ପୁଞ୍ଜି ଆମର, ଫାଇଦା ତାଙ୍କର!

ପୁଞ୍ଜି ଆମର, ଫାଇଦା ତାଙ୍କର!

ମାୟାଧର ନାୟକ ମୁଣ୍ଡଝାଳ ତୁଣ୍ଡରେ ମାରି ବଂଚୁଥିବା କୋଟି କୋଟି ମଣିଷର କରଟିକସରେ ସୁପୁଷ୍ଟ ରାଜକୋଷରୁ ଖର୍ଚ୍ଚ ହୁଏ କାହାପାଇଁ? ଦେଶରେ ପ୍ରଦେଶରେ ଯେଉଁ ଶହଶହ ସରକାରୀ ଯୋଜନାର ସୁଅ ଛୁଟେ ସେଥିରେ ସୁନାମର ସିଂହଭାଗ ମିଳିଥାଏ ପ୍ରଧାନମନ୍ତ୍ରୀ ଆଉ ମୁଖ୍ୟମନ୍ତ୍ରୀମାନଙ୍କୁ। ତଥାକଥିତ ରାଜକୃପାଗୁଡିକ ଯେ ପ୍ରଜାମାନଙ୍କର ବହୁ କଷ୍ଟଲବ୍ଧ ଉପାର୍ଜନର ଅଂଶବିଶେଷ ଦ୍ୱାରା ବହୁସ୍ଫୀତ, ଏଥିରେ କ’ଣ କାହାର ସନ୍ଦେହ କରିବାର ଅଛି? ଜନଗଣଙ୍କୁ ଯୋଜନାରେ ଇନ୍ଦ୍ରଜାଲରେ ସୁନା ଇଲିଶି ପରି ଛନ୍ଦି ରଖିବାର ଗୋଟିଏ ଗୋଟିଏ ଫୁଙ୍ଗୁଳା ଫନ୍ଦିଫିକର ଏସବୁ ରାଜକୃପାର କାରୁକାର୍ଯ୍ୟ, ନହେଲେ ଶାସକ ଓ ପ୍ରଶାସକ ପକ୍ଷର ମିଳିତ ଚକ୍ରରେ ଜନଗଣଙ୍କୁ କେବଳ ପଦ୍ମତୋଳା ଶୁଣାଇ ଚାଲିବାରେ ଆମ ରାଜନୀତିର ପାଂଚ ପାଂଚୋଟି ବର୍ଷ ପାଉଁଶ ପିଣ୍ଡୁଳା ପାଲଟିଯାଏ। ଏଇ କୋଡିଏ ବର୍ଷ ଭିତରେ ବି ଆହୁରି କେତେ କେତେ କ୍ରୋମାଇଟ୍, ଲୁହାପଥର, ଖଣିଜସାମଗ୍ରୀ ଇତ୍ୟାଦି ଦେଶ ବାହାରକୁ ଚାଲାଣ ହୋଇସାରିଛି। ଏପରିକି ଓଡିଶାର ଖଣିଗୁଡ଼ାକ ପ୍ରାୟ ଖୋଳ ହେବା ଉପରେ। କେତେବେଳେ କିମିତି ନୂଆ ଇସ୍ପାତ କାରଖାନାର ଇସ୍ତାହାର ଖବରକାଗଜରେ ପ୍ରକାଶ ପାଇ ଓଡିଆମାନଙ୍କୁ ଖୁସିର କିଛିଟା ଖୁଚୁରା ବଂଟାଯାଉଛି। ହେଲେ ଇସ୍ପାତ କାରଖାନା ଦୂରେ ଥାଉ ଗୋଟିଏ ଛୁଂଚି କାରଖାନା ବି ୟା ଭିତରେ କେଉଁଠି ତିଆରି ହେଲାଣି କି? ଏ ପ୍ରଶ୍ନ କେଉଁମାନେ ଉଠାଇବା ଦରକାର? ଜନ ଦରବାରରୁ ହିଁ ସରକାରଙ୍କୁ ଏ ପ୍ରଶ୍ନ ପଚାରିବାର ବେଳ ପହଂଚିଯାଇଛି। ଜନଗଣଙ୍କ ପୁଞ୍ଜିରେ ସରକାରୀ ତହବିଲ ଭରପୂର ହୋଇଉଠେ। କିନ୍ତୁ ଭୋକର ଭୂଇଁ ଆଉ ଶୋଷର ସମୁଦ୍ର ମଝିରେ ଏ ଓଡିଆ ଜାତି ସେମିତି ଯେଉଁ ତିମିରେକୁ ସେଇ ତିମିରେ। କୌଣସି ଶାସକ ବା ପ୍ରଶାସକ ତାଙ୍କ ନିଜ ପକେଟରୁ ବା ବ୍ୟକ୍ତିଗତ ଜମାଖାତାରୁ ଜନସ୍ୱାର୍ଥ ସୁରକ୍ଷା ପାଇଁ ପାହୁଲାଟିଏ ମଧ୍ୟ ଖର୍ଚ୍ଚ କରନ୍ତି କି? ଆମକୁ ଲାଜ ମାଡିବା ଦରକାର ଯେ ନିର୍ବାଚନ ଆସିଗଲେ ଯେଉଁ ଶହଶହ କୋଟି ଟଙ୍କା ପ୍ରଚାର କାର୍ଯ୍ୟକ୍ରମରେ ଖର୍ଚ୍ଚ ହୁଏ, ସେ ଟଙ୍କା ବି ଆମର। ଅଥଚ ଆମେ ନାନା ନାରାବାଜିର ନାଗରା ପିଟିଚାଲିଥିବା ବିଭିନ୍ନ ଦଳର ହାଇକମାଣ୍ଡମାନଙ୍କ ତିଆରିକରା ବକ୍‌ବାଜି ଶୁଣୁ, ଆଉ ଶୀତତାପ ନିୟନ୍ତ୍ରିତ ବଖରାଗୁଡାକରେ ବସିଥିବା ବିନାକାମରେ ହାଲିଆ ହାକିମମାନଙ୍କ ଲମ୍ୱାଚଉଡ଼ା ହାଲ୍ଲାଗୁଲା ଶୁଣୁ। ଆମ ଟିକସର ଟଙ୍କା ଏ ଦେଶ ପ୍ରଦେଶର ଅର୍ଥନୀତି ପାଇଁ ମୂଳଦୁଆ ଗଢେ, ଆଉ ରାଜନୀତି ପାଇଁ ସୃଷ୍ଟି କରେ ବିସ୍ତର ବ୍ୟୟବହୁଳ ସୁରକ୍ଷାବଳୟ। ଆମ ଟଙ୍କାରେ କିଣା ଯାଉଥିବା ବୁଲେଟପ୍ରୁଫ୍ ଜ୍ୟାକେଟ୍ ସେମାନଙ୍କ ପାଇଁ - ଯେଉଁମାନେ ଆମ ଜମିର ଜବର ଦଖଲକାରୀମାନଙ୍କର ପୃଷ୍ଠପୋଷକତା କରି ସରକାରୀ ବନ୍ଧୁକର ଗୁଳି ଉଦ୍ଦେଶ୍ୟରେ ଲକ୍ଷ୍ୟସ୍ଥଳ ସ୍ୱରୂପ ଚିହ୍ନଟ କରିଥାନ୍ତି ଆମମାନଙ୍କ ଛାତିର ପଞ୍ଜରା ହାଡ଼। ଏ କି ପ୍ରହସନର ପ୍ରକ୍ରିୟା ଯେ ରାଜନୀତିର ରଙ୍ଗମଂଚରେ ଉଭା ହୋଇଆସୁଥିବା ଆମର ଛଦ୍ମବେଶୀ ବିନାଶକାରୀମାନଙ୍କୁ ହିଁ ଆମେ ଭଦ୍ରବେଶୀ ବିକାଶକାରୀର ବିଜ୍ଞପ୍ତିରେ ଆମ ଇଲାକା ଆଡ଼କୁ ଆମନ୍ତ୍ରଣ କରିଆସୁଛୁ। ଆମ ଧାନଜମି ଉପରେ ଶିଳ୍ପବିକାଶର ଶିଳାନ୍ୟାସ - ଆମ ପାନବରଜ ଉପରେ ଚିମିନି ଧୂଆଁର ଛାଇ - ସବୁଠି ଗୋଟାଏ ମଉଳା ପକ୍ଷର ମୁହଁଅନ୍ଧାର ସନ୍ଧିକ୍ଷଣ। ମାଟି, ପାଣି, ପବନରେ ପ୍ରଦୂଷଣର ପ୍ରେତପୂଜା ଚାଲିଛି। ଅଥଚ ମୁନାଫାଖୋର ମାଲିକ ଶ୍ରେଣୀର ମଦତରେ ମଣିଷ ବିରୋଧୀ ଗୋଟାଏ ଷଡ଼ଯନ୍ତ୍ର ରାଜନୀତିର ମୁଖ୍ୟ ମନ୍ତ୍ରଣାଦାତାମାନଙ୍କ ନୀତି ପାଲଟିଛି କେବେଠାରୁ। ଏ ନୀତି କେତେ ଅନୀତି, କେତେ ଦୁର୍ନୀତି, ସେ ନିଷ୍ପତ୍ତି ନେବା ପାଇଁ ସିବିଆଇକୁ ବେଳନାହିଁ କି ଭିଜିଲାନ୍ସକୁ ତର ନାହିଁ। ଏ ସବୁ କଥା ବିଚାରିବାକୁ ବି ଆମ ଭତ୍ତାଭୋଗୀ ବୁଦ୍ଧିଜୀବୀମାନଙ୍କୁ ଟିକିଏ ଅବସର ନାହିଁ। ଚାଲିଛି ଗୋଟାଏ ଅନ୍ଧଶାସନ ବର୍ଷ ବର୍ଷ ଧରି। ଶୋଇପଡିଛି ଗୋଟାଏ ଅନ୍ଧାକାନୁନ୍‌ କୁମ୍ଭକର୍ଣ୍ଣ ପରି। କେହି କାହା କଥା ଶୁଣିବାକୁ ଚାହଁୁନାହାଁନ୍ତି। କହି ଚାଲିଛନ୍ତି ଥୋକେ - ପଛେ ପଛେ ପଟୁଆର ପ୍ରସ୍ତୁତ କରୁଛନ୍ତି ପାଳିଧରା ଲୋକେ। ଏ ପାଳିଆମାନଙ୍କ ପାଲାରେ ଫାଇଦା କେବଳ ଥିଲାବାଲାଙ୍କର। ସେମାନେ ମହାପାତ୍ର ଆଉ ଆମେ ସବୁ ନଥିଲାବାଲାଏ ଜଣେ ଜଣେ ଜଳକା ମାତ୍ର। ଏ ଜଳକା ହେବାର ରାତି ସରିଯାଇ ଅନ୍ଧାରକୁ ଜଳାଯିବାର ଦିନ କ’ଣ ଏ ଓଡିଆମାନଙ୍କ ମୁଲକରେ ଆସିବନାହିଁ? ପ୍ରତି ପାଂଚବର୍ଷରେ ଯୋଡ଼ହସ୍ତ ମୁଦ୍ରାରେ ଯେଉଁ ମଖମଲିମୁଖାପିନ୍ଧା ଚରିତ୍ରମାନେ ଜାମାଯୋଡ଼ ହୋଇ ଆମକୁ ସୁସଜ୍ଜିତ ମଂଚଉପରୁ ନହେଲେ ମଇଦାନରୁ ମିଠମିଠା ମୁରକିହସର ଉପହାର ବାଂଟିବାକୁ ଆସନ୍ତି ସେମାନଙ୍କୁ ଫୁଲମାଳ ନୁହେଁ, ବରଂ ବଢ଼େଇ ଦେବା ଦରକାର ଆମ ହୃଦୟଫଟା ପ୍ରଶ୍ନର କଂଟାମାଳ। ସେମାନଙ୍କୁ ପଚାରିବା ଦରକାର ଯେ ଆମପାଇଁ ଯେଉଁ ଫାଇଲପତ୍ରର ଚାଷ ଚାଲିଛି, ସେ ଚାଷର ଭାଷା କିଏ ବୁଝିବ? ସରକାର ଓଡିଶାର - ହେଲେ ସରକାରୀ ଭାଷା ଏଯାବତ ଓଡିଆର ନୁହେଁ। ଏ ବେହିସାବୀ ଅଧାସାହେବୀ ଭାଷାର ବେପରୁଆ ଶାସନ କ’ଣ ଆମକୁ ଗୋଲାମ କରିରଖିବାର ଗୋଟାଏ ମତଲବ ନୁହେଁ? ଆମ କଙ୍କାଳ ଉପରେ ଯେଉଁ ପ୍ରଶାସକମାନେ କୋଣାର୍କ ଗଢିବାର ଅପଚେଷ୍ଟା କରୁଛନ୍ତି, ସେମାନେ ବି ସେଇ ସରକାରୀ ଢୋଲ ଭିତରେ ଗୋଟାଏ ଗୋଟିଏ ମାରାତ୍ମକ ମୂଷା। ଦେଶବାସୀଙ୍କ ଖୋରାକ ଲୁଟିନେବା ହିଁ ସେମାନଙ୍କ ଅଭିସନ୍ଧି। ଅଥଚ ଏ ଦେଶର ଶାସକ ଜନଗଣଙ୍କ ଅପେକ୍ଷା ବେଶି ଭରସା କରନ୍ତି ପ୍ରବଂଚକ ପ୍ରଶାସକ ପକ୍ଷଙ୍କୁ। କେବଳ ଯାହା ଭୋଟ୍ବେଳ ଆସିଗଲେ ଜନଗଣଙ୍କୁ ନେତାମାନଙ୍କ ସାକ୍ଷାତ ମିଳେ, ନହେଲେ ବାକିଦିନ ସବୁ କଟିଯାଏ ସଚିବାଳୟରେ ଚା’ ପିଇପିଇ ଅଥବା ଘନଘନ ରାଜନୈତିକ ଉଡ଼ାଣରେ ହାୱା ଖାଇଖାଇ। ରାସ୍ତାଗୁଡ଼ାକ ସେତିକିବେଳେ ମରାମତି ହୁଏ, ଯେତିକିବେଳେ ଗାଁ’ ଗଣ୍ଡାକୁ ପାଦ ପଡ଼ିବାର ଥାଏ ନେତାମାନଙ୍କର। ପୋଲଗୁଡାକ ସେତିକିବେଳେ ଠିକ୍ଠାକ୍ ହୁଏ, ଯେତିକିବେଳେ ସହରଗୁଡାକୁ ପଟୁଆରୀ ରାଜନୀତିର ଚରିତ୍ରମାନେ ଗସ୍ତ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବାର ଥାଏ। ପ୍ରଚାର ସରିଗଲେ, ଭୋଟ୍‌ବେଳ ଗଡ଼ିଗଲେ, ଫଳାଫଳ ବାହାରିଗଲେ, ପାଂଚପାଂଚଟି ବର୍ଷ ପୁଣି ଚାଲେ ଘୁଙ୍ଗୁଡିମରା ପ୍ରହସନ। ସରକାର କ’ଣ ଗାଦିର ଗୋବର ଗଣେଶ ହେବା ପାଇଁ ଜନଗଣଙ୍କଠାରୁ ମତାଧିକାର ପାଇଛନ୍ତି? ଏ ପ୍ରଶ୍ନ କୌଣସି ସରକାରୀ ଚରିତ୍ର ନିଜେ ଟିକେ ନିଜକୁ ଅନ୍ତତଃ ଦୁଇ ସେକେଣ୍ଡ ପାଇଁ ପଚାରିପାରିବେ କି? ଗଦିରେ ମାଲିକ, ଗାଦିରେ ଶାସକ, ଅଥଚ ନିରୁପାୟତାର ନଦୀବନ୍ୟାରେ ଏକବାରେ ଉବୁଟୁବୁ ଆମେ ସବୁ ଅନ୍ଧ-ମୂକ-ବଧିର ଦେଶର ଦୁର୍ଗତ ଜନତା। ଜନାଦେଶରେ ଯେଉଁ ରାଜନୀତି ଏଇ ପ୍ରତି ପାଂଚବର୍ଷରେ ପିନ୍ଧିଥାଏ ମୁକୁଟ ଆଉ ହାସଲ କରିଥାଏ ମସ୍‌ନଦ୍‌ ସେଇ ମୁକୁଟ ଓ ମସ୍‌ନଦ୍‌କୁ ମୁହୁର୍ମୁହୁଃ ଧିକ୍କାର କରେ ଏ ମାଟି, ଏ ପାଣି, ଏ ପବନ! ହେଲେ ଅନବରତ ବଜାୟ ରହି ଆସିଥିବା ଏ ଅନାଚାର ବିରୋଧରେ ଚିତ୍କାର କରିବାକୁ ଗୋଟିଏ ବି ମଣିଷ ଦେଖିବାକୁ ମିଳୁଛି କେଉଁଠି କାହିଁ? ଆଜି ମନେ ହେଉଛି ସାରାଦେଶ ଯେପରି ଏକ ଶୋକପ୍ରାର୍ଥନାସୁଲଭ ନିରବତାରେ ନିରନ୍ତର ନିୟୋଜିତ। ପାଂଚମିନିଟର ନିରବତା ଯେପରି ପାଲଟିଯାଇଛି ପାଂଚ ପାଂଚ ବର୍ଷର ନିଃଶବ୍ଦତା। କାରଣ ଶଦ୍ଦଟିଏ ଶୁଭୁନି, ଦେଶର ଭାଗ୍ୟ ବଦଳାଇବାର ସପକ୍ଷରେ କି ପଦଟିଏ ଶୁଭୁନି, ଦେଶବାସୀଙ୍କ ପାଇଁ ପରିବର୍ତ୍ତନ ଆଣିବାର ବାତାବରଣ ସଂପର୍କରେ। ଏ ଯେଉଁ ନିରବନିଷ୍କ୍ରିୟ ରାଜନୀତିର ଧାରା ଆମମାନଙ୍କୁ ନିକିମା କରିରଖିବାକୁ। ଆମ ଜୀବନଭୂମିରେ ନକଲି ଚାରାଗୁଡାକ ପୋତିଚାଲିଛି ତା’ର ଶେଷ ଦିନ ପାଇଁ ପ୍ରତିବାଦ ଓ ପ୍ରତିରୋଧର ପ୍ରସ୍ତୁତିପର୍ବ ଏବେଠୁ ଜରୁରୀ ହୋଇପଡିଲାଣି। ଜନଗଣ ଆଉ କାଳକ୍ଷେପଣ ନକରି ଆମ ଡାଳଭଙ୍ଗା ଏ ନିର୍ମୂଳୀ ରାଜନୀତିକୁ ଜବାବ ଦିଅନ୍ତୁ। ଆଜି ଜବାବ ନଦେଲେ ଆସନ୍ତାକାଲି ଏ ନକଲି ନବାବମାନେ ଆମ ଗଣତନ୍ତ୍ରକୁ ନିଜନିଜ ଜଘନ୍ୟ ଜମିଦାରିରେ ଗୋଟାପଣେ ଗୋତି କରିଦେବାପାଇଁ ସୁଦ୍ଧା ମୁହୂର୍ତ୍ତେ ପଛାଇବେ ନାହିଁ। ଏଇ କଥାଟି ବୁଝିବିଚାରି ଏଥର ଆଗେଇ ଆସିବେ କି ଆମ ଜନଦରବାରର ଜୋରଦାର ମଣିଷମାନେ? ପୁରାତନ ମଞ୍ଚ ଧ୍ୱସ୍ତବିଧ୍ୱସ୍ତ ହେବାର ବେଳ ଆଗତ, କୁଚକ୍ରୀ ରାଜନୀତିକ ଗୋଷ୍ଠୀଚାଳିତ ସାମ୍ପ୍ରତିକ ସୂର୍ଯ୍ୟାସ୍ତ ନିଲାମ ଆଇନର ଉଚ୍ଛେଦ ନିମନ୍ତେ ସମୟ ସମାଗତ। ମାଟି ଡାକୁଚି, ପାଣି ଡାକୁଚି, ପବନ ଡାକୁଚି, ମାଆ ଡାକୁଚି, ଏଥର ପୁଅଝିଅମାନେ ପଦେ ‘ଓ’ କହିବେକି? ଆମର ଘରେ ସୁନା ପୁଅଝିଅ ହେଲେ ଚଳିବ, ହେଲେ ବାହାରେ ନାଟ କରୁଥିବା ବାହାପିଆ ବାହାଦୁରମାନଙ୍କ ଆଗରେ ସୁନା ପୁଅଝିଅ ପରି ମୁହଁରେ ତୁଣ୍ଡି ବାନ୍ଧି ତୁଣ୍ଡ ନ ଫିଟାଇଲେ ଚଳିବ କି? ଆଜିର ସମାଜରେ ନକଲି ରାଜନୀତିଆଙ୍କୁ ଶାସ୍ତି ଦେବାପାଇଁ ସୁନାପୁଅଝିଅମାନେ ଦୁଷ୍ଟ ଦୁର୍ବାର ହେବା ଦରକାର। ଯାଜପୁରରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩

Share :