ବାସ୍ତବ ଦୁନିଆର ନାୟିକା

ବାସ୍ତବ ଦୁନିଆର ନାୟିକା

Share :

ମୂଳ ରଚନା- ଯୋଗିତା ଆରାହ୍ନା, ଅନୁସୃଜନ-ରଙ୍ଗାଚରଣ ପ୍ରଧାନ ଶାଳିନୀକୁ ସେତେବେଳେ ୧୮ ବର୍ଷ। ସେତେବେଳେ ତା' ପାଇଁ ବିବାହ ପ୍ରସ୍ତାବ ଆସିଲା। ବର ଥିଲା ମେଜର ଅବିନାଶ ସିଂ ବାହାଦୁରିଆ। ଯୁବକଟିର ଉଚ୍ଚତା ୮ ଫୁଟ୍। ନ୍ୟାସନାଲ୍ ଡିଫେନ୍ସ ଏକାଡେମୀର ଅନ୍ୟ କ୍ୟାଡେଟମାନଙ୍କଠାରୁ ଅଲଗା ବୋଲି ବାରି ହୋଇଯାଉଥାନ୍ତି। ସେ ଜଣେ ଖେଳାଳୀ ମଧ୍ୟ। ସଟପୁଟ୍ ଓ ବକ୍ସିଂ ଚମ୍ପିଆନ। ସେ ଖେଳରେ ଅନେକ ରେକର୍ଡ ତିଆରି କରିଛନ୍ତି ଯାହା ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ନାହାନ୍ତି। ଏପରିକି ତାଙ୍କ ନାମରେ ଗୋଟିଏ ଟ୍ରଫି ବି ଅଛି। ସୁଦୄଢ଼ ଶରୀର ଓ ନିର୍ଭିକ ଯୁବକଜଣକ ଶାଳିନୀଠାରୁ ସଂପୁର୍ଣ ଭିନ୍ନ। ୧୮ ବର୍ଷ ବୟସ୍କା ଶାଳିନୀ ନରମ ଓ ଲାଜକୁଳି। ସେ ଗୋଟିଏ ସୁରକ୍ଷିତ ପରିବାରରେ ବଢିଆସିଛି। ସେତେବେଳେ ଝିଅମାନଙ୍କ ପାଇଁ ପରିବାର ସମ୍ଭାଳିବା ପାଇଁ ପାଠପଢା ଛାଡ଼ିଦେବା ଏକ ସାଧାରଣ ଘଟଣା ଥିଲା। ମାତ୍ର ୧୯୯୭ରେ ଅବିନାଶଙ୍କୁ ବିବାହ କରିବା ପରେ ଶାଳିନୀ କିନ୍ତୁ ପାଠ ପଢା ଛାଡି ନଥିଲା। ବିବାହ ପରେ ସେମାନେ ଜାମନଗରରେ ରହିଲେ। ୧୯୯୯ ରେ ଧ୍ରୁବ ଜନ୍ମ ହେଲା। ଜାମନଗରରେ ତିନି ବର୍ଷ ରହିବା ମଧ୍ୟରେ ଶାଳିନୀଙ୍କର ଅଧିକାଂଶ ସମୟ ଫୋନ୍ କଲକୁ ଅପେକ୍ଷା କରିବାରେ କଟୁଥିଲା। ତାଙ୍କ ପାଖକୁ ଆର୍ମି ଏକ୍ସଚେଞ୍ଜ ମଧ୍ୟଦେଇ ଫୋନ୍ ଆସୁଥିଲା ଯେଉଁଥିପାଇଁ ବହୁ ସମୟ ଅପେକ୍ଷା କରିବାକୁ ପଡୁଥିଲା। ଅବିନାଶଙ୍କୁ ମଧ୍ୟ ଫୋନ୍ କରିବା ପାଇଁ ଏସଟିଡି ବୁଥରେ ବହୁ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା। ‘କଲ୍ ସବୁ ଛୋଟିଆ ଓ କ୍ବଚିତ୍ ହେଉଥିଲା। ମାତ୍ର ସେଥିରୁ ଯେଉଁ ଆନନ୍ଦ ମିଳୁଥିଲା ତା'ର ତୁଳନା ନଥିଲା। ଧ୍ରୁବ ଅସ୍ପଷ୍ଟ ଭାବରେ କଥା ହେଉଥିଲା। ମାତ୍ର ଅବିନାଶ ତା'ସାଙ୍ଗରେ ବି କଥା ହୋଇ ଚାଲୁଥିଲେ। ତାଙ୍କ କଥାଗୁଡିକର ପୁରା ମର୍ମ ମୁଁ ସେ ପର୍ଯ୍ୟନ୍ତ ବୁଝିପାରି ନଥିଲି ଯେତେବେଳେ ୨୦୦୧ ମସିହା ସେପ୍ଟେମ୍ବର ୨୮ ତାରିଖରେ ସେହି ଦୁର୍ଭାଗ୍ୟଜନକ ଫୋନ୍ କଲ ଆସିଥିଲା।’ ଅଷ୍ଟମ ରାଷ୍ଟ୍ରୀୟ ରାଇଫଲର ଗୋଟିଏ ୟୁନିଟରେ କାମ କରୁଥିଲା ବେଳେ ଅବିନାଶଙ୍କର ପୋଷ୍ଟିଂ ଜାମ୍ମୁ କାଶ୍ମୀରର ଡୋଡାଠାରେ ହୋଇଥିଲା। ସେ ଏକାକୀ ୪ ଜଣ ଆତଙ୍କବାଦୀଙ୍କୁ ମାରିଥିଲେ। ମାତ୍ର ତୁମୁଳ ଲଢେଇ ଚାଲିଥିବା ବେଳେ ଗୁଳିଚୋଟରେ ନିଜେ ମରଣାନ୍ତକ ଆଘାତ ପାଇ ୨୯ ବର୍ଷ ବୟସରେ ଶହୀଦ୍ ହେଲେ। ଶାଳିନୀଙ୍କୁ ସେତେବେଳେ ୨୩ ବର୍ଷ ବୟସ। ସେହି ବୟସରେ ସେ ସେନା ବିଧବା ହେଲେ। ୨ ମାସର ଶିଶୁର ଲାଳନପାଳନର ସମସ୍ତ ଦାୟିତ୍ବ ତାଙ୍କ ଉପରକୁ ଆସିଲା। ପ୍ରଥମେ ସ୍ବାମୀଙ୍କ ମୃତ୍ୟୁ ଖବର ଶାଳିନୀଙ୍କୁ ଦିଆଯାଇ ନଥିଲା। ସେ ଖବର ଅବଶ୍ୟ ସମ୍ବାଦପତ୍ରରେ ଥିଲା। ମାତ୍ର ତାଙ୍କ ପରିବାର ସବୁ ପ୍ରମାଣ ତାଙ୍କଠାରୁ ଲୁଚାଇ ରଖିଲେ। ସମସ୍ତେ ଫୁସୁରୁ ଫାସର ହେଉଥିଲେ। ସମବେଦନା ଜଣାଇବାକୁ ଘରକୁ ଲୋକ ଆସୁଥିଲେ। ମାତ୍ର ଶାଳିନୀଙ୍କୁ ସେ ସବୁରୁ ଦୂରେଇ ରଖାଯାଇଥିଲା। ଶାଳିନୀ ଭାବୁଥିଲା ଅବିନାଶ ଆହତ ହୋଇ ଲକ୍ଷ୍ନୌର ଏକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଭାବିଲା ଅବିନାଶଙ୍କର ପସନ୍ଦ ଲାଲ୍ ପୋଷାକ ପିନ୍ଧି ତାଙ୍କୁ ଦେଖା କରିବାକୁ ଗଲେ ସେ ଖୁସି ହେବେ। ସେ ସେହି ପୋଷାକରେ ନିଜକୁ ସଜାଇ ସ୍ବାମୀଙ୍କୁ ଦେଖା କରିବାକୁ ଗଲା। ଏୟାରପୋର୍ଟରେ ପହଞ୍ଚିବା ବାଟରେ ଗୋଟିଏ ମନ୍ଦିରରେ ଅଟକି ସେ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା ମଧ୍ୟ କରିଥିଲା। ତେବେ ଏୟାରପୋର୍ଟରେ ପହଞ୍ଚିବା ଠିକ୍ ପୁର୍ବରୁ ତାଙ୍କୁ ପ୍ରକୄତ ଖବର କହି ଦିଆଗଲା। ‘ମୋ ସଂସାର ଓ ସ୍ବପ୍ନ ଉଜୁଡି ଗଲା। ତା'ପରେ କ'ଣ ହେଲା ମୋର ମନେ ନାହିଁ। ସତେ ଯେପରି ମୁଁ ସ୍ବୟଂଚାଳିତା ହୋଇଗଲି। ମତେ ଯାହା କୁହା ଯାଉଥିଲା ମୁଁ କିଛି ଚିନ୍ତା ନ କରି କରିଗଲି। ହାତରେ ଫୁଲ ହାର ଧରି ସ୍ବାମୀଙ୍କ କଫିନ୍ ଆଗରେ ମୁଁ ଛିଡ଼ା ହୋଇଗଲି। ହଜାର ହଜାର ଲୋକ ଧାଡିରେ ଆସି କଫିନ୍ ପାଖରେ ପହଞ୍ଚୁ ଥାଆନ୍ତି। ସେତେବେଳେ ଏକମାତ୍ର ଭାବନା ମୋ ମନରେ ଥିଲା ଯେ ସବୁକିଛି ସରିଗଲା। ଜଣେ ନାରୀର ଜୀବନରେ ସ୍ବାମୀ ଏତେ ମହତ୍ବପୂର୍ଣ୍ଣ ଓ ସ୍ବାମୀ ବିନା ତା'ର କୌଣସି ଅସ୍ତିତ୍ବ ନାହିଁ, ଏହି ଧାରଣା ମୋ ମୁଣ୍ଡରେ ଏପରି ପଶି ଯାଇଥିଲା ଯେ ମୁଁ ନିଜ ଜୀବନ ସମାପ୍ତ କରିବା ପାଇଁ ଚିନ୍ତା କରୁଥିଲି। ମାତ୍ର ସେତେବେଳେ ମୋର ଏକମାତ୍ର ଆଶା ଥିଲା ମୋ ପୁଅ ଧ୍ରୁବ ଯିଏ ମୋ କୋଳରେ ଥାଇ ହସୁଥିଲା। ସେ କେମିତି ଜାଣିଥାନ୍ତା ଯେ ଗୋଟିଏ ବହୁତ ବଡ଼ ଦୁଃଖଦ ଘଟଣା ତା'ଠାରୁ ତା ବାପାକୁ ଛଡେଇ ନେଇଛି?’ ‘ଏବେ ବି ମୋର ମନେ ଅଛି ମୁଁ ଅବିନାଶଙ୍କର ବନ୍ଧୁମାନଙ୍କୁ କହୁଥିଲି ଯେ ଧ୍ରୁବ ପାଇଁ ଓ ଅବିନାଶଙ୍କର ଦେଶ ପ୍ରତି ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ ମୋତେ ଶକ୍ତ ହେବାକୁ ପଡ଼ିବ। ଅବିନାଶଙ୍କର କେତେକ ସହକର୍ମୀଙ୍କଠାରୁ ପ୍ରସ୍ତାବ ମିଳିବା ପରେ ମୁଁ ସୈନ୍ୟ ବାହିନୀରେ ଯୋଗ ଦେବାକୁ ସ୍ଥିର କଲି। ସେମାନେ ଏକଥା ବି ମୋତେ କହିଥିଲେ ଯେ ଏହା ବହୁତ କଷ୍ଟକର ହେବ। ମୁଁ ବି ନିଶ୍ଚିତ ନଥିଲି ଯେ ମୋର ନରମ ଓ ସୁକ୍ଷ୍ମ ଶରୀର ଏ କଷ୍ଟ ସମ୍ଭାଳି ପାରିବ କି ନାହିଁ! ସେମାନେ ଆଗରୁ ସୂଚନା ଦେଇଥିଲେ ଯେ ମୋର ବାରମ୍ବାର ଦୂରସ୍ଥାନରେ ପୋଷ୍ଟିଂ ହୋଇପାରେ। ଧ୍ରୁବ ସେତେବେଳେ ଛୋଟ ଥାଏ ଏବଂ ମୋ ଉପରେ ନିର୍ଭର କରୁଥାଏ। ମୁଁ କିନ୍ତୁ ସ୍ଥିର କରିନେଲି ଯେ ଧ୍ରୁବ ହିଁ ହେବ ମୋର ଶକ୍ତି, ତାକୁ ମୋର ଦୁର୍ବଳତାର କାରଣ କରିବି ନାହିଁ।’ ସର୍ଭିସ୍ ସିଲେକ୍ସନ୍ ବୋର୍ଡ ସାକ୍ଷାତକାରର ପ୍ରସ୍ତୁତି କରିବା ପାଇଁ ଶାଳିନୀକୁ ପୋଷ୍ଟ ଗ୍ରାଜୁଏସନ୍ ପାଠପଢା ଅଧାରୁ ଛାଡ଼ିବାକୁ ପଡ଼ିଲା। ୨୦୦୧ ଡିସେମ୍ବର, ସେ ଅବିନାଶଙ୍କୁ ହରେଇବାର ୩ ମାସ ପରେ, ସପ୍ତାହବ୍ୟାପୀ ସାକ୍ଷାତକାର ପାଇଁ ଆହ୍ଲାବାଦ ସର୍ଭିସ୍ ସିଲେକ୍ସନ ବୋର୍ଡରୁ ଡାକରା ଆସିଲା। କିନ୍ତୁ ସେ ଧ୍ରୁବକୁ କେମିତି ଏକୁଟିଆ ଛାଡ଼ିବେ? ସେ ଛାଡ଼ି ପାରିଲେ ନାହିଁ। ତେଣୁ ତାଙ୍କ ସାଙ୍ଗରେ ଶାଶୁ ଓ ଶ୍ବଶୁର ବି ଗଲେ। କିନ୍ତୁ ସେମାନଙ୍କୁ ସାକ୍ଷାତକାର କେନ୍ଦ୍ର ଭିତରକୁ ଯିବା ମନା ଥିଲା। ତେଣୁ ତାଙ୍କୁ ବ୍ରେକ୍ ସମୟରେ ପାଖରେ ଥିବା ପାର୍କକୁ ଦଉଡ଼ି ଆସିବାକୁ ପଡୁଥିଲା ଯେଉଁଠାରେ ଧ୍ରୁବ ତା' ଜେଜେ ଓ ଜେଜେ ମା’ ସହିତ ଅପେକ୍ଷା କରିଥାଏ। ଧ୍ରୁବକୁ ସେତେବେଳେ ଖୁଆଇବାକୁ ପଡ଼େ କାରଣ ସେ ଜେଜେ ଓ ଜେଜେମା ହାତରୁ ନ ଖାଇବାକୁ ଜିଦ୍ କରୁଥାଏ। ସିଲେକ୍ସନ ସମୟର ପ୍ରତ୍ୟେକ ଚାଲେଞ୍ଜକୁ ସେ ସାହସର ସହିତ ସାମନା କଲେ। ମାତ୍ର ରାତିରେ ସେ ନିଜକୁ ସମ୍ଭାଳି ପାରୁ ନଥାନ୍ତି। ଧ୍ରୁବକୁ ମନେପକାଇ କାନ୍ଦି ପକାନ୍ତି। ତେବେ ଏ ସବୁ କଷ୍ଟ ବେକାର ହେଲାନି ଯେତେବେଳେ ଫଳ ପ୍ରକାଶ ପାଇଲା। ଶାଳନୀ ସଫଳ ହେଲେ। ସେ ରେଜଲ୍ଟ ମିଳିବା ପରେ ଶାଶୁ ଓ ଶ୍ବଶୁରଙ୍କ ପାଖକୁ ଦଉଡ଼ି ଯାଇଥିଲେ। ବହୁତ ସମୟ ଧରି ସେ, ଶାଶୁ, ଶ୍ବଶୁର ଓ ଧୃବ ପରସ୍ପରକୁ ଜାବୁଡି ଧରି କାନ୍ଦିଥିଲେ। ସେ ଲୁହ ଥିଲା ଆନନ୍ଦର ଲୁହ। ସେତେବେଳେ ସେମାନେ ଅବିନାଶଙ୍କୁ ମନେ ପକାଉଥିଲେ। ସିଲେକ୍ସନ ସମୟର କଷ୍ଟ କେବଳ ଆରମ୍ଭ ମାତ୍ର ଥିଲା। ଶାଳିନୀଙ୍କୁ ଦୂର ଦୂରାନ୍ତ ଅଞ୍ଚଳରେ ପୋଷ୍ଟିଂ ଦିଆଗଲା। ଉଭୟ ମା’ ଓ ପୁଅ ମାସ ମାସ ଧରି ଅଲଗା ରହିବାକୁ ଅଭ୍ୟାସ କରିନେଲେ। ମାର୍ଚ୍ଚ ୨୦୦୨ରେ ଚେନ୍ନାଇସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀରେ ଶାଳିନୀ କୃତିତ୍ବର ସହିତ ୬ ମାସର ତାଲିମ ଶେଷ କଲେ। ଶାଢୀ ଓ ସ୍ୟୁଟ୍ ଛାଡ଼ି ଆର୍ମି ୟୁନିଫର୍ମ ଓ ବୁଟ୍ ପିନ୍ଧିବା ସହଜ ନଥିଲା। ତାଲିମ ବହୁତ କଷ୍ଟକର ଥିଲା। କିନ୍ତୁ ଗତ କିଛିମାସ ଧରି ସେ ଯେଉଁ ମାନସିକ ଯନ୍ତ୍ରଣା ପାଇଥିଲେ ତାହା ମନେପକାଇ ସେ ଶାରୀରିକ ଯନ୍ତ୍ରଣା ଭୁଲୁଥିଲେ। ପରିବାର ଓ ଅବିନାଶଙ୍କ ପାଇଁ ଜୀବନର ଯୁଦ୍ଧ ଲଢିବାକୁ ସେ ନିଜକୁ ପ୍ରସ୍ତୁତ କରୁଥିଲେ। ୨୦୦୨ ସେପ୍ଟେମ୍ବର ୭ ତାରିଖ। ମେଜର ଅବିନାଶଙ୍କର ପ୍ରଥମ ମୃତ୍ୟୁ ବାର୍ଷିକୀ ଆଉ ତିନି ସପ୍ତାହ ବାକି ଥାଏ। ସେହିଦିନ ଶାଳିନୀ ଭାରତୀୟ ସେନାରେ କମିଶନଡ୍ ଅଫିସର ହେଲେ। ଯେତେବେଳେ ତାଙ୍କର ଗ୍ରାଜୁଏସନ୍ ପ୍ୟାରେଡ୍ ହେଉଥିଲା ସେତେବେଳେ ଅନ୍ୟମାନେ ସବୁଜ ୟୁନିଫର୍ମରେ ଥିବା ଶାଳିନୀଙ୍କୁ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଦେଖୁଥିଲେ। ତିନିବର୍ଷର ଧ୍ରୁବ ସେଦିନ ବାରମ୍ବାର ୟୁନିଫର୍ମର କାନ୍ଧ ଫିତାକୁ ଭିଡୁଥିଲା। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କାଲାମଙ୍କ ହାତରୁ ସ୍ବାମୀଙ୍କ କୀର୍ତ୍ତିଚକ୍ର ଗ୍ରହଣ କରିବାକୁ ସେ ଯେଉଁଦିନ ସଭାମଞ୍ଚକୁ ଚାଲି ଚାଲି ଯାଇଥିଲେ ସେ ଦିନଟି ତାଙ୍କ ଜୀବନର ସବୁଠାରୁ ଗର୍ବର ଦିନ ଥିଲା ବୋଲି ଶାଳିନୀ କୁହନ୍ତି। କ୍ୟାପଟେନ୍ ଶାଳିନୀ ୫ ବର୍ଷ ଧରି ଉତ୍ସର୍ଗୀକୄତ ଭାବେ ସୈନ୍ୟବାହିନୀରେ ରହି ଦେଶର ସେବା କଲେ। ଜଣେ ଏକାକୀ ଜନନୀ ଭାବେ ପୁରୁଷପ୍ରଧାନ ସେପରି ପରିବେଶରେ କାମ କରିଥିବା ସେ ପ୍ରଥମ ମହିଳା ଥିଲେ। କିନ୍ତୁ ଆପଣ ଯଦି ଭାବୁଥିବେ ତାଙ୍କ କାହାଣୀର ଏହିଠାରେ ଅନ୍ତ ହେଲା ତାହେଲେ ଆପଣ ଭୁଲ ଭାବୁଛନ୍ତି। ନିଜ ପୁଅର ଯତ୍ନ ନେବାପାଇଁ ସେ ସୈନ୍ୟବାହିନୀ ଛାଡ଼ିବା ପରେ ଦିଲ୍ଲୀରେ ରହିଲେ। ସେଠାରେ ସେ ଏମ୍‌ବିଏ କୋର୍ସ ସମାପ୍ତ କରି ଗୋଟିଏ ବହୁରାଷ୍ଟ୍ରୀୟ କମ୍ପାନୀରେ ଉଚ୍ଚ ପଦସ୍ଥ ଅଫିସର ଭାବରେ ଚାକିରି କଲେ। ୨୦୦୮ ମସିହାରେ ସେ ପୁଣି ଥରେ ବିବାହ କଲେ। ସେ ଲୋକଟିର ଆଗରୁ ତା’ର ପ୍ରଥମ ସ୍ତ୍ରୀ ସହିତ ବିବାହ ବିଚ୍ଛେଦ ଘଟିସାରିଥିଲା। ସେ ପ୍ରତିଶୃତି ଦେଇଥିଲା ଯେ ଶାଳିନୀକୁ ଖୁସି ରଖିବା ପାଇଁ ଧ୍ରୁବର ଭବିଷ୍ୟତ ସୁନିଶ୍ଚିତ କରିବ। କିନ୍ତୁ ହାୟ! କିଛି ଦିନ ପରେ କ୍ରୁର ବାସ୍ତବତା ପ୍ରକାଶ ପାଇଲା। ୨୦୦୯ ରେ ଶାଳିନୀ ବିକାନେରରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେଲେ। ସେଥିପାଇଁ ସେ ଏକ ବର୍ଷ ଧରି ଶଯ୍ୟାଶାୟୀ ହେଲ। ତାଙ୍କ ଶରୀରର ୧୭ଟି ଜାଗାରେ ହାଡ଼ ଭାଙ୍ଗି ଯାଇଥିଲା। ତାଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିଲା ଓ ଡାହାଣ ଗୋଡ଼ ବି ପୂରାପୂରି କ୍ଷତିଗ୍ରସ୍ତ ହୋଇଯାଇଥିଲା। ସେ ଯେ ପୁଣିଥରେ ଚାଲି ପାରିବେ ସେ ନେଇ ଡାକ୍ତରମାନେ ଆଶଙ୍କା ପ୍ରକାଶ କରିଥିଲେ। କିନ୍ତୁ ଶାଳିନୀ ଏତେ ସହଜରେ ହାର ମାନିବା ଝିଅ ନଥିଲେ। ତାଙ୍କୁ ଠିକ୍ ହେବାକୁ ଏକ ବର୍ଷ ଲାଗିଥିଲା। ଆଜି ସେ ମାରାଥନରେ ଭାଗନେଉଛନ୍ତି ଓ ଦିନେ ଛାଡ଼ି ଦିନେ ୧୦ କିଲୋମିଟର ଦୌଡୁଛନ୍ତି। ସେହି ସମୟରେ ଶାଳିନୀ ଅନୁଭବ କଲେ ଯେ ତାଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। ଯେଉଁ ଲୋକ ଦିନେ ପୁଅର ଭବିଷ୍ୟତ ସୁନିଶ୍ଚିତ କରିବାକୁ ପ୍ରତିଶୄତି ଦେଇଥିଲା ଆଜି ସେ ଚାହୁଁନାହିଁ ଯେ ପୁଅ ଶାଳିନୀ ସହିତ ରହୁ। ବିବାହ ପରେ ଧ୍ରୁବକୁ କେବେ ବି ଶାଳିନୀ ସହିତ ରହିବାକୁ ଦିଆଗଲା ନାହିଁ। ସେ ତା'ର ଜେଜେ ଓ ଜେଜେ ମା’ ସାଙ୍ଗରେ ରହିଲା। ନୂଆ ଶାଶୁଘରର ସଦସ୍ୟମାନେ କହିଲେ ଯେ ଧ୍ରୁବ ତା'ର ଜେଜେ ପାଖରେ ରହୁ ନଚେତ ଶାଳିନୀ ତାକୁ ଅନାଥାଶ୍ରମରେ ଛାଡିଆସୁ। ଯେତେବେଳେ ଶାଳିନୀର ବାପା ଅସୁସ୍ଥ ହୋଇ ଚିକିତ୍ସା ପାଇଁ କିଛି ଟଙ୍କା ସାହାଯ୍ୟ ମାଗିଲେ ସେତେବେଳେ ତା’ର ସ୍ବାମୀ, ଯିଏ କି ଶାଳନୀର ଟଙ୍କା ଓ ଆୟକଥା ବି ଦେଖାରଖା କରୁଥିଲେ, ବିଭିନ୍ନ ବାହାନା ଦେଖାଇ ଟଙ୍କା ଦେଲା ନାହିଁ। ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ବଢ଼ିଚାଲିଲା। ସମାଜର ଚାପ ଯୋଗୁଁ ଶାଳନୀ ଏହି ବିଷମୟ ସମ୍ପର୍କକୁ ସମାପ୍ତ କରିବାକୁ ଚାହିଁଲେ ନାହିଁ। ସେ ଏହି ଛଳନାତ୍ମକ ବୈବାହିକ ଜୀବନକୁ ସେପର୍ଯ୍ୟନ୍ତ ସହ୍ୟ କରିଚାଲିଲେ ଯେତେବେଳେ, ଜୁନ୍ ୨୦୧୧ରେ ତିକ୍ତତା ଚରମ ଅବସ୍ଥାରେ ପହଞ୍ଚିଗଲା। ସେଦିନ ଶାଳିନୀର ସ୍ବାମୀ ଗୋଟିଏ କାଚ ବୋତଲରେ ତା'ର ମୁଣ୍ଡକୁ ତିନିଥର ଲଗାତର ଜୋରରେ ଆଘାତ କଲା। ତା' ମୁଣ୍ଡର ବାମ ପାର୍ଶ୍ବରେ କାଚର ଟୁକୁଡା ପଶିଗଲା। ମୁହଁସାରା ରକ୍ତାକ୍ତ ହୋଇଗଲା। ଶାଶୁଘର ଲୋକ ସେତେବେଳେ ଠିଆହୋଇ ଏସବୁ ଦେଖୁଥାନ୍ତି। ତାଙ୍କ ମୁଣ୍ଡରେ ୩୨ଟି ସିଲାଇ ହେଲା। ସେ ବଞ୍ଚିଯିବା ପାଇଁ ସଂଗ୍ରାମ କରିଚାଲିଲେ। କେବଳ ସେତିକି ନୁହେଁ, ବ୍ୟାଙ୍କରେ ଚାକିରୀ କରୁଥିବା ତାଙ୍କ ଭାଈ ଜଣାଇଲା ଯେ ଇତିମଧ୍ୟରେ ତାଙ୍କ ସ୍ବାମୀ ଶାଳିନୀ ଆକାଉଣ୍ଟରୁ ୪୫ ଲକ୍ଷ ଟଙ୍କା ତା’ ମା’ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିସାରିଛି। ଏହା ଜାଣିବା ପରେ ଶାଳିନୀ ଏକ ନିସ୍ତେଜ ଓ ବିଷାଦଗ୍ରସ୍ତ ଅବସ୍ଥାକୁ ଚାଲିଗଲେ। କିନ୍ତୁ ପୂର୍ବରୁ ସେ ଜୀବନରେ ବହୁତ କିଛି ଦେଖି ସାରିଛନ୍ତି ଭାବି ଚୁପ୍ ରହିଲେ। ଆଜି ବି ସ୍ବାମୀ ଓ ତା’ର ପରିବାର ବିରୁଦ୍ଧରେ କୋର୍ଟରେ ମୋକଦ୍ଦମା ଚାଲିଛି। ଶାଳିନୀ ଏଣିକି ସମାଜର ମଙ୍ଗଳ ପାଇଁ ନିଜର ସମସ୍ତ ଶକ୍ତି ଖଟାଇ ସାଧାରଣ ଜୀବନକୁ ଫେରି ଆସିବାରେ ଲାଗିଗଲେ। ଯୁଦ୍ଧ ଯୋଗୁଁ ବିଧବା ହୋଇଥିବା ମହିଳାଙ୍କୁ ସେନା ଚାକିରୀ ପାଇଁ ଆବେଦନ କରିବାରେ ସାହାଯ୍ୟ କରିବାଠାରୁ ଆରମ୍ଭ କରି ସେମାନଙ୍କୁ ଅନ୍ୟ କୌଶଳ ତାଲିମ ଦେବା ପର୍ଯ୍ୟନ୍ତ ସେ ସବୁ କିଛି କଲେ। ଅଭାଗା ପିଲାମାନଙ୍କୁ ସାହାଯ୍ୟ କରିବା କାମରେ ବି ସେ ବହୁବାର ନିଜକୁ ସାମିଲ କଲେ। ଶାଳିନୀ ଜାଣିଥିଲେ ତାଙ୍କୁ ଲଢିବାକୁ ହିଁ ପଡ଼ିବ। ତାଙ୍କ ପ୍ରତି କୁକର୍ମ କରିଥିବା ଲୋକଙ୍କୁ ସେ ଏମିତି କେମିତି ଛାଡି ଦେଇଥାନ୍ତେ ? ଯଦି ସେ ସେମିତି କରିଥାନ୍ତେ ତାହେଲେ ସେ ଯେଉଁ ନିର୍ଯ୍ୟାତିତା ଓ ବିଧବା ମହିଳାଙ୍କୁ ପରାମର୍ଶ ଦେଉଛନ୍ତି ସେମାନଙ୍କ ସହ କିପରି ଆଖି ମିଶାଇଥାନ୍ତେ? ଦର୍ପଣ ଆଗରେ ଠିଆ ହୋଇ ନିଜକୁ କିପରି ଦେଖି ପାରିଥାନ୍ତେ ? ସେମାନଙ୍କ ଘର ଛାଡ଼ି ଶାଳିନୀ ଏକ ଆପାର୍ଟମେଣ୍ଟରେ ଭଡ଼ା ନେଇ ରହିଲେ। କୋର୍ଟରେ କେଶ ଚାଲୁଥିବା ସମୟରେ ତା’ର ଭାଈ ଧ୍ରୁବର ମୁରବୀ ଦାୟିତ୍ବ ନେଲା। ଦେଖୁ ଦେଖୁ ଧ୍ରୁବ ତା’ ମାମୁଁ ସହ ବାଙ୍ଗାଲୁରୁରେ ରହି ଦଶମ ପାଶ୍ କଲା। ଏହାର ଠିକ୍ ପରେ, ୨୦୧୪ରେ ଶାଳନୀ ମଧ୍ୟ ସେମାନଙ୍କ ସାଙ୍ଗରେ ବାଙ୍ଗାଲୁରୁରେ ରହିଲେ। ୧୯ ବର୍ଷ ବୟସ ବେଳକୁ ଧ୍ରୁବ ମୁମ୍ବାଇରେ ବିଟେକ୍‌ ପଢ଼ୁଥିଲା। ଶାଳନୀ ତାଙ୍କ ଦ୍ବିତୀୟ ଜୀବନ ବିଷୟରେ କେବେ କାହା ସହିତ କଥା ହୁଅନ୍ତି ନାହିଁ। ସେ ତାଙ୍କ ଦ୍ବିତୀୟ ପତିଙ୍କୁ ତାଙ୍କ ଜୀବନର କିମ୍ବା ପରିବାରର ଏକ ଅଂଶ ବୋଲି ଭାବନ୍ତି ନାହିଁ। ସେ ତାଙ୍କର ସମସ୍ତ ଜୀବନକୁ ମେଜର ଅବିନାଶ ସିଂହ ବାହାଦୁରିଆଙ୍କ ପ୍ରତି ଉତ୍ସର୍ଗ କରିଛନ୍ତି। ତାଙ୍କ ନାମ ନିଜ ନାଁ ସହ ଯୋଡି ହୋଇଥିବାରୁ ସେ ଗର୍ବ ଅନୁଭବ କରନ୍ତି। ୨୦୧୭ ମସିହାରେ ଶାଳିନୀ ‘କ୍ଲାସିକ୍‌ ମିସେସ୍‌ ଇଣ୍ଡିଆ କୁଇନ୍‌ ଅଫ୍‌ ସବ୍‌ଷ୍ଟାନ୍ସ’ ମୁକୁଟ ପିନ୍ଧିଥିଲେ। କେବଳ ଲୌହମନା ମହିଳାଙ୍କୁ ଏହି ମୁକୁଟ ମିଳେ। ଲସ୍‌ ଭେଗାସ୍‌ଠାରେ ଅନୁଷ୍ଠିତ ଏକ ପ୍ରତିଯୋଗିତାର ଏକାକୀ ଜନନୀ ବିଭାଗ ପାଇଁ ଭାରତରୁ ଏକମାତ୍ର ପ୍ରତିଯୋଗୀ ଭାବେ ଭାଗନେଇ ସେଠାରେ ସେ ମିସ୍‌ ଇଣ୍ଡିଆ ଆର୍ଥ ୱାରିଅର୍‌ ମୁକୁଟ ଜିତିଥିଲେ। କ୍ୟାପଟେନ୍‌ ଶାଳିନୀ ସିଂ ଧ୍ରୁବ ବିଷୟରେ କୁହନ୍ତି, ‘ସେ ତ ମୋ ପୁଅ। ସେ ତା ବାପା ମରିବା ଦେଖିଛି। ମୁଁ କେଉଁ ପରିସ୍ଥିତି ମଧ୍ୟ ଦେଇ ଗତି କରିଛି ତାହା ସେ ଦେଖିଛି, ମୋ ଜୀବନର ସବୁଠାରୁ କଷ୍ଟକର ସମୟ ସେ ଦେଖିଛି। ଝଗଡ଼ା ସମୟରେ ମୁଁ କାନ୍ଦିବା, ପାରିବାରିକ ହିଂସାରେ ମୋ ମୁହଁ ଫୁଲିଯିବା, ସବୁକିଛି ଦେଖିଛି। ଏସବୁ ଦେଖି ଦେଖି ସେ ପରିପକ୍ବ ହୋଇଯାଇଛି। ଦୀର୍ଘ ଦିନ ଅଲଗା ରହିବା ସତ୍ତ୍ବେ ଆମର ସମ୍ପର୍କ ଆହୁରି ଦୄଢ଼ ହୋଇଛି। ମୁଁ ତାକୁ କୁହେ ଯେ ତୋତେ ଭଲ ଚାକିରୀ ନ ମିଳିଲେ ନାହିଁ, ତୁ କିନ୍ତୁ ସବୁଦିନ ମହିଳାଙ୍କୁ ସମ୍ମାନ ଦେବୁ, ସେ ଯେ କୌଣସି ପୃଷ୍ଟଭୂମିରୁ ଆସିଥାଉ ପଛେ। ସେ ଜଣେ ସମ୍ବେଦନଶୀଳ ଓ ପରିପକ୍ବ ଭଦ୍ରଲୋକ ଭାବେ ବଢ଼ିଥିବାର ଦେଖି ମୋତେ ବହୁତ ଖୁସି ଲାଗୁଛି। ତା' ପାଇଁ ଆମେ ସମସ୍ତେ ଗର୍ବିତ।’ ତେବେ ଏତିକିରେ କ୍ୟାପଟେନ ଶାଳିନୀଙ୍କ ଜୀବନରେ ରୋମାଞ୍ଚର ଅନ୍ତ ଘଟି ନାହିଁ। ବହୁ ଦିନରୁ ସେ ଦେଶର ପରିସ୍ଥିତି ଓ ରାଜନୈତିକ ଗତିବିଧି ଉପରେ ଦୄଷ୍ଟି ରଖିଥିଲେ। କେଇ ଦିନ ତଳେ ଆମ୍‌ ଆଦମୀ ପାର୍ଟି ବା ଆପ୍‌ର ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ତାଙ୍କୁ ଟୋପି ପିନ୍ଧାଇ ପାର୍ଟିରେ ସାମିଲ୍ କରିଛନ୍ତି। ପାର୍ଟିରେ ଯୋଗ ଦେଇ ଶାଳିନୀ କହିଛନ୍ତି, ମୁଁ ଏମିତି ଏକ ପୃଷ୍ଠଭୂମିରୁ ଆସିଛି ଯେଉଁଠାରେ ଦେଶର ସ୍ବାର୍ଥକୁ ବ୍ୟକ୍ତିଗତ ସ୍ବାର୍ଥର ଉର୍ଦ୍ଧ୍ବରେ ରଖାଯାଏ। ମୁଁ ଆମ୍ ଆଦମୀ ପାର୍ଟିର ସଂଘର୍ଷ ଦେଖିଛି ଏବଂ ଦେଶ ପ୍ରତି ସେମାନଙ୍କର କର୍ମଠତାକୁ ଦେଖି ପାର୍ଟିରେ ଯୋଗଦେଇଛି। ଗତ ୪ ବର୍ଷରେ ଆପ୍ ସରକାର ଦିଲ୍ଲୀର ଯେପରି କାୟା ପରିବର୍ତ୍ତନ କରିଛନ୍ତି ସେଥିରେ ବିମୋହିତ ହୋଇ ମୁଁ ଆପ୍‌ରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ଅନ୍ୟ ଦଳଗୁଡ଼ିକ ପାଇଁ ରାଜନୈତିକ ଧାରଣା ନଥିବା ସିନେମା ହିରୋଇନ୍‌ମାନଙ୍କର ଧାଡି ଲାଗିଥିବା ବେଳେ ସାହସୀ ଓ ସଂଘର୍ଷପ୍ରିୟ ପ୍ରକୄତ ହିରୋଇନ୍‌ମାନଙ୍କ ପାଇଁ ଆପ୍‌ ସବୁବେଳେ ପ୍ରଥମ ପସନ୍ଦ। ସେ ସୋନି ସୋରି ହୁଅନ୍ତୁ ଅବା କ୍ୟାପଟେନ୍ ଶାଳିନୀ ସିଂ।

Share :