ଓଡ଼ିଶାରେ ଚାଲିଛି ମାଫିଆ ସରକାର!

ଓଡ଼ିଶାରେ ଚାଲିଛି ମାଫିଆ ସରକାର!

Share :

ମୁଖ୍ୟମନ୍ତ୍ରୀଙ୍କର ନିଶ ନାହିଁ | କିନ୍ତୁ ତାଙ୍କ ମନ୍ତ୍ରିପରିଷଦର ଅନେକ ସଦସ୍ୟଙ୍କର ନିଶ ଅଛି | ଏସବୁ ନିଶ ତଳେ ବସା ବାନ୍ଧିଥିଲେ କୁଖ୍ୟାତ ମାଫିଆ ଧଳସାମନ୍ତ ଭାଇ- ସୁଶୀଳ ଓ ସୁଶାନ୍ତ | ଯେଉଁ ପୁଲିସ ପ୍ରଶାସନ ଧଳସାମନ୍ତ ଭାଇଙ୍କୁ ଧରି ଏବେ ଶ୍ରେୟ ନେବାକୁ ବସିଛି ସେହି ପୁଲିସ ପ୍ରଶାସନର ଆଖି ଆଗରେ ସଂପ୍ରସାରିତ ହୋଇଥିଲା ଧଳସାମନ୍ତଙ୍କ ଅପରାଧ ସାମ୍ରାଜ୍ୟ | ଯେଉଁ ନବୀନ ସରକାର ଏବେ ଧଳସାମନ୍ତଙ୍କୁ ଧରି ଭାବମୂର୍ତ୍ତି ଖର୍ଦ୍ଦି କରୁଛନ୍ତି ପ୍ରଚାର ମାଧ୍ୟମରେ ସେହି ସରକାରଙ୍କ ୧୬ ବର୍ଷର ଶାସନ କାଳ ଭିତରେ ହିଁ ସେମାନେ ଟେଣ୍ଡର ଫିକ୍ସିଂ ଓ ସିଙ୍ଗଲ ଟେଣ୍ଡର ଆଦି ଅବୈଧ ଓ ଅପରାଧିକ କାରବାର ଜରିଆରେ ମାଫିଆ ସାମ୍ରାଜ୍ୟ ବିସ୍ତାର କରିବାକୁ ସମର୍ଥ ହୋଇଥିଲେ | ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜୁ ଜନତା ଦଳର କଟକ ବିଧାୟକ ଓ ସାଂସଦଙ୍କ ସମେତ କେତେକ ମନ୍ତ୍ରୀ, ତାଙ୍କରି ହାତରେ ଥିବା ଗୃହ ବିଭାଗର ପୁଲିସ ଓ ଗୁଇନ୍ଦା ପ୍ରଶାସନ କିପରି ଧଳସାମ୍ରାଜ୍ୟଙ୍କର ଏତେ ବଡ଼ ଅପରାଧିକ ସାମ୍ରାଜ୍ୟ ସଂପର୍କରେ ୧୬ ବର୍ଷ ଭିତରେ କିଛି ବି ଖବର ପାଇଲେ ନାହିଁ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବାର ଯଥେଷ୍ଟ କାରଣ ରହିଛି |  ଏହି ଦଳର କଟକ-ବାରବାଟି ବିଧାୟକ ଦେବାଶିଷ ସାମନ୍ତରାୟ ଧଳସାମନ୍ତଙ୍କ ସହ ସଂପୃକ୍ତ ଥିବା ଧରାପଡ଼ିବା ପରେ ପରୋକ୍ଷରେ ସ୍ବୀକାର କରିଛନ୍ତି ଯେ ସେମାନଙ୍କର ଅପରାଧ ରେକର୍ଡ଼ ନେଇ ପୁଲିସ ନିକଟରେ ସୂଚନା ଥିଲା | ସେହି ସୂଚନା ଆଧାରରେ ପୁଲିସ ସେମାନଙ୍କୁ ଗିରଫ କରିଛି | ଏହା ପଛରେ କୌଣସି ରାଜନୀତିକ ଷଡ଼ଯନ୍ତ୍ର ନାହିଁ | ପୁଲିସ ପ୍ରଶାସନ ବିଜେଡି ସରକାରଙ୍କ କଥା ଅନୁସାରେ କାମ କରେ ନାହିଁ ବୋଲି ସେ ଏକ ହାସ୍ୟାସ୍ପଦ ମନ୍ତବ୍ୟ ମଧ୍ୟ ଦେଇଛନ୍ତି | ସାମନ୍ତରାୟଙ୍କ କଥା ଅନୁସାରେ ପୁଲିସ ନିକଟରେ ଧଳସାମନ୍ତଙ୍କ ଅପରାଧ ସଂପର୍କରେ ଖବର ଥିବା କଥା ସତ | କାରଣ ସେମାନଙ୍କ ବିରୋଧରେ ତିନି ତିନିଟି ହତ୍ୟା ମାମଲା ସମେତ ଆହୁରି ଅନେକ ଅପରାଧ ଅଭିଯୋଗ ଥିଲା | କିନ୍ତୁ ପୁଲିସ ସେମାନଙ୍କୁ ଗିରଫ କରୁ ନଥିଲା | କାହିଁକି? ପୁଲିସ ପ୍ରଶାସନ ବିଜେଡି ସରକାରଙ୍କ ନିର୍ଦ୍ଦେଶରେ କାମ କରେ ନାହିଁ ବୋଲି ସାମନ୍ତରାୟ ଯାହା କହୁଛନ୍ତି ତାହା କେତେ ଦୂର ବିଶ୍ବାସଯୋଗ୍ୟ? ଗଲା ୧୬ ବର୍ଷ ଭିତରେ ଯେତେ ଆଇପିଏସ୍ ଅଫିସରଙ୍କୁ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ସେମାନଙ୍କୁ କିଏ ବାଛିଛନ୍ତି? ବିରୋଧୀ ଦଳ ନେତା ନା ଆଉ କେହି? ସେମାନଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଛିବାଛି ନିଯୁକ୍ତ କରିଥିଲେ | କାହିଁକି? ତାଙ୍କ ନିର୍ଦ୍ଦେଶ ମାନିବା ପାଇଁ ନା ନମାନିବା ପାଇଁ? ପୁଲିସ ସ୍ବାଧୀନ ଭାବରେ କାର୍ଯ୍ୟ କରୁ ବୋଲି ନବୀନ ପଟ୍ଟନାୟକ ଏବଂ ତାଙ୍କ ବୋଲକରା ନେତାମାନେ ଚାହୁଁଥିଲେ ତେବେ ପ୍ରକାଶ ମିଶ୍ରଙ୍କୁ ମିଛ ଅଭିଯୋଗରେ ଡିଜି ପଦରୁ ହଟାଇବା ସହିତ ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରି ହାଇକାର୍ଟ ଓ ସୁପ୍ରିମ କୋର୍ଟରେ ଭାଣ୍ଡିଆ ହେଉଥିଲେ କାହିଁକି? ସରକାରଙ୍କର କୋଉ ଅଙ୍ଗଟା ଗଲୁ ହଉଥିଲା? ବିଜେଡିର କେବଳ ଦେବାଶିଷ ସାମନ୍ତରାୟ ନୁହନ୍ତି, ନିଆଳିର ପୂର୍ବତନ ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ଓ ତିର୍ତ୍ତୋଲ ବିଧାୟକ ରାଜଶ୍ରୀ ମଲ୍ଲିକ ମଧ୍ୟ ଧଳସାମନ୍ତ ଭାଇଙ୍କ ସହିତ ସଂପୃକ୍ତ ଥିବାର ଫଟୋ ଧରାପଡ଼ିଛି | ଏମାନଙ୍କ ବ୍ୟତିତ କଟକ ସହରରେ ଅନ୍ୟ ଯେଉଁ ବିଜେଡି ନେତାମାନେ ସ୍ଥାୟୀ ଭାବେ ବସବାସ କରନ୍ତି ସେମାନେ ହେଲେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ପ୍ରଭାତ ବିଶ୍ବାଳ, ବିଧାୟକ ପ୍ରତାପ ଜେନା, ବିଧାୟକ .....,ସାଂସଦ ଭର୍ତ୍ତୃହରି ମହତାବ ଏବଂ ଆହୁରି ଅନେକ ପ୍ରଭାବଶାଳୀ ନେତା | ଧଳସାମନ୍ତ ଭାଇଙ୍କ ଅପରାଧ ସାମ୍ରାଜ୍ୟ ଏହି ନେତାମାନଙ୍କ ଅଗୋଚରରେ ଘଟିଲା ବୋଲି ପୁଲିସ ଓ ପ୍ରଶାସନ ବିଶ୍ବାସ କରିପାରନ୍ତି, କାରଣ ତାହା ଏବେ ବିଜେଡି ସରକାରର ଅଙ୍ଗ | କିନ୍ତୁ ଏହି ଯୁକ୍ତିକୁ କୌଣସି ସଚେତନ ନାଗରିକ ବିଶ୍ବାସ କରିବା ଉଚିତ କି? ଏହି ଲୋକ ପ୍ରତିନିଧିମାନେ ଯଦି ନିଜ ସହରରେ ପକ୍ଷ ବିସ୍ତାର କରୁଥିବା ଦୁର୍ଦ୍ଦାନ୍ତ ମାଫିଆ ନେଟବାର୍କ ସଂପର୍କରେ ଅଜଣା ରହୁଥିଲେ ତେବେ ସେମାନଙ୍କର ଲୋକ ସଂପର୍କ କ’ଣ ଥିଲା? ଲୋକଙ୍କ ସମସ୍ୟା ସଂପର୍କରେ ସେମାନେ କେତେ ଅବହିତ? ଧଳସାମନ୍ତ ବ୍ରଦର୍ସ କଂଗ୍ରେସ ନେତା ଲୁଲୁ ମହାପାତ୍ର, ସୁରେଶ ମହାପାତ୍ର ଓ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମୀର ଦେ ପ୍ରମୁଖଙ୍କ ସହିତ ମଧ୍ୟ ଜଡ଼ିତ ଥିଲେ | ସେମାନଙ୍କ ପ୍ରତିଷ୍ଠିତ ଓଡ଼ିଶା ଯୁବକ ସଂଘର ସ୍ମରଣିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଅନ୍ୟ କେତେକ ମନ୍ତ୍ରୀ ସହଯୋଗୀ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି | ପୁଲିସ ଏବେ କହୁଛି ଯେ ଧଳସାମନ୍ତ ଭାଇ ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, ଆନ୍ଧ୍ର ପ୍ରଦେଶ ଓ  କର୍ଣ୍ଣାଟକରେ ମଧ୍ୟ ମାଫିଆ ସାମ୍ରାଜ୍ୟ ବିସ୍ତାର କରିଥିଲେ | ସେମାନଙ୍କର ହେଡ଼କ୍ବାର୍ଟର ଥିଲା କଟକ ଓ ଭୁବନେଶ୍ବର ଦୈତ ନଗରୀ | ଏ ଦୁଇ ନଗରୀ ହେଉଛି ଓଡ଼ିଶା ସରକାର ଓ ଓଡ଼ିଶା ପୁଲିସର ହେଡ଼କ୍ବାର୍ଟର | କେହି କିଛି ଜାଣିଲେନି କେମିତି? ନା ନବୀନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା, ବିଧାୟକ ଓ ମନ୍ତ୍ରୀ ଧଳସାମନ୍ତଙ୍କ ମାଧ୍ୟମରେ ବେଆଇନ ଭାବେ କୋଟିକୋଟି ଟଙ୍କା ଅର୍ଜନ କରିବା ପରେ ଏବେ ସେ ଦୁଇ ଭାଇ ଯେତେବେଳେ ନିଜର ରାଜନୀତିକ ସୁରକ୍ଷା ପାଇଁ ବିଜେପି ଓ କଂଗ୍ରେସ ହିତ ମଧ୍ୟ ଯୋଗାଯୋଗରେ ରହିଲେ ସେତେବେଳେ ମହୁଫେଣାରୁ ମହୁ ଚିପୁଡ଼ି ନେବା ପରେ ବଳକା ସିଠାକୁ ଯେମିତି ଫୋଫାଡ଼ି ଦିଆଯାଏ ସେମିତି ସେମାନଙ୍କୁ ଫୋପାଡ଼ି ଦିଆଗଲା? ଏହି କଥା ମନରେ ଭାବି ଧଳସାମନ୍ତ ଭାଇ ଯେତେବେଳେ ଗଣମାଧ୍ୟମରେ କହିଲେ ଯେ ସେମାନେ ଏକ ରାଜନୀତିକ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ତାହା କ’ଣ ବୁଝାଉଥିଲା? ଆଉ ସେମାନଙ୍କର ଏହି ଦାବିକୁ ଖଣ୍ଡନ କରିବାକୁ ଯାଇଁ ବିଧାୟକ ସାମନ୍ତରାୟ ଯାହା କହିଛନ୍ତି ତାହା କ’ଣ ବୁଝାଉଛି? ଓଡ଼ିଶାରେ ସରକାରଙ୍କ ସହ ମାଫିଆଙ୍କ ସଂପର୍କ ନାହିଁ କି? କେବଳ ଧଳସାମନ୍ତ ଭ୍ରାତା ନୁହନ୍ତି, ଅନ୍ୟାନ୍ୟ ଅନେକ ଅପରାଧୀଙ୍କ ସହିତ ସଂପର୍କ ଥିବା ଅନେକ ବିଜେଡି ନେତାଙ୍କ ସଂପର୍କ ଇତିମଧ୍ୟରେ ପଦାକୁ ଆସିଛି | ଚିଟ ଫଣ୍ଡ ଓ ଜମି ମାଫିଆଙ୍କ ସହିତ ବିଜେଡି ସାଂସଦ ଓ ବିଧାୟକମାନେ ବହୁ ଭାବରେ ଜଡ଼ିତ ଥିବା ନେଇ ଅନେକ ସ୍ଥିରଚିତ୍ର ଓ ଚଳଚିତ୍ର ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ହୋଇଛି | ସେମାନଙ୍କ ମଧ୍ୟରେ ଅଛନ୍ତି ସାଂସଦ ରାମଚନ୍ଦ୍ର ହାଁସଦା, ସ୍ବର୍ଗତ ସାଂସଦ କଳ୍ପତରୁ ଦାସ, ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ହିତେଶ ବଗର୍ତ୍ତି, ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସାଂସଦ ରବୀନ୍ଦ୍ର ଜେନା, ବିଧାୟକ ଦେବାଶିଷ ସାମନ୍ତରାୟ, ମନ୍ତ୍ରୀ ବିକ୍ରମ ଆରୁଖ, ସଂଜୟ ଦାସବର୍ମା, ଦାମୋଦର ରାଉତ ଓ ଦେବୀ ପ୍ରସାଦ ମିଶ୍ର ପ୍ରମୁଖଙ୍କ ନାମ ଚିଟ ଫଣ୍ଡ ଓ ଜମି କାରବାରରେ ଆଲୋଚନାକୁ ଆସିଛି | ସେହିପରି ଖଣି ଦୁର୍ନୀତିରେ ମଧ୍ୟ ଅନେକ ଦଳୀୟ ନେତା, ବିଧାୟକ ଓ ମନ୍ତ୍ରୀ ସଂପୃକ୍ତ ଥିବା ଜଣାପଡ଼ିଛି | ସାଂସଦ ଅନୁଭବ ମହାନ୍ତି, ପିନାକୀ ମିଶ୍ର, ମନ୍ତ୍ରୀ ବଦ୍ରି ପାତ୍ର, ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରଣବ ବଳବନ୍ତରାୟ, ସାଂସଦ ରବୀନ୍ଦ୍ର ଜେନା ପ୍ରମୁଖଙ୍କ ନାମ ଚର୍ଚ୍ଚାରେ ଥିଲା | ଏହା ବ୍ୟତିତ ହତ୍ୟା ଓ ରାହାଜାନୀ ପରି ଅନ୍ୟ କେତେକ ଗମ୍ଭୀର ଅପରାଧରେ ମଧ୍ୟ ଅନେକ ବିଜେଡି ନେତା ସଂପୃକ୍ତ ଥିବା ଅଭିଯୋଗ ହୋଇଛି | ମନ୍ତ୍ରୀ ପ୍ରଦୀପ ମହାରଥୀ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଭାସ୍କର ରାଓଙ୍କ ନାମ କେତେକ ହତ୍ୟା, ଟେଣ୍ଡର ଫିକ୍ସିଂ ଆଦି ଅପରାଧ ସହିତ ଜଡ଼ିତ ଅଛି |

Share :