ବ୍ରହ୍ମପୁର ସଂସ୍କୃତିର ଅଙ୍ଗ ବୁଢ଼ୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର ସଂସ୍କୃତିର ଅଙ୍ଗ ବୁଢ଼ୀ ଠାକୁରାଣୀ ଯାତ୍ରା

Share :

ହେମାଙ୍ଗ ପ୍ରସାଦ ରାଉଳ ସମଗ୍ର ଓଡ଼ିଶାର ଜୀବନ ସଂସ୍କୃତି ଭିତରେ ଆନ୍ଧ୍ର ସୀମାନ୍ତ ଅଂଚଳ ବ୍ରହ୍ମପୁରର ଐତିହ୍ୟ, କଳା, ସାହିତ୍ୟ, ସଂସ୍କୃତି, ପର୍ବପର୍ବାଣିର ଅନ୍ୟତମ। ମହୁରୀ ରାଜ୍ୟ ରାଜଧାନୀ ରୂପରେ ବ୍ରହ୍ମପୁର ପରିଚିତ ଥିଲା ବେଳେ ତେଲୁଗୁ ଡେରା ସଂପ୍ରଦାୟଙ୍କ ଜୀବନ ଓ ଜୀବିକାର ମାନଦଣ୍ଡ ଭାବରେ ପାଟବସ୍ତ୍ର ଶିଳ୍ପର କ୍ଷେତ୍ର ଥିଲା ରେଶମନଗରୀ ବ୍ରହ୍ମପୁର। ସିଲ୍କ ସିଟି ଭାବରେ ଭାରତ ତଥା ବିଶ୍ୱ ବିଖ୍ୟାତ ସହରର ଐତିହ୍ୟ ମା’ ବୁଢ଼ୀ ଠାକୁରାଣୀଙ୍କ ସହ ଅତି ନିବିଡ଼ ସଂପର୍କର ଡୋରିରେ ବନ୍ଧା ମହୁରୀ ରାଜ ପରିବାରର ଆରାଧ୍ୟ ଦେବୀ ଠାକୁରାଣୀ ବୁଢ଼ୀ ଠାକୁରାଣୀ। ରାଜମହେନ୍ଦ୍ରୀରୁ ପାଟବସ୍ତ୍ର ବୁଣାକାରଙ୍କୁ ଡକାଇ ରାଜ ପରିବାର ଦେବାଙ୍ଗ ସମ୍ପ୍ରଦାୟର ଶିଳ୍ପୀଙ୍କୁ ପ୍ରୋତ୍ସାହନ ଦେବା ସହ ଓଡ଼ିଆ ଓ ତେଲୁଗୁ ଜନଜୀବନରେ ମା’ ଅରାଧ୍ୟା ଦେବୀ ବୁଢ଼ୀ ଠାକୁରାଣୀଙ୍କ ପୂଜାର୍ଚ୍ଚନାର ପରମ୍ପରା ଚିରାଚରିତ ଭାବରେ ପ୍ରଚଳିତ। ବାଣିଜ୍ୟପେଣ୍ଠ ବ୍ରହ୍ମପୁରରେ ଠାକୁରାଣୀ ପର୍ବର ମହନୀୟତା ବିଶ୍ୱ ଦରବାରରେ ଯଥା ସମ୍ଭବ ସଂସ୍କୃତି ବିଭାଗ ପ୍ରସାର କରିବାରେ ବିଫଳ। ରେଶମ ନଗରୀ ବ୍ରହ୍ମପୁରଠାରେ ବିଶେଷ କରି ଡେରା ବୁଣାକାର ସଂପ୍ରଦାୟର ଲୋକମାନେ ମା’ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରିବାର ପରମ୍ପରା ୨୫୦ ବର୍ଷ ଧରି ଅବ୍ୟାହତ ରହିଛି। ଏହି ବର୍ଷ ମାର୍ଚ୍ଚ ୨୯ ତାରିଖରୁ ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଥିବା ବିଷୟ ସୂଚନା ରହିଛି। ଦଣ୍ଡନାଚ, ନିର୍ବାଚନ, ନିଦାଘ ଓ ଯାତ୍ରାରେ ସମ୍ମିଶ୍ରଣରେ ବ୍ରହ୍ମପୁରର ପାରିପାର୍ଶ୍ବିକ ପରିସ୍ଥିତି ଭିନ୍ନ ଧରଣର। ଗଂଜାମର ପ୍ରସିଦ୍ଧ ପର୍ବ ଦଣ୍ଡନାଚ ସହ ବୁଢ଼ୀ ଠାକୁରାଣୀ ଯାତ୍ରା ଏବଂ ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ହେବାବେଳେ ସ୍ଥାନୀୟ ଜନସାଧାରଣ ମା’ଙ୍କୁ ବନ୍ଦନା କରି ଜଗତର ସକଳ କଲ୍ୟାଣ କାମନା କରନ୍ତି। ବୁଢ଼ୀ ଠାକୁରାଣୀ ଯାତ୍ରାର ତୃତୀୟ ଦିବସରେ ମା’ଙ୍କ ଭ୍ରମଣ ସାହି ସାହିକୁ ହେବା ସହ ରାତି ଆସିଲେ ସହର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ। ସାଧାରଣତଃ ବୁଢ଼ୀ ଠାକୁରାଣୀ ପୂଜା ପାଇଁ ମନ୍ଦିରଠାରୁ ଅନତି ଦୂରରେ ଏକ ଅସ୍ଥାୟୀ ମଣ୍ଡପ ରହିଥାଏ। ଯେଉଁଠି ମା’ଙ୍କୁ ପୂଜାର୍ଚ୍ଚନା ପ୍ରାତଃ ସମୟ ମଙ୍ଗଳ ଆରତୀରୁ ଆରମ୍ଭ ହୋଇ ଭୋଗ ଉଠେ। ଏହାପରେ ଆରମ୍ଭ ହୁଏ ଦର୍ଶନ। ହଜାର ହଜାର ଭକ୍ତ ଅସ୍ଥାୟୀ ମଣ୍ଡପ ଆଗରେ ଠିଆ ହେବା ସହ ମନ୍ଦାର ଦୀପ ନୈବେଦ୍ୟ ମଠା, ପାଟବସ୍ତ୍ର ଧରି ଆସନ୍ତି ମା’ଙ୍କୁ ଦେବା ପାଇଁ। ପରମ୍ପରା ଅନୁଯାୟୀ ମା’ ବାପଘରକୁ ଆସିଥିବା ପ୍ରଥା ଆଜି ସମସ୍ତ ପରିବାରର ଝିଅଙ୍କୁ ନିଜ ବାପଘରକୁ ଆସିବାର ଅପୂର୍ବ ସୁଯୋଗ ଦିଏ। ଏଣୁ ସବୁ ପରିବାରରେ ଝିଅମାନେ ନିଜ ପରିବାରକୁ ଆସି ମା’ଙ୍କ ଆଶିଷ ଭିକ୍ଷା କରନ୍ତି। ପ୍ରତିଦିନ ମାନସିକ ବେଶଧାରୀମାନେ ନିଜର ମନସ୍କାମନା ପୂରଣ ପାଇଁ ବିଭିନ୍ନ ବେଶରେ ସଜ୍ଜିତ ହୋଇ ପ୍ରଥମେ ମା’ଙ୍କ ଦର୍ଶନ କରନ୍ତି। ମାଆଙ୍କ ଠାରୁ ଆଶିଷ ଭିକ୍ଷା କରି ସଂଗୃହୀତ ଧନ ଧରି ପୁଣିଥରେ ଫେରନ୍ତି ମା’ଙ୍କ ଦରବାରକୁ। ବ୍ରହ୍ମପୁର ପ୍ରସିଦ୍ଧ ବାଘ ନାଚ ବିଶ୍ୱପ୍ରସିଦ୍ଧ। ବାଘ ବେଶ ମା’ଙ୍କର ସବୁଠାରୁ ଅଧିକ ପ୍ରିୟ। ଏଣୁ ରାତିରେ ବାଘ ବେଶଧାରୀମାନେ ସମତାଳରେ ବାଜା ବଜାଇ ନୃତ୍ୟ କରିବା ଦୃଶ୍ୟ ଯେକୌଣସି ଦର୍ଶକକୁ ବିମୋହିତ କରିଥାଏ। ବୁଢ଼ୀ ଠାକୁରାଣୀ ଯାତ୍ରାକୁ ବିଶ୍ୱ ପ୍ରସିଦ୍ଧ ଯାତ୍ରାର ମର୍ଯ୍ୟାଦା ଦେବା ପାଇଁ ସଂସ୍କୃତି, ସାହିତ୍ୟପ୍ରେମୀ ଓ ଗଂଜାମାର ଗବେଷକ ଦାବି କରନ୍ତି। ଓଡ଼ିଶାର ପର୍ଯ୍ୟଟନ, ସଂସ୍କୃତି ବିଭାଗର ଆନ୍ତରିକତା ରହିଲେ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ଧନୁଯାତ୍ରା ସମକକ୍ଷ ହୋଇ ଏଠାକାର ଜୀବନ ସଂସ୍କୃତିକୁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଦେବ।

Share :