ଆଇଓସିଏଲ ପ୍ରଚାରରେ ଲାଭ କାହାର?

ଆଇଓସିଏଲ ପ୍ରଚାରରେ ଲାଭ କାହାର?

Share :

ପୋଷ୍ଟରରେ ନାହାନ୍ତି ଓଡ଼ିଶାର ଏକମାତ୍ର କ୍ୟାବିନେଟ ମନ୍ତ୍ରୀ   ପାରାଦୀପ ନିକଟରେ ପ୍ରତିଷ୍ଠିତ ଭାରତୀୟ ତୈଳ ନିଗମର ବିଶୋଧନାଗାର ଯୋଗୁ ଓଡ଼ିଶାର ଲାଭ ହେବ ନା କ୍ଷତି ସେ ସଂପର୍କରେ ସରକାର ଓ ବିରୋଧୀ ପକ୍ଷରେ କୌଣସି ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ହେଉ ନଥିବାବେଳେ ଏହାର ଲୋକାର୍ପଣ ଉତ୍ସବରୁ କେଉଁ ଦଳ କେତେ ପ୍ରଚାର ସୁଯୋଗ ଓ ରାଜନୀତିକ ଫାଇଦା ପାଇବେ ସେ ନେଇ ଚାଲିଛି ଜୋରଦାର ରାଜନୀତି | ଏପରିକି ଏହି ରାଜନୀତିରେ ଦଳୀୟ ସ୍ବାର୍ଥକୁ ମଧ୍ୟ ପଛରେ ପକାଇ ଆଗକୁ ଉଠିବାକୁ ଉଦ୍ୟମ କରୁଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ଫ ମନ୍ତ୍ରଣାଳୟର ସ୍ବାଧୀନ ପାହ୍ୟା ରାଷ୍ଟ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ରାଜ୍ୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିକଳ୍ପ ହେବାକୁ ଚତୁର ଉଦ୍ୟମ ଚଳାଇଥିବା ପ୍ରଧାନଙ୍କୁ ଟକ୍କର ଦେବାକୁ ନବୀନଙ୍କ ବିଜୁ ଜନତା ଦଳ ତରଫରୁ ମଧ୍ୟ କୋଟିକୋଟି ଟଙ୍କାର ପ୍ରଚାର ଅଭିଯାନ ଆରମ୍ଭ ହୋଇଛି | ପାରାଦୀପ ତୈଳ ବିଶୋଧନାଗାର ଯୋଗୁଁ ଓଡ଼ିଶାର ଲାଭ କ’ଣ ହେଲା ବା ହେବ, ଏ ପ୍ରଶ୍ନର ଉତ୍ତର ଓଡ଼ିଶାର ପ୍ରାୟ କୌଣସି ଲୋକଙ୍କୁ ଜଣା ନଥିବ | ଏପରିକି ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରର କୌଣସି ମନ୍ତ୍ରୀଙ୍କୁ ଏ ପ୍ରଶ୍ନ ପଚାରିଲେ କେହି ଚଟାପଟ ଉତ୍ତର ଦେଇ ପାରିବେ ନାହିଁ | ସେଥିପାଇଁ ସେମାନଙ୍କୁ ସଚିବ ଡକାଇ ଫାଇଲ କସରତ କରିବାକୁ ପଡ଼ିବ | କିନ୍ତୁ କେଉଁ ପ୍ରଧାନମନ୍ତ୍ରୀ ପାରାଦୀପରେ ତୈଳ ବିଶୋଧନାଗାର ହେବ ବୋଲି ନିଷ୍ପତ୍ତି ନେଲେ, କେଉଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କଲେ, କିଏ ଉଦଘାଟନ କରୁଛନ୍ତି, ଏଥିପାଇଁ ନବୀନ ପଟ୍ଟନାୟକଙ୍କର ଶ୍ରେ କେତେ ଏସବୁ ଅଯଥା କଥାକୁ ନେଇ ଏବେ ରାଜ୍ୟ ସାରା ଚର୍ଚ୍ଚା, ରାଜନୀତିରେ ବି, ଗଣମାଧ୍ୟମରେ ବି | ସେହି ଅନୁସାରେ ବିଜ୍ଞାପନ ଓ ପୋଷ୍ଟର ଯୁଦ୍ଧ | ପାରଦୀପ ତୈଳ ବିଶୋଧନାଗାରରେ କେତେ ଓଡ଼ିଆ ଲୋକ ନିଯୁକ୍ତି ପାଇଛନ୍ତି? ଏଥି ଯୋଗୁଁ ପାରାଦୀପ ଉପକୂଳରେ କେତେ ହେନ୍ତାଳ ଓ ଝାଉଁ ଜଙ୍ଗଲ ଲୋପ ପାଇଲା? ଏହି କାରଖାନାରୁ କେତେ ପରିମାଣର ସବୁଜ ଗୃହ ବାଷ୍ଫ ବା ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗତ ହେବ? ଓଡ଼ିଶାର ପାଣିପାଗ ଓ ପରିବେଶ ଉପରେ ତାହାର କି ପ୍ରଭାବ ପଡ଼ିବ? ଏହି କାରଖାନା ଯୋଗୁଁ ସ୍ଥାନୀୟ ଲୋକଙ୍କର କି ପ୍ରକାର ଶାରୀରିକ, ଆର୍ଥିକ, ସାମାଜିକ ଓ ପାରିବାରିକ ପରିବର୍ତ୍ତନ ସଂଘଟିତ ହେବ? ସେମାନେ ସୁସ୍ଥ ରହିବେ ନା ରୋଗବ୍ୟାଧିରେ ପଡ଼ିବେ? ସେମାନଙ୍କ ଅଂଚଳରେ ଶାନ୍ତି ବିରାଜମାନ କରିବ ନା ନିୟମିତ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ? ଏହା ଦ୍ବାରା ସେମାନଙ୍କର ବ୍ୟକ୍ତିଗତ ସଂପତ୍ତି ପରିମାଣ ବଢ଼ିବ ନା କମିବ? ସେମାନଙ୍କର ସମ୍ମାନ ଓ ସ୍ବାଭିମାନ ଦୃଢ଼ ହେବ ନା ଦୁର୍ବଳ? ରାଜ୍ୟ ସରକାର ଏହି କେନ୍ଦ୍ରୀୟ କାରଖାନାରୁ କେତେ ରାଜସ୍ବ ପାଇବେ? ତାହା କେଉଁ କେଉଁ ବାବଦରେ ଖର୍ଚ୍ଚ ହେବ? ସେଥିରେ ରାଜ୍ୟର କି ପ୍ରକାର ବିକାଶ ଓ ସମୃଦ୍ଧି ହାସଲ ହେବ? ପାରାଦୀପ ତୈଳ ବିଶୋଧନାଗାର ଉଦଘାଟନ ପୂର୍ବରୁ ଏସବୁ ବିଷୟରେ ରାଜ୍ୟ ରାଜନୀତିରେ କି ଗଣମାଧ୍ୟମରେ କିଛି ବି ଆଲୋଚନା ହୋଇନି | ସେହିପରି ଏଭଳି ଏକ ଦୁର୍ଘଟଣା ଓ ପ୍ରଦୂଷଣ ପ୍ରବଣ ପ୍ରକଳ୍ପରେ ଆଇନ ଓ ପ୍ରଯୁକ୍ତି ଅନୁଯାୟୀ ସବୁ ପ୍ରକାର ନିରାକରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି କି ନାହିଁ ସେ ସଂପର୍କରେ ମଧ୍ୟ କୌଣସି ବିଶେଷଜ୍ଞ ରିପୋର୍ଟ ଓ ମତାମତ ଜଣାପଡ଼ି ନାହିଁ | ଉଦଘାଟନର ସପ୍ତାହେ ପୂର୍ବରୁ ବିଶୋଧନାଗାରରେ ନିଆଁ ଲାଗିଥିଲେ ମଧ୍ୟ ସେ ସଂପର୍କରେ ଆଂଚଳିକ ରାଜନୀତି ଓ ମିଡିଆରେ ଯେତେ ଆଲୋଚନା ହେବା କଥା ହେଲା ନାହିଁ | ହୋଇଥିବା ଆଲୋଚନା ପ୍ରଧାନମନ୍ତ୍ରୀଙ୍କ ନିରାପତ୍ତା ବାବଦରେ ସୀମତ ରହିଲା | ସ୍ଥାନୀୟ ଲୋକଙ୍କ ପ୍ରତି ଏହା କେତେ ବିପଜ୍ଜନକ ସେ ବାବଦରେ ବିରୋଧୀ ଦଳ ବି କିଛି ପ୍ରଶ୍ନ ଉଠାଇଲେ ନାହିଁ | ଅଥଚ ଏହାର ଉଦଘାଟନରୁ କିଏ କେତେ ରାଜନୀତିକ ଫାଇଦା ଉଠାଇବେ ସେଇ ପ୍ରତିଯୋଗିତାରେ ସବୁ ମୁଖ୍ୟ ଦଳ ଓ ନେତା ମାତି ଯାଇଛନ୍ତି | ମୋଦି ସରକାରରେ ତୈଳ ଓ ପ୍ରାକୃତିକ ବାଷ୍ଫ ମନ୍ତ୍ରଣାଳୟର ରାଷ୍ଟ୍ରପାହ୍ୟା ସ୍ବାଧୀନ ଦାୟିତ୍ବ ବହନ କରୁଥିବା ଓଡ଼ିଆ ନେତା ବିହାରୀ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ନିଜର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ପ୍ରଚାର ଅଭିଯାନରେ ପରିଣତ କରିଛନ୍ତି | ଊର୍ଜା ଉତ୍ସବ ନାମରେ ଆଇଓସିଏଲ ତରଫରୁ ଯେଉଁ ପ୍ରଚାର ଅଭିଯାନ ଚାଲିଛି ତାହାର ବ୍ୟୟବରାଦ ପ୍ରାୟ ୬୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି | ଧର୍ମେନ୍ଦ୍ରଙ୍କ ସଂପୃକ୍ତି ଅଭିଯୋଗ ଥିବା ସଂକେତ ନାମକ ବିଜ୍ଞାପନ କମ୍ପାନୀ ଏହି ଦାୟିତ୍ବ ପାଇଛନ୍ତି | ସେଥିପାଇଁ ଟେଣ୍ଡର ହୋଇଥିଲା କି ନାର୍ହି ତାହା କାହାକୁ ଜଣା ନାହିଁ | ସରକାରୀ ଅର୍ଥରେ ଚାଲିଥିବା ଏହି ପ୍ରଚାର ଅଭିଯାନରେ ଯେତେ ପୋଷ୍ଟର, ବ୍ୟାନର ଓ ପ୍ରଚାର ଗାଡ଼ି ସଜ ହୋଇଛି ସବୁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ରହିଛି | ମୋଦି କ୍ୟାବିନେଟରେ ଓଡ଼ିଶାର ଏକମାତ୍ର ପ୍ରତିନିଧି ଥିବା ଜୁଆଲ ଓରାମଙ୍କର ଫଟୋ କୌଣସି ପୋଷ୍ଟରରେ ନାହିଁ | ଏହା ଜୁଆଲଙ୍କ ପାଇଁ ଯେତିକି ଅପମାନଜନକ, ରାଜ୍ୟ ପାଇଁ ମଧ୍ୟ ତତୋଧିକ | ରାଜ୍ୟ ବିଜେପିର ଅନ୍ୟ ନେତାଙ୍କ ପାଇଁ ମଧ୍ୟ ଏହା ଏକ ଶିକ୍ଷଣୀୟ ବିଷୟ ହୋଇଥିବ | ସାଧାରଣ ରାଜନୀତିକ ଶିଷ୍ଟତା ଓ ଶାଳୀନତା ଦୃଷ୍ଟିରୁ ଓଡ଼ିଶାର ଏକ କେନ୍ଦ୍ରୀୟ ପ୍ରକଳ୍ପର ଉଦଘାଟନ ନେଇ ଛପା ଯାଇଥିବା ପ୍ରଚାର ପୋଷ୍ଟରେ ଓଡ଼ିଶାର ଏକମାତ୍ର କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କର ଫଟୋ ରହିବା ଉଚିତ ବୋଲି ଏହି ଲେଖକକୁ ବିଭିନ୍ନ ଦଳର ଅନେକ ନେତା କହିଛନ୍ତି | କ୍ୟାବିନେଟ ମନ୍ତ୍ରୀ ଜୁଆଲ ଓରାମଙ୍କ ଫଟୋ ନାହିଁ କିନ୍ତୁ ରାଷ୍ଟ୍ର ମନ୍ତ୍ରୀ ଧର୍ମେନ୍ଦ୍ର, ଯିଏ କି ବାସ୍ତବରେ ଓଡ଼ିଶାର ପ୍ରତିନିଧି ନୁହନ୍ତି, ତାଙ୍କ ଛବି ସବୁଥିରେ | ଧର୍ମେନ୍ଦ୍ର ନିଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିକଳ୍ପ ଭାବେ ପ୍ରତିଷ୍ଠା କରିବାକୁ ଏପରି ଉଦ୍ୟମ ଚଳାଇଥିବା ସ୍ପଷ୍ଟ ହୋଇଯାଇଛି | ଧର୍ମେନ୍ଦ୍ରଙ୍କ ଏପରି ଉଦ୍ୟମକୁ ଭଣ୍ଡୁର କରିବା ପାଇଁ ନବୀନଙ୍କ ବିଜୁ ଜନତା ଦଳ ମଧ୍ୟ ଜୋରଦାର ଟକ୍କର ଦେଉଛି | ଆଇଓସିଏଲ ପ୍ରଚାର ଅଭିଯାନ ସହିତ ତାଳ ଦେଇ ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ବଡ଼ବଡ଼ ପୋଷ୍ଟର ଓ ବ୍ୟାନର ଭୁବନେଶ୍ବର ଓ କଟକରୁ ଆରମ୍ଭ କରି ପାରାଦୀପ ସମେତ ସମଗ୍ର ଜଗତସିଂହପୁର ଜିଲ୍ଲାରେ ଛାଇ ହୋଇଯାଇଛି | ଏହି ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କ ସମେତ ସମଗ୍ର ଓଡ଼ିଶାର ସ୍ବାର୍ଥ କିପରି ସୁରକ୍ଷିତ ରହିବ ସେଦିଗରେ କୌଣସି ପ୍ରକାର ଦୃଢ଼ ପଦକ୍ଷେପ ଗ୍ରହଣ କରି ନଥିବା ନବୀନ ସରକାର ଏବେ ଏହି ସଭାରେ ଅଧିକ ବିଜେଡ କର୍ମୀ ଠୁଳ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇମ୍ପ୍ରେସ ବା ପ୍ରଭାବିତ କରିବାକୁ ଚାହୁଁଛନ୍ତି | ମୁଗାମ୍ବୋଙ୍କୁ ଖୁସି କରି ନବୀନ ଚିଟ୍ ଫଣ୍ଡ ଓ ଖଣି ଦୁର୍ନୀତିରେ ସିବିଆଇ ତଦନ୍ତ ପରିସର ବାହାରେ ରହିବାକୁ ଗୁପ୍ତ ଆଜେଣ୍ଡା ରଖିଛନ୍ତି | ସେହି ଉଦ୍ୟମରେ ସେ ଏଯାଏଁ ସଫଳ ହୋଇଛନ୍ତି ବୋଲି ବି କିଛି ଦିନ ତଳେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ ଓରାମ ପ୍ରଘଟ କରିଥିଲେ | ଏ ଦୁଇ ଦଳର ଏପରି ପ୍ରଚାର ଯୁଦ୍ଧ ଚାଲିଥିବାବେଳେ କଂଗ୍ରେସର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏହି ପ୍ରକଳ୍ପ ପଛରେ କିପରି ନରସିଂହ ରାଓଙ୍କ କଂଗ୍ରେସ, ଦେବେଗୌଡ଼ାଙ୍କୁ ମିଳିତ ସାମ୍ମୁଖ୍ୟ ଓ ମନମୋହନ ସିଂହଙ୍କ ଉପା ସରକାରର ଅବଦାନ ରହିଛି ତାହା ପ୍ରଚାର କରିବାକୁ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ |

Share :