୭୮ ବର୍ଷ ବୟସ୍କା ମହିଳାଙ୍କ ସ୍ବଚ୍ଛ ଭାରତ ଅଭିଯାନ!

୭୮ ବର୍ଷ ବୟସ୍କା ମହିଳାଙ୍କ ସ୍ବଚ୍ଛ ଭାରତ ଅଭିଯାନ!

Share :

ସତ୍ୟଜିତ ସାମନ୍ତରାୟ ପିଲାଦିନେ ପଢିଥିଲେ ନିଧିବୁଢା ମଶାମାଛି ଦାଉରୁ ରକ୍ଷା ପାଇବା ପାଇଁ ତାର ବାଡ଼ିପଟ ସଫାକରି ସମସ୍ତଙ୍କୁ ସଚେତନତାର ଉପଦେଶ ଦେଇଥିଲା। ହେଲେ ଆଜି ବି ଅନେକ ଏଭଳି ଲୋକ ରହିଛନ୍ତି ଯୋଉଁମାନେ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟ କରୁଛନ୍ତି, ହେଲେ ଲୋକଙ୍କ ନଜର ଆଢ଼ୁଆଳରେ ରହିଯାଉଛନ୍ତି। ଏହିଭଳି ଜଣେ ମହିଳା ହେଉଛନ୍ତି ରମାମଣୀ। କେନ୍ଦୁଝରର ଜିଲାର ଖିରେଇଟାଙ୍ଗିରୀ ଗ୍ରାମରେ ରହନ୍ତି ୭୮ ବର୍ଷ ବୟସ୍କା ରମାମଣୀ। ନିଜର ଜମିଜମା ସମ୍ପର୍କୀୟ କାର୍ଯ୍ୟରେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ସମୟରେ ପରିସରରେ ରହିଥିବା ଏକ ବଡ଼ ବରଗଛ ତଳେ ବସିଥିଲେ। ତାଙ୍କ ନଜରରେ ପଡ଼ିଲା ବରଗଛ ତଳେଥିବା ସ୍ଥାନ ଅପରିଷ୍କାର ହୋଇ ପଡିଛି। ସମସ୍ତେ ଆସୁଛନ୍ତି, ବସୁଛନ୍ତି, କିନ୍ତୁ ଅପରିଷ୍କାର କରି ଚାଲିଯାଉଛନ୍ତି। ଏପରିକି ବସୁଥିବା ଲୋକେ ଗଛ ମୂଳରେ ବାଦାମ ଚୋପା ସବୁ ପକାଇ ଆହୁରି ଅପରିଷ୍କାର କରୁଛନ୍ତି। ଏହି ବରଗଛ ମୂଳରେ ଦୂର ଦୂରାନ୍ତରୁ ଆସୁଥିବା ଲୋକେ ଗଛ ଛାଇରେ ଆଶ୍ରୟ ନେଇଥାନ୍ତି। ସେଠାରେ ବସିବା ସମୟରେ ଅନେକ ଲୋକ ଏହି ସ୍ଥାନରେ ବାଦାମ ଚୋପାଠାରୁ ଆରମ୍ଭକରି ଅନ୍ୟ ମଇଳା ଆବର୍ଜନାକୁ ବି ପକାଇବାକୁ ପଛାନ୍ତି ନାହିଁ। ଗଛରୁ ଶୁଖିଲା ପତ୍ର ଝଡ଼ି ମଧ୍ୟ ସେ ସ୍ଥାନକୁ ଆହୁରି ଅପରିଷ୍କାର କରି ଦେଇଥାଏ। ରମାମଣୀ ଏସବୁ ଅପରିଷ୍କାର ଦେଖି ଆଉ ସମ୍ଭାଳି ପାରିଲେନି। ପାଲଟିଲେ ଅନ୍ୟମାନଙ୍କ ପାଇଁ ଉଦାହରଣ। ଏହା ଦେଖି ସେ ତୁରନ୍ତ ଲାଗିପଡିଲେ ଏହି ସ୍ଥାନକୁ ସଫା କରିବା କାର୍ଯ୍ୟରେ। ଠିକ ଭାବେ ଚାଲି ବୁଲି ପାରୁ ନଥିବା ରମାମଣୀ ନିଜ ହାତରେ ସେଠାରେ ପଡିଥିବା ମଇଳାକୁ ନେଇ ନିକଟସ୍ଥ ମଇଳା ପାଇଁ ଉଦ୍ଦିଷ୍ଟ ସ୍ଥାନରେ ପକାଇଥିଲେ। ବୟସ ଆଗରେ ହାର ମାନିଥିଲା ଭଳି ଲାଗୁଥିଲା ତାଙ୍କର ଏହି ସଚେତନତା। ଚାହୁଁ ଚାହୁଁ ସେ ସ୍ଥାନକୁ ପରିଷ୍କାର କରି ନିଜ ପିନ୍ଧା ଲୁଗାରେ ଝାଡି ଅନ୍ୟମାନଙ୍କ ବସିବା ଉପେଯାଗୀ କରିଦେଲେ। କିଛି ସମୟ ପାଇଁ ସମସ୍ତେ ଚାହିଁ ରହିଥିଲେ ଏହି ବୃଦ୍ଧାଙ୍କୁ। ରମାମଣୀଙ୍କ ମତରେ ଗଛ ହେଉଛି ଭଗବାନ। ସିଏ ଆମକୁ ଛାୟା ପ୍ରଦାନ କରୁଛି ବୋଲି ତ ଆମେ ଏତେ ସଂଖ୍ୟାରେ ଖରାରୁ ରକ୍ଷାପାଇବା ପାଇଁ ତା ତଳେ ଆଶ୍ରୟ ନେଉଛନ୍ତି। ତା ଡାଳରେ ଏତେ ପଶୁପକ୍ଷୀ, ସରୀସୃପ ରହୁଛନ୍ତି। ଗଛ ଆମକୁ ଫଳ ଦେଉଛି। ବର ଗଛକୁ ଗାଁରେ ପୂଜା କରାଯାଏ। ଯେଉଁ ଗଛ ଆମକୁ ଏତେ ଲାଭ ଦେଉଛି ସେହି ଗଛ ମୂଳକୁ ଆମେ ଅପରିଷ୍କାର କରିବା କାହିଁକି? ଏହିପରି କିଛି ସଚେତନତାର ବାର୍ତ୍ତା ବାଣ୍ଟି ସେ ପାଲଟିଲେ ଉଦାହରଣ। ସମସ୍ତେ ଯଦି ଏହି ମହିୟସୀ ବୃଦ୍ଧାଙ୍କ କଥାକୁ ପାଳନ କରିବେ ସତରେ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ କୁହନ୍ତୁ କିମ୍ୱା ଗାନ୍ଧିଜୀଙ୍କ ସ୍ୱଚ୍ଛତା ଅଭିଯାନ ସଫଳ ହୋଇ ପାରନ୍ତା।

Share :