ବରଫ ପାଲଟିଗଲା ଶୀତଳ ଭଣ୍ଡାର ପ୍ରତିଶ୍ରୁତି!

ବରଫ ପାଲଟିଗଲା ଶୀତଳ ଭଣ୍ଡାର ପ୍ରତିଶ୍ରୁତି!

Share :

ବିଶ୍ୱଜିତ ମଲ୍ଲିକ କୃଷି କୃଷକର ମେରୁଦଣ୍ଡ, ଏହା କେଉଁ ଆଦି ଅନନ୍ତ କାଳରୁ ରହିଆସିଛି। କୃଷିର ଉନ୍ନତି ପାଇଁ ଯୋଜନା ମାଳମାଳ ହୋଇ ଆସୁଛି। କୃଷି ଏବଂ କୃଷକର ଉନ୍ନତି ପାଇଁ ବୈଜ୍ଞାନିକଙ୍କଠାରୁ ଆରମ୍ଭ କରି ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଶତ ପ୍ରଚେଷ୍ଟା କରୁଛନ୍ତି। କୃଷି କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ଆସିଛି। ଗତ କିଛି ବର୍ଷ ମଧ୍ୟରେ କୃଷି ଉତ୍ପାଦନରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି। ବିଶେଷକରି ଧାନ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ୩ ଥର କୃଷି କର୍ମଣ ପୁରଷ୍କାର ପାଇଛନ୍ତି। ତଥାପି ଏହି ରାଜ୍ୟରେ ନଗଡ଼ା ଭଳି ଅନେକ ଗାଁ ମଧ୍ୟ ଅଛନ୍ତି ଯେଉଁଠି ଲୋକେ ଖାଦ୍ୟାଭାବରୁ ମୃତ୍ୟୁବରଣ କରୁଛନ୍ତି। ଆଜି ମଧ୍ୟ ରାଜ୍ୟର ୧୦ ପ୍ରତିଶତ ଲୋକ ଖାଦ୍ୟାଭାବ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟରେ ଖାଦ୍ୟଶସ୍ୟର ଉତ୍ପାଦନ ତ ସମସ୍ତଙ୍କୁ ଦେଖା ଯାଉଛି, ହେଲେ ସେ ସବୁର ଉପଯୁକ୍ତ ଯତ୍ନ ନେବା ପାଇଁ କାହା ପାଖେ ଯେମିତି ସମୟ ନାହିଁ। ଓଡ଼ିଶାରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷମତା କମ୍ ନୁହେଁ। କିନ୍ତୁ ତା’ର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣରେ ଅବହେଳା ହିଁ ଏସବୁ ନଷ୍ଟହେବାର ମୁଖ୍ୟ କାରଣ। ଖାଲି ଏତିକି ନୁହେଁ ଓଡ଼ିଶାର କୃଷି ଏବଂ କୃଷିଜାତ ଦ୍ରବ୍ୟ ପ୍ରତି ଅବହେଳାର ନଗ୍ନ ଦୃଶ୍ୟ ମଧ୍ୟ ହୃଦୟ ବିଦାରକ। ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥା ଉଦ୍ୟମରେ ରାଜ୍ୟରେ ନିର୍ମିତ ହୋଇଛି କେତେକ ଶୀତଳ ଭଣ୍ଡାର। ୨୦୧୪-୧୫ ବର୍ଷ ସୁଦ୍ଧା ଓଡ଼ିଶାର ୨୯ ଜିଲ୍ଲାରେ ୩୮ ଟି ଶୀତଳଭଣ୍ଡାର ନିର୍ମାଣ କରାଯାଇଥିଲା। ଆଳୁ ଭଣ୍ଡାରଣ ପାଇଁ ୨୦୧୫ ମସିହାରେ ନୂତନ ୪୪ଟି ଶୀତଳଭଣ୍ଡାର ନର୍ମାଣ କରାଯାଇଥିଲା। ପ୍ରତି ଶୀତଳଭଣ୍ଡାରର କ୍ଷମତା ୫୦୦୦ ମେଟ୍ରିକ ଟନ୍ ରଖାଯାଇଥିଲା। ବିଡ଼ମ୍ୱନାର ବିଷୟ ଯେ ଶୀତଳଭଣ୍ଡାର ଉପଯୋଗ ଏବେ ଶିଥିଳ ପଡ଼ିଯାଇଛି। କେଉଁ ଶୀତଳଭଣ୍ଡାର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ମୃତ୍ୟୁ ଅପେକ୍ଷାରେ ତ ଆଉ କିଏ ନିଜ ମୃତ୍ୟୁକୁ ଆପଣେଇ ସାରିଲେଣି। ଶସ୍ୟ ସଂରକ୍ଷଣ ପାଇଁ ନିର୍ମିତ ଶୀତଳଭଣ୍ଡାର ଆଜି ରୁଗ୍ଣ ଏବଂ ଭଗ୍ନପ୍ରାୟ। ଆଳୁ ମିଶନ ପାଇଁ ନିର୍ମିତ ୪୪ ଶୀତଳଭଣ୍ଡାର ମଧ୍ୟରୁ ୨୪ଟି ଏବେ କାର୍ଯ୍ୟ କରୁନାହାନ୍ତି। ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଆଳୁ ଉତ୍ପାଦନ ହୋଇନପାରିବାରୁ ଶୀତଳଭଣ୍ଡାର ସବୁ ଅଚଳାବସ୍ଥାରେ ପଡିରହିଛନ୍ତି। ବାର୍ଷିକ ୧୦୦ ମେଟ୍ରିକ ଟନ୍ ଆଳୁ ସଂରକ୍ଷଣ ହୋଇପାରୁନଥିବାରୁ ମାଲିକମାନେ ଶୀତଳ ଭଣ୍ଡାରରେ ତାଲା ଝୁଲେଇଲେଣି। ସେପଟେ ଖାଦ୍ୟଶସ୍ୟର ସଂରକ୍ଷଣ ଓ ଶୀତଳଭଣ୍ଡାରର ସୁରକ୍ଷା ନେଇ ସରକାରଙ୍କ କୃଷି ବିଭାଗ ଉଦ୍ୟାନ ବିଭାଗକୁ ଦୋଷ ଲଦୁଥିବାବେଳେ, ଉଦ୍ୟାନ ବିଭାଗ କୃଷି ଉତ୍ପାଦନକୁ ଦୋଷ ଦେଉଛନ୍ତି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ବାର୍ଷିକ କୃଷି ଉତ୍ପାଦନର ଶତକଡା ୫୦ ଭାଗ ଉପଯୁକ୍ତ ସଂରକ୍ଷଣ ଅଭାବରୁ ନଷ୍ଟ ହେଉଛି। ଓଡିଶାର ଉତ୍ତରରୁ ଦକ୍ଷିଣ ପୂର୍ବରୁ ପଶ୍ଚିମ ସମାନ ଅବସ୍ଥା। ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀଟିଏ କରିଥିବା ଚାଷର ଉପଯୁକ୍ତ ମୂଲ୍ୟ ନ ପାଇ ଆତ୍ମହତ୍ୟାର ରାସ୍ତା ଆପଣାଉଛି। ପନିପରିବା ଚାଷ ସମୟରେ ଶାଗ ମାଛ ଦରରେ ବିକ୍ରି କରୁଥିବା ହେତୁ ଚାଷୀ ମୂଳଧନ ମଧ୍ୟ ପାଉନାହାନ୍ତି। ଚାଷ ସମୟରେ ଲୋକେ ମାଗଣା ନେବାକୁ ଅରାଜି ଥିବାବେଳେ ବର୍ଷର ଅନ୍ୟ ସମୟରେ ଆକାଶଛୁଆଁ ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଦକ୍ଷିଣ ଓଡିଶାର ମୁଖ୍ୟ ବଜାର କୁହାଯାଉଥିବା କୋରାପୁଟ ଜିଲ୍ଲାର କୁନ୍ଦୁଲି ବଜାରର ଅବସ୍ଥା ଶୋଚନୀୟ। ଆଦିବାସୀ ଅଧୁଷିତ ଅଂଚଳର ଚାଷୀମାନେ ପ୍ରଚୁର ପରିମାଣରେ ଜଙ୍ଗଲ ଜାତ ଦ୍ରବ୍ୟ ସହ ପନିପରିବା ଚାଷ କରିଥାନ୍ତି। କିନ୍ତୁ ଠିକ୍ ସମୟରେ ବଜାର ମୂଲ୍ୟ ହ୍ରାସ ପାଉଥିବା ହେତୁ ସେମାନେ ଉପଯୁକ୍ତ ମୂଲ୍ୟ ପାଇପାରୁନାହାନ୍ତି। ସରକାରଙ୍କ ପ୍ରଚେଷ୍ଟାରେ ୨୦୦୪ ମସିହାରେ ନିର୍ମାଣ ହୋଇଥିବା ଶୀତଳଭଣ୍ଡାର କାର୍ଯ୍ୟକାରୀ ହେବାର ମାତ୍ର ୪ ଦିନ ମଧ୍ୟରେ ବନ୍ଦ ହୋଇଯାଇଥିଲା। ଲୋକମାନଙ୍କ ସଚେତନତା ଏବଂ ସରକାରଙ୍କ ପ୍ରୟାସ ଅଭାବରୁ ଏହା ଏବେ ସମ୍ପୂର୍ଣ୍ଣ ଅଚଳ। ଏଠାରୁ ପନିପରିବା ଭୁବନେଶ୍ୱର ଓ ବିଶାଖାପାଟଣା ଭଳି ବଡ଼ ବଡ଼ ସହରକୁ ଆସୁଥିବାବେଳେ ମଧ୍ୟସ୍ଥିମାନେ ପ୍ରଚୁର ଲାଭ ଉଠାଉଛନ୍ତି। ଗତ କିଛିଦିନ ତଳେ ପଶ୍ଚିମ ଓଡିଶାରେ ମଧ୍ୟ ସମାନ ଅବସ୍ଥା ଦେଖାଯାଇଥିଲା। ସମ୍ୱଲପୁରର ଚାଷୀମାନେ ପ୍ରାୟ ୩ ଲକ୍ଷ ମେଟ୍ରିକ୍ ଟନ୍ ଟମାଟୋ ଚାଷ କରିଥିଲେ। କିନ୍ତୁ କେଜି ପ୍ରତି ୧-୨ ଟଙ୍କାରେ ବିକ୍ରି ହେବାରୁ ଚାଷୀମାନେ ବାଧ୍ୟହୋଇ ବ୍ଲକ ଅଫିସ୍ ସାମନାରେ ଟମାଟୋ ଢାଳି ପ୍ରତିବାଦ କରିଥିଲେ। ଶୀତଳଭଣ୍ଡାରର ଅଭାବ ହେତୁ ପ୍ରାୟ ୨ ଲକ୍ଷ ମେଟ୍ରିକ୍ ଟନ୍ ଟମାଟୋ ନଷ୍ଟ ହୋଇଥିଲା। ସେହିପରି କେନ୍ଦୁଝର ଜିଲ୍ଲାର ଢେଙ୍କିକୋଟରେ ନିର୍ମାଣ ହେବାକୁ ଥିବା ଶୀତଳଭଣ୍ଡାରର ଏବେ ନିର୍ମାଣ ଅପେକ୍ଷାରେ ରହିଯାଇଛି। ଚାଷୀମାନେ ପ୍ରତିବର୍ଷ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବାବେଳେ ସରକାରଙ୍କ ପାଖରେ ଏହାର ଖବର ନାହିଁ। ଏଠି ମଧ୍ୟ ପନିପରିବା ବିକ୍ରିର ସମାନ ଅବସ୍ଥା, କେଉଁଠି ପରିବା ଫିଙ୍ଗା ହେଉଛି ତ ଆଉ କେଉଁଠି ଗାଈଗୋରୁ ଖାଉଛନ୍ତି। ହେଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ। ମୋଟ ଉପରେ କହିବାକୁ ଗଲେ ପନିପରିବାର ଅଭାବୀ ବିକ୍ରି ଓଡ଼ିଶାରେ ସ୍ଥାୟୀ ହୋଇଯାଇଛି। ପ୍ରତିବର୍ଷ ଓଡିଶାରେ ସମାନ ପରିସ୍ଥିତି ଦେଖାଯାଉଛି। ଅଭାବୀ ବିକ୍ରିର ତାତି କ୍ଷୁଦ୍ର ବଜାର ଠାରୁ ନେଇ ବିଧାନସଭା ପର୍ଯ୍ୟନ୍ତ ପହଂଚୁଛି। କିନ୍ତୁ ଏ ନିଦା ବିଷ୍ଣୁ୍ ସରକାରଙ୍କ ମିଥ୍ୟା ପ୍ରତିଶୃତି ଏବଂ ଶୀତଳ ଭଣ୍ଡାରର ଯୋଜନା କେବଳ ଯୋଜନାରେ ହିଁ ରହିଯାଉଛି। ଉଭୟ ସରକାରଙ୍କ ପ୍ରଚେଷ୍ଟା ଏବଂ ଜନସାଧାରଣଙ୍କ ସଚେତନତାର ମିଶ୍ରଣରେ ଶୀତଳଭଣ୍ଡାର ମାନଙ୍କର ନିର୍ମାଣ, ରକ୍ଷଣାବେକ୍ଷଣ କରାଯାଇପାରନ୍ତା। କୋତାଙ୍ଗ, କୋଣାର୍କ, ପୁରୀ ମୋ-୮୯୮୪୪୨୬୦୫୮

Share :