ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା ଜନସଂଖ୍ୟାରେ ଯୁବଗୋଷ୍ଠୀର ଅନୁପାତ ଅନେକ ଅଧିକ। ଯୁବ ଭୋଟରଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ। ଚଳିତ ବର୍ଷ ପୁଣି ଭୋଟର ତାଲିକାରେ ୫.୪୫ ଲକ୍ଷନୂଆ ଭୋଟର ଯୋଡ଼ି ହୋଇଛନ୍ତି। ସେମାନଙ୍କ ପାଇଁ ନିର୍ବାଚନୀ ଇସ୍ତାହାରରେ ବିଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି ବିଭିନ୍ନ ଦଳ। ତେବେ ଅନେକଙ୍କ ମତରେ ଯୁବଗୋଷ୍ଠୀ ପାଇଁ ଭାରତୀୟ ଜନତା ପାର୍ଟିର ଚିନ୍ତାଧାରା ଅଧିକ ଆକର୍ଷଣୀୟ। ଭାରତୀୟ ଜନତା ପାର୍ଟି ତାହାର ଇସ୍ତାହାରରେ ଯୁବବର୍ଗ ପାଇଁ ଦେଇଥିବା ପ୍ରତିଶ୍ରୁତି ମଧ୍ୟରେ ମାଗଣା ଉଚ୍ଚଶିକ୍ଷା ଓ ନିଶ୍ଚିତ ନିଯୁକ୍ତି କଥା କହିଛି। ଏହି ଦଳ ଓଡ଼ିଶାରେ ସରକାର ଗଢ଼ିଲେ ଆର୍ଥନୀତିକ ଦୃଷ୍ଟିକୋଣରୁ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀଙ୍କୁ କେଜିରୁ ପିଜି ଅର୍ଥାତ ପ୍ରଥମ ଶ୍ରେଣୀରୁ ସ୍ନାତକୋତ୍ତର ଯାଏଁ ମାଗଣା ଶିକ୍ଷା ସୁବିଧା ଯୋଗାଇ ଦେବ। ସମସ୍ତ କଲେଜ ଛାତ୍ରଛାତ୍ରୀମାନଙ୍କୁ ସ୍ମାର୍ଟ ଡିଜିଟାଲ ଡିଭାଇସ୍ ଅର୍ଥାତ ସ୍ମାର୍ଟ ମୋବାଇଲ୍ ଫୋନ୍ ଦେବାକୁ ମଧ୍ୟ ଭାରତୀୟ ଜନତା ପାର୍ଟିର ଏହାର ଦଳୀୟ ଇସ୍ତାହାରରେ ଘୋଷଣା କରିଛି। ଦଶମ ଶ୍ରେଣୀରୁ ସ୍ନାତକ ଯାଏଁ ଛାତ୍ରୀମାନଙ୍କୁ ୫୦ ହଜାର ଟଙ୍କାର ଶିକ୍ଷା ସହାୟତା ଦିଆଯିବ। ଯୁକ୍ତ ଦୁଇ ସ୍ତର ପରେ ସମସ୍ତ ମେଧାବୀ ଛାତ୍ରୀଙ୍କୁ ଦୁଇ ଚକିଆ ଗାଡ଼ି ଯୋଗାଇ ଦିଆଯିବ। ସେହିପରି ପ୍ରତି ପରିବାରର ଜଣଙ୍କୁ ଅନ୍ତତଃ ନିଯୁକ୍ତି ବା ଆତ୍ମନିଯୁକ୍ତି ସୁଯୋଗ ଦିଆଯିବ। ଓଡ଼ିଶା ସରକାରେ ରହିଥିବା ସବୁ ଖାଲି ପଦପଦବୀ ୨ ବର୍ଷ ଭିତରେ ପୂରଣ କରାଯିବ। ଦୁଇ ଦଶନ୍ଧି ମଧ୍ୟରେ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ପଦପଦବୀ ପୂରଣ ହୋଇନଥିବାରୁ ଓଡ଼ିଶା ସରକାରରେ ଏବେ ଲକ୍ଷାଧିକ ପଦପଦବୀ ଖାଲି ପଡ଼ିଛି। ଯୋଗ୍ୟତା ନୁଯାୟୀ ଚାକିରି ନକରି ଯଦି କେହି ନିଜର କିଛି ବ୍ୟବସାୟ କରିବାକୁ ଚାହିଁବେ ତେବେ ବିଜେପି ସରକାର ସେମାନଙ୍କୁ ମାତ୍ର ୧ ପ୍ରତିଶତ ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଯୋଗାଇଦେବେ। ଅନ୍ୟପକ୍ଷରେ ଯୁବ ବର୍ଗ ପାଇଁ ଶାସକ ବିଜୁ ଜନତା ଦଳ ଯେଉଁସବୁ ପ୍ରତିଶ୍ରୁତି ଦେଇଛି ସେଥିରୁ କିଛି ବହୁ ପୁରୁଣା ଓ ଅନ୍ୟ କିଛି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ। ବିଜେଡି ଏହାର ଇସ୍ତାହାରରେ କହିଛି ଯେ ଓଡ଼ିଶାରେ ଗଢ଼ି ଉଠୁଥିବା ଶିଳ୍ପକାରଖାନାରେ ଓଡ଼ିଆ ଯୁବ ବର୍ଗ ପାଇଁ ୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ। ଏହା ଏକ ପୁରୁଣା ପ୍ରତିଶ୍ରୁତି ଯାହା ଦୁଇ ଦଶନ୍ଧି ଭିତରେ ପୂରଣ ହୋଇନାହିଁ। ଓଡ଼ିଶା ସରକାରଙ୍କ ଶିଳ୍ପ ନୀତିରେ ଅଛି ଯେ ଶିଳ୍ପ କାରଖାନାଗୁଡ଼ିକର ସ୍ଥାନୀୟ ପ୍ରାର୍ଥୀଙ୍କ ପାଇଁ ୮୦ ପ୍ରତିଶତ ପଦପଦବୀ ସଂରକ୍ଷିତ ରହିବ। ଏହି ପ୍ରତିଶ୍ରୁତି ଏଯାଏଁ ପୂରଣ ହୋଇନାହିଁ ବୋଲି ଅନେକ ଶିଳ୍ପାଂଚଳରେ ଆନ୍ଦୋଳନ ଅବ୍ୟାହତ ରହିଛି। ତା’ଛଡ଼ା ଯେଉଁ ଅଞ୍ଚଳରେ ଶିଳ୍ପ କାରଖାନା ଗଢ଼ି ଉଠୁଛି ସେଠାରେ ଓଡ଼ିଶା ସରକାର ଏଯାଏଁ ଉନ୍ନତ ଶିକ୍ଷା ସୁବିଧା ଯୋଗାଇ ନଥିବାରୁ ସ୍ଥାନୀୟ ଯୁବକଯୁବତୀମାନେ ଶିଳ୍ପାନୁଷ୍ଠାନରେ ବଡ଼ ବଡ଼ ପଦପଦବୀରେ ଚାକିରି କରିବାକୁ ଯୋଗ୍ୟତା ଓ ଦକ୍ଷତା ହାସଲ କରିପାରି ନାହାନ୍ତି। ସେମାନଙ୍କ ପାଇଁ କେବଳ ମୂଲିଆ ଓ ଶ୍ରମିକ ପଦ ସଂରକ୍ଷିତ ରହିଛି। ସେହିପରି ୧୫ ଲକ୍ଷ ଯୁବକଯୁବତୀଙ୍କୁ ବିଶ୍ବ ସ୍ତରୀୟ ଚାକିରି ପାଇଁ ଦକ୍ଷ କରାଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଛି ତାହା ବାସ୍ତବରେ କେନ୍ଦ୍ର ସରକାରଙ୍କର ଏକ କାର୍ଯ୍ୟକ୍ରମ। ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧୀନରେ ଥିବା ଦକ୍ଷତା ବିକାଶ ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମ ଜରିଆରେ ଭାରତର ସମସ୍ତ ରାଜ୍ୟର ଯୁବକଯୁବତୀଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତିକ୍ଷମ ହେବା ପାଇଁ ଦକ୍ଷତା ତାଲିମ ଦେଉଛି। ଏହି କାର୍ଯ୍ୟକ୍ରମକୁ ବିଜେଡି ନିଜ ଇସ୍ତାହାରରେ ନିଜ କାର୍ଯ୍ୟକ୍ରମ ଭାବେ ଦର୍ଶାଇଛି। ଫୋକସ ଶିଳ୍ପ ଜରିଆରେ ୩୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ମଧ୍ୟ ବିଜୁ ଜନତା ଦଳ ନିଜର ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ଅଥଚ ଏହି ଦଳର ସରକାର ବିଭିନ୍ନ ଶିଳ୍ପରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ଲକ୍ଷଲକ୍ଷ ଓଡ଼ିଆ ପିଲାଙ୍କୁ ନିଯୁକ୍ତି ମେଳା ନାଁରେ ଠକିଛି। ପିଲାମାନେ ଫି ଜମା କରିଥିଲେ ବି ନିଯୁକ୍ତି ମେଳାର ଦେଖାନାହିଁ କି କମ୍ପାନୀ ଚାକିରି ମିଳିନାହିଁ। ସେହିପରି ବିଜେଡି ଇସ୍ତାହାରେ କଲେଜ ଛାତ୍ରଛାତ୍ରୀମାନଙ୍କୁ ୧ ଜିବି ଡାଟା ମାଗଣାରେ ଦିଆଯିବ ବୋଲି କୁହାଯାଉଛି। ଏହା ବି ଭାରତ ସରକାରଙ୍କ ବ୍ୟାପାର। ଓଡ଼ିଶା ସରକାର ଡାଟା ବିକ୍ରି କରନ୍ତି ନାହିଁ କି ଡାଟା ନିୟନ୍ତ୍ରଣ କରନ୍ତି ନାହିଁ। କଂଗ୍ରେସ ଦଳ ଯେଉଁ ଇସ୍ତାହାର ପ୍ରକାଶ କରିଛି ସେଥିରେ ଯୁବ ବର୍ଗ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ଥିବା ଖାଲିସ୍ଥାନ ପୂରଣ କରିବାର ପ୍ରତିଶ୍ରୁତି ଦିଆଯାଇଛି। କେନ୍ଦ୍ର ସରକାରରେ ଏବେ୨୨ ଲକ୍ଷ ଓ ବିଭିନ୍ନ ରାଜ୍ୟରେ ପ୍ରାୟ ୨୦ ଲକ୍ଷ ପଦବୀ ଖାଲି ପଡ଼ିଛି। କଂଗ୍ରେସ କେନ୍ଦ୍ରରେ ସରକାରକୁ ଆସିଲେ ଏସବୁ ପଦବୀ ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ସେହିପରି ସମସ୍ତ ପବ୍ଲିକ ସ୍କୁଲରେ ସବୁ ବର୍ଗର ପିଲାଙ୍କୁ ମାଗଣା ଶିକ୍ଷା ସୁବିଧା ଦିଆଯିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ତେବେ ଏ ପ୍ରତିଶ୍ରୁତି ବାସ୍ତବବାଦୀ ନୁହେଁ ବୋଲି ଶାସନ କ୍ଷେତ୍ରରେ ଅଭିଜ୍ଞତା ରଖିଥିବା ଜଣେ ପୂର୍ବତନ ପ୍ରଶାସକ କହିଛନ୍ତି। ତାଙ୍କ କହିବା ଅନୁସାରେ ପବ୍ଲିକ ସ୍କୁଲଗୁଡ଼ିକ ପ୍ରାଇଭେଟ୍ ହୋଇଥିବାରୁ ମାଗଣାରେ କାହାକୁ ପଢ଼ାଇବାକୁ ସେମାନେ ରାଜି ହୋଇ ନପାରନ୍ତି। ସେହିପରି ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦଳ ଶାସନ କ୍ଷମତାରେ ଥିବାରୁ ରାଜ୍ୟଗୁଡ଼ିକର ସରକାରୀ ପଦବୀ ପୂରଣରେ କଂଗ୍ରେସ ଦଳ ସମର୍ଥ ହେବ ନାହିଁ।