ଡର ପଶିଲା, କଥା ବୁଲିଲା!

ଡର ପଶିଲା, କଥା ବୁଲିଲା!

Share :

ସ୍ବତନ୍ତ୍ର ପ୍ରତିନିଧି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ତାଙ୍କର ତଥାକଥିତ ‘ସମଦୂରତା’ ନୀତି ବଦଳାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ଶାସକ ବିଜୁ ଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକ। ୨୦୦୯ ମସିହାରୁ ଉଭୟ କଂଗ୍ରେସ ମେଣ୍ଟ ଓ ବିଜେପି ମେଣ୍ଟଠାରୁ ବିଜୁ ଜନତା ଦଳ ସମଦୂରତା ରକ୍ଷା କରୁଛି ବୋଲି କହି ଆସୁଥିବା ନବୀନ ପଟ୍ଟନାୟକ ପରବର୍ତ୍ତୀ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି। ସିବିଆଇ ଡର ଏବଂ ପରାଜୟ ଆଶଙ୍କାରେ ସେ ଏପରି ମତ ବଦଳାଇଥିବା ରାଜନୀତିକ ସମୀକ୍ଷକମାନେ ଅନୁଶୀଳନ କରୁଛନ୍ତି। ୨୦୦୯ ନିର୍ବାଚନ ପୂର୍ବରୁ ବିଜେପି ହାତ ଛାଡ଼ି ଏନଡିଏରୁ ବାହାରି ଆସିଥିବା ନବୀନ ପଟ୍ଟନାୟକଙ୍କ ପ୍ରତି ୨୦୧୪ ଯାଏଁ କେନ୍ଦ୍ରର କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ। ସେହି ସମୟରେ ଓଡ଼ିଶା ଗସ୍ତରେ ଆସିଥିବା ପ୍ରାୟ କେନ୍ଦ୍ରମନ୍ତ୍ରୀମାନେ ନବୀନ ସରକାରଙ୍କୁ ପ୍ରଶଂସା କରୁଥିଲେ। ନବୀନଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳ ମଧ୍ୟ କେନ୍ଦ୍ର ସରକାରଙ୍କୁ ପରୋକ୍ଷ ସମର୍ଥନ ଯୋଗାଇ ଦେଇଥିଲା। ୨୦୧୪ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ନବୀନ ତାଙ୍କ ବିରୋଧରେ ନକାରାତ୍ମକ ମନ୍ତବ୍ୟ ଦେଇଥିଲେ। ସେ ପ୍ରଧାନମନ୍ତ୍ରୀ ଯୋଗ୍ୟ ନୁହନ୍ତି ବୋଲି ସେତେବେଳେ ନବୀନ କହିଥିଲେ। ତେବେ, ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ନବୀନ ପଟ୍ଟନାୟକ ନିଜ ଦଳର ସମସ୍ତ ସାଂସଦଙ୍କୁ ନେଇ ନରେନ୍ଦ୍ର ମୋଦିଙ୍କୁ ଭେଟି ଦେଇଥିଲେ। ତାଙ୍କ ସରକାରର ପ୍ରାୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ମଧ୍ୟ ନବୀନ ସମର୍ଥନ କରିଥିଲେ। ଅବଶ୍ୟ ବିଜୁ ଜନତା ଦଳର ଆଞ୍ଚଳିକ ରାଜନୀତିକ ବାଧ୍ୟବାଧକତା ପାଇଁ ସେ ଏକ ନୂଆ କୌଶଳ ବାହାର କରିଥିଲେ। ତାହା ହେଉଛି ସମଦୂରତା। ସେ ସବୁବେଳେ କହୁଥିଲେ ତାଙ୍କ ଦଳ ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା କରୁଛି। ୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ନବୀନ କହିଥିଲେ ଯେ ତାଙ୍କ ଦଳ କଂଗ୍ରେସ କିମ୍ବା ବିଜେପି ମେଣ୍ଟକୁ ସରକାର ଗଠନରେ ସମର୍ଥନ କରିବ ନାହିଁ। ଏକ ସଭାରେ ସେ କହିଥିଲେ ଯେ ନିର୍ବାଚନ ପରେ କେନ୍ଦ୍ର ସରକାର ଗଠନରେ ବିଜୁ ଜନତା ଦଳ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଅନ୍ୟ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ବାଜେପୟୀ ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ, ମୋଦି ଯୋଗ୍ୟ ନେତା ନୁହନ୍ତି। ସେ ଆଉ ଥରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। କିନ୍ତୁ ପରେ ସେ ଇକୋନାମିକ୍ ଟାଇମ୍ସକୁ ଦେଇଥିବା ଅନ୍ୟ ଏକ ସାକ୍ଷାତକାରରେ କହିଛନ୍ତି ଯେ କେନ୍ଦ୍ରରେ ଯେଉଁ ସରକାର ଓଡ଼ିଶାର ଦାବି ପୂରଣ କରିବ ସେ ତାଙ୍କୁ ସମର୍ଥନ କରିବେ। ଏହାର ଅର୍ଥ ଯଦି କଂଗ୍ରେସର ଉପା ବା ବିଜେପିର ଏନଡିଏ ତାଙ୍କ ଦାବି ମାନିନେବେ ବିଜେଡି ସେହି ସରକାରଙ୍କୁ ସମର୍ଥନ କରିବେ। ଏହାର ଅର୍ଥ ସମଦୂରତା ନୀତିରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ହଠାତ ନିର୍ବାଚନ ମଝିରେ ନବୀନଙ୍କୁ ଏଭଳି ନୀତି ପରିବର୍ତ୍ତନର କି ଆବଶ୍ୟକତା ପଡ଼ିଲା ବୋଲି ଏବେ ରାଜନୀତିକ ମହଲରେ ପ୍ରଶ୍ନ ଉଠିଛି। ରାଜନୀତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ ଦୁଇଟି କାରଣରୁ ନବୀନ ନିଜର ମତ ପରିବର୍ତ୍ତନ କରିଥାଇପାରନ୍ତି। ପ୍ରଥମ କାରଣ ହେଉଛି ପରାଜୟ ଆଶଙ୍କା। ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ଓଡ଼ିଶାରେ ତ୍ରିପୁରା ପରିସ୍ଥିତି ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବିଷ୍ୟବାଣୀ କରିଥିଲେ। ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ମଧ୍ୟ ସେ ଓଡ଼ିଶାର କେତେକ ସଭାରେ ସେହି କଥା ଦୋହରାଇଛନ୍ତି। ସେ କହିଛନ୍ତି ଭୋଟିଂ ଟ୍ରେଣ୍ଡରୁ ଜଣାପଡ଼ୁଛି ଓଡ଼ିଶାରେ ତ୍ରିପୁରା ପରିସ୍ଥିତି ହେବ ଓ ବିଜେପି ବିପୁଳ ବିଜୟ ହାସଲ କରି ସରକାର ଗଠନ କରିବ। ପ୍ରଧାନମନ୍ତ୍ରୀଙ୍କର ଦମ୍ଭର ସହିତ ଏହି ଘୋଷଣା ନବୀନ ପଟ୍ଟନାୟକଙ୍କୁ ଛାନିଆ କରିଦେଇଥାଇପାରେ। ଯଦି ତାଙ୍କ ଦଳ ହାରିଯିବ ତେବେ ତାଙ୍କ ସରକାର ଅମଳରେ ହୋଇଥିବା ଅନେକ ଦୁର୍ନୀତି ଓ ଅନ୍ୟାନ୍ୟ କେଳେଙ୍କାରିର ଖୋଳତାଡ଼ ହୋଇପାରେ। ତାହା ତାଙ୍କ ପାଇଁ ବିପଦ। ତେଣୁ ମୋଦିଙ୍କ କଥା ଅନୁସାରେ ଯଦି କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର ହୁଏ ସେହି ସରକାରକୁ ତାଙ୍କ ଦଳ ସମର୍ଥନ ଘୋଷଣା କଲେ ଅନାଗତ ବିପଦକୁ ଆଡ଼େଇ ହେବ। ସେହିପରି କେନ୍ଦ୍ରରେ ଯଦି କଂଗ୍ରେସର ଉପା ସରକାର ଗଠନ କରେ ତାଙ୍କ ଦଳ ସେଥିରେ ସିଧାସଳଖ ସାମିଲ ହୋଇ ବିଜେପିଠାରୁ ଆସିବାକୁ ଥିବା ବିପଦକୁ ଟାଳି ପାରିବେ। ଉପା ଓ ଏନଡିଏ ବାହାରେ ଯଦି କୌଣସି ତୃତୀୟ ମେଣ୍ଟ କେନ୍ଦ୍ରରେ ସରକାର ଗଠନ କରିବାର ସମ୍ଭାବନା ସୃଷ୍ଟି ହୁଏ ନବୀନ ସେହି ମେଣ୍ଟକୁ ସମର୍ଥନ କରିବାର ସମ୍ଭାବନା ଅଧିକ। ସେଭଳି ସ୍ଥିତିରେ ତାଙ୍କ କଥା ରହିବ ଓ କଂଗ୍ରେସ ଏବଂ ବିଜେପିକୁ ସେ ଖେଳେଇ ପାରିବେ। ମାତ୍ର, ସେଭଳି ସମ୍ଭାବନା କ୍ଷୀଣ ଦେଖାଯାଉଥିବାରୁ ନବୀନବାବୁ ‘ଓଡ଼ିଶାର ଦାବୀ’ କଥା ଉଠାଇ ଯେକୌଣସି ସରକାରକୁ ସମର୍ଥନ କରିବା କଥା କହିଛନ୍ତି।

Share :