ଦଳୀୟ ଇସ୍ତାହାର- ଚାଷୀଙ୍କ ଭୋଟ ଅମଳ ଯୋଜନା!

ଦଳୀୟ ଇସ୍ତାହାର- ଚାଷୀଙ୍କ ଭୋଟ ଅମଳ ଯୋଜନା!

Share :

ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା ଏକ କୃଷି ପ୍ରଧାନ ଦେଶ। ରାଜ୍ୟର ଚାଷୀ ପରିବାର ସଂଖ୍ୟା ୭୦ ଲକ୍ଷ ଉପରେ। ଏସବୁ ପରିବାରର ଭୋଟ ସଂଖ୍ୟା ପାଖାପାଖି ୨ କୋଟି। ତେଣୁ ଏହି ବର୍ଗର ଭୋଟ ଉପରେ ଏବେ ସବୁ ଦଳର ଆଖି। ଦୀର୍ଘ କାଳ ଧରି ଅବହେଳିତ ଅବସ୍ଥାରେ ରହି ଆସିଥିବା ଏହି ବର୍ଗର ଲୋକମାନଙ୍କର ଉନ୍ନତି ପାଇଁ ଏବେ ବିଭିନ୍ନ ଦଳ ବିଭିନ୍ନ ପ୍ରକାର ଲୋଭନୀୟ ପ୍ରତିଶ୍ରୁତି ବାଣ୍ଟିବାରେ ବ୍ୟସ୍ତ ଅଛନ୍ତି। ସେମାନଙ୍କର ଅନେକ ପ୍ରତିଶ୍ରୁତି ସେମାନଙ୍କର ନିର୍ବାଚନୀ ଇସ୍ତାହାରରେ ସ୍ଥାନ ପାଇଛି। ଏସବୁ ପ୍ରତିଶ୍ରୁତି ସେମାନଙ୍କ ପାଇଁ ଚାଷୀ କ୍ଷେତରୁ କେତେ ଭୋଟ ଅମଳ କରିବ ତାହା ଅବଶ୍ୟ ଅଲଗା କଥା। ରାଜ୍ୟରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାରେ ଥିବା ବିଜୁ ଜନତା ଦଳ ସବା ଶେଷରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ପ୍ରଥମ ପର୍ଯ୍ୟାୟ ମାତ୍ର କେଇ ଘଣ୍ଟା ବାକି ଥିଲାବେଳେ ବିଜେଡି ନିର୍ବାଚନୀ ଇସ୍ତାହାର ପ୍ରକାଶ କରି ରାଜ୍ୟର ଚାଷୀମାନଙ୍କୁ ଅନେକ ପୁରୁଣା ପ୍ରତିଶ୍ରୁତି ଦେଇଛି। ବଜେଟ ବ୍ୟବସ୍ଥା ନଥିଲେ ମଧ୍ୟ ବିଭିନ୍ନ କାରଣରୁ ସରକାରଙ୍କ ଉପରେ ଅସନ୍ତୁଷ୍ଟ କୃଷକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାର ଉଦ୍ଦେଶ୍ୟ ପଣ୍ଡ ହେଉଥିବା ଅନୁମାନ କରି ବିଜୁ ଜନତା ଦଳ ଏହାର ଇସ୍ତାହାରରେ କାଳିଆ ସହାୟତା ଅର୍ଥରାଶି ସଂଶୋଧନ କରିବାକୁ ପ୍ରତିଶ୍ରୁତି ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୂଳ ଘୋଷଣା ଅନୁସାରେ କାଳିଆ ସହାୟତା କେବଳ ୫ଟି ଚାଷ ଋତୁ ପାଇଁ ଋତୁ ପିଛା ୫ ହଜାର ଟଙ୍କା ହିସାବରେ ମିଳିବା କଥା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଲୋକେ ଜାଣିଲେ ଯେ ତେଲେଙ୍ଗାନା ସରକାରଙ୍କ ରୟତ ବନ୍ଧୁ ଯୋଜନାରେ ଚାଷୀମାନଙ୍କୁ ହେକ୍ଟର ପିଛା ୧୦ ହଜାର ଟଙ୍କାର ସହାୟତା ଦିଆଯାଉଛି। ଓଡ଼ିଶା ସରକାରଙ୍କ ସହାୟତା ପରିମାଣ ସମସ୍ତଙ୍କ ପାଇଁ ସମାନ। ଯାହାର ୨୦ ଏକର ଚାଷ ସେ ଯେତିକି ସହାୟତା ପାଇବ ଯାହାର ୨ ଏକର ଚାଷ ସେ ବି ସେତିକି ସହାୟତା ପାଇବ। ଏହା ଚାଷୀମାନଙ୍କୁ ଅଧିକ ଅସନ୍ତୁଷ୍ଟ କରିଛି। ସେଥିପାଇଁ ବିଜେଡି ଏବେ ଇସ୍ତାହାରର ପ୍ରତିଶ୍ରୁତି ଦେଇଛି ଯେ ତିନି ବର୍ଷ ପରେ ମଧ୍ୟ କାଳିଆ ଯୋଜନା ଅବ୍ୟାହତ ରହିବ ଓ ସହାୟତା ରାଶି ସଂଶୋଧନ କରିବାକୁ କମିଟି ବସିବ। ଏବେ କାଳିଆ କାର୍ଯ୍ୟକାରିତା ପାଇଁ ଏକ କମିନ ଗଠନ କରାଯିବ। ଏହା ଛଡ଼ା ଏହି ଯୋଜନାରେ ୫୦ ହଜାର ଟଙ୍କାର ଋଣ ଯାଏଁ ସୁଧଛାଡ଼ କଥା ମାସକ ତଳେ କୁହାଯାଇଥିଲେ ମଧ୍ୟ ଏବ ଏହାକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ ଯଦି ତାଙ୍କ ଦଳ ପୁଣି ସରକାର ଗଠନ କରେ ତେବେ ସରକାର ଗଠନର ପ୍ରଥମ ଦିନ କାଳିଆର ସମସ୍ତ ହିତାଧିକାରୀଙ୍କୁ ସବୁ ବକେୟା ଟଙ୍କା ପ୍ରଦାନ କରାଯିବ। ସରକାରଙ୍କ ତରବରିଆ ନିଷ୍ପତ୍ତି ଯୋଗୁଁ କାଳିଆ ସହାୟତା ଏଯାଏଁ ଅଧିକାଂଶ ଚାଷୀ ପାଇନାହାନ୍ତି। ଗାଁର ୫-୧୦ ପ୍ରତିଶତ ହିତାଧିକାରୀ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ସହାୟତା ଯାଇଥିବାବେଳେ ବାକି ହିତାଧିକାରୀମାନେ ଟଙ୍କା ନପାଇ ଅଧିକ କ୍ଷୁବ୍ଧ। ଏହା ବୁଝିବା ପରେ ନବୀନ ପଟ୍ଟନାୟକ ପଞ୍ଚମ ପାଳି ସରକାରର ପ୍ରଥମ ଦିନ ଟଙ୍କା ପଠେଇବା କଥା କହିଛନ୍ତି। ବିଜେଡି ସରକାର ଜଳସେଚନ କ୍ଷେତ୍ରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନଥିବାରୁ ଏଥର ସରକାରକୁ ଆସିଲେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ଜଳସେଚନ ସୁବିଧା କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଅନ୍ୟପକ୍ଷରେ ଓଡ଼ିଶାରେ କେବେ ବି ଏକକ ଦଳ ଭାବେ ସରକାର ଗଠନ କରିବାର ସୁଯୋଗ ପାଇ ନଥିବା ଭାରତୀୟ ଜନତା ପାର୍ଟି ମଧ୍ୟ ଓଡ଼ିଶାର ଚାଷୀମାନଙ୍କ ପାଇଁ ଅନେକ ଲୋଭନୀୟ ଯୋଜନା ଘୋଷଣା କରିଛି। ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଆନ୍ଦୋଳନ ଚଳାଇଥିବା ନବ ନିର୍ମାଣ କୃଷକ ସଂଗଠନ ଓ ଧାନର ସହାୟକ ଦର ନେଇ ଆନ୍ଦୋଳନରତ ପଶ୍ଚିମ ଓଡ଼ିଶା ଚାଷୀ ସଂଗଠନ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିବା ହୃଦବୋଧ କରି ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଲେ ୨୦୨୨ ସୁଦ୍ଧା ସମସ୍ତ ଚାଷୀଙ୍କ ଆୟ ଦୁଇ ଗୁଣ କରିବାକୁ ପ୍ରତିଶ୍ରୁତି ଦେଇଛି। ବୟସ୍କ କୃଷକମାନଙ୍କୁ ମାସିକ ୩ ହଜାର ଟଙ୍କାର ପେନସନ ବ୍ୟବସ୍ଥା କରିବାକୁ ବିଜେପି ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଥିବାବେଳେ ଚାଷ ଋଣ ଉପରୁ ସଂପୂର୍ଣ୍ଣ ସୁଧ ଛାଡ଼ କରିବାକୁ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସମସ୍ତ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ସହାୟତାର ପ୍ରତିଶ୍ରୁତି ସହିତ ଚାଷୀର ଚାଷଖର୍ଚ୍ଚ କିପରି କମିବ ସେ ବ୍ୟବସ୍ଥା ନିଶ୍ଚିତ କରିବାକୁ ମଧ୍ୟ ବିଜେପି ଇସ୍ତାହାରରେ ପ୍ରତିଶ୍ରୁତି ଅଛି। ଚାଷୀର ଆୟବୃଦ୍ଧି ପାଇଁ ଏନଡିଏ ସରକାର ବିଭିନ୍ନ ଶସ୍ୟ ଓ ଫସଲର ସର୍ବନିମ୍ନ ସହାୟକ ଦର ପୂର୍ବାପେକ୍ଷା ଦେଢ଼ରୁ ଦୁଇ ଗୁଣ ବୃଦ୍ଧି କରିଥିବା ଦର୍ଶାଇ ବିଜେପି କହିଛି ଯେ ଆଦିବାସୀଙ୍କ ଆର୍ଥିକ ଫାଇଦା ପାଇଁ ଲଘୁ ବନଜାତ ଦ୍ରବ୍ୟର ସହାୟକ ଦର ମଧ୍ୟ ବୃଦ୍ଧି କରାଯାଇଛି। ସେହିପରି ରାଜ୍ୟରେ ସବୁ ଚାଷଜମିକୁ ସବୁଦିନିଆ ଜଳସେଚନ ସୁବିଧା ଯୋଗାଇ ଦେବାକୁ ୧ ଲକ୍ଷ କୋଟି ଟଙ୍କାର ଏକ ଯୋଜନା ହାତକୁ ନିଆଯିବ ବୋଲି ମଧ୍ୟ ବିଜେପି ପ୍ରତିଶ୍ରୁତି ଦେଇଛି। ଚାଷ ଓ ଚାଷୀଙ୍କ ପାଇଁ ଏହା ଏ ନିର୍ବାଚନରେ ସବୁଠୁ ବଡ଼ ପ୍ରତିଶ୍ରୁତି ବୋଲି ବିଚାର କରାଯାଉଛି। ସେହିପରି କଂଗ୍ରେସ ଦଳ ମଧ୍ୟ ତା’ର ଇସ୍ତାହାରରେ ଚାଷୀଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଅଜାଡ଼ି ଦେଇଛି। କଂଗ୍ରେସ କହିଛି ଯେ ଓଡ଼ିଶାରେ ଦଳ କ୍ଷମତାକୁ ଆସିଲେ କଂଗ୍ରେସ ଶାସିତ ଅନ୍ୟ ରାଜ୍ୟ ଭଳି ସମସ୍ତ କୃଷିଋଣ ଛାଡ଼ କରାଯିବ। ଏଣିକି କୃଷକମାନଙ୍କୁ କରଜ ମାଫି ପରିସ୍ଥିତିରୁ କରଜ ମୁକ୍ତି ପରିସ୍ଥିତିକୁ ଉଠେଇ ନିଆଯିବ ବୋଲି କଂଗ୍ରେସ କହିଛି। କୃଷି ବିକାଶ ଓ ଯୋଜନା ପାଇଁ ଜାତୀୟ ସ୍ତରରେ ଏକ କମିଶନ ଗଠନ ଗଠନ କରାଯିବ ବୋଲି କଂଗ୍ରେସ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି। ଫସଲ ବୀମା ଯୋଜନାର ଦୋଷତ୍ରୁଟି ସୁଧାରିବା ସହିତ କୃଷି ଉତ୍ପାଦର ବିପଣନ ଓ ରପ୍ତାନୀ ବୃଦ୍ଧି ପାଇଁ ସୁବ୍ୟବସ୍ଥା କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି।

Share :