‘ଭୋଟର ମାଲିକ ଭାବେ ସେବକ ବାଛିଲେ ଗଣତନ୍ତ୍ର ସୁଦୃଢ଼ ହେବ’

‘ଭୋଟର ମାଲିକ ଭାବେ ସେବକ ବାଛିଲେ ଗଣତନ୍ତ୍ର ସୁଦୃଢ଼ ହେବ’

Share :

ଲୋକମାନେ ହେଲେ ଦେଶର ମାଲିକ। ସରକାର ହେଲେ ଦେଶର ସେବକ। ଗଣତନ୍ତ୍ରକୁ ଶକ୍ତିଶାଳୀ କରିବା ପାଇଁ ଏକ ସଚେତନ ଭୋଟରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭୋଟରମାନେ ନିଜକୁ ମାଲିକ ଭାବି ନିର୍ବାଚନରେ ସେବକ ବାଛିବା ଉଚିତ। ସୁଚିନ୍ତିତ ଭାବେ ପ୍ରଦାନ କରିଥିବା ଗୋଟିଏ ଭୋଟ ଦେଶର ଦଶା ଏବଂ ଦିଶା ନିର୍ଦ୍ଧାରଣ କରିପାରେ। ତେଣୁ ସମସ୍ତ ନାଗରିକ କୌଣସି ପ୍ରରୋଚନାର ବଶୀଭୂତ ନହୋଇ ଭୟମୁକ୍ତ ଭାବେ ଗଣତାନ୍ତ୍ରିକ ମହାକୁମ୍ଭରେ ନିଜର ଭୋଟଦାନ ମୌଳିକ ଅଧିକାରକୁ ସାବ୍ୟସ୍ତ କରିବା ଉଚିତ୍ ବୋଲି ପବିତ୍ର ରାମନବମୀ ଅବସରରେ ସ୍ଥାନୀୟ ସାମ୍ୱାଦିକ ଭବନ ଠାରେ ଅନୁଷ୍ଠିତ ସାପ୍ତାହିକ ଖବର କାଗଜ ‘ପ୍ରେରଣା’ର ଚତୁର୍ଦ୍ଦଶ ସ୍ୱନକ୍ଷତ୍ର ଦିବସ ଅବସରରେ ମଞ୍ଚାସୀନ ଅତିଥି ମାନେ ଏହି ମତ ଦେଇଥିଲେ। ଅଧିବେଶନର ପ୍ରାରମ୍ଭରେ କବି ରତ୍ନମୟ ତ୍ରିପାଠୀଙ୍କ ସଂଯୋଜନାରେ ଏକ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ କବି ରାଜୀବ ଲୋଚନ ଆଚାର୍ଯ୍ୟ, ସୁଶାନ୍ତ ବାଗ, ନବୀନ ବିଶବନ୍ଧୁ, ମୁକୁଲ ମିଶ୍ର, ସଂକୀର୍ତ୍ତନ ମହାଲିଙ୍ଗ ଏବଂ ସୁଜିତ କୁମାର ଶତପଥୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। କବିତା ପାଠୋତ୍ସବ ପରେ ଅନୁଷ୍ଠିତ ଆଲୋଚନାଚକ୍ରର ପ୍ରାରମ୍ଭରେ ଅତିଥି ମାନେ ଶ୍ରୀରାମଚନ୍ଦ୍ରଙ୍କ ଫଟୋଚିତ୍ର ପୁଷ୍ପମାଲ୍ୟ ଅର୍ପଣ କରି ସଭାକୁ ଉଦ୍ଘାଟନ କରିଥିଲେ। ପ୍ରଥମେ କଳାଧାମ ଆର୍ଟ ଇନ୍ଷ୍ଟିଚ୍ୟୁଟର କଳାକାର ଶିଳ୍ପା, ଆୟୁଷ, ଅନିଶା ଓ ଲିପ୍ସାଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥିଲେ ଅଜୟ ଅମର ସିଂହଦେଓ, ବିଶେଶ୍ୱର, ଜ୍ୟୋତିର୍ମୟ ଓ ବିଶ୍ୱରଞ୍ଜନ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କଳାଧାମର ଅଧ୍ୟକ୍ଷ ଦିଲିପ କୁମାର ସିଂହଦେଓ। ପ୍ରେରଣାର ସଂପାଦକ ରଘୁନନ୍ଦନ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ର ‘ଗଣତନ୍ତ୍ରର ସୁରକ୍ଷା ଭୋଟରଙ୍କ ଦାୟିତ୍ୱ’ ବିଷୟରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ତଥା ସ୍ତମ୍ଭକାର ଦେବେନ୍ଦ୍ର ପୃଷ୍ଟି ଯୋଗଦେଇ କହିଥିଲେ ଯେ ଲୋକମାନେ ହେଉଛନ୍ତି ଦେଶର ପ୍ରକୃତ ମାଲିକ। ସରକାର ହେଉଛନ୍ତି ସେବକ। ଲୋକେ ନିଜକୁ ମାଲିକ ମନେ କରି ଭୋଟ୍‌ ଜରିଆରେ ସେବକ ବାଛିବା ଉଚିତ। ଏବେ ସେମାନେ ମାଲିକ ଭାବେ ଚାକର ବାଛୁ ନାହାନ୍ତି। ବରଂ ନିଜକୁ ଚାରକ ଭାବି ମାଲିକ ବାଛୁଛନ୍ତି। ସେଇଥିପାଇଁ ଗଣତନ୍ତ୍ର ଦୁର୍ବଳ ହେଉଛି ଓ ଦେଶ ବିକ୍ରି ହେଇଯାଉଛି। ସେହିପରି ଦେଶର ମାଲିକ ନିୟମିତ ବ୍ୟବଧାନରେ ସେବକ ପରିବର୍ତ୍ତନ କରିବା ଦରକାର। କୌଣସି ଦଳକୁ ଅଧିକ ଦିନ ଧରି ସେବା ଦାୟିତ୍ବ ପ୍ରଦାନ କଲେ ସେ ନିଜକୁ ଦେଶର ମାଲିକ ଧରି ନେଉଛି। ନିୟମିତ ସରକାର ପରିବର୍ତ୍ତନ ଓ ଦୁର୍ବଳ ସରକାର ଚୟନ ଜରିଆରେ ଲୋକମାନେ ଦେଶ ଓ ସରକାର ଉପରେ ନିଜର ମାଲିକାନା ସ୍ବତ୍ବ ବଜାୟ ରଖିପାରିବେ। ନୋହିଲେ ନିର୍ବାଚିତ ସରକାର ଲୋକମାନଙ୍କୁ ଚାକର ଭାବେ ବ୍ୟବହାର କରିବେ। ଅଧ୍ୟାପକ ତଥା ସ୍ତମ୍ଭକାର କିଶୋର କୁମାର ମେହେର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜର ଅଭିଭାଷଣରେ ଦେଶପ୍ରେମୀ ବ୍ୟକ୍ତି ଭୋଟ ଦେବାପାଇଁ ଆଗେଇ ଆସି ସମାଜର ଉନ୍ନତିରେ ନିଜକୁ ସାମିଲ କରିଥାଏ ବୋଲି କହିଥିଲେ। ସେ କହିଥିଲେ ଯେ ଭୋଟ ଅଧିକାର ସାବ୍ୟସ୍ତ ନକରିବା ଦେଶପ୍ରେମ ନୁହେଁ। ଭୋଟରମାନେ କାହାର ପ୍ରଲୋଭନ ଓ ପ୍ରରୋଚନାରେ ପଡ଼ି ଭୋଟ ନଦେଇ ନିଜ ବୁଦ୍ଧି ଓ ବିବେକ ଖଟେଇ ଭଲ ପ୍ରାର୍ଥୀ ଦେଖି ଭୋଟ ଦେଲେ ଗଣତନ୍ତ୍ର ମଜବୁତ ହେବ। ଯେଉଁ ନେତାମାନେ ଭୋଟରଙ୍କୁ ମିଛସତ କହି, ପ୍ରଲୋଭିତ କରି ଭୋଟ ନେଉଛନ୍ତି ଓ ପରେ ସେମାନଙ୍କୁ ଭୁଲି ଯାଉଛନ୍ତି ସେଭଳି ନେତାମାନଙ୍କୁ ଲୋକମାନେ ପ୍ରତି ନିର୍ବାଚନରେ ଜବାବ ଦେବା ଉଚିତ ବୋଲି ଅଧ୍ୟାପକ ମେହେର କହିଥିଲେ। ଏହି ଅବସରରେ ପ୍ରେରଣା ପକ୍ଷରୁ ପ୍ରକାଶିତ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରତ୍ନମୟ ତ୍ରିପାଠୀ, ସୁବାଷ ପଟେଲ, ବିପିନ ବିହାରୀ ଭୋଇ, ଜାଗୃତି ଶତପଥୀ, ବୃନ୍ଦାବନ ସାହୁ, ଚନ୍ଦ୍ର ଶେଖର ପଟେଲ, ଦୁର୍ଯ୍ୟୋଧନ ପଶାୟତ, ହିମାଂଶୁ ଖମାରି, ଯୋଗେନ୍ଦ୍ର ବାରିକ, ପବିତ୍ର ଶବର, ପ୍ରଭାସିନୀ ଠାକୁର, ରଞ୍ଜନ ପାତ୍ର, ସୁଧା ପଟ୍ଟନାୟକ, ବବି ଜୈନ, ବୀଣାପାଣି ବୁଡେକ ଏବଂ ରାଜେନ୍ଦ୍ର ଯୁବକ ସଂଘକୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା। ସମ୍ୱର୍ଦ୍ଧନା ପର୍ବକୁ ସୁବାସ ନନ୍ଦ ପରିଚାଳନା କରିଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ସଭା ପ୍ରାରମ୍ଭରେ ସାମ୍ୱାଦିକ ସତ୍ୟସୁନ୍ଦର ଭଞ୍ଜ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ୱାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଶିକ୍ଷକ ରଂଜିତ ମିଶ୍ର, ରାମ ନାରାୟଣ ଦାଶ, ରାଧାକୃଷ୍ଣ ମିଶ୍ର, ବିନୋଦ ଦୀପ, ସତ୍ୟ ନାରାୟଣ ପାଣିଗ୍ରାହୀ, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲର ରୋଜି ପଣ୍ଡା, ଜେଏସ୍ଏମ୍ କଲେଜର ହିମାନୀ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସୁବାଷ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Share :