ମହିଳାଙ୍କ ଉପରେ ଲୋଭିଲା ଆଖି!

ମହିଳାଙ୍କ ଉପରେ ଲୋଭିଲା ଆଖି!

Share :

ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶାର ମହିଳାଙ୍କ ଭୋଟ ଉପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋଭିଲା ଦୃଷ୍ଟି ଲାଗି ରହିଛି। ଗତ ନିର୍ବାଚନରେ ସେ ମହିଳା ଏସଏଚଜିଙ୍କୁ ନଗଦ ଟଙ୍କା ଦେଇ ଖୁସି କରିଥିବାବେଳେ ୨୦୧୯ ନିର୍ବାଚନରେ ଅଧିକ ସଂଖ୍ୟକ ମହିଳା ଭୋଟ ହାତେଇବାକୁ ନାନାଦି ଫିକର କରିଛନ୍ତି। ରାଜ୍ୟର ୩.୧୮ କୋଟି ଭୋଟରଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ହେଲା ୧.୫୪ କୋଟି। ଏହି ଭୋଟ ବ୍ୟାଙ୍କ ଯେଉଁ ପଟକୁ ଢଳିବ ସେ ପଟର ଜିତାପଟ ସହଜ ବୋଲି ବିଶ୍ବାସ କରାଯାଏ। ତେଣୁ ଏହି ଭୋଟକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ବିଜୁ ଜନତା ଦଳ ତରଫରୁ କିଛି ନୂଆ ପ୍ରତିଶ୍ରୁତି ଦିଆଯାଇଛି। ତେବେ ଏସବୁ ପ୍ରତିଶ୍ରୁତି କେତେ ଫମ୍ପା ଓ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ତାହା ସେଗୁଡ଼ିକୁ ଅନୁଶୀଳନ କଲେ ସ୍ପଷ୍ଟ ହୋଇଯାଏ। ନବୀନବାବୁ କହିଛନ୍ତି କେଜିଠାରୁ ପିଜି ଯାଏଁ ମହିଳାମାନଙ୍କୁ ମାଗଣାରେ ଶିକ୍ଷା ଦିଆଯିବ। ସରକାରୀ ଶିକ୍ଷାନୁଷ୍ଠାନରେ ଏହା କିଛି ନୂଆ କଥା ନୁହେଁ। ଓଡ଼ିଶାର ସବୁ ସାଧାରଣ ସରକାରୀ ଶିକ୍ଷାନୁଷ୍ଠାନରେ ମାଗଣାରେ ଶିକ୍ଷା ଉପଲବ୍ଧ ହୋଇଥାଏ। ଓଡ଼ିଆ ମାଧ୍ୟମ ସରକାରୀ ବିଦ୍ୟାଳୟରେ କେଜି ବା କିଣ୍ଡର ଗାର୍ଟେନ ନାହିଁ। ନବୀନବାବୁ ଯଦି ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ କେଜିଠୁଁ ଯୁକ୍ତ ଦୁଇ ଯାଏଁ ମାଗଣା ପଢ଼େଇବାକୁ କହିଥାନ୍ତି ତେବେ ସବୁ ଗାଁ ବା ପଂଚାୟତରେ ଇଂରାଜୀ ସ୍କୁଲ ଖୋଲିବାକୁ ପଡ଼ିବ। ତାହା ହେବ ଓଡ଼ିଆ ଭାଷା ବିରୋଧରେ ସବୁଠୁ ବଡ଼ ଚକ୍ରାନ୍ତ। ମହିଳା ଛାତ୍ରୀଙ୍କୁ ଇଂଜିନିଅରିଂ ଓ ଡାକ୍ତରୀ ଶିକ୍ଷା ସୁବିଧା ମଧ୍ୟ ମାଗଣାରେ ମିଳିବ ବୋଲି ସେ କହିଛନ୍ତି। ତାଙ୍କର ଏହି ଘୋଷଣା କାର୍ଯ୍ୟକାରୀ ହେଲେ କେବଳ ଧନୀ ଘରର ଝିଅମାନେ ଏହି ସୁଯୋଗ ପାଇବେ। କାରଣ ଡାକ୍ତରୀ ଓ ଇଂଜିନିଅରିଂ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଯେଉଁ ପ୍ରକାର ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରରେ ପଢ଼ିବା କଥା ତାହା ଅଳ୍ପ କେଇଟି ସହର ବ୍ୟତିତ ଅନ୍ୟ କେଉଁଠାରେ ନାହିଁ। ତାହା ପୁଣି ଅତ୍ୟଧିକ ବ୍ୟୟସାପେକ୍ଷ। ଜଣେ ସିନା ପ୍ରବେଶିକା ଉତ୍ତୀର୍ଣ୍ଣ ହେଲେ ସରକାରୀ ଡାକ୍ତରୀ ଓ ଇଂଜିନିଅରିଂ କଲେଜରେ ନାମ ଲେଖାଇବ! ନହେଲେ ନବୀନବାବୁ କହିପାରନ୍ତି, ତୁମର ଯୋଗ୍ୟତା ନାହିଁ, ପଢ଼ିବ କେମିତି? ଓଡ଼ିଶା ସରକାରଙ୍କ କୁପରିଚାଳନା ଯୋଗୁଁ ଓଡ଼ିଶାର ଗାଁ ଗହଳ ଓ ଛୋଟ ଛୋଟ ସହରରେ ଥିବା ପ୍ରାୟ ସମସ୍ତ ସରକାରୀ ବିଦ୍ୟାଳୟ ଓ କଲେଜରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଏବେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦ୍ବିତୀୟ ଶ୍ରେଣୀ ଗଣିତ ଆସୁନାହିଁ। ସରକାରୀ ସ୍କୁଲ ଓ କଲେଜରେ ପାଠ ପଢ଼ି ଖୁବ କମ୍‌ ମେଧାବୀ ଝିଅ ଡାକ୍ତରୀ ଓ ଇଂଜିନିଅରିଂ ପ୍ରବେଶିକା ପରୀକ୍ଷାରେ ସଫଳ ହୋଇପାରିବେ। ତେଣୁ ନବୀନବାବୁଙ୍କର ଏ ପ୍ରତିଶ୍ରୁତି ରାଜ୍ୟର ୯୦ ପ୍ରତିଶତ ମହିଳା ଛାତ୍ରଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ନବୀନବାବୁ କହିଛନ୍ତି, ରାଜ୍ୟର ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୫ ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ ଦିଆଯିବ, ସେଥିରୁ ୫୦୦ କୋଟି ଟଙ୍କାର ଲାଭ ଅର୍ଜନ ହେବ। ନବୀନବାବୁଙ୍କ ସରକାର ଅମଳରେ ବଲାଙ୍ଗୀର ସମେତ କେତେକ ଜିଲ୍ଲାରେ ଛତୁଆ ଯୋଗାଇବା ଦାୟିତ୍ବ ଏଭଳି କେତେକ ଏସଏଚଜିଙ୍କୁ ଦିଆଯାଇଥିଲା। ସେସବୁ ଏସଏଚଜି ନାମରେ ବିଜେଡି କର୍ମୀମାନେ ଛତୁଆ ଯୋଗାଇଲେ। ଅନେକ ସ୍ଥାନରେ ଛତୁଆରୁ ପୋକ ବାହାରିଲା। କେତେକ ସ୍ଥାନରେ ନିମ୍ନ ମାନର ଛତୁଆ ଧରିପଡ଼ିଲା। ଏବେ ସେସବୁ ଘଟଣାର ଭିଜିଲାନ୍ସ ତଦନ୍ତ ଚାଲିଛି। ମହିଳା ସଶକ୍ତିକରଣର ନାରା ଦେଉଥିବା ନବୀନବାବୁଙ୍କ ସମୟରେ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ହାର ଢେର ଗୁଣ ବୃଦ୍ଧି ପାଇଛି। ମହିଳା ବିରୋଧୀ ଅପରାଧୀମାନଙ୍କୁ ଦଣ୍ଡ ଦେବା ବଦଳରେ ରାଜ୍ୟ ସରକାର ସୁରକ୍ଷା ପ୍ରଦାନ କରିଛନ୍ତି। କୁନ୍ଦୁଲି ଝିଅ, ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ଓ ପିପିଲିର ବେବିନା ପ୍ରମୁଖଙ୍କ କାହାଣୀ ଏହାର ଜ୍ବଳନ୍ତ ଉଦାହରଣ। ରାଜ୍ୟର ପ୍ରାୟ ସବୁ ଅଂଚଳରେ ମହିଳାମାନେ ରାଜ୍ୟ ସରକାରଙ୍କ ମଦ ପ୍ରସାରଣ ନୀତି ବିରୋଧରେ ଆନ୍ଦୋଳନ କରୁଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ସରକାର ପୁଲିସ ଲଗାଇ ସେମାନଙ୍କୁ ପିଟୁଛନ୍ତି, ମଦ ମାଫିଆମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି। ରାଜ୍ୟ ସରକାରଙ୍କ ମଦ ନୀତି ଯୋଗୁଁ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଅନେକ ସଂସାର ଉଜୁଡ଼ି ଗଲାଣି। ସ୍ବାମୀ ଓ ପୁଅମାନେ ମଦ ପିଇ ମହିଳାମାନଙ୍କ ଉପରେ ଯେଉଁ ଅତ୍ୟାଚାର କରୁଛନ୍ତି ତାହାର ମୁକାବିଲା କରିବାରେ ରାଜ୍ୟ ସରକାର ଏଯାଏଁ ବିଫଳ। ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ଇସ୍ତାହାରରେ ମହିଳାଙ୍କ ପାଇଁ ବରଂ କିଛି ବାସ୍ତବବାଦୀ ପ୍ରତିଶ୍ରୁତି ଦିଆଯାଇଛି। ବିଜେପି କହିଛି ଯେ ସୁଭଦ୍ରା ସମୃଦ୍ଧି ଯୋଜନାରେ ପ୍ରତି ଛାତ୍ରୀଙ୍କୁ ୧୦ମ ଶ୍ରେଣୀରୁ ସ୍ନାତକ ମଧ୍ୟରେ ନିୟମିତ ବ୍ୟବଧାନରେ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ। ଶୈଳବାଳା ଦୁଇ ଚକିଆ ଯାନ ଯୋଜନାରେ ସମସ୍ତ ମେଧାବୀ ଛାତ୍ରୀଙ୍କୁ ଯୁକ୍ତ ଦୁଇ ପରେ ଦୁଇ ଚକିଆ ଯାନ ଯୋଗାଇ ଦିଆଯିବ। ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ଋଣ ଛାଡ଼ କରାଯିବ। ସବୁ ଏସଏଚଜିଙ୍କୁ ସ୍ମାର୍ଟ ଫୋନ ଓ ୨ ଜିବି ଟାଟା ଦିଆଯିବ। ଅଙ୍ଗନବାଡ଼ି କର୍ମୀଙ୍କର ଦରମା ମାସିକ ୧୫ ହଜାର ଓ ସହାୟକଙ୍କ ଦରମା ୯ ହଜାର ଟଙ୍କାକୁ ବୃଦ୍ଧି ହେବ। ସେମାନଙ୍କୁ ଅବସରକାଳୀନ ସୁବିଧା ବାବଦରେ ୧ ଲକ୍ଷ ଟଙ୍କା ଦିଆଯିବ। ସେହିପରି ମହିଳା ବିରୋଧୀ ଅପରଧୀମାନଙ୍କୁ ତୁରନ୍ତ ଦଣ୍ଡ ଦେବା ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯିବ। କଂଗ୍ରେସ ମଧ୍ୟ ମହିଳାଙ୍କ ସୁରକ୍ଷା ପାଇଁ ପ୍ରତି ଗାଁରେ ମହିଳା ସୁରକ୍ଷା ସମିତି ଗଠନ କରିବାକୁ ପ୍ରତିଶ୍ରୁତି ଦେଇଛି। ମହିଳା ବିରୋଧୀ ଅପରାଧର ମୂଳ କାରଣ ମଦ ପ୍ରସାରଣ ନିୟନ୍ତ୍ରଣ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି।

Share :