ଧଳସାମନ୍ତଙ୍କ କଳା ସାମ୍ରାଜ୍ୟର ପାତ୍ରମନ୍ତ୍ରୀ

ଧଳସାମନ୍ତଙ୍କ କଳା ସାମ୍ରାଜ୍ୟର ପାତ୍ରମନ୍ତ୍ରୀ

Share :

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତାଙ୍କ ସହିତ କେବଳ ବିଭିନ୍ନ ଦଳର ରାଜନେତା ସଂପୃକ୍ତ ନଥିଲେ | ତାଙ୍କ ସହିତ ଓଡ଼ିଶା ହାଇକୋର୍ଟର କେତେକ ଅବସରପ୍ରାପ୍ତ ବିଚାରପତି ଓ ଓଡ଼ିଶା ସରକାରଙ୍କର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ମଧ୍ୟ ବିଭିନ୍ନ ଭାବରେ ଜଡ଼ିତ ଥିବା ନେଇ କିଛି କିଛି ପ୍ରମାଣ ସୋସିଆଲ ମିଡିଆ ଜରିଆରେ ପଦାକୁ ଆସିଛି | ମଜାଦାର କଥା ହେଉଛି ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ବ୍ୟକ୍ତିଙ୍କୁ ପୁଲିସ ଡିଜି ଆସନରେ ବସାଇଥିଲେ ସେହି ବ୍ୟକ୍ତି ଧଳସାମନ୍ତ ଭ୍ରାତାଙ୍କର ଅନେକ ସଭା ଓ ଉତ୍ସବରେ ଅତିଥି ଆସନ ମଣ୍ଡନ କରିଥିଲେ | ସେହିପରି ନବୀନ ପଟ୍ଟନାୟକ ସରକାରଙ୍କ ଅମଳରେ ବିଚାର ବିଭାଗୀୟ କମିଶନ ଓ ଅନ୍ୟାନ୍ୟ ଆୟୋଗରେ ଥଇଥାନ ନିଯୁକ୍ତି ପାଇଥିବା ଓଡ଼ିଶା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ମଧ୍ୟ ଧଳସାମନ୍ତଙ୍କ ସହିତ ସଂପୃକ୍ତ ଥିଲେ | କାହିଁକି ଧଳସାମନ୍ତ ଭ୍ରାତାଙ୍କ ଭଳି ମାଫିଆଙ୍କୁ ଗିରଫ କରାଯାଉ ନଥିଲା ତାହା ଏଭଳି କିଛି ସୂଚନାରୁ ସ୍ପଷ୍ଟ ହୋଇଯାଇଛି | ନବୀନ ପଟ୍ଟନାୟକ ସରକାରଙ୍କର ଏକଦା ଖାସ ପୁଲିସ ଅଧିକାରୀ ଥିଲେ ଗୋପାଳ ଚନ୍ଦ୍ର ନନ୍ଦ | ତାଙ୍କୁ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା | ସେ ଏହି ପଦରେ ଥିଲା ସମୟରେ କନ୍ଧମାଳ ଦଙ୍ଗା, ମାଓବାଦୀ ଉପଦ୍ରବ ଓ ମାପିଆ ନେଟବାର୍କ ବୃଦ୍ଧି ପାଇଥିଲା | ସେ ଅବସର ନେବା ପରେ ତାଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଓ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗ ଭିଜିଲାନ୍ସ କୋର୍ଟରେ ଦାଖଲ ହୋଇଥିଲା | ତାଙ୍କର ସମୁଦାୟ ଚାକିରିକାଳ ମଧ୍ୟରେ ସେ ପ୍ରାୟ ୭୫ ଲକ୍ଷ ଟଙ୍କାର ବେତନ ଓ ଭତ୍ତା ପାଇଥିବାବେଳେ କଟକ, ଭୁବନେଶ୍ବର ଓ ପୁରୀ ଆଦି ଅଂଚଳରେ ସେ ଅନ୍ୟୁନ ୨୦ କୋଟି ଟଙ୍କାର ସଂପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ ଅନ୍ୟ ଜଣେ ସରକାରୀ ଅଧିକାରୀ | ଶ୍ରୀ ନନ୍ଦ ପୁଲିସ ଡିଜି ପଦରେ ଥିବା ସମୟରେ ହିଁ ଧଳସାମନ୍ତ ଭ୍ରାତାଙ୍କ ମାଫିଆ ସାମ୍ରାଜ୍ୟ ସଂପ୍ରସାରିତ ହୋଇଥିଲା | ଏବେ ଧଳସାମନ୍ତ ଭାଇଙ୍କ ସହିତ ସେହି ପୂର୍ବତନ ପୁଲିସ ଡିଜି ଗୋପାଳ ନନ୍ଦଙ୍କ ଫଟୋ ସୋସିଆଲ ମିଡିଆରେ ଆଲୋଚନା ପରିସରକୁ ଆସିଛି | ସେହିପରି ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଏଏସ ନାଇଡ଼ୁଙ୍କର ମଧ୍ୟ ଧଳସାମନ୍ତ ଭ୍ରାତାଙ୍କ ସହିତ ଘନିଷ୍ଟତା ଥିବା କଥା ସୋସିଆଲ ମିଡିଆରେ ସଚିତ୍ର ଆଲୋଚିତ ହୋଇଛି | ଏ ମହାଶୟଙ୍କ ସହିତ ଓଡ଼ିଶାର ଅନେକ ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କର ଘନିଷ୍ଟତା ରହିଛି | ସେ ମଧ୍ୟ କୌଣସି ରହସ୍ୟଜନକ କାରଣରୁ ଓଡ଼ିଶାର ନବୀନ ପଟ୍ଟନାୟକ ସରକାରଙ୍କର ଅତ୍ୟନ୍ତ ପ୍ରିୟ | ହାଇକୋର୍ଟ ବିଚାରପତି ପଦ ବାଦ ବି ସେ ଓଡ଼ିଶା ସରକାରଙ୍କ ଏକାଧିକ ଆୟୋଗରେ ଥଇଥାନ ନିଯୁକ୍ତି ପାଇଛନ୍ତି | ଏହାଙ୍କ ବ୍ୟତିତ ଓଡ଼ିଶା ହାଇକୋର୍ଟର ଅନ୍ୟତମ ଅବସରପ୍ରାପ୍ତ ବିଚାରପତି ବୀରକିଶୋର ମିଶ୍ର ମଧ୍ୟ ଧଳସାମନ୍ତ ଭ୍ରାତାଙ୍କ ସହିତ ଘନିଷ୍ଟ ଥିବା ନେଇ ଗଣମାଧ୍ୟମରେ ଆଲୋଚିତ ହୋଇଛି | ନେତା, ସାମ୍ବାଦିକ, ବିଚାରପତି ଓ ପୁଲିସଙ୍କ ଧରି ଧଳସାମନ୍ତ ଭାଇ ଓଡ଼ିଶାରେ ମାଫିଆ ସାମ୍ରାଜ୍ୟ ଚଳାଇଥିବା ସଂପର୍କରେ ଏହିପରି ଅନେକ କଥା ପଦାକୁ ଆସିଲାଣି | ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଓଡ଼ିଶାରେ ଦୁର୍ନୀତି ଓ ଅପରାଧ ବୃଦ୍ଧି ପଛରେ ଏହିସବୁ ବର୍ଗର ପ୍ରତିଷ୍ଠିତ ଲୋକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି | ବର୍ତ୍ତମାନ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ମୁଖପାତ୍ର ପ୍ରତାପ ଦେବ ଧଳସାମନ୍ତଙ୍କ ରାଜନୀତିକ ସଂପୃକ୍ତି ନେଇ କେବଳ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରୁଛନ୍ତି କିନ୍ତୁ ବିଜେଡି ସମେତ ଅନ୍ୟ ରାଜନୀତିକ ଦଳ କଥା ଉଠାଉ ନାହାନ୍ତି କି ପୁଲିସ ଓ ବିଚାରପତିଙ୍କ ସଂପର୍କ କଥା କହୁ ନାହାନ୍ତି | ରହସ୍ୟ କ’ଣ?

Share :