ଆନୁଗତ୍ୟେ ପୀଡିତ ଅନୁଗତ

ଆନୁଗତ୍ୟେ ପୀଡିତ ଅନୁଗତ

ବିଷ୍ଣୁ ମୋହନ ପାତ୍ର ଆଦର୍ଶଙ୍କ ପ୍ରତି ଅନୁଗତ ରହି ଆନୁଗତ୍ୟ ପ୍ରଦର୍ଶନରେ କୁଣ୍ଠିତ ହେବାର ପ୍ରଶ୍ନ ହିଁ ନାହିଁ! କିନ୍ତୁ ଅନେକ ସମୟରେ ଅଜ୍ଞାନତା ହେତୁ ବା ସ୍ୱାର୍ଥ ସାଧନ ହେତୁ ଅନାଦର୍ଶ ଫାନ୍ଦରେ ଫସି ଯାଆନ୍ତି ଯେ ତହିଁରୁ ମୁକୁଳିବା ମୁସ୍କିଲ! ପରିସ୍ଥିତିର ମୋହରେ ପଡି ଯା'ସାଥେ ସମ୍ପର୍କ ବା ସମ୍ବନ୍ଧ ଯୋଡି ହେଇଯାଏ ଏବଂ ପରେ ଅନୁଭବକୁ ଆସେ ଯେ ମୁଁ କିଛି ଭୁଲ୍ ନିଷ୍ପତ୍ତି ନେଇଗଲି କି? ସାଧୁ-ବିଜ୍ଞ ଜନେ, ବେଳ ଥାଉଁ ଓହରି ଆସିବାକୁ ଶ୍ରେୟ ମନେ କରନ୍ତି ଓ ଅନୁତପ୍ତ ମଧ୍ୟ ହେଇଥାନ୍ତି! କିନ୍ତୁ ଆଉ ଥୋକେ ଦେହଘଷା ହେଇ ସାରା ଜୀବନ ମୁର୍ଖଙ୍କ ବୁକୁଚା ବୋହି ନିଜକୁ ସରଗର ଐରାବତ ଭାବି ସୌଭାଗ୍ୟ ମଣି ଥାଆନ୍ତି! ବସ୍ତୁତଃ ଏପରି ଆନୁଗତ୍ୟ ରାଜନୀତି କ୍ଷେତ୍ରରେ ବିଶେଷ ପରିଲକ୍ଷିତ ହେଇଥାଏ! ଏଠାରେ ମାନଅଭିମାନ, ସ୍ୱାଭିମାନ, ସ୍ୱାର୍ଥ, ସମ୍ମାନ, ଦିନ, ରାତି, ଖରା, ବର୍ଷା, ପୁନେଇଁ, ଅମାବାସ୍ୟା ସବୁ ଏକାକାର-ସମାନ! ନିଲଠା-ବେଲଜ୍ୟା ପଣଟି ସତେବା ୟାଙ୍କ ସହଜାତ ଆଭୂଷଣ! ବର୍ଷକୁ ବାରଥର ବାର ପ୍ରକାର ଆଦର୍ଶଙ୍କ ଅନୁଗତ ହବାରେ ତିଳେ ହେଁ ଦ୍ଵିଧା ନ ଥାଏ! ଅପରପକ୍ଷେ ସହଜ ସଭ୍ୟ ମଣିଷଟି, ତଥାକଥିତ ଆଦର୍ଶଙ୍କ ଖୋସାମତି-ଅଭାବୀ ଅନୁଗତ ହେଇ ଚିରକାଳ ପୀଡ଼ିତ ହେବାପେକ୍ଷା ନିଜ କୁଡ଼ିଆରେ ଶାଗପଖାଳରେ ସନ୍ତୁଷ୍ଟ ହୋଇ ସତ୍ୟନ୍ୟାୟର ଧ୍ବଜାଧାରଣକୁ ପରମ କର୍ତ୍ତବ୍ୟ ବୋଲି ମାନି ନିଏ! କେବଳ ରାଜନୀତି କ୍ଷେତ୍ରରେ ନୁହେଁ, ସାମାଜିକ ସ୍ତରରେ, ବନ୍ଧୁ ଚୟନ, ମିତ୍ରତା ସ୍ଥାପନ, ସହଯୋଗ ନେବା ଓ ସହଯୋଗ ଦେବା ସମୟରେ ଉଭୟେ ଉଭୟଙ୍କ ବ୍ୟକ୍ତିତ୍ୱ ଓ ମଣିଷ ପଣିଆକୁ ପରଖିନେବା ଉଚିତ୍। ନଚେତ୍ ପଶ୍ଚାତlପ କରିବାକୁ ପଡ଼ିପାରେ। ବୈବାହିକ ସମ୍ପର୍କ ସ୍ଥାପନା କ୍ଷେତ୍ରରେ ବି ଏସବୁ ପ୍ରତି ଧ୍ୟାନ ଦେଲେ ଉତ୍ତମ! ସବୁଠାରୁ ବେଦନାଦାୟକ ବିଷୟଟି ହେଉଛି ରାଜନୈତିକ ସମ୍ବନ୍ଧ! ରାଜନୀତି ଠିକ୍, କିନ୍ତୁ କିଛି ନେତାଙ୍କ ପାଇଁ, ମଣିଷର ବ୍ୟକ୍ତିଗତ, ପାରିବାରିକ ଦାମ୍ପତ୍ୟ ଜୀବନ, ସାମାଜିକ ଜୀବନରୁ ଆଜି ବାସ୍ତବ ସୁଖର ସୁଆଦ ହଜିଯାଇଛି! କେବେ ଏକୁଟିଆ, ନିକାଞ୍ଚନେ ବସି ନିଜକୁ ନିଜେ ପ୍ରଶ୍ନ କରିଛେ ଯେ, ଏ ନେତାସବୁ କିଏ ଵୋଲି? ଏମାନେ କ'ଣ ଆମର ଏତେ ରକ୍ତର ଆଉ ଆପଣlର ଯେ, ଏକା ମା'ପେଟର ଭାଇକୁ ଭାଇଠୁଁ, ପୁଅକୁ ବାପଠୁଁ, ପତ୍ନୀକୁ ପତିଠୁଁ, ବନ୍ଧୁକୁ ବନ୍ଧୁଠୁଁ, ସାହିକୁ ସାହିଠୁଁ ,ଗାଁକୁ ଗାଁଠୁଁ ପଲକେ ନିମିଷେ ବିଛିନ୍ନ କରିଦେଉଚି! କେବଳ ମାତ୍ର ଏକ ସୀମିତ ସଙ୍କୁଚିତ ସ୍ୱାର୍ଥକୁ ଚମକେଇବା ପାଇଁ ଏଗୁଡ଼ା ଅମଣିଷ ପଣିଆକୁ ସ୍ୱାର୍ଥାମୃତ ପିଆଇ ଜିଆଁଇଁ ରଖିଛନ୍ତି ଯାହା! ଶେଷ କଥା, ସବୁ ହଉ କିନ୍ତୁ ମଣିଷ ପଣିଆ ଜିଇଁ ରହୁ! ବନ୍ଧତ୍ୱ ଅତୁଟ ରହୁ, ପାରିବାରିକ ସୁଖ ଓ ସାମାଜିକ ସ୍ଥିତି ସୌଖ୍ୟସୁନ୍ଦର ଓ ସୌକର୍ଯ୍ୟରେ ଭରିଯାଉ!

Share :