ୍ୟ ଦିଆନ୍ତି। ଫଳରେ ଏହି ପୁଞ୍ଜିପତି ଓ କର୍ପୋରେଟ ସଂସ୍ଥାମାନଙ୍କର ସମ୍ପତ୍ତି ବହୁଗୁଣା ବଢୁଥିବା ବେଳେ ଏପଟେ ଗରୀବୀଙ୍କ ସଂଖ୍ୟା ବଢି ବଢି ଚାଲିଛି। ଜଣେ ବ୍ୟକ୍ତି କୌଣସି କାମରେ ଏହି ରାଜନେତାମାନଙ୍କ ପାଖକୁ ଗଲେ ଏହି ରାଜନେତାମାନଙ୍କ ସୁରକ୍ଷା କର୍ମୀମାନେ ଏମାନଙ୍କୁ ଭିତରକୁ ତ ଛାଡ଼ନ୍ତି ନାହିଁ ବରଂ ମାର୍‌ ମାର୍‌ ଦୂର୍ ଦୂର୍ କରି ଘଉଡ଼ାଇଥାନ୍ତି। ବହୁ କାକୁତି ମିନତି ହେଲା ପରେ କହିଥାନ୍ତି ସାର୍ ଗୋଟେ ସଭାରେ ବ୍ୟସ୍ତ ଅଛନ୍ତି, ଅପେକ୍ଷା କର। ଦୀର୍ଘ ସମୟ ଅପେକ୍ଷା କରିବା ପରେ ରାଜନେତାଙ୍କ ପାଖକୁ ଯାଇ ସାର୍ ନମସ୍କାର କଲାବେଳକୁ ତମେ କିଏ ବୋଲି ପ୍ରଥମେ ପଶ୍ନ କରିଥାନ୍ତି। ସାର୍ ମୁଁ ଅମୁକ ଗ୍ରାମର ଅମୁକ ଲୋକ। ତା’ପରେ ରାଜନେତାଙ୍କ ପ୍ରଶ୍ନ ଥାଏ ହଉ ହେଲା କଣ ହୋଇଛି କୁହ। ବ୍ୟକ୍ତି ଜଣକ କୁହନ୍ତି, ସାର୍ ଆମ ଗାଁକୁ ଭଲ ରାସ୍ତାଟିଏ ନାହିଁ, ତେଣୁ ଆପଣ ଚାହିଁଲେ ଆମ ଗାଁକୁ ଭଲ ରାସ୍ତାଟିଏ ହୋଇପାରିବ। ରାଜନେତାଙ୍କର ଉତ୍ତର ଥାଏ, ହଉ ଦେଖିବା ମୁଁ ଟିକେ ବ୍ୟସ୍ତ ଅଛି, ପରେ କେବେ ଆସ। ବିଚରା ଭୋଟର ଜଣକ ନିରାଶରେ ଫେରିଥାଏ। ବାସ୍ତବରେ ଏମାନେ କ୍ଷମତାକୁ ଆସିଲା ପରେ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୁଏ। ଭାଷଣବାଜିରେ କଥା କଥାରେ ଗାନ୍ଧୀ ଗୋପବନ୍ଧୁଙ୍କ ଉଦାହରଣ ଦେଉଥିବା ରାଜନେତାମାନେ ଗୋପବନ୍ଧୁ ଦାସଙ୍କ ‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ’ ଉକ୍ତିଟିକୁ କେତେ ମାତ୍ରାରେ ଯେ ପାଳନ କରିଥାନ୍ତି ତାହା ଜନସାଧାରଣ ଜାଣିବା ନିହାତି ଜରୁରୀ। କିନ୍ତୁ ଆଜିର ନେତାମାନଙ୍କ ଉକ୍ତି ‘ଦେଶବାସୀ ପଛେ ଯାଆନ୍ତୁ ଭାସିରେ, କ୍ଷମତା ଓ ସମ୍ପତ୍ତି ମୋ ଥାଉ ନିଶ୍ଚିତରେ’। ନିର୍ବାଚନ ସରିଗଲା ପରେ ଏହି ତଥାକଥିତ ରାଜନେତାମାନେ ଜନସାଧାରଣଙ୍କୁ ଖାତିର କରନ୍ତି ନାହିଁ କି ଦେଖା ମଧ୍ୟ ଦିଅନ୍ତି ନାହିଁ। ଏବେ ବି ବିଭିନ୍ନ ରାଜ୍ୟରେ ଅନେକ ଲୋକ ଅନାହାରରେ ରହିଥିବା ବେଳେ ଏହି ରାଜନେତାମାନେ ଉଡ଼ାଜାହାଜରେ ବିଭିନ୍ନ ରାଜ୍ୟ ତଥା ଦେଶ ଭ୍ରମଣ କରି କୋଟି କୋଟି ଟଙ୍କା ବରବାଦ କରି ମଉଜ ମଜଲିସ୍ କରୁଛନ୍ତି। ଭୀମଭୋଇ ଉକ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’କୁ ହେୟ ଜ୍ଞାନ କରି ‘ଭୋଟରମାନେ ପଛେ ନର୍କେ ପଡ଼ିଥାଉ, ମୋ ଦେଶ ଭ୍ରମଣ ଜାରି ରହିଥାଉ’କୁ କାର୍ଯ୍ୟକାରୀ କରୁଛନ୍ତି। ଏମାନେ କିପରି କ୍ଷମତାରେ ରହିବେ, ଅଜସ୍ର ସମ୍ପତ୍ତିର ଅଧିକାରୀ ହେବେ, ସାଧାରଣ ଜନତା ଓ ଦେଶ ସେବା କରିବା ବଦଳରେ, ନିଜର ଭାଇ, ବନ୍ଧୁ ଓ ସମ୍ପର୍କୀୟମାନେ କିପରି କୋଟିପତି ହେବେ, ସେଥିପ୍ରତି ବେଶି ଧ୍ୟାନ ଦିଅନ୍ତି। ଏମାନେ ଦେଇଥିବା ପ୍ରତିଶ୍ରୁତି ‘ବେକାରୀଙ୍କୁ ନିଯୁକ୍ତ’ ବଦଳରେ ସେହିମାନଙ୍କୁ ଦେଇଥାନ୍ତି ନିଯୁକ୍ତି ଯେଉଁମାନେ ହେଲେ ରାଜନେତାମାନଙ୍କର ଭାଇ, ଭଉଣୀ, ପୁତୁରା, ଝିଆରୀ, ଭଣଜା, ଭାଣିଜୀଙ୍କୁ ଓ ସମ୍ପର୍କୀୟମାନଙ୍କୁ, ତେଣିକି ରାଜ୍ୟ ପଛେ ଭାସିଯାଉ, ଏମାନଙ୍କର ପରବାୟ ନଥାଏ। ଆଜି ମଧ୍ୟ ଦେଶ ତଥା ରାଜ୍ୟରେ ଦୁର୍ନୀତି ଓ ଅତ୍ୟାଚାର ବଢି ବଢି ଚାଲିଛି, ମହିଳାଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବଢିବାରେ ଲାଗିଛି, ସାହିତ୍ୟିକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ସମ୍ୱାଦିକମାନଙ୍କ ଉପରେ କ୍ରମାଗତ ଭାବେ ଆକ୍ରମଣ ହେଉଛି, ଚୋରି, ଡ଼କାୟତ, ଧର୍ଷଣ ବଢି ବଢି ଚାଲିଥିବା ବେଳେ ଶିକ୍ଷିତ ଯୁବକଟିଏ ନିଜର ସବୁ ଶିକ୍ଷାଗତ ଯୋଗ୍ୟତା ଓ ପ୍ରମାଣ ଥାଇ ଚାକିରୀ ପାଇଁ ଆବେଦନ କଲାବେଳକୁ ସେପଟେ ରାଜନେତାମାନେ ମୋଟା ଅଙ୍କର ଲାଞ୍ଚ ମାଗୁଛି। ଫଳରେ ଯୁବକଟି ଲାଞ୍ଚ ଦେଇନପାରି ଚାକିରୀରୁ ବଞ୍ଚିତ ହେଉଛି। ଏବେର ନିର୍ବାଚନ ହେଉଛି ଖାଲି ମିଛ ପ୍ରତିଶ୍ରୁତି ଓ ପ୍ରତାରଣା ନିର୍ବାଚନ। ଯଦି ନିର୍ବାଚନରେ ଏହିପରି ପ୍ରତିଶ୍ରୁତି ଓ ପ୍ରତାରଣା ଜାରି ରୁହେ, ତେବେ ରାଜ୍ୟ ଗରିବୀରୁ ଅତି ଗରିବୀ ଆଡ଼କୁ ଗତି କରିବ ଓ ପୁଞ୍ଜିପତି, କର୍ପୋରେଟମାନେ ଅଧିକ ଧନୀ ହୋଇ ଆମ ଗରିବୀମାନଙ୍କୁ ଶୋଷଣ କରି ଚାଲିଥିବେ ଆଉ ଆମେ ଭକୁଆ ଭୋଟରମାନେ ଅପେକ୍ଷା କରିଥିବା ସେହି ନେତାମାନଙ୍କ ପ୍ରତିଶ୍ରୁତିକୁ। କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର ମୋ : .୯୭୭୬୫୧୦୭୯୪

Share :