ବିଜେଡି ଖାଳେଇରେ କଂଗ୍ରେସ ଭୋଟ୍‌!

ବିଜେଡି ଖାଳେଇରେ କଂଗ୍ରେସ ଭୋଟ୍‌!

Share :

ସ୍ବତନ୍ତ୍ର ପ୍ରତିନିଧି ୨୦୧୯ ନିର୍ବାଚନ ପାଇଁ ଓଡ଼ିଶାରେ ମନୋନୟନପତ୍ର ଦାଖଲର ଶେଷ ଦିନ ଦଳରୁ ଇସ୍ତଫା ଦେଲେ ପ୍ରଦେଶ ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନା। ଖାଲି ଇସ୍ତଫା ଦେଲ ନାହିଁ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକଙ୍କର ଗୋହି ବି ଖୋଳିଲେ। ସେ ଦଳର ସ୍ବାର୍ଥ ପାଇଁ ନୁହେଁ ନିଜ ସ୍ବାର୍ଥ ପଇଁ ଟିକଟ ବେପାର କରିଛନ୍ତି ବୋଲି ଅଭିଯୋଗ କଲେ। ଅନେକ ବେପାରୀଙ୍କଠାରୁ ଟଙ୍କା ନେଇ ସେ ଟିକଟ ଦେଇଛନ୍ତି ବୋଲି ସୁମିତ୍ରା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଘଟ କରିଛନ୍ତି। ସୁମିତ୍ରା କହିଛନ୍ତି ଯେ ଏଥର ଅଧିକ ସଂଖ୍ୟକ ମହିଳାଙ୍କୁ ଟିକଟ ଦିଆଯିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ନିଜେ ଘୋଷଣା କରିଥିଲେ। ସେଥିପାଇଁ ମହିଳା କଂଗ୍ରେସ ତରଫରୁ ନାମ ସୁପାରିଶ କରିବାକୁ ତାଙ୍କୁ କୁହାଯାଇଥିଲା। ସେ ଲୋକସଭା ପାଇଁ ୮ ଜଣ ଓ ବିଧାନସଭା ପାଇଁ ୫୨ ଜଣ ମହିଳାଙ୍କ ନାମ ସୁପାରିଶ କରିଥିଲେ। କିନ୍ତୁ ତାଙ୍କ ସୁପାରିଶରୁ ମାତ୍ର ୪ ଜଣଙ୍କୁ ଟିକଟ ଦିଆଯାଇଛି। ମହିଳାଙ୍କ ପ୍ରତି ଏହା ଚରମ ଅନ୍ୟାୟ ବୋଲି ସେ ଅଭିଯୋଗ କରିଛନ୍ତି। ଯେତେବେଳେ ଶାସକ ବିଜୁ ଜନତା ଦଳ ଲୋକସଭା ପାଇଁ ୩୩ ପ୍ରତିଶତ ଟିକଟ ମହିଳାଙ୍କୁ ଦେଇଛି ସେତେବେଳେ କଂଗ୍ରେସର ମହିଳାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ ଦଳର ମହିଳା ବିରୋଧୀ ଆଭିମୁଖ୍ୟକୁ ପଦାରେ ପକେଇଛି ବୋଲି ସେ କହିଛନ୍ତି। କେବଳ ସୁମିତ୍ରା ନୁହନ୍ତି, ଏଥର ପ୍ରଦେଶ କଂଗ୍ରେସ ସଭାପତିଙ୍କ ବିରୋଧରେ ଏହିପରି ଅନାସ୍ଥା ଭାବ ପ୍ରକଟ କରିଛନ୍ତି ପ୍ରାୟ ଅଧ ଡଜନେ ନେତା। ପ୍ରଥମ ଥର ପାଇଁ ଦେଖାଗଲା ଯେ କଂଗ୍ରେସ ଟିକଟ ନେବାକୁ ଅନେକ ରାଜି ନୁହନ୍ତି। ଇତିମଧ୍ୟରେ ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରେଇ ପାର୍ଟିକୁ ଟିକଟ ଫେରେଇ ବିଜେପିରେ ଯୋଗଦେଇଛନ୍ତି। ଦଳ ତାଙ୍କୁ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଥିଲା। ସେ ପୂର୍ବରୁ ସିପିଆଇରୁ ଜଗତସିଂହପୁର ଲୋକସଭା ସଦସ୍ୟ ଥିଲେ। କିନ୍ତୁ ଦଳ ଛାଡ଼ିବାର କାରଣ ସ୍ବରୂପ ସେ କହିଛନ୍ତି ଯେ କଂଗ୍ରେସ ଦଳ ପାରାଦୀପ ବିଧାନସଭା ଆସନ ପାଇଁ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ପ୍ରାର୍ଥୀ କରିଥିବାରୁ ସେ ଇସ୍ତଫା ଦେଲେ। କଂଗ୍ରେସ ମୁଖିଆ ଶାସକ ବିଜୁ ଜନତା ଦଳ ସହିତ ଭିତିରି ବୁଝାମଣା କରି ଅନେକ ସ୍ଥାନରେ ଦୁର୍ବଳ ପ୍ରାର୍ଥୀ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବିଜେଡି ଜିତିଲେ କଂଗ୍ରେସ ନେତାଙ୍କ ପ୍ରତି ସୁନଜର ରଖିବାର ଡିଲ୍‌ ହୋଇଛି। ସେହିପରି ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର କହିଛନ୍ତି ଯେ ଦଳ ତାଙ୍କୁ ବହୁତ ଡେରିରେ ଟିକଟ ଦେଲା। ଏତେ କମ ସମୟରେ ସେ ଲୋକଙ୍କ ସହିତ ସଂପର୍କ କରିପାରିବେ ନାହିଁ। ତେଣୁ ସେ ଟିକଟ ଫେରେଇଦେଲେ। ନିମାପଡ଼ା ପ୍ରାର୍ଥୀ ସତ୍ୟବ୍ରତ ପାତ୍ର ଓ ପିପିଲି ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ ମଧ୍ୟ କଂଗ୍ରେସ ଟିକଟ ଫେରେଇ ଦେଇଛନ୍ତି। ରାଉରକେଲା ପ୍ରାର୍ଥୀ ମୁକ୍ତିକାନ୍ତ ବିଶ୍ବାଳ ମଧ୍ୟ କଂଗ୍ରେସ ଟିକଟରେ ଲଢ଼ିବାକୁ ମନା କରିଦେଇଛନ୍ତି। ଅନ୍ୟମାନଙ୍କ କଥା ଛାଡ଼ନ୍ତୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ତଥା ନିରଂଜନଙ୍କ ସାନ ଭାଇ ତଥା ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ଶଳା ପୃଥିବୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ପ୍ରାର୍ଥୀ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି। ସେ ପ୍ରାର୍ଥୀ ହେବାକୁ ଇଚ୍ଛୁକ କି ନୁହେଁ ସେ ନେଇ କାହାର କିଛି ଆଗ୍ରହ ନଥିଲା। କାରଣ ସେ ପୂର୍ବରୁ କେବେ ବି ରାଜନୀତିରେ ସକ୍ରିୟ ନଥିଲେ। କିଛି ଦିନ ତଳେ ସେ ନିଜ ଆଡ଼ୁ ସାମ୍ବାଦିକଙ୍କୁ ଡାକି ବେଗୁନିଆ ବୋଲଗଡ଼ରୁ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କଲେ। ତାହାର ପ୍ରତିକ୍ରିୟାରେ ପିସିସି ମୁଖିଆ ନିରଂଜନ ପଟ୍ଟନାୟକ କହିଲେ ଯେ ତାଙ୍କର ଆଗ୍ରହ ନାହିଁ ବୋଲି ସେ ନିଜେ ବ୍ୟକ୍ତିଗତ ଭାବେ ତାଙ୍କୁ କହିଥିଲେ। ତେବେ, ଦଳୀୟ ପ୍ରାର୍ଥୀ ତାଲିକାରେ ପୃଥିବୀ ବଲ୍ଲଭଙ୍କ ନାଁ ବାହାରିଲା। ନିରଂଜନ ତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରଦିନ ପୃଥିବୀ ବଲ୍ଲଭ କହିଲେ, ତାଙ୍କର ଲଢ଼ିବାକୁ ଆଗ୍ରହ ନାହିଁ। ପ୍ରଦେଶ କଂଗ୍ରେସ ସଭାପତିଙ୍କ ପରିବାରବାଦକୁ ମଧ୍ୟ ଦଳର ଅନେକ ନେତା ବିରୋଧ କରିଛନ୍ତି। ସଭାପତି ନିଜେ ଘସିପୁରା ଓ ଭଣ୍ଡାରୀପୋଖରୀ ଦୁଇଟି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲାବେଳେ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ବରରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ଅନୁଗତ ଅନନ୍ତ ସେଠୀ ସିମୁଳିଆରୁ ପ୍ରାର୍ଥୀ ହୋଇଥିଲାବେଳେ ତାଙ୍କ ଝିଅ ମଧୁସ୍ମିତା ଭଦ୍ରକ ଲୋକସଭାରୁ ପ୍ରାର୍ଥୀ ହୋଇଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଧାନସଭା ପାଇଁ ଲଢ଼ୁଥିବାବେଳେ ତାଙ୍କ ପୁଅ ସମରେଶ ମିଶ୍ର ବଲାଙ୍ଗୀର ଲୋକସଭା ପାଇଁ ଲଢ଼େଇ କରୁଛନ୍ତି। ଏସବୁ ଘଟଣା ଏବଂ ଆଗରୁ ଘଟିଥିବା ଆଉ କିଛି ଘଟଣା ନେଇ କଂଗ୍ରେସ ଦଳର ସ୍ଥିତି ନେଇ ସନ୍ଦେହ ସୃଷ୍ଟି କରିଛି। କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କର ଗୋଟିଏ ଝିଅ ସୁନୀତା ବିଜେଡିରେ ଯୋଗଦେଇ ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ହୋଇଥିଲାବେଳେ ଆଉ ଗୋଟେ ଝିଅ ସୁନ୍ଦରଗଡ଼ରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ନିର୍ବାଚନ ଘୋଷଣା ପୂର୍ବରୁ ଦଳର କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ନବ ଦାସ ଓ ବିଧାୟକ ଯୋଗେଶ ସିଂହ ବିଜେଡିରେ ଯୋଗଦେଲେ। ଆଉ ଜଣେ ବିଧାୟକ କୃଷ୍ଣ ସଗରିଆ ଦଳ ଛାଡ଼ି ବହୁଜନ ସମାଜ ପାର୍ଟିରେ ଏବଂ ବିଧାୟକ ପ୍ରକାଶ ବେହେରା ବିଜେପିରେ ମିଶିଲେ। ଏହିପରି ଭାବେ କଂଗ୍ରେସର ଅନେକ ଗୁରୁତ୍ବପୂର୍ଣ୍ଣ ନେତା ଦଳ ଛାଡ଼ିବା ସହିତ ଲଢ଼େଇରୁ ଓହରି ଯାଇଛନ୍ତି। ଅନେକ ସ୍ଥାନରେ ଦଳ ତରଫରୁ ଦୁର୍ବଳ ପ୍ରାର୍ଥୀ ଦିଆଯାଇଥିବାର ଅଭିଯୋଗ ହୋଇଛି। ଏପରି ଅଭିଯୋଗ କରିଛନ୍ତି ବିଧାନସଭାରେ ଦଳର ମୁଖ୍ୟ ସଚେତକ ତାରା ବାହିନୀପତି। ଏଭଳି ସ୍ଥିତିରେ ଗୋଟେ ଧାରଣା ସୃଷ୍ଟି ହୋଇଛି ଯେ ବୋଧହୁଏ କଂଗ୍ରେସର ପଟ୍ଟନାୟକ ପରିବାର ଶାସକ ବିଜେଡିର ପଟ୍ଟନାୟକ ପରିବାର ସହିତ ବୁଝାମଣା କରିଛି। ଆଗରୁ କଂଗ୍ରେସ ଛାଡ଼ି ଆମ ଓଡ଼ିଶା ପାର୍ଟି ଗଠନ କରିଥିବା ସୌମ୍ୟରଂଜନ ଏବେ ବିଜେଡିରେ ଅଛନ୍ତି। ସାନ ଭାଇ ସୌମ୍ୟରଂଜନଙ୍କୁ ବଡ଼ଭାଇ ତଥା ପିସିସି ସଭାପତି ନିରଂଜନ ପଟ୍ଟନାୟକ ଖୁବ ଭଲ ପାଆନ୍ତି ବୋଲି ବହୁ ଥର ଗଣମାଧ୍ୟମକୁ କହିଛନ୍ତି। ସୌମ୍ୟ ରାଜ୍ୟସଭା ସଦସ୍ୟ ଥିଲେ ବି ଖଣ୍ଡପଡ଼ା ବିଧାନସଭାକୁ ପ୍ରାର୍ଥୀ ହୋଇଛନ୍ତି। ନିରଂଜନ ବିଧାନସଭାକୁ ଆସିବା ପାଇଁ ଦୁଇ ଦୁଇଟି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ବିଜେଡିର ଅନେକ ପ୍ରାର୍ଥୀ ପୂର୍ବରୁ କଂଗ୍ରେସ ପରିବାର ସହିତ ଥିଲେ। ନବ କିଶୋର ଦାସ, ଯୋଗେଶ ସିଂହ, ଭୂପିନ୍ଦର ସିଂହ, ରୋହିତ ପୂଜାରୀ, ଦୁଷ୍କନ୍ତ ନାୟକ, ବିକ୍ରମ ପଣ୍ଡା ପ୍ରମୁଖ ପ୍ରାୟ ଡଜନେ କଂଗ୍ରେସ ନେତା ଏଥର ବିଜେଡିରୁ ଲଢ଼ୁଛନ୍ତି। ଏଭଳି ପରିସ୍ଥିତିରେ ନିର୍ବାଚନ ଫଳ ଘୋଷଣା ପରେ ରାଜ୍ୟ ରାଜନୀତିର ସମୀକରଣ ପୁଣି ଥରେ ବଦଳିବାର ସମ୍ଭାବନା ରହିଛି। ଯଦି ବିଜେଡି ପୁନର୍ବାର ଏକକ ସଂଖ୍ୟାଗରିଷ୍ଠ ଦଳ ହୁଏ ତ ସରକାର ଗୋଟାପଣେ ନବୀନବାବୁଙ୍କର। ଯଦି ବିଜେଡି ସଂଖ୍ୟାମତରୁ କିଛି କମିଯାଏ ତେବେ କଂଗ୍ରେସ ଦଳ ବାହ୍ୟ ବା ଭିତିରି ସମର୍ଥନ ଯୋଗେଇଦେଇ ପାରେ। ନହେଲେ, ଦୁଇ ଦଳ ମିଶି ସରକାର ଗଠନ କରିବାରେ ବି କିଛି ଅସ୍ବାଭାବିକତା ନାହିଁ। ଏହି ସମ୍ଭାବ୍ୟ ପରିସ୍ଥିତିକୁ ଲକ୍ଷ୍ୟ କରି ଏବେ ବିଜେପି ନେତାମାନେ କହିବା ଆରମ୍ଭ କଲେଣି କଂଗ୍ରେସକୁ ଭୋଟ ଦେଲେ ବିଜେଡି ଖାଳେଇରେ ପଡ଼ିବ। ଓଡ଼ିଶାରେ ଏବେ ଏ ଦୁଇ ଦଳ ଏକ।

Share :