ପରିବର୍ତ୍ତନର ପବନ ନା ସ୍ଥାୟିତ୍ବର ସଂକେତ?

ପରିବର୍ତ୍ତନର ପବନ ନା ସ୍ଥାୟିତ୍ବର ସଂକେତ?

Share :

ଦେବେନ୍ଦ୍ର ପୃଷ୍ଟି ୨୦୧୯ ଏପ୍ରିଲ ୧୧ ତାରିଖରେ ଓଡ଼ିଶାର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଶେଷ ହୋଇଛି। ମୋଟ ଉପରେ ଏସବୁ ଆସନରେ ପ୍ରାୟ ୭୪ ପ୍ରତିଶତ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଥିବା ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଏହି ଭୋଟହାର, ବିଭିନ୍ନ ଦଳର ସାଂପ୍ରତିକ ସ୍ଥିତି ଓ ପ୍ରାର୍ଥୀ ତାଲିକାକୁ ଅନୁଶୀଳନ କଲେ ସଂପ୍ରତି ଭାରତୀୟ ଜନତା ପାର୍ଟି ରାଜ୍ୟରେ ସୁବିଧାଜନକ ସ୍ଥିତିରେ ଥିବା ପ୍ରତୀତ ହେଉଛି। ୨୦୧୪ ନିର୍ବାଚନ ପରି ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ କଂଗ୍ରେସର ଅନେକ ନେତା ଦଳ ଡେଇଁ ଶାସକ ବିଜେଡିରେ ଯୋଗ ଦେଇଛନ୍ତି। ଦୁଇ ମାସ ଭିତରେ ବିଧାୟକ ନବ କିଶୋର ଦାସ, ଯୋଗେଶ ସିଂହ, କୃଷ୍ଣ ସଗରିଆ, ପ୍ରକାଶ ବେହେରା, ଗୋବର୍ଦ୍ଧନ ଦାଶ, କୁମାରମଣି ଶବର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ, ପୂର୍ବତନ ସାଂସଦ ବିଭୂ ତରେଇ, ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନାଙ୍କ ସମେତ ପ୍ରାୟ ଦୁଇ ଡଜନ ନେତା କଂଗ୍ରେସ ଛାଡ଼ିଛନ୍ତି। ବର୍ଷକ ତଳେ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କ ଭାଇ ତଥା ପୂର୍ବତନ କଂଗ୍ରେସ ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ଛାଡ଼ିଥିବା ଅଧିକାଂଶ ନେତା ବିଜେଡିରେ ଯୋଗ ଦେଇଛନ୍ତି। ଠିକ ନିର୍ବାଚନ ସମୟରେ ଦଳର ବହୁ ନେତା ବିଜେଡିର ଶରଣାପନ୍ନ ହେବା କଂଗ୍ରେସର ଦୁର୍ବଳତାକୁ ପଦାରେ ପକାଇ ଦେଇଛି। ଯେଉଁ ଦଳ ଉପରେ ଦଳୀୟ ନେତାମାନଙ୍କର ଆସ୍ଥା ଓ ବିଶ୍ବାସ ନାହିଁ ସେହି ଦଳ ଉପରେ ଲୋକମାନେ କିପରି ଆସ୍ଥା ଓ ବିଶ୍ବାସ ପ୍ରକଟ କରିବେ ବୋଲି ପ୍ରଶ୍ନ ଉଠିଛି। ଏହି ଦୃଷ୍ଟିରୁ କଂଗ୍ରେସକୁ ଏବେ ପରାଜୟ ଆଶଙ୍କା ଘାରିଛି। ନିର୍ବାଚନ ପୂର୍ବରୁ କଂଗ୍ରେସରେ ଆଉ ପରିବାରବାଦ କାମ କରିବ ନାହିଁ ଓ ଗୋଟିଏ ପରିବାରରୁ କେବଳ ଜଣକୁ ଟିକଟ ଦିଆଯିବ ବୋଲି ନିଜେ ସଭାପତି ନିରଂଜନ ପଟ୍ଟନାୟକ ଘୋଷଣା କରିଥିଲେ ମଧ୍ୟ ସେ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମିଶି ତିନିଟି ଟିକଟ ନେବା ଦଳ ଭିତରେ ଓ ବାହାରେ ଚକ୍ଷୁଶୀଳ ହୋଇଛି। କେବଳ ସେ ନୁହନ୍ତି, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର, ଉପସଭାପତି ଅନନ୍ତ ସେଠୀ ଓ ତାଙ୍କ ଝିଅ ମଧୁସ୍ମିତା ସେଠୀ, କାର୍ଯ୍ୟକାରୀ ସଭାପତି ଭକ୍ତ ଦାସ ଓ ତାଙ୍କ ପୁଅ ସାଗର ଦାସ ଭିନ୍ନ ଭିନ୍ନ ଆସନ ପାଇଁ କଂଗ୍ରେସ ଟିକଟ ପାଇବା ଦଳ ଓ ଦଳ ବାହାରେ ଚକ୍ଷୁଶୀଳ ହେବା ସହିତ ଦଳୀୟ ଭାବମୂର୍ତ୍ତିକୁ ଅଧିକ କ୍ଷତିଗ୍ରସ୍ତ କରିଛି। ସେହିପରି ପ୍ରଦେଶ କଂଗ୍ରେସ ସଭାପତି ଟଙ୍କା ନେଇ ଟିକଟ ଦେଇଛନ୍ତି ଓ ବିଜେଡି ସହିତ ଅନେକ ଆସନରେ ଫିକ୍ସିଂ କରି ପ୍ରାର୍ଥୀ ଦେଇଛନ୍ତି ବୋଲି ମଧ୍ୟ ଦଳ ଛାଡ଼ିଥିବା ଅନେକ ନେତା ଅଭିଯୋଗ କରିଛନ୍ତି। କଂଗ୍ରେସର ଏହି ପରିବାରବାଦ ଓ ଦଳଡିଆଁ ରାଜନୀତି ଯୋଗୁଁ ରାଜ୍ୟରେ କଂଗ୍ରେସ ଓ ବିଜେଡି ମଧ୍ୟରେ ବ୍ୟବଧାନ ଦୂର ହୋଇଛି ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ଅନେକ କଂଗ୍ରେସ ନେତା ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ନିର୍ବାଚନ ପରେ ସରକାର ଗଠନ ପାଇଁ ଆବଶ୍ୟକତା ପଡ଼ିଲେ କଂଗ୍ରେସ ଦଳ ବିଜେଡିକୁ ସମର୍ଥନ ଦେବ ବୋଲି ମଧ୍ୟ ରାଜନୀତିକ ମହଲରେ ମତ ପ୍ରକାଶ ପାଇଛି। ଏହି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଅନେକ ବିଜେଡି ନେତାଙ୍କର ରାଜନୀତିକ ଚେର ଏବେ ବି କଂଗ୍ରେସରେ ଅଛି। ଜାତୀୟ ସ୍ତରରେ ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚାଲିଥିବାରୁ ରାଜ୍ୟରେ ଏହି ଦୁଇ ଦଳ ମଧ୍ୟରେ କୌଣସି ପ୍ରକାର ବୁଝାମଣା ଅସମ୍ଭବ ତଥା ଅକଳ୍ପନୀୟ। ମାତ୍ର, ପୂର୍ବରୁ ସମଦୂରତା କଥା କହିଚାଲିଥିବା ବିଜେଡି ମୁଖିଆ ସଂପ୍ରତି ଯେଉଁ ଇଙ୍ଗିତ ଦେଇଛନ୍ତି ସେଥରୁ ସେ ଆବଶ୍ୟକ ହେଲେ କଂଗ୍ରେସ ସହିତ ଯାଇପାରନ୍ତି ବୋଲି ସଂକେତ ମିଳିଛି। ସେ କହିଛନ୍ତି ଯେ ବାଜପେୟୀଙ୍କ ବ୍ୟକ୍ତିତ୍ବର ଉଚ୍ଚତା ସହିତ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବର ଉଚ୍ଚତା ତୁଳନୀୟ ନୁହେଁ। ମୋଦୀ ଅନେକ ଛୋଟକାଟର ମଣିଷ। ସେହିପରି ବାଜପେୟୀ ମେଣ୍ଟ ରାଜନୀତିର ସୁପରିଚାଳନା କରୁଥିଲେ, ସହଯୋଗୀଙ୍କୁ ସମ୍ମାନ ଦେଉଥିଲେ। ମୋଦୀଙ୍କ ସହ ତାଙ୍କର ପୂର୍ବ ସଂପର୍କ ଆଉ ନାହିଁ। ନିର୍ବାଚନ ପରେ ଜାତୀୟ ସରକାର ଗଠନ ଦିଗରେ ତାଙ୍କ ଦଳ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନବୀନଙ୍କର ଏପରି କଥାରୁ ସେ ବିଜେପି ସହିତ ଆଉ କୌଣସି ବୁଝାମଣା କରିବେ ବୋଲି କହିହେବ ନାହିଁ। ଏହି ତିନି ପ୍ରକାର ସ୍ଥିତି ଯୋଗୁଁ ତୃଣମୂଳ ସ୍ତରର କଂଗ୍ରେସ କର୍ମୀଙ୍କ ଭୋଟ ବିଜେଡି କିମ୍ବା କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ନଯାଇ ଏ ଉଭୟ ଦଳ ବିରୋଧରେ ଯିବାର ସମ୍ଭାବନା ଅଧିକ। ଗଲା କୋଡ଼ିଏ ବର୍ଷ ଧରି କଂଗ୍ରେସକୁ ଦୁର୍ବଳ କରିଚାଲିଥିବା ବିଜେଡିକୁ ନେତାମାନେ ଡିଆଁ ମାରିବା ଫଳରେ ତୃଣମୂଳ ସ୍ତରର କର୍ମୀମାନେ ବିଜେଡିକୁ ହିଁ କଂଗ୍ରେସର ବଡ଼ ଶତ୍ରୁ ଭାବରେ ଦେଖୁଛନ୍ତି। ସେହିପରି ଏ ନିର୍ବାଚନରେ ବିଜେଡି ସହିତ ଶକ୍ତ ମୁକାବିଲା ଆଶା କରୁଥିବା ଦଳୀୟ କର୍ମୀମାନେ ଅନେକ ସ୍ଥାନରେ ଦୁର୍ବଳ ପ୍ରାର୍ଥୀ ଦେଖି ସିଟ୍‌ ଫିକ୍ସିଂ ଅଭିଯୋଗକୁ ବିଶ୍ବାସ କରୁଛନ୍ତି। ତୃତୀୟ କଥା ହେଲା କଂଗ୍ରେସର ଦୟନୀୟ ପାଇଁ ଦାୟୀ କଂଗ୍ରେସ ନେତାମାନଙ୍କୁ ବିଜେଡି କୋଳେଇ ନେଇଥିବାରୁ ଏହା ବିଜେଡିର ଏକ ଷଡ଼ଯନ୍ତ୍ର ବୋଲି କଂଗ୍ରେସ କର୍ମୀମାନେ ବିଶ୍ବାସ କରୁଛନ୍ତି। ଏଭଳି କ୍ଷେତ୍ରରେ ଉଭୟ କଂଗ୍ରେସ ଓ ବିଜେଡିକୁ ବିରୋଧର କରିବାକୁ ଯାଇଁ ସେମାନେ ବିଜେପିକୁ ଭୋଟ ଦେଇପାରନ୍ତି ବୋଲି ଅନୁଶୀଳନ କରାଯାଉଛି। ଗତ ପଂଚାୟତ ନିର୍ବାଚନରେ ଠିକ ଏହି ପରିସ୍ଥିତି ଥିଲା ଓ ସେଥର କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ବିଜେପି ରାଜ୍ୟର ଦ୍ବିତୀୟ ଦଳ ଭାବେ ପ୍ରତିଷ୍ଠା ଲାଭ କରିଥିଲା। ଚଳିତ ନିର୍ବାଚନରେ ଶାସକ ବିଜୁ ଜନତା ଦଳର ଏକମାତ୍ର ବିରୋଧୀ ଦଳ ଭାବେ ବିଜେପି ନିଜକୁ ପ୍ରତିଷ୍ଠିତ କରାଇପାରିଛି। ସେଥିପାଇଁ ବିଜେଡିକୁ ପରାସ୍ତ କରିବାକୁ ଚାହୁଁଥିବା କେତେକ ନେତା ବିଜେପି ଉପରେ ଆସ୍ଥା ଓ ଭରସା ସ୍ଥାପନ କରିଛନ୍ତି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଖାରବଳେ ସ୍ବାଇଁ, ରାଜ୍ୟର ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ ବିଜୟ ମହାପାତ୍ରଙ୍କ ପରି ଓଜନଦାର ନେତାମାନେ ବିଜେପିରେ ମିଶିବା ଫଳରେ ଏହି ଦଳ ବିଜେଡିର ଏକ ଶକ୍ତ ବିକଳ୍ପ ଭାବେ ପ୍ରତିଷ୍ଠା ଅର୍ଜନ କରିଛି। ଏହି ସ୍ଥିତିରେ ଓଡ଼ିଶାର ଅଧିକାଂଶ ଆସନରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତାକୁ ବାସ୍ତବରେ ଦ୍ବିମୁଖୀ ଲଢ଼େଇରେ ପରିଣତ କରିବାର ସମ୍ଭାବନା ରହିଛି। ଯେଉଁଠି କଂଗ୍ରେସ ଦୁର୍ବଳ ପ୍ରାର୍ଥୀ ଦେଇଛି ବା ଯେଉଁଠି ପୂର୍ବତନ କଂଗ୍ରେସ ନେତା ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ସେଠାରେ ଲଢ଼େଇ ସିଧାସଳଖ ବିଜେଡି ଓ ବିଜେପି ମଧ୍ୟରେ ହେବ ବୋଲି ରାଜନୀତିକ ସମୀକ୍ଷକମାନେ ଆକଳନ କରୁଛନ୍ତି। ଏଭଳି ସିଧାସଳଖ ଲଢ଼େଇ ବିଜେପିକୁ ସୁହାଇବ। ତ୍ରିପୁରାରେ ଠିକ ଏହି ଅବସ୍ଥା ହୋଇଥିଲା। ସେଠାରେ ବାମପନ୍ଥୀ ମେଣ୍ଟ ଓ ବିଜେପି ମେଣ୍ଟ ମଧ୍ୟରେ ସିଧାସଳଖ ଲଢ଼େଇ ହେବାରୁ ମାତ୍ର ୦.୩ ପ୍ରତିଶତ ଅଧିକ ଭୋଟ ପାଇ ବିଜେପି ୩୬ଟି ଆସନରେ ବିଜୟୀ ହୋଇଥିବାବେଳେ ବାମପନ୍ଥୀଙ୍କ ଆସନ ସଂଖ୍ୟା ୧୬କୁ ଖସି ଆସିଥିଲା। ଓଡ଼ିଶାରେ ଯଦି ଏଭଳି ଲଢ଼େଇ ହୁଏ ତେବେ ବିଜେପି ଆଶାତୀତ ସଫଳତା ଲାଭ କରିବାର ସମ୍ଭାବନା ରହିଛି। ପ୍ରଥମ ପର୍ଯ୍ୟାୟରେ ଅଧିକ ସଂଖ୍ୟାରେ ଲୋକେ ମତଦାନ କରିବା ମଧ୍ୟ ଏହି ସଂକେତ ଦିଏ। ପୂର୍ବ ନିର୍ବାଚନଗୁଡ଼ିକରେ ଦେଖଯାଇଛି ଯେ ଯେଉଁଠି ଅଧିକ ମତଦାନ ହୁଏ ସେଠାରେ ପରିଣାମ ଶାସକ ଦଳ ବିରୋଧରେ ଯାଏ। କମ୍‌ ଭୋଟ ହାର ସବୁବେଳେ ସ୍ଥିତାବସ୍ଥାର ସଂକେତ ଦେଉଥିବାବେଳେ ଅଧିକ ଭୋଟହାର ପରିବର୍ତ୍ତନର ଇସାରା ଦିଏ। ଦକ୍ଷିଣ ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ୭୩.୭୬ ପ୍ରତିଶତ ବା ୭୪ ପ୍ରତିଶତ ଭୋଟ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ୨୦୧୪ ନିର୍ବାଚନରେ ଏହି ଅଞ୍ଚଳରେ ୭୫ ପ୍ରତିଶତ ଭୋଟ ହୋଇଥିଲା। ଏଥର ମାତ୍ର ୧ ପ୍ରତିଶତ କମିଛି। ତାହାର କାରଣ ନକ୍ସଲ ଭୟ ହୋଇଥାଇପାରେ। ମାଲକାନଗିରି ଚିତ୍ରକୋଣ୍ଡାର ୧୫ ବୁଥ୍‌ରେ ମାଓବାଦୀଙ୍କ ଭୟରେ କହି ଭୋଟ ଦେଇନାହାନ୍ତି। ସେହିପରି କେତେକ ବୁଥ୍‌ରେ ଇଭିଏମ କାମ ନକରିବାରୁ ସକାଳୁ ଭୋଟ ଦେବାକୁ ଆସିଥିବା ଲୋକମାନେ ଘଣ୍ଟାଏ ଦୁଇ ଘଣ୍ଟା ଅପେକ୍ଷା କରି ଫେରିଯାଇଛନ୍ତି। ଏହି କାରଣରୁ ୧ ପ୍ରତିଶତ ଭୋଟ କମିଯାଇଥାଇପାରେ। ନହେଲେ ଏହି ବିପୁଳ ଭୋଟହାର ସତ୍ତା ବିରୋଧୀ ମନୋଭାବର ସଂକେତ ବୋଲି ଧରାଯାଇ ପାରେ। ଚାରିଟି ଲୋକସଭା ଆସନ ମଧ୍ୟରୁ ତିନିଟିରେ ବିପୁଳ ଭୋଟହାର ଲକ୍ଷ୍ୟଣୀୟ। କେବଳ ବ୍ରହ୍ମପୁରରେ ମତଦାନ ହାର ଯଥେଷ୍ଟ କମ୍‌। ନବରଙ୍ଗପୁରରେ ୭୮.୮ ପ୍ରତିଶତ ମତଦାନ ରେକର୍ଡ଼ କରାଯାଇଥିବାବେଳେ କୋରାପୁଟରେ ୭୬.୭୭ ପ୍ରତିଶତ ଏବଂ କଳାହାଣ୍ଡିରେ ୭୬.୨୪ ପ୍ରତିଶତ ମତଦାନ ରେକର୍ଡ ହୋଇଛି। ଏ ତିନିଟି ଆସନ ଯଦି ପରିବର୍ତ୍ତନ ସପକ୍ଷରେ ଯାଇଥିବାର ସଂକେତ ଦେଇଥାଏ ତେବେ ବ୍ରହ୍ମପୁରର ୬୭.୯ ପ୍ରତିଶତ ଭୋଟହାର ସ୍ଥିତାବସ୍ଥା ସପକ୍ଷରେ ଯାଇପାରେ ବୋଲି କୁହାଯାଇ ପାରେ। ତେବେ, ସବୁବେଳେ ଏଭଳି ଗଣନା ଠିକ ହୋଇ ନଥାଏ। ଅନେକ ସମୟରେ କମ୍‌ ଭୋଟହାର ମଧ୍ୟ ବିପକ୍ଷ ପ୍ରାର୍ଥୀଙ୍କ ଜିତାପଟରେ ସହାୟକ ହୋଇଥାଏ, ଅଧିକ ଭୋଟହାର ଦଳମତ ନିର୍ବିଶେଷରେ ନୂଆ ଟାଣୁଆ ପ୍ରାର୍ଥୀଙ୍କ ସପକ୍ଷରେ ଯାଇପାରେ।

Share :