କେନ୍ଦ୍ରାପଡ଼ାରେ ଭୂମିପୁତ୍ରମାନେ ଜଳକା!

କେନ୍ଦ୍ରାପଡ଼ାରେ ଭୂମିପୁତ୍ରମାନେ ଜଳକା!

Share :

ବୈଷ୍ଣବ ଜେନା ୨୦୧୯ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ସମଗ୍ର ଦେଶରେ ବହୁ କଥା ଆଲୋଚନା ହେଉଛି। ଏଥିରୁ ଆମ ରାଜ୍ୟ ବାଦ୍ ନ ପଡ଼ିବା ଏକ ସ୍ୱାଭାବିକ ଘଟଣା। ବହୁ ତର୍ଜମା ଚାଲିଛି। ଇତିହାସର ପୃଷ୍ଠା ଓଲଟାଇଲେ ବହୁ ମଜାଦାର ତଥା ଦୁଃଖଦାୟକ ଘଟଣା ପଦାକୁ ଆସୁଛି। ବିଶେଷକରି ଯୁବପିଢିକୁ ଅବଗତ କରାଇବା ନିମନ୍ତେ ବୟସ୍କ ବ୍ୟକ୍ତିମାନେ ଏପରି କରିଚାଲିଛନ୍ତି। ଏହି କ୍ରମରେ ପୁରାତନ ନିର୍ବାଚନ ପରିଚାଳନା ସହିତ ଏବେକାର ନିର୍ବାଚନ ପରିଚାଳନାର ତୁଳନା କରାଯାଉଛି। ପୁରୁଣା ରାଜନେତାଙ୍କ ସହିତ ଏବେର ରାଜନେତାମାନଙ୍କର ତୁଳନା କରାଯାଉଛି। ଭୋଟରମାନଙ୍କ ବୋକାମୀ, ଲାଞ୍ଚଖୋର ମନୋଭାବ ଓ ଚତୁରତା ସମ୍ପର୍କରେ ମଧ୍ୟ ଆଲୋଚନା ହେଉଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ସମ୍ପର୍କରେ ଯେଉଁ ଆଲୋଚନା ହେଉଛି, ତାହା ଅତ୍ୟନ୍ତ ଭିନ୍ନ ଓ ସ୍ୱତନ୍ତ୍ର। ଏହି ଲୋକସଭା ନିର୍ବାଚନ ମଣ୍ଡଳୀକୁ କେନ୍ଦ୍ରାପଡ଼ାର ଭୂମିପୁତ୍ରମାନେ ପ୍ରତିନିଧିତ୍ୱ କରିପାରୁ ନାହାଁନ୍ତି। ଯେତିକି କରିଛନ୍ତି, ତାହା ଅଦ୍ଧେର୍କଠାରୁ କମ୍। କେନ୍ଦ୍ରାପଡ଼ା ଭୋଟରମାନେ ବାହାରର ନେତାଙ୍କୁ କ୍ରମାଗତ ଭାବେ ସ୍ୱାଗତ କରିଆସୁଛନ୍ତି। ଅନ୍ୟ ଅଞ୍ଚଳର ଜନ୍ମିତ ପୁତ୍ର ବା ରାଜନେତାମାନଙ୍କର ଏହା ଖୋଲା କ୍ଷେତ୍ର ପାଲଟିଛି। ଅବଶ୍ୟ ଅନ୍ୟ ଅଞ୍ଚଳର ଭୂମିପୁତ୍ରମାନେ କେନ୍ଦ୍ରାପଡ଼ାକୁ ପ୍ରତିନିଧିତ୍ୱ କରି ଏହାକୁ ମର୍ଯ୍ୟାଦାବନ୍ତ କରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରି ସ୍ୱର୍ଗତ ନିତ୍ୟାନନ୍ଦ କାନୁନ୍ଗୋ, ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ଶ୍ରୀକାନ୍ତ ଜେନା କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। ରାଜ୍ୟ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ, ଏହି ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ସ୍ୱର୍ଗତଃ ରବି ରାୟ ଲୋକସଭାର ବାଚସ୍ପତି ହୋଇଥିଲେ। ଏ କ୍ଷେତ୍ରରେ ସ୍ୱର୍ଗତଃ ରାୟ ପ୍ରଥମ ତଥା ଶେଷ (ଆଜି ପର୍ଯ୍ୟନ୍ତ) ଓଡ଼ିଆ ରାଜନେତା। ଯାହା ହେଲେବି କେନ୍ଦ୍ରାପଡ଼ାର ଜ୍ଞାନୀ, ଗୁଣୀ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଭୂମିପୁତ୍ରଙ୍କ ଅପାରଗ ପଣିଆକୁ ନେଇ ଦୁଃଖ ମଧ୍ୟ ରହିଛି। କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ସାଂସଦ ଥିଲେ ସ୍ୱର୍ଗତ ନିତ୍ୟାନନ୍ଦ କାନୁନ୍ଗୋ। ସେ ୧୯୫୧ରୁ ୧୯୫୭ ପର୍ଯ୍ୟନ୍ତ ରହିଥିଲେ। ତାଙ୍କ ଘର ଅଧୁନା ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳରେ। ଦ୍ୱିତୀୟ ଲୋକସଭା ନିର୍ବାଚନ ବେଳେ କେନ୍ଦ୍ରାପଡ଼ା ଏକ ଦ୍ବୈତ ନିର୍ବାଚନ ମଣ୍ଡଳୀ ଥିଲା। ୧୯୫୭ରେ ଏହି ଆସନରୁ ଦୁଇଜଣ ଯଥା ସ୍ୱର୍ଗତଃ ସୁରେନ୍ଦ୍ରନାଥ ଦ୍ୱିବେଦୀ ଏବଂ ସ୍ୱର୍ଗତଃ ବୈଷ୍ଣବ ମଲ୍ଲିକ ନିର୍ବାଚିତ ହୋଇଥିଲେ। ସ୍ୱର୍ଗତଃ ମଲ୍ଲିକଙ୍କ ଘର ଅଧୁନା ଯାଜପୁର ଜିଲ୍ଲାର ବରୀ ବ୍ଲକରେ। ୧୯୬୨ ଏବଂ ୧୯୬୭ରେ ପୁନର୍ବାର ସୁରେନ୍ଦ୍ର ନାଥ ଦ୍ୱିବେଦୀ ବିଜୟୀ ହୋଇଥିଲେ। ସେ କେନ୍ଦ୍ରାପଡ଼ା ଅଞ୍ଚଳର। ତେବେ ୬ଷ୍ଠ ଲୋକସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜୟୀ ହୋଇଥିଲେ ସ୍ୱର୍ଗତ ସୁରେନ୍ଦ୍ର ନାଥ ମହାନ୍ତି। ତାଙ୍କ ଘର କଟକ ଅଞ୍ଚଳରେ। ୧୯୭୭, ୧୯୮୦ ଏବଂ ୧୯୮୪ ମସିହାରେ ସେଠାରୁ ନିର୍ବାଚିତ ହୋଇଥିଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ। ବିଜୁ ବାବୁଙ୍କ କଟକ ସହରରେ ଜନ୍ମ ହୋଇଥିଲେ ବି ମୂଳତଃ ସେ ଗଞ୍ଜମ ଜିଲ୍ଲାର। ବିଜୁ ବାବୁ ଇସ୍ତଫା ଦେବା କାରଣରୁ ୧୯୮୫ରେ ଅନୁଷ୍ଠିତ ନିର୍ବାଚନରେ ବିଜୟୀ ହୋଇଥିଲେ ଆଳି ରାଜା ଶରତ କୁମାର ଦେବ। ସେ କେନ୍ଦ୍ରାପଡ଼ା ଅଞ୍ଚଳର। ପରବର୍ତ୍ତୀ ସମୟରେ ୧୯୮୯ ଏବଂ ୧୯୯୧ରେ ସେଠାରୁ ନିର୍ବାଚିତ ହୋଇଥିଲେ ସ୍ୱର୍ଗତ ରବି ରାୟ। ତାଙ୍କ ଜନ୍ମସ୍ଥାନ ରାଜଧାନୀ ଉପକଣ୍ଠ ବାଲିପାଟଣା ନିକଟବର୍ତ୍ତୀ ଭଅଁରାଗଡ଼ରେ। ୧୯୯୬ରେ ସେଠାରୁ ନିର୍ବାଚିତ ହୋଇଥିଲେ ଶ୍ରୀକାନ୍ତ ଜେନା। ତାଙ୍କ ଘର ଯାଜପୁର ଜିଲ୍ଲାର ବରୀ ଅଞ୍ଚଳରେ (ରତ୍ନଗିରି)। ଏହା ପରେ ୧୯୯୮ ଏବଂ ୧୯୯୯ରେ ପ୍ରଭାତ ସାମନ୍ତରାୟ ଏବଂ ୨୦୦୪ରେ ଶ୍ରୀମତୀ ଅର୍ଚ୍ଚନା ନାୟକ ସେଠାରୁ ନିର୍ବାଚିତ ହୋଇଥିଲେ। ଉଭୟ ପ୍ରଭାତ ଏବଂ ଅର୍ଚ୍ଚନା କେନ୍ଦ୍ରାପଡ଼ା ଅଞ୍ଚଳର। ପରବର୍ତ୍ତୀ ସମୟରେ ୨୦୦୯ ଏବଂ ୨୦୧୪ ମସିହାରେ ସେଠାରୁ ନିର୍ବାଚିତ ହୋଇଛନ୍ତି ବୈଜୟନ୍ତ ପଣ୍ଡା। ତାଙ୍କର ନିଜ ଘର ରାଜଧାନୀ ଉପକଣ୍ଠ ବାରଙ୍ଗ ଗ୍ରାମରେ। ଅନ୍ୟ ଏକ ଦିଗରୁ ତର୍ଜମା କଲେ ଜଣାପଡେ଼ ଯେ, କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ମୋଟ ୧୧ ଜଣ ନିର୍ବାଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ଜଣ ଏକାଧିକବାର ବିଜୟୀ ହୋଇଛନ୍ତି। ଏହି ୧୧ ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରେ ଜନ୍ମିତ ରାଜନେତା ହେଉଛନ୍ତି ମାତ୍ର ୪ ଜଣ। ବାକି ୭ ଜଣ ହେଉଛନ୍ତି ରାଜ୍ୟର ଅନ୍ୟ ଅଞ୍ଚଳରେ ଜନ୍ମିତ ରାଜନେତା। ସେହିପରି ଭାବେ ଦେଖିବାକୁ ଗଲେ କେନ୍ଦ୍ରାପଡ଼ାରେ ଜନ୍ମିତ କେନ୍ଦ୍ରାପଡ଼ା ସାସଂଦମାନେ ମାତ୍ର ୨୯ ବର୍ଷ ଭୋଗ ଦଖଲରେ ଥିଲାବେଳେ ଅନ୍ୟ ଅଞ୍ଚଳରେ ଜନ୍ମି୍ତ ରାଜନେତାମାନେ ୪୪ ବର୍ଷ ଭୋଗ ଦଖଲରେ ରହିଛନ୍ତି। ଏକଥା ସୁବିଦିତ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସଚେତନ ଓ ସମ୍ୱେଦନଶୀଳ ଅଞ୍ଚଳ। କେବଳ ନର୍ବାଚନ ସମୟରେ ନୁହେଁ, ଅନ୍ୟ ସମୟରେ ମଧ୍ୟ ଏଠାରେ ରାଜନୀତି ଚର୍ଚ୍ଚା ବଳବତ୍ତର ରୁହେ। କଳିଝଗଡ଼ା ହୁଏ, ସଂଘର୍ଷ ମଧ୍ୟ ଘଟେ। କୁହାଯାଏ ଏହି ଜିଲ୍ଲାର ମହିଳାମାନେ ବିଲକାମ କଲାବେଳେ, ଘଷି ପାରିଲା ବେଳେ, ବିବାହ ବ୍ରତରେ ଯୋଗ ଦେଲାବେଳେ କିମ୍ବା ଗାଧୁଆ ତୁଠରେ ରାଜନୀତି ଆଲୋଚନା କରନ୍ତି। ସଚେତନ ଆଧୁନିକା ମହିଳାମାନେ ମୋବାଇଲ୍ ଯୋଗେ ଘଣ୍ଟା ଘଣ୍ଟା ଧରି ଆଲୋଚନା କରିବାର ମଜାଦାର ଖବର ମିଳିଛି। ଏହି ଜିଲ୍ଲାରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ଚୟନ ବେଳେ ଭୁବନେଶ୍ୱରରେରେ ଧମାକା ସୃଷ୍ଟି ହୁଏ। ରାଜଧାନୀ ଦିଲ୍ଲୀରେ ଉତ୍ତେଜନା ପ୍ରକାଶ ପାଏ ଏବଂ ଆନ୍ଦୋଳନ ହୁଏ। ଦିଲ୍ଲୀର ବିଭିନ୍ନ ମନ୍ଦିରରେ ପୂଜାପାଠ ହୁଏ। ଏହା ସତ୍ତ୍ୱେ ଭୂମିପୁତ୍ରମାନେ ଏଠାରୁ ସାଂସଦ ହୋଇପାରୁ ନାହାଁନ୍ତି। ଏହି ପରିପ୍ରେକ୍ଷୀରେ ସାମ୍ପ୍ରତିକ ସାଧାରଣ ନିର୍ବାଚନ ଉପରେ ଆଲୋଚନା କରାଯାଇପାରେ। ଏହି ନିର୍ବାଚନ ମଣ୍ଡଳୀୋର ଅନେକ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ମାତ୍ର ପ୍ରତିଦ୍ୱନ୍ଦିତା ମୁଖ୍ୟତଃ ବିଜେପି ଓ ବିଜେଡ଼ି ମଧ୍ୟରେ ସୀମୀତ ରହିବ। ଏଥର ବିଜେପି ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା ଏବଂ ବିଜେଡ଼ିର ପ୍ରାର୍ଥୀ ହୋଇଛନ୍ତି ଅନୁଭବ ମହାନ୍ତି। ଏହି ଦୁହିଙ୍କ ଘର କେନ୍ଦ୍ରାପଡ଼ା ନୁହେଁ। ଶ୍ରୀ ପଣ୍ଡାଙ୍କ ଘର ରାଜଧାନୀ ନିକଟବର୍ତ୍ତୀ ବାରଙ୍ଗ ଗାଁରେ ହୋଇଥିବା ବେଳେ ଶ୍ରୀ ମହାନ୍ତିଙ୍କ ଘର ହେଉଛି କଟକ ସହରରେ। ଏହି ନିର୍ବାଚନରେ ଯିଏ ଜିତିବ, ସିଏ ଆଉ ୫ ବର୍ଷ କାଳ ରାଜ କରିବେ। ସାମଗ୍ରିକ ଭାବେ କହିବାକୁ ଗଲେ ଏଥରକ ବି ମହାପାତ୍ରମାନେ ମାରିନେବେ ଓ ଭୂମିପୁତ୍ରମାନେ ଜଳ ଜଳ ଚାହିଁ ଜଳକା ହେବେ। ଏହା ସୁବିଦିତ ଯେ, ୧୯୭୧ ମସିହା ପରଠାରୁ ଏହି ନିର୍ବାଚନ ମଣ୍ଡଳୀରୁ କୌଣସି କଂଗ୍ରେସ ପ୍ରାର୍ଥୀ ବିଜୟ ହାସଲ କରିପାରୁ ନାହାଁନ୍ତି। ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି କେନ୍ଦ୍ରାପଡ଼ାର ଭୂମିପୁତ୍ର ଧରଣୀଧର ନାୟକ। ସେ ଜଣେ ପ୍ରଖ୍ୟାତ ଓକିଲ। ରାଜ୍ୟବ୍ୟାପୀ ତାଙ୍କର ସମ୍ମାନ ରହିଛି। କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେଲେ ସେ କେନ୍ଦ୍ରାପଡ଼ାର ସ୍ୱାଭିମାନର ପ୍ରତୀକ ହେବେ। ଏହାକୁ ଦୃଷ୍ଟିରେ ରଖି ଭୋରଟମାନେ ମନ ପରିବର୍ତ୍ତନ କରିବେ କି? ମୋ : ୯୪୩୭୦୦୭୨୦୦

Share :