ଭୋଟ୍‌ ନେବେ ନବୀନ, ଶାସନ କରିବେ ଫବିନ!

ଭୋଟ୍‌ ନେବେ ନବୀନ, ଶାସନ କରିବେ ଫବିନ!

Share :

ଦେବେନ୍ଦ୍ର ପୃଷ୍ଟି ୨୦୧୯ ଏପ୍ରିଲ ୬ ତାରିଖ ସନ୍ଧ୍ୟାରେ ବିଜୁ ଜନତା ଦଳ ତରଫରୁ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ବ୍ୟାୟାମ ଭିଡିଓ ଭାଇରାଲ ହେଲା। ଏହା ପରଠୁଁ ଏହି ଭିଡିଓରେ ଥିବା ଦୃଶ୍ୟର ସତ୍ୟତା, ନବୀନବାବୁଙ୍କ ସ୍ବାସ୍ଥ୍ୟ ଓ ପରେ ଦଳ ଓ ରାଜ୍ୟ ପରିଚାଳନାରେ ତାଙ୍କର କର୍ତ୍ତୃତ୍ବକୁ ନେଇ ପ୍ରଶ୍ନ ଉଠିଲା। ଶେଷରେ ଏହି ଭିଡିଓର କିଛି ଅଂଶ ସହିତ ଅନ୍ୟ ଅଂଶ ଯୋଡ଼ି ଏକ ତାଙ୍କର ଏକ ସାକ୍ଷାତକାର ଏନଡିଟିଭିରେ ପ୍ରସାରିତ ହେଲା। ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିବାର ଦେଖାଗଲା, ମୁଁ ସଂପୂର୍ଣ୍ଣ ଫିଟ୍‌ ଅଛି। ମୁଁ ଏବଂ ମୋ ମନ୍ତ୍ରୀମାନେ ହିଁ ସବୁ ନିଷ୍ପତ୍ତି ଗ୍ରହଣ କରନ୍ତି। ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ହେବା ଚକ୍କରରେ ମୋର ସ୍ବାସ୍ଥ୍ୟ ନେଇ ଅପପ୍ରଚାର କରିଛନ୍ତି। ସଂପ୍ରତି ଦେଶ ସହିତ ରାଜ୍ୟର ନିର୍ବାଚନ ଏକା ସମୟରେ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କର ଏହି ଅଭିଯୋଗ ଓ ସ୍ପଷ୍ଟୀକରଣର ଅନୁଶୀଳନ ହେବା ଜରୁରୀ। ଓଡ଼ିଶାବାସୀ ଜାଣିବା ଦରକାର ଯେ ସେମାନେ ଯାହାଙ୍କୁ ଭୋଟ ଦେଉଛନ୍ତି ସେହି ଲୋକ ହିଁ ଶାସନ କରୁଛନ୍ତି। ସେମାନେ ଏହା ମଧ୍ୟ ଜାଣିବା ଦରକାର ଯେ ସେମାନେ ଜଣେ ସୁସ୍ଥ ସବଳ ନେତାଙ୍କୁ ଭୋଟ ଦେଉଛନ୍ତି, ଜଣେ ରୁଗ୍ଣ ଓ ଅସୁସ୍ଥ ଲୋକଙ୍କୁ ନୁହେଁ। ନହେଲେ ଏମିତି ବି ହୋଇପାରେ, ଭୋଟ ପାଇବେ ନବୀନ ଶାସନ କରିବେ ଫବିନ! ଆମେ ପିଲାବେଳେ ସ୍କୁଲ ସାହିତ୍ୟ ପାଠ୍ୟକ୍ରମରେ ପ୍ରଖ୍ୟାତ କଥାକାର, ସାମ୍ବାଦିକ ତଥା ରାଜନେତା ସୁରେନ୍ଦ୍ର ମହାନ୍ତିଙ୍କର ଗୋଟିଏ ଗଳ୍ପ ପଢ଼ୁଥିଲୁ। ଗଳ୍ପଟିର ନାଁ ବୋଧହୁଏ ଅଜାତଶତ୍ରୁ। ସେହି ଗଳ୍ପର ଗୋଟିଏ ସଂଳାପ କିନ୍ତୁ ଏଯାଏଁ ମୋର ମନ ଅଛି। ସଂଳାପଟି ହେଲା, ସତ୍ୟ ନଥିଲେ ଶ୍ରୁତି ନଥାଏ କାଶୀ ରାଜନନ୍ଦିନୀ! ପିଲାବେଳୁ କାହିଁକି କେଜାଣି ଏ ସଂଳାପଟି ଆଜି ଯାଏଁ ମନେ ରହିଛି। ଓଡ଼ିଆରେ ଆଉ ଗୋଟିଏ ରୁଢ଼ି ବି ପାଖାପାଖି ଅର୍ଥ ବହନ କରୁଥିବା ଜାଣିବାକୁ ପାଇଛି। ସେଇଟି ହେଲା, ନିଆଁ ନଥିଲେ ଧୁଆଁ ବାହାରେ ନାହିଁ। ଏ ଦୁଇଟି ବହୁ ପ୍ରଚଳିତ ବାକ୍ୟ ସିଦ୍ଧାନ୍ତ କି ନୁହେଁ ତାହା ଲୋକେ ନିଜ ଅନୁଭବରୁ ଜାଣନ୍ତି। କିନ୍ତୁ ଓଡ଼ିଶାର ସାଂପ୍ରତିକ ରାଜନୀତିରେ ଏହା ସତ କି ମିଛ ତାହା ତର୍ଜମା କରିବାର ସମୟ ନିଶ୍ଚୟ ଆସିଯାଇଛି। ଗତ ପ୍ରାୟ ଏକ ଦଶନ୍ଧି ହେଲାଣି ଓଡ଼ିଶା ରାଜନୀତିରେ ଗୋଟିଏ ପ୍ରଶ୍ନ ଅନେକ ଥର ଉଠିଲାଣି- ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ, ଶାସନ କରୁଛି କିଏ? ଠିକ ସେହିପରି ଗଲା ୭ ବର୍ଷ ହେଲାଣି ଅନ୍ୟ ଏକ ପ୍ରସଙ୍ଗ ମଝିରେ ମଝିରେ ଚର୍ଚ୍ଚାର ବିଷୟ ହୋଇଛି- ନବୀନବାବୁଙ୍କୁ କି ରୋଗ ହୋଇଛି? ଏ ଦୁଇଟି ପ୍ରଶ୍ନ କୌଣସି ସାମ୍ବାଦିକ ଓ ସାଧାରଣ ଲୋକ ଉଠେଇ ନାହାନ୍ତି। ନବୀନବାବୁଙ୍କ ନେତୃତ୍ବରେ ପରିଚାଳିତ ବିଜୁ ଜନତା ଦଳର କେତେକ ବରିଷ୍ଠ ନେତା ହିଁ ମଝିରେ ମଝିରେ ଏକଥା ଉଠେଇ ଏ ବିଷୟ ଉପରେ ଆଲୋଚନାକୁ ଖୋରାକ ଯୋଗାଇଛନ୍ତି। ପ୍ରଥମେ ଦଳ ଓ ସରକାରରେ ନବୀନ ପଟ୍ଟନାୟକଙ୍କ କର୍ତ୍ତୃତ୍ବ ନେଇ ପ୍ରଶ୍ନ ଉଠାଇଥିଲେ ଡାକ୍ତର ଦାମୋଦର ରାଉତ। ତାହା ପ୍ରାୟ ୧୦ ବର୍ଷ ତଳର କଥା। ସେତେବେଳେ ସ୍ବର୍ଗତ ପ୍ୟାରୀ ମୋହନ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମାର୍ଗଦର୍ଶକ ଭୂମିକା ନିର୍ବାହ କରୁଥିଲେ। ଦଳ ଓ ସରକାରର କୌଣସି ପଦପଦବୀରେ ନଥାଇ ମଧ୍ୟ ବସ୍ତୁତଃ ସେ ହିଁ ଥିଲେ ବିଜୁ ଜନତା ଦଳର ସଭାପତି ଓ ମୁଖ୍ୟମନ୍ତ୍ରୀ। ସେ ଯାହା ପରାମର୍ଶ ଦେଉଥିଲେ, ନବୀନ ଠିକ ସେଇଆ କରୁଥିଲେ। ସେଥିପାଇଁ ସେତେବେଳେ କୁହାଯାଉଥିଲା, ଦୁଇଟି ମୋବାଇଲ୍‌ ଫୋନ୍‌ରେ ବିଜେଡି ଓ ଓଡ଼ିଶା ଶାସନ ଚାଲିଛି। ଦାମବାବୁଙ୍କୁ ଦ୍ବିତୀୟ ଥର ପାଇଁ ମନ୍ତ୍ରିମଣ୍ଡଳରୁ ବାଦ ଦେବା ପରେ ସେ ଏ କଥା ଉଠେଇଥିଲେ। ଦାମଙ୍କ କଥା କାଳେ ଅଧିକ ଚର୍ଚ୍ଚାକୁ ଅସିବ ଓ ଲୋକେ ତାଙ୍କୁ ସନ୍ଦେହ କରିବେ ତେଣୁ ନବୀନବାବୁ ଗଣମାଧ୍ୟମ ଜରିଆରେ ସ୍ପଷ୍ଟୀକରଣ ଦେଇଥିଲେ, ନିଷ୍ପତ୍ତି ନେଉଛି ମୁଁ। ଏହାର ଦୁଇ ତିନି ବର୍ଷ ପରେ ୨୦୧୨ ମସିହାରେ ତାଙ୍କର ସ୍ବାସ୍ଥ୍ୟ ନେଇ ବିଜେଡି ସୂତ୍ରରୁ କିଛି କିଛି କଥା ପଦାକୁ ଆସିଲା। କିଏ କହିଲେ ତାଙ୍କୁ ସୋରିଆସିସ୍‌ ଅଫ୍‌ ଲିଭର ହୋଇଛି। କିଏ କହିଲେ ତାଙ୍କ ଛାତି ଓ ପେଟରେ ପାଣି ଜମି ଯାଇଛି। କାହାଠାରୁ ଶୁଣାଗଲା ସେ ସରକାରୀ କାର୍ଯ୍ୟରେ ଦିଲ୍ଲୀ ଯାଇ ସେଠାରେ ଗୁରଗାଓଁର ଗୋଟେ ମେଡିକାଲରେ ଗୁପ୍ତରେ ଚିକିତ୍ସିତ ହେଉଛନ୍ତି। ସେତେବେଳେ ସଭାସମିତିରେ ସେ ବସିଥିବାବେଳେ ସମସ୍ତେ ଦେଖୁଥିଲେ ତାଙ୍କ ମୁଣ୍ଡ ଅସ୍ବାଭାବିକ ଭାବେ ହଲୁଛି। କିଚି ଦିନ ପରେ ମୁଣ୍ଡ ହଲିବା ବନ୍ଦ ହୋଇଗଲା, କିନ୍ତୁ ଦେଖାଗଲା ତାଙ୍କ ହାତ ଥରୁଛି। ତା’ପରେ ପରେ ଦେଖାଗଲା ସେ ଠିକରେ ଚାଲିପାରୁ ନାହାନ୍ତି। ଦୁଇ ଜଣ ସହାୟକଙ୍କ ସହାୟତା ବିନା ସେ ଚାଲିପାରୁ ନାହାନ୍ତି। ୨୦୧୮ ଅଗଷ୍ଟ ୧୫ ତାରିଖ ପତାକା ଉତ୍ତୋଳନ ସଭାରେ ସେ ପଡ଼ିଗଲେ। ତାଙ୍କୁ ତୁରନ୍ତ ମେଡିକାଲ ନିଆଗଲା। ଏମିତି ବି ଅନେକ ସଭାରେ ସେ ୧୫-୨୦ ମିନିଟରୁ ଅଧିକ ସମୟ ବସିବା ଓ କହିବାର କେହି ଦେଖିନାହାନ୍ତି। ବିଧାନସଭାରେ ମଧ୍ୟ ଅଧ ଘଣ୍ଟେ ଉପରେ ବସି ଅନ୍ୟମାନଙ୍କୁ ଶୁଣିବାର ତାଙ୍କୁ କେହି ଦେଖିନାହିଁ। ଏସବୁ ଘଟଣା ସହିତ ବିଜେଡି ନେତା ଓ ଗଣମାଧ୍ୟମରେ ଚାଲିଥିବା ଚର୍ଚ୍ଚା ତାଙ୍କର ସ୍ବାସ୍ଥ୍ୟ ଓ କର୍ତ୍ତୃତ୍ବ ନେଇ ବିଭିନ୍ନ ମହଲରେ ସନ୍ଦେହ ଉଦ୍ରେକ କରାଇଲା। ଏବେ ନିର୍ବାଚନ ସମୟ। ତେଣୁ ଏ ବିଷୟରେ ବିରୋଧୀ ପକ୍ଷରୁ କାଳେ ଅଧିକ ଚର୍ଚ୍ଚା ହେବ, ତାଙ୍କୁ ରୋଗଗ୍ରସ୍ତ ଭାବି ଲୋକେ ଭୋଟ୍‌ ଦେବେ ନାହିଁ, ଏଇ ଆଶଙ୍କା କରି ବୋଧହୁଏ ନବୀନଙ୍କ ବର୍ତ୍ତମାନର ମାର୍ଗଦର୍ଶକମାନେ ଏମିତି ଏକ ଭିଡିଓ ତିଆରି କରି ବଜାରକୁ ଛାଡ଼ିଲେ ଓ ତାଙ୍କର ସାକ୍ଷାତକାର ଏନଡିଟିଭିରେ ବଜେଇଲେ। ଏଥିରେ ସେ କହିଲେ ଯେ ସେ ସଂପୂର୍ଣ୍ଣ ଫିଟ୍‌ ଅଛନ୍ତି। ସରକାରର ସମସ୍ତ ନିଷ୍ପତ୍ତି ସେ ଓ ତାଙ୍କର ମନ୍ତ୍ରୀମାନେ ଗ୍ରହଣ କରିଥାନ୍ତି। ଏହା ସହିତ ଏକଥା ମଧ୍ୟ କହିଛନ୍ତି ଯେ ସେ ଅନର୍ଗଳ ଓଡ଼ିଆ କହିପାରନ୍ତି! ଏଇ କଥାଟି ବୋଧହୁଏ ନବୀନ ପଟ୍ଟନାୟକ ସତ କହିଛନ୍ତି କି ମିଛ, ତାହା ସାବ୍ୟସ୍ତ କରୁଛି। ଓଡ଼ିଶା ଲୋକମାନେ ଏକଥା ଜାଣିଛନ୍ତି ଯେ ନବୀନ ପଟ୍ଟନାୟକ ରାଜନୀତିକୁ ଆସିବା ଦିନରୁ ୨୦୧୨ ମସିହା ଯାଏଁ ପ୍ୟାରୀ ମୋହନ ମହାପାତ୍ର ତାଙ୍କର ମାର୍ଗ ଦର୍ଶକ ଥିଲେ। ତାଙ୍କର ବିଦ୍ରୋହ ଓ ବହିଷ୍କାର ପରେ ସେ କାମ ତୁଲେଇଲେ ସ୍ବର୍ଗତ କଳ୍ପତରୁ ଦାସ। ଏବେ ସେହି ଦାୟିତ୍ବରେ ତାଙ୍କର ବ୍ୟକ୍ତିଗତ ସଚିବ ଭିକେ କାର୍ତ୍ତିକେୟନ ପାଣ୍ଡିଆନ ଅଛନ୍ତି ବୋଲି ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କଠାରୁ ଆରମ୍ଭ କରି ପୂର୍ବତନ ବିଜେଡି ମନ୍ତ୍ରୀ ଦାମୋଦର ରାଉତ, ପୂର୍ବତନ ବିଜେଡି ନେତା ରମାରଂଜନ ବଳିୟାରସିଂହ, ପୂର୍ବତନ ବିଜେଡି ସାଂସଦ ତଥା ରାଜ୍ୟ ମନ୍ତ୍ରୀ ଜୟରାମ ପାଙ୍ଗିଙ୍କ ସମେତ ଅନେକ ନେତା ଅଭିଯୋଗ କରିଛନ୍ତି। ଟାଟା, ବିର୍ଲା, ବେଦାନ୍ତ, ଜିନ୍ଦଲ ଓ ତ୍ରିବେଣୀ ଗୋଷ୍ଠୀ ସହିତ ହାତ ଗଣନ୍ତା କେତେ ଜଣ ଅଫିସର ମିଶି ଏକ ସିଣ୍ଡିକେଟ କରିଛନ୍ତି ଓ ଏଇ ସିଣ୍ଡିକେଟ୍‌ ହିଁ ବିଜେଡି ଓ ରାଜ୍ୟ ସରକାରଙ୍କ ପରିଚାଳନା ଦାୟିତ୍ବ ବହନ କରିଛି ବୋଲି ଭାରତୀୟ ଜନତା ପାର୍ଟି ତରଫରୁ କେତେ ଥର ଅଭିଯୋଗ ବି ହେଲାଣି। ବିଜେପି ନେତାମାନେ ନିର୍ବାଚନ କମିଶନଙ୍କୁ ଦେଇଥିବା କେତେକ ନାଁ ମଧ୍ୟରେ ଭିକେ ପାଣ୍ଡିଆନ, ପିକେ ମହାପାତ୍ର, ପିକେ ଜେନା, ଆରକେ ଶର୍ମା, ଏଚ. ଶର୍ମା, ଏସ. ମହାପାତ୍ର, ଡିଏସ କୁଟ୍ଟି, ଆରଆର ସାହୁ, ଆର. ମିଶ୍ର ପ୍ରମୁଖଙ୍କ ନାମ ଅନ୍ତର୍ଭୁକ୍ତ।

Share :