କିଏ ପିନ୍ଧିବ କେନ୍ଦୁଝର ମୁକୁଟ?

କିଏ ପିନ୍ଧିବ କେନ୍ଦୁଝର ମୁକୁଟ?

ସତ୍ୟଜିତ ସାମନ୍ତରାୟ ନିବାର୍ଚନ ଯେତିକି ପାଖେଇ ଆସୁଛି କେନ୍ଦୁଝର ଜିଲାର ୨୪ ନଂ ସଦର(ଏସ୍ଟି) ବିଧାନସଭା ନିର୍ବାଚନ ମଣ୍ଡଳୀର ଉଷ୍ମତା ସେତିକି ବଢିବା ଲକ୍ଷ୍ୟ କରାଯାଉଛି। ଏଥର ସଦର ନିର୍ବାଚନ ମଣ୍ଡଳୀରେ ୯ ଜଣ ପ୍ରାର୍ଥୀ ଲଢେଇକୁ ଓହ୍ଲାଇଛନ୍ତି। ହେଲେ ଏଠାରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ବିତା ଲକ୍ଷ୍ୟଣୀୟ। ଏଥର ନିବାର୍ଚନରେ କେନ୍ଦୁଝରର ସଦର ବିଧାୟକ ବିଜେଡି ପାଇଁ କଣ୍ଟା ସାଜିଥିବା ବେଳେ ଭୋଟ ଭାଗର ଆଶଙ୍କାରେ କଳେ ବଳେ କଉଶଳେ ଏହି ଆସନ ହାତେଇବାକୁ ଜୋର ଲଗାଇଛି ବିଜେଡି। କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ସଦର ବ୍ଲକର ୨୫ଟି, ଝୁମ୍ପୁରା ବ୍ଲକର ୧୨ଟି ବାଂଶପାଳ ବ୍ଲକର ୫ଟି ଓ କେନ୍ଦୁଝର ଗଡ ପୌରପାଳିକା ରହିଛି। ୨୮୩ ଟି ବୁଥରେ ଏଥର ଭୋଟ ଗ୍ରହଣର ବ୍ୟବସ୍ଥା କରାଯାଇଛି। ଏହି ଆସନ ଆଦିବାସୀ ବର୍ଗ ପାଇଁ ସଂରକ୍ଷିତ ରହିଥିବା ବେଳେ ୨ ଲକ୍ଷ ୧୯ ହଜାର ୮୦୪ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବାର ଅଧିକାର ଲାଭ କରିଛନ୍ତି। ୨୦୧୪ରୁ ଏହି ଆସନର ବିଧାୟକଙ୍କୁ କେନ୍ଦୁଝର ଲୋକେ ଦିନେ ବି ଦେଖିବାର ସୁଯୋଗ ପାଇଲେ ନାହିଁ। କେନ୍ଦୁଝରର ବିକାଶକୁ ତା’ ବାଟରେ ଛାଡିଦେଇ ସେ କ୍ଷମତାର ଉପଭୋଗ କରିବାରେ ବ୍ୟସ୍ତ ରହିଲେ। ତାକୁ ଆଖି ଆଗରେ ରଖି ଏଥର ବିଜେଡି କଂଗ୍ରେସ ଦଳ ଛାଡି ବିଜେଡିରେ ମିଶି ଥିବା ପୂର୍ବତନ କଂଗ୍ରେସ ସାଂସଦ ମାଧବ ସର୍ଦ୍ଦାରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଗତ ଦିନରେ ସଖି କଣ୍ଢେଇ ସାଜି କ୍ଷମତା ଲୋଭରେ ଥିବା ୫ ବର୍ଷର ବିଧାୟକଙ୍କ ରିପୋର୍ଟ କାର୍ଡକୁ ପରଖିବାରେ ଲାଗିଛନ୍ତି ଭୋଟର। ସେପଟେ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ ଚିଟ ଫଣ୍ଡ କେଳଙ୍କାରୀରେ ଜେଲରୁ ଫେରି ନିଜର କ୍ଷେତ୍ର ସଜାଡିଥିବା ବେଳେ ସେ ବିଜେଡିକୁ ଚେକମେଟ ଦେବାରେ ଲାଗିଛନ୍ତି। ଯାହା ବିଜେଡି ପାଇଁ କାଳ ସାବ୍ୟସ୍ତ ହୋଇ ପାରେ। ଶ୍ରୀ ସର୍ଦ୍ଦାର ୧୯୯୬ରେ ନିବାର୍ଚନ ଜିତି କଂଗ୍ରେସର ସାଂସଦ ଭାବେ ବିଜୟୀ ହୋଇଥିବା ବେଳେ ୨୦୦୦ରେ ଚମ୍ପୁଆ ନିବାର୍ଚନ ମଣ୍ଡଳୀରୁ ଲଢି ପରାସ୍ତ ହୋଇଥିଲେ। ୨୦୦୪ରେ ଭାଜପାର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀଙ୍କଠାରୁ ୧୦ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ ହୋଇଥିଲେ। ସଦର ନିବାର୍ଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ ୨୦୦୦ ରୁ ୨୦୦୪ ଓ ୨୦୦୪ ରୁ ୨୦୦୯ ଭାଜପା ଟିକେଟରେ ବିଜୟୀ ହୋଇ ଦୁଇଥର ବିଧାୟକ ହୋଇ ଥିଲେ। ୨୦୦୪ ରେ ନିଜର ଦ୍ୱିତୀୟ ପାଳିରେ ସେ ଶାସକ ଦଳର ଉପମୁଖ୍ୟ ସଚେତକ ଭାବେ ନିଜର ଦାୟିତ୍ୱ ତୁଲାଇଥିଲେ। ୨୦୦୯ ଓ ୨୦୧୪ ନିବାର୍ଚନରେ ସେ ଭାଜପାରୁ ଲଢି କମ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଲୋକମାନଙ୍କ ସହ ବିଧାୟକ ନଥିବା ସମୟରେ ସୁଖଦୁଃଖରେ ଠିଆହେବା ଏଥର ତାଙ୍କର ବିଜୟ ସମ୍ଭାବନା ସୃଷ୍ଟି କରିପାରେ। ବିଜେଡିକୁ ଟକ୍କର ଦେବା ଲକ୍ଷ୍ୟରେ ସେ ମାରାଥନ ପ୍ରଚାରରେ ଯାଇ ନିଜ ସମୟରେ କରିଥିବା କାର୍ଯ୍ୟର କଥା ଲୋକଙ୍କ ପାଖରେ କହୁଥିବା ଦେଖା ଯାଉଛି। ଆଦିବାସୀ ନେତା ତଥା କଂଗ୍ରେସର ବିଧାୟକ ପ୍ରାର୍ଥୀ ବିଦ୍ୟାଧର ଦେହୁରୀ ୨୦୦୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଓ ୨୦୦୯ରେ କଂଗ୍ରେସ ଟିକେଟରେ ଲଢି ପରାସ୍ତ ହୋଇଥିଲେ। ଏଥର କିନ୍ତୁ ତାଙ୍କ ଉପରେ କଂଗ୍ରେସର ଆସ୍ଥା ରହିଥିବାରୁ ସେ ବିଜୟ ଲକ୍ଷ୍ୟରେ ପ୍ରଚାର ଜୋରଦାର କରୁଥିବା ଲକ୍ଷ୍ୟ କରାଯାଉଛି। ସୁବର୍ଣ୍ଣ ନାଏକ ବିଜେଡି ରୁ ୨୦୦୯ରେ ବିଧାୟକ ହୋଇଥିବା ବେଳେ ଚିଟ ଫଣ୍ଡରେ ସମ୍ପୃକ୍ତି ଯୋଗୁ ଜେଲ ମୁହଁ ଦେଖିବାକୁ ପଡିଥିଲା। ଶେଷ ପର୍ଯ୍ୟନ୍ତ ବିଜେଡି ଟିକେଟରୁ ନିର୍ବାଚନ ଲଢିବାର ଆଶା ରଖି ବଂଚିତ ହୋଇଥିବାରୁ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି। ବିଦ୍ରୋହୀ ପ୍ରାର୍ଥୀ ଭାବେ ଉଭା ହୋଇଥିବା ସୁବର୍ଣ୍ଣ ବିଜେଡି ପାଇଁ କାଳ ସାଜିଛନ୍ତି। ତେବେ ଏଠାରେ ବିଜେଡି ବିଜେପି ଓ କଂଗ୍ରେସ ଭିତରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତାର ସମ୍ଭାବନା ରହିଥିବା ବେଳେ ଝୁମ୍ପୁରା ବ୍ଲକ, ସଦର ବ୍ଲକର ପଂଚାୟତ ଓ କେନ୍ଦୁଝରଗଡ ପୌରପାଳିକା ଭିତରେ ବିଜେପିର ପ୍ରାର୍ଥୀ ମୋହନ ଚରଣ ମାଝୀଙ୍କ ପଲା ଭାରି ରହିଥିବା ଜଣାପଡୁଛି। ସେପଟେ କେନ୍ଦ୍ରୀୟ ନେତାମାନଙ୍କ କେନ୍ଦୁଝରକୁ ମାରାଥନ ଗସ୍ତ କାର୍ଯ୍ୟକ୍ରମ କର୍ମୀ ଓ ନେତାଙ୍କ ଉତ୍ସାହକୁ ବଢାଇଛି। ବିଜେଡି ପ୍ରାର୍ଥୀ ମାଧବ ସଦ୍ଦାର୍ରଙ୍କ ଲୋକପ୍ରିୟତା ଓ ଲୋକସମ୍ପର୍କକୁ ଆଧାର କରି ନିର୍ବାଚନ ଜିତିବା ସମ୍ଭାବନା ରଖିଥିବା ବେଳେ ତାଙ୍କୁ ଜିତାଇବାକୁ ବିଜେଡିର ଛାମୁଆ ନେତାସବୁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚଳାଇଛନ୍ତି। ଏହି ତ୍ରିମୁଖୀ ଲଢେଇରେ ସୁବର୍ଣ୍ଣ ମୁଖ୍ୟ ଭୁମିକା ବହନ କରିବାର ସୂଚନା ମିଳୁଛି। କେନ୍ଦୁଝର ଗଡ଼ ପୌରାଂଚଳ ଓ ସଦର ବ୍ଲକରେ ବିଜେପି ଓ ବିଜେଡି ଭିତରେ ଜୋରଦାର ଟକ୍କର ଜାରି ରହିଛି। ତେବେ କାହାର ବାଜିମାତ ହେବ ଓ କାହା ମୁଣ୍ଡରେ ସଦର ମୁକୁଟ ପିନ୍ଧାଇବ ତାହା ଭୋଟର ସ୍ଥିର କରିବେ।

Share :