ଭୋଟ୍‌ ଭାଉ ୧୦ ହଜାର!

ଭୋଟ୍‌ ଭାଉ ୧୦ ହଜାର!

ମାୟାଧର ନାୟକ ଏଇ ଘୋର କଳିକାଳରେ ଆମେ ପୁରାଣ, ରାମାୟଣ, ମହାଭାରତ କାହାଣୀକି ଦୋହରାଉଛୁ। ଯେହେତୁ ଯୁଗଯୁଗ ଧରି ଦେବଦେବୀ, ଠାକୁରଠାକୁରାଣୀ, ରାମରାବଣ, କୃଷ୍ଣକଂସ ଉପାଖ୍ୟାନ ଆମ ଭାରତୀୟ ଜନମାନସରେ ବସା ବାନ୍ଧିଯାଇଛି। ଆମେ କଥାକଥାକେ ରାମାୟଣ, ମହାଭାରତର କିଛିକିଛି ଗାଥାକୁ ଏବେ ବି ନଜିର ଦେବାରେ ଲାଗିଛୁ। ଲୋକେ ମଣିଷ ଦେହଧାରୀ ଶ୍ରୀରାମଚନ୍ଦ୍ର-ଶ୍ରୀକୃଷ୍ଣଙ୍କ ଲୀଳା ଯେମିତି ଦେଖୁଛନ୍ତି ସେଇ ମଣିଷ ଦେହଧାରୀ ରାବଣ-କଂସରାଜାଙ୍କ ଅତ୍ୟାଚାର ମଧ୍ୟ ଶୁଣୁଛନ୍ତି। ଏବେ କଳିକାଳ ଯୁଗରେ ୨୦୧୯ ନିର୍ବାଚନ ଏକ ଭୟଙ୍କର ରାଜନୀତୀକ କାଳବୈଶାଖୀ ସୃଷ୍ଟି କରିବାକୁ ଯାଉଛି। ଏ ମହାବାତ୍ୟାରେ କିଏ ଧ୍ୱଂସ ହେଇଯିବ, କିଏ ରହିବ ଏବେଠୁ କହିହେଉନି। ଏବେ ଖୋଲାଖୋଲି ଭାବେ ଦଳମାନେ ପ୍ରାର୍ଥୀମାନଙ୍କୁ ଟିକେଟ୍‌ ଦେବାପାଇଁ ଭିତିରିଆ ଟଙ୍କା ନେବାଟା ଦାଣ୍ଡରେ ପଡି ହାଟରେ ଗଡଗଡେଇଲାଣି। ଗୋଟେଗୋଟେ ଟିକେଟ୍‌ର ଦାମ୍‌ ୫ କୋଟିରୁ ୫୦ କୋଟି ଛୁଇଁଲାଣି। ଏସବୁ ଖବର ଖୋଲାଖୋଲି ଭାବେ ଗଣମାଧ୍ୟମରେ ପ୍ରକାଶିତ ହୋଇସାରିଲାଣି। ଅନୁମାନ କରନ୍ତୁ ଜଣେ ପ୍ରାର୍ଥୀ ଟିକେଟ୍‌ କିଣିବାରେ ଯଦି ୫ କୋଟିରୁ ୫୦ କୋଟି ପର୍ଯ୍ୟନ୍ତ ଦଳର ମୁଖିଆମାନଙ୍କୁ ଲାଂଚ ଦିଏ, ତା’ହେଲେ ସେ ପ୍ରାର୍ଥିପତ୍ର ଦାଖଲଠାରୁ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ଆହୁରି ୨୦ରୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ବାଧ୍ୟ। ଏ ଟଙ୍କା ତାଙ୍କର ପିତୃଅର୍ଜିତ ସଂପତି ନୁହେଁ, ଆମ ଭୋଟରମାନଙ୍କର ଟିକସରେ ଭର୍ତ୍ତି ହୋଇଥିବା ବିପୁଳ ରାଜକୋଷର ବିତ୍ତ। ବେପାରୀମାନେ ବିତ୍ତମୁଣି ଧରି ପ୍ରାର୍ଥୀ କିଣିବାରେ ଲାଗିଛନ୍ତି। ବର୍ତ୍ତମାନ ଯାହା ଜଣାପଡୁଛି ଦଳ ଓ ନେତାମାନଙ୍କ ହାତରେ ନିର୍ବାଚନର ଡୋରି ନାହିଁ। ଖଣିମାଫିଆ, କଳକାରଖାନା ମାଲିକ ଓ କୋଟିପତିଙ୍କ ହାତରେ ରିମୋଟ୍‌ କଂଟ୍ରୋଲ ରହିଛି। ସେମାନେ ଯାହା ଚାହିଁବେ କରଉଛନ୍ତି, ଦଳ ଓ ନେତାମାନଙ୍କୁ ସଖୀ କଣ୍ଢେଇ ଭଳିଆ ନଚଉଛନ୍ତି, ଭୋଟରମାନଙ୍କୁ ଭକୁଆ ବନଉଛନ୍ତି। ଭୋଟରମାନଙ୍କୁ ଭିକାରି ବନାଇ କେଉଁ ଦିନଠାରୁ ହାତ ପତେଇବା ଅଭ୍ୟାସ ଶିଖେଇ ଦେଇଛନ୍ତି। ଅଭ୍ୟାସ ମଣିଷର ଦ୍ୱିତୀୟ ପ୍ରକୃତି। ମାହାଳିଆ ଖାଇଖାଇ ଲୋକ ଅଳସୁଆ ହେଇଗଲେଣି, କାମଦାମ କରୁନାହାଁନ୍ତି। ଗରିବଠାରୁ ଥିଲାବାଲା ଲୋକେ ବି ହାତ ପତଉଛନ୍ତି। ରିଲିଫ୍ ଭଳି କିଛିକିଛି ପାଇଗଲେ - ନିର୍ବାଚନ ସମୟ ପର୍ଯ୍ୟନ୍ତ ସେମାନଙ୍କ ମୁଣ୍ଡ ଆଉ କାମ କରୁନାହିଁ। ସବୁ ଦଳ ଓ ନେତା ଲୋଭନୀୟ ପ୍ରତିଶ୍ରୃତିରେ ଭୋଟରଙ୍କ କାନ, ଆଖି ବନ୍ଦି କରିଦେଇଛନ୍ତି। ବିଭିନ୍ନ ଦଳ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ଠାରୁ ଆରମ୍ଭ କରି ମେ’ ୨୩ ଭୋଟ୍ ଫଳ ପ୍ରକାଶ ଓ ପରବର୍ତ୍ତୀ ୭ ଦିନ ପର୍ଯ୍ୟନ୍ତ ଦେଶରେ ଡିଜେଲ, ପେଟ୍ରୋଲ, ଦେଶୀବିଦେଶୀ ମଦ, ଗଣ୍ଢେଇ, ଅଫିମ, ଚରସ୍, ହିରୋଇନ୍‌ର ଭୀଷଣ କଳାବଜାରି ହେବ। ଦାମ୍ ମଧ୍ୟ ଆକାଶଛୁଆଁ ହେବ। ତା’ ସାଙ୍ଗକୁ ଛେଳି, ମେଣ୍ଢା, କୁକୁଡା, ବତକ, ଘୁଷୁରୀ, ଗାଈଗୋରୁ, ମଇଁଷିମାନଙ୍କ ଭାଗ୍ୟ ଖରାପ। କେତେ ଯେ ବଳିପଡିବେ, ହଣାହେବେ ତାହା କହିହେବନି। ସବୁ ଦଳ ନିଜନିଜ ନିର୍ବାଚନୀ ଇସ୍ତାହାରରେ ଏଥର ପାହାଡ଼ ପ୍ରମାଣ ମିଥ୍ୟା ପ୍ରତିଶ୍ରୃତି ଓଜାଡି ଦେଲେଣି। କିଏ କହୁଛି ଆମକୁ ଭୋଟ ଦେଲେ ସାଙ୍ଗେସାଙ୍ଗେ ଟଙ୍କାରେ ତମ ଘର ପୋତିଦେବୁ, ଆଉ କିଏ କହୁଛି ତମ ଗାଁରେ ପୋଲ ନଥିଲେ ପୋଲ କରିଦେବୁ। ଜଣେ ଯଦି ପଚାରେ ଆମ ଗାଁରେ ତ ନଈ ନାହିଁ ପୋଲ କ’ଣ ହେବ? ପ୍ରାର୍ଥୀ କହୁଛନ୍ତି ତମ ଗାଁରେ ନଈ ଖୋଳିଦେଇ ପୋଲ କରିଦେବୁ। ଆଉ କିଏ କହୁଛି, ଆମେ ବନ୍ୟା ସୃଷ୍ଟି କରି ରିଲିଫ ଦେବୁ। ଯଦି ବନ୍ୟା ନହେବ, ତା’ହେଲେ ମରୁଡି କରାଇ ଟଙ୍କା ଓଜାଡି ପକାଇବୁ। ତା’ପରେ ଏ ବୈଜ୍ଞାନିକ ଯୁଗରେ ଅତ୍ୟାଧୁନିକ ପ୍ରଚାର ସିନେମା ଭଳି ଦେଖାଯାଉଛି। କିଏ ବୋମ୍ୟଯାନରେ ଆସି ତଳକୁ ଓହ୍ଲାଇଲାଣି ତ କିଏ ବୁଲେଟ୍‌ ପ୍ରୁଫ୍ କାର୍, ବସରେ ପ୍ରଚାର କଲାଣି। ଭୋଟ୍‌ କେତେଦିନ ଏ ଭୟଙ୍କର ମିଛ ନାଟକ ଟେଲିଭିଜନ ପରଦାରେ ଦେଖି ଗଦାଗଦା ଖବରକାଗଜରୁ ପଢି ଭୋଟରଙ୍କ ଆଖିକାନ ଭୟଙ୍କର ଭାବେ ଆଗକୁ ଅକାମୀ ହୋଇଯିବ। ସତେ କ’ଣ ଭୋଟ୍‌ ଆମପାଇଁ କାଳ ହୋଇଯିବ? ବହୁବର୍ଷ ଧର ମିଛ ପ୍ରତିଶ୍ରୁତିର ବୈତରଣୀରେ ଭୋଟର ଭାଇଭଉଣୀମାନେ ପହଁରୁଛନ୍ତି। ଭୋଟ୍‌ ସରିଗଲାପରେ ପ୍ରକୃତ ଦେଶର ମାଲିକ ଜନଗଣ ଶୁଖିଲାରେ ପଡ଼ିରହିବେ, ପ୍ରତିଶ୍ରୃତି ପ୍ରତାରଣାରେ ପରିଣତ ହେବ, ପୁଣି ଚାଲିବ ସେଇ କରାଳକଂସ-ରାବଣରାଜ। ଲୋକ ତ୍ରାହି ତ୍ରାହି ଡାକିବେ, ସେତେବେଳକୁ ପାଖରେ ଏଇ ନେତାମାନେ, ଦଳମାନେ ଥିବେ ତ? ଏକଦା କଂସନଗରୀ ଧନସଂପତିରେ ଥିଲା ଭରପୂର। ପ୍ରଜାମାନଙ୍କୁ କଂସ କିଛିକିଛି ରିଲିଫ୍‌ ଦେଉଥିଲେ। ପ୍ରଜାମାନେ କଂସରାଜାଙ୍କ ଜୟଗାନ କରୁଥିଲେ। ଧୀରେଧୀରେ କଂସଙ୍କ ମନ୍ତ୍ରୀ, ଗୁମାସ୍ତା, କଟୁଆଳ, କର୍ମଚାରୀମାନେ ରଜାଙ୍କ ନାଁରେ ରାଜ୍ୟର ଧନସଂପତିକୁ ହଡପ କରିନେଲେ। ଧୀରେଧୀରେ ପ୍ରଜାଙ୍କୁ ମିଳୁଥିବା ସୁବିଧାସୁଯୋଗ ବନ୍ଦ ହୋଇଗଲା। ପ୍ରଜାମାନଙ୍କ ଭିତରେ ପ୍ରବଳ ଘୃଣା, ଅସନ୍ତୋଷ, ବିଷୋଦଗାର- କଂସ ଏବଂ ତାଙ୍କର ସହଯୋଗୀଙ୍କ ବିରୋଧରେ ଗଗନପବନ ପ୍ରକମ୍ପିତ। ଏମନ୍ତ ଖବର ପାଇ କଂସଙ୍କ ଶ୍ୱଶୁର ଜରାସନ୍ଧ କିଛି ମୁଖିଆଙ୍କୁ ଡାକି ସତ୍ୟାସତ୍ୟ ଜାଣିବାପାଇଁ ଏକ ଗୁଇନ୍ଦା ବିଭାଗକୁ ରାଜ୍ୟସାରା ବୁଲାଇଲେ। ଗୁଇନ୍ଦାମାନେ ଆସି ରିପୋର୍ଟ ଦେଲେ ଘଟଣା ସତ୍ୟ। ପ୍ରଜାଙ୍କ ଘୃଣା ଚରମସୀମାରେ ପହଂଚିଲାଣି। ଯେକୌଣସି ମୁହୂର୍ତ୍ତରେ ରାଜ୍ୟରେ ବିଦ୍ରୋହ ସୃଷ୍ଟି ହେବ। ଏଇ ବିଦ୍ରୋହର ନେତୃତ୍ୱ ନେବ ଯିଏ, ଗୋପରେ ବଢୁଛି ସିଏ। ଜରାସନ୍ଧ କହିଲେ, ତାହାର ଉପାୟ କ’ଣ? ମନ୍ତ୍ରଣା ହେଲା ରାଜ୍ୟର ସମସ୍ତିଙ୍କୁ ଚୋର, ଡକାୟତ, ଦୁନୀର୍ତିଖୋର, ନାରୀ ଧର୍ଷଣକାରୀ, ନିଶାଖୋରେ କରେଇଦେଇପାରିଲେ, କେହି ଆଉ ବିଦ୍ରୋହ କରିବେନାହିଁ। ନିଷ୍ପତି କାର୍ଯ୍ୟକାରୀ ହେବାରେ ଲାଗିଲା। କଂସ ଶ୍ୱଶୁର ଜରାସନ୍ଧଙ୍କ କଥାଶୁଣି ଭୟରେ ଜଡ଼ସଡ଼ ହୋଇଗଲେ। ରାଜ୍ୟରେ ଥିବା ସଚ୍ଚା ଭଲ ମଣିଷମାନଙ୍କୁ କିଭଳି ଭାବେ ହଟାଯିବ ଯୋଜନା କଲେ। ଦଇବବାଣୀ ‘କଂସକୁ ମାରିବ ଯିଏ, ଗୋପରେ ବଢୁଛି ସିଏ’ ଶୁଣି ନିଜ ଭଉଣୀ ଦେବକୀ ଗର୍ଭ ନଷ୍ଟ କରିବାରେ ଲାଗିପଡିଲେ। କଂସରାଜାର ଅତ୍ୟାଚାରରେ ଚାରିଆଡେ ‘ରକ୍ଷାକର-ରକ୍ଷାକର’ ରଡ଼ି ଶୁଭିଲା। ଶେଷରେ ଶ୍ରୀକୃଷ୍ଣଙ୍କ ଆବିର୍ଭାବରେ କଂସ ମଂଚାରୁ ପଡି ମର୍ମନ୍ତୁଦ ମୃତ୍ୟୁବରଣ କଲେ। ଏବେ ଭାରତରେ ବିଭିନ୍ନ ରାଜ୍ୟରେ ଶାସନ କରୁଥିବା ଦଳ ଓ ନେତାମାନେ ନିଜ ଆୟତ୍ତରେ ନାହାଁନ୍ତି। ଦଳ, ନେତାମାନଙ୍କର କୌଣସି ନୀତି, ଆଦର୍ଶ ନାହିଁ। ଦଳ, ନେତାମାନେ କର୍ମୀମାନଙ୍କୁ ଏଭଳି ନିଶା ଚଖେଇ ଦେଇଛନ୍ତି ଯେ ସେମାନେ ରାଜକୋଷ ଲୁଣ୍ଠନ ଛଡ଼ା ଆଉକିଛି ଜାଣନ୍ତି ନାହିଁ। ଫଳରେ ପ୍ରତ୍ୟେକ ରାଜ୍ୟରେ ଭୋଟରମାନେ ଭୟଙ୍କର ଭାବେ ଅଶାନ୍ତି, ଅସନ୍ତୋଷରେ କୁହୁଳିଛନ୍ତି। କେତେବେଳେ ବିସ୍ଫୋରଣ ହେବ କହିହେବନି। ଏ ଅସନ୍ତୋଷର ଝଡ଼ରୁ ରକ୍ଷା ପାଇବା ପାଇଁ ଜରାସନ୍ଧଙ୍କ ବୁଦ୍ଧି ଆପଣେଇଲେଣି। ସମସ୍ତଙ୍କୁ ଟଙ୍କା, ମଦ, ମାଂସ ଲୋଭରେ ବୁଡ଼େଇଦିଅ। ସେମାନେ ପାଗଳଙ୍କ ଭଳି ଦଳପ୍ରାର୍ଥୀଙ୍କ ପଛରେ ଗୋଡ଼େଇବେ। ବିଭିନ୍ନ ରାଜ୍ୟରେ ମୁଖିଆମାନଙ୍କ ବୟସ ଅତିକ୍ରାନ୍ତ ହୋଇଗଲାଣି। ସେମାନଙ୍କୁ ବିଭିନ୍ନ ରୋଗ ମାଡ଼ିଆସିଲାଣି। ସେମାନଙ୍କର ଦଳପ୍ରତି ଅକ୍ତିଆର ରହୁନାହିଁ, କିନ୍ତୁ ସେହି ମୁଖାକୁ ରଖି ତଳେ କେତେକ ଧୂର୍ତ୍ତ ଅଫିସର ଆଉ କୁଚକ୍ରୀ ନେତା ବିରାଟ ଷଡ଼ଯନ୍ତ୍ର ଆରମ୍ଭ କରିଦେଇଛନ୍ତି। ମୁଖିଆଙ୍କୁ ଗୃହବନ୍ଦୀ କରି ସିବିଆଇର ଭୟ ଦେଖାଇ ମୁଣ୍ଡକୁ ପାଗଳ କରିଦେଉଛନ୍ତି। ଏବେବି ବିଭିନ୍ନ ରାଜ୍ୟର ବହୁ ମୁଖିଆ ଜେଲରେ ଷଢୁଛନ୍ତି। ଆଉ ଯେଉଁ ରାଜ୍ୟରେ ମୁଖିଆମାନଙ୍କ ନାଁରେ ଭୋଟ୍‌ ଅଛି। ସେମାନଙ୍କୁ ମଧ୍ୟ ସିବିଆଇ ଭୟ, ଜେଲ୍‌ ଯିବା ଭୟ ଦେଖାଉଛନ୍ତି। ମୁଖିଆମାନେ ଛାନିଆ ହୋଇ ଜେଲ୍‌ ଯନ୍ତ୍ରଣା ମୃତ୍ୟୁ ସଂଗେ ସମାନ ବୋଲି ଧରିନେଲେଣି। ଏଥିରୁ ନିସ୍ତାର ପାଇବାପାଇଁ ମୁଖିଆଙ୍କୁ କୁହାଯାଉଛି ଆମେ ଯେତେ ଚୋର, ଡକାୟତ, ରାଜକୋଷ ଲୁଣ୍ଠନକାରୀ, ଆମ ସମସ୍ତଙ୍କୁ ଟିକେଟ୍‌ ଦେଇଦେଲେ ଶାନ୍ତିରେ ନିଃଶ୍ୱାସ ନେଇପାରିବେ ଆପଣ। ‘ତୁ ତ ମୁତୁରି, ମଁୁ ତ ମୁତୁରି, ହେଁସ କାହିଁପାହିଁ ଧୋଇବା’? ହେଲେ ସମୟ ରଖେଇ ଦେଲେ ତ? ଏମନ୍ତ ଫନ୍ଦିଫିକର ଭିତରେ ରାଜ୍ୟ ନିର୍ବାଚନ ଆରମ୍ଭ ହୋଇଯାଇଥିବାରୁ କର୍ମୀମାନେ ମତୁଆଲା ହୋଇଉଠିଲେଣି। କିଏ କେତେ ଟଙ୍କା, ମଦ, ମାଂସ ଆପଣେଇପାରିବ ଏବେଠୁ ତୁମୁଳ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି। ଏଥର ନିର୍ବାଚନ ଆରମ୍ଭ ନହେଉଣୁ ହଣାକଟା ଆରମ୍ଭ ହେଲାଣି। ଭୋଟ୍‌ ଶେଷରେ କେତେ ଯେ ମୁଣ୍ଡ ଗଡିବ କହିହେଉନି। ଟଙ୍କା, ମଦ, ମାଂସ ପାଇଁ ଏମିତି ଗଣ୍ଡଗୋଳ ଲାଗିଯିବ ଯେ ଯଦୁବଂଶ ଭଳି ହଣାକଟା ହୋଇ ବଂଶ ବୁଡିଯିବ ! ଭୋଟର କିନ୍ତୁ ଚୁପଚାପ ସବୁ ଦେଖୁଛନ୍ତି। ସେମାନେ କହିବାକୁ ଆରମ୍ଭ କଲେଣି, ପ୍ରାର୍ଥୀମାନେ କୋଟିକୋଟି ଟଙ୍କା ଦେଇ ଟିକେଟ୍‌ କିଣୁଛନ୍ତି, କୋଟିକୋଟି ଟଙ୍କା ଖର୍ଚ୍ଚ କରି ଜିତିଆସି ସରକାର କଲେ ସେମାନେ ଖଣି, ପାଣି, ଜମି, ଜଙ୍ଗଲ, ଚାଷବାସ ସବୁ ଗିଳିଦେବେ। ଆମେ ଚାଷୀକୁଳ, ଶ୍ରମିକକୁଳ, ସାଧାରଣ ଲୋକେ ଯୋଉ ହନ୍ତସନ୍ତକୁ ସେଇ ହନ୍ତସନ୍ତ ଅବସ୍ଥାରେ ଛଟପଟ ହେବା, ଏହା ଧୃବ ସତ୍ୟ। ପ୍ରାର୍ଥୀମାନେ ଯଦି ଟିକେଟ୍‌ କିଣୁଛନ୍ତି, ସେମାନେ ବି ଭୋଟ୍‌ କିଣିବେ, ତା’ହେଲେ ଆମେ ଭୋଟରମାନେ ଭୋଟ୍‌ ଖଣ୍ଡିକୁ ୧୦ ହଜାର ଟଙ୍କା କାହିଁକି ନ ନବା! ଯାହାଘରେ ୧୦ ଖଣ୍ଡ ଭୋଟ୍‌ ଅଛି, ସିଏ ଲକ୍ଷେ ଟଙ୍କା ଡିମାଣ୍ଡ କରୁ। ଭରତୀୟ ଭୋଟର ମାନସିକତା ବର୍ତ୍ତମାନ ଦଳ ଓ ନେତାମାନଙ୍କ ପ୍ରତି ବିଦ୍ରୋହୀ, ସେଥିପାଇଁ ଭୋଟ ଖଣ୍ଡିକୁ ଏବେ ୧୦ ହଜାର ମୁଲଚାଲ ହେବ ବୋଲି ଚା’ ଦୋକାନ ଗୁଡାକରେ ଚର୍ଚ୍ଚା। ଠିକ୍ ଅଛି, ଭୋଟ୍ ପାଇଁ ଗୋପନୀୟ ଦର ଧାର୍ଯ୍ୟ ହେଉ, ମନା ନାହିଁ। ହେଲେ ଅସଲ ବେଳକୁ ଭୋଟ୍ ଆସିଗଲେ ନିଜ ମନୋନୀତ ଯୋଗ୍ୟ ପ୍ରାର୍ଥୀଙ୍କୁ ବୁଦ୍ଧି-ବିବେକକୁ ପଚାରି ବିଚାରି ଭୋଟ୍‌ ଦିଅନ୍ତୁ। ଯଦି ଜଣେ ବି କେହି ମନପସନ୍ଦ ପ୍ରାର୍ଥୀ ନାହାଁନ୍ତି ‘ନୋଟା’ରେ ସୁଇଚ୍‌ ଟିପି କାମ ଫତେ କରନ୍ତୁ। କାରଣ ଭୋଟ୍‌ ପରେ ଏ ପ୍ରାର୍ଥୀମାନଙ୍କର ଆଉ ଦେଖାମିଳିବନି। ଆମେ ପୁଣି ଆଉ ୫ ବର୍ଷ ଜଳକା ହୋଇ ଚାହିଁ ରହିଥିବା। ଅବଶ୍ୟ ଆମେ ସଚେତନ ଭୋଟରମାନେ ରାସ୍ତାଘାଟ, ଅଫିସଦପ୍ତର, ଖଣିଖାଦାନ, ଜଙ୍ଗଲ ଭିତରେ ରାଜକୋଷ-ଲୁଟେରା ଓ ଦେଶଦ୍ରୋହୀମାନଙ୍କୁ ଗୋଡ଼େଇ ଗୋଡ଼େଇ, ବାଡ଼େଇ ବାଡ଼େଇ ସାବାଡ଼ କରିଦେବାର ସମୟ ଆସିଗଲାଣି। ସେମାନଙ୍କୁ ସାବାଡ଼ କରିବା ଦେଶପ୍ରେମୀର କାମ। ଯାଜପୁରରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩

Share :