ଗଞ୍ଜାମ ପାଣିପାଗ ବଦଳିଛି!

ଗଞ୍ଜାମ ପାଣିପାଗ ବଦଳିଛି!

Share :

ହେମାଙ୍ଗ ପ୍ରସାଦ ରାଉଳ ଓଡ଼ିଶାର ସବୁଠୁ ବେଶୀ ଆକର୍ଷଣୀୟ ରାଜନୈତିକ ପ୍ରୟୋଗଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ତିନିମନ୍ତ୍ରୀ ଓ ଅନେକ ବରିଷ୍ଠ ବିଜେଡ଼ି ନେତାଙ୍କ ଭାଗ୍ୟ ହିଁ କହିବ କିଏ ଜିତିବ କିଏ ହାରିବ। ସମସ୍ତ ପ୍ରକାର କଳବଳ କୌଶଳର ଗୋଟିଏ ଗୋଟିଏ ରଣନୀତି ଖେଳିବା ପରେ ମଧ୍ୟ ବିଜେପିର ଗଣିତ ସ୍ଥିର ରହିଛି ବୋଲି ରାଜନୀତି ପଣ୍ଡିତମାନେ ଅଙ୍କ କଷୁଥିବାବେଳେ ହାତର ଶ୍ରୀହୀନ ସଂଗୀତ ସ୍ଥିତି ଜାହିର କରିବାର ପ୍ରୟାସ ଜାରି ରହିଛି। ଆସିକା ସଂସଦୀୟ କ୍ଷେତ୍ରରେ ନାରୀ ଶକ୍ତିର ପ୍ରତୀକ ଭାବରେ ପ୍ରମିଳା ବିଷୋୟୀକୁ ନେଇ ବିଜେଡ଼ିର ବିଚାର ସାଧାରଣ ଜନତାଙ୍କ ଉପରେ ଲଦି ଦେଇଥିବା ଖବର ଆଜି ଜିଲ୍ଲାବାସୀଙ୍କ ମଧ୍ୟରେ ଚର୍ଚ୍ଚା। ନବୀନ ବାବୁ ହିଂଜିଳି ଆସନରେ ବହୁ ଭୋଟ ବ୍ୟବଧାନରେ ଜିତୁଥିବାର ଧାରା ଏଥର ବଦଳିପାରେ, ବ୍ୟବଧାନ କମିଯାଇପାରେ। ଏମିତି ସ୍ଥିତିରେ ହିଂଜିଳି, ସାନଖେମୁଣ୍ଡି, କବିସୂର୍ଯ୍ୟନଗର, ଆସିକା, ପୋଲସରା ନିର୍ବାଚନ ମଣ୍ଡଳୀରେ ଦ୍ୱିମୁଖୀ ଲଢ଼େଇ। ଗୋଟିଏ ପଟରେ ଶଂଖର ଗର୍ଜନ, ଅନ୍ୟପଟରେ ବିଜେପିର ଟାଣପଣ ଏକ ବିସ୍ମୟକର ନିର୍ବାଚନ ଫଳାଫଳ ଆଡ଼କୁ ଇଙ୍ଗିତ କରୁଛି। ସଂପ୍ରତି ପ୍ରମିଳା ବିଷୋୟୀଙ୍କୁ ବରିଷ୍ଠ ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ସୁଯୋଗ୍ୟା କନ୍ୟା ଅନୀତା ଶୁଭଦର୍ଶିନୀ କଡା ଟକ୍କର ଦେଇ ଆଗକୁ ଆସିବା ପରେ ବିଜେଡ଼ି ସୁପ୍ରିମୋ ଗଂଜାମରେ ଦ୍ୱିତୀୟ ପର୍ଯ୍ୟାୟ ରୋଡ଼ ସୋ କରି ଗାଁ ଗଳିକନ୍ଦିରେ ବୁଲିବା ସୁଚାଇ ଦେଲାଣି ଯେ ବିଜେଡ଼ିର ସ୍ଥିତି ଟଳମଳ। ପ୍ରମିଳା ବିଷୋୟୀଙ୍କୁ ସାଂସଦ ଭାବରେ ଶିକ୍ଷିତ ବର୍ଗ ଚାହୁଁନଥିବା ନେଇ ସବୁଠି ଚର୍ଚ୍ଚା ଏବଂ ଅନିତା ଶୁଭଦର୍ଶିନୀ ବିଜେପିର ବିଚାର ନେଇ ବେଶ୍ ଆଗରେ। ଏଣୁ ଆସିକା ସଂସଦୀୟ କ୍ଷେତ୍ରରେ ସ୍ୱାଭିମାନର ପ୍ରଶ୍ନ ନେଇ ମତଦାତାମାନେ ଭୋଟ ଦେବେ। ସାନଖେମୁଣ୍ଡିରେ ନନ୍ଦିନୀ ଦେବୀ ଓ କଂଗ୍ରେସର ରମେଶ ଜେନାଙ୍କ ମଧ୍ୟରେ ହିଁ କଡ୍ଡା ଟକ୍କର ହେବା ସହ ନବୀନ ବାବୁଙ୍କ ବିକାଶଧାରାକୁ ନେଇ ବିଜେଡ଼ିର ଅସଲ ମଂଗୁଆଳମାନେ ସାନଖେମୁଣ୍ଡିରେ ଡେରା ପକାଇଛନ୍ତି। ଅନ୍ୟପଟରେ କବିସୂର୍ଯ୍ୟନଗରରେ ଲତିକା ପ୍ରଧାନ ଓ ରଂଜନ ପଲେଇ ବିଜେପିର ଲଢ଼େଇ ଜୋର୍ଦାର ହେବ। ସ୍ୱାଧୀନ ପ୍ରାର୍ଥୀ ଭାବରେ ଯଦି ହର ସାହୁ ଠିଆ ହୋଇଥାନ୍ତେ ହୁଏତ ଏଠାରେ ରାଜନୀତି ସମୀକରଣ ସାଂଘାତିକ ରୂପ ନେଇଥାନ୍ତା। ରଂଜନଙ୍କ ରାଜନୈତିକ ପତିଆରା ବିଜେଡ଼ି ପାଇଁ ଆଦୌ ଚିନ୍ତାର କାରଣ ନୁହେଁ, ଏଣୁ ଲତିକାଙ୍କ ପାଇଁ ଆଶ୍ୱସ୍ତି ହେବା ସ୍ୱାଭାବିକ। ନାରୀଶକ୍ତିଙ୍କ ଦୁର୍ଗ କହିବାକୁ କ୍ଷମତାଧାରୀ ଶାସକ ହେଉକି ବିରୋଧୀ ଲତିକା ପ୍ରଧାନ, ପ୍ରମିଳା ବିଷୋୟୀ, ନନ୍ଦିନୀ ଦେବୀ ପରି ନାରୀଶକ୍ତିକୁ ନେଇ ଆଗକୁ ଯିବାବେଳେ ଅନୀତା ଶୁଭଦର୍ଶିନୀଙ୍କ ବ୍ୟକ୍ତିତ୍ୱ। ଅନୁଭବ ଓ ରାଜନୈତିକ ପାରିବାରିକ ପୃଷ୍ଠଭୂମି ଆସିକା ସଂସଦୀୟ କ୍ଷେତ୍ରର ଏକ ନୂଆ ଅଧ୍ୟାୟ ଯୋଡ଼ି ହେବ ବୋଲି ଚର୍ଚ୍ଚା। ସଂପ୍ରତି ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଗଂଜାମ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ସରିବା ପରେ ସାରା ଜିଲ୍ଲାରେ ବିଜେପିର ହାୱା ରହିଛି ବୋଲି ଶିକ୍ଷିତ ବର୍ଗ ମତଦାତାଙ୍କୁ ସଚେତନ କରିବା ପାଇଁ ଅନେକ ରାସ୍ତା ଆପଣାଇ ବହୁପ୍ରକାର ପ୍ରୟାସ ଅବ୍ୟାହତ ରଖିଛନ୍ତି। ସୋସିଆଲ୍ ମିଡିଆରେ ବିଜେପି ଓ ବିଜେଡ଼ିର ସମର୍ଥକମାନେ ବେଶ୍ ଆଗରେ ରହି ଓଡ଼ିଶାର ଏକ ପ୍ରୟୋଗଶାଳା ଭାବରେ ଗଂଜାମ ରାଜନୀତିକୁ ଅମଳିନ ରଖିବାର ପ୍ରୟାସ ଚଳାଇଛନ୍ତି। ସୂଚନାଯୋଗ୍ୟ ଯେ ସୁରତ ପ୍ରବାସୀ ଓଡ଼ିଆମାନେ ମଧ୍ୟ ଘର ମୁହାଁ। ଆସିକା ସଂସଦୀୟ କ୍ଷେତ୍ରର ଲକ୍ଷଲକ୍ଷ ସୁରତବାସୀ ଆଜି ନବୀନ ଓ ମୋଦୀଙ୍କୁ ଭୋଟ ଦେବା ପାଇଁ ଘରମୁହାଁ। ଅର୍ଥାତ୍ ରାଜ୍ୟରେ ନବୀନ ଓ କେନ୍ଦ୍ରରେ ମୋଦୀ ସରକାର ପାଇଁ ସ୍ୱର ଶାଣିତ। କେନ୍ଦ୍ରରୁ ମଧ୍ୟ ବହୁ ବଡ଼ବଡ଼ ଷ୍ଟାର ପ୍ରଚାରକ ମାନେ ଆସି ଆସିକା ସଂସଦୀୟ କ୍ଷେତ୍ରକୁ ଉଚ୍ଚକୁ ନେବା ପାଇଁ ସବୁ ପ୍ରସ୍ତୁତି ଚଳାଇଛନ୍ତି। ଅମିତ ଶାହାଙ୍କ ପୋଲସରା ସାଧାରଣ ସଭାରେ ପଚାଶ ହଜାର ଲୋକଙ୍କ ସମାଗମରେ ଜିଲ୍ଲାର କୋଣ ଅନୁକୋଣରୁ ଲୋକେ ଆସିଥିଲେ ଏବଂ ପୋଲସରାରେ ବିଜେଡ଼ି ଦୁର୍ଗକୁ ଭାଙ୍ଗିବା ପାଇଁ ବିରୋଧୀ ଗୋଷ୍ଠୀ ଖାଦ୍ୟସାର ପାଇଛନ୍ତି। ଯାହାକି ଶ୍ରୀକାନ୍ତ ସାହୁଙ୍କୁ ଅଡ଼ୁଆରେ ପକାଇଛି। ସବୁଦିଗରୁ ଚିନ୍ତା କରିଲେ ଆସିକା ସଂସଦୀୟ କ୍ଷେତ୍ରରେ ପୋଲସରା, ସାନଖେମୁଣ୍ଡି, ହିଂଜିଳି, କବିସୂର୍ଯ୍ୟନଗର ଓ ଆସିକା ନିର୍ଣ୍ଣାୟକ ହେବ।

Share :