ଦୁର୍ନୀତି ସାଙ୍ଗରେ ନବୀନ!

ଦୁର୍ନୀତି ସାଙ୍ଗରେ ନବୀନ!

Share :

ସ୍ବତନ୍ତ୍ର ପ୍ରତିନିଧି ଇଂରାଜୀରେ ଗୋଟେ କଥା କୁହାଯାଏ- ଏ ମ୍ୟାନ ଇଜ୍‌ ନୋନ୍‌ ବାଇ ହିଜ୍‌ କଂପାନିଅନ୍ସ (ଜଣେ ଲୋକର ଚରିତ୍ର ତାଙ୍କର ସହଚରମାନଙ୍କ ଚରିତ୍ରରୁ ଜଣାପଡ଼ିଥାଏ)। ଠିକ ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ଚରିତ୍ର ତାଙ୍କ ସହଚରମାନଙ୍କ ଚରିତ୍ରରୁ ବାରି ହୋଇପଡ଼ିଛି। ସେ ଯେ ଦୁର୍ନୀତିଗ୍ରସ୍ତ ଓ ଅଭିଯୁକ୍ତମାନଙ୍କ ଗହଣରେ ରହିବାକୁ ଭଲ ପାଆନ୍ତି ତାହା ତାଙ୍କ ଦଳର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ଭାବମୂର୍ତ୍ତିରୁ ବେଶ୍‌ ସ୍ପଷ୍ଟ। ୨୦୧୯ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଶାସକ ବିଜୁ ଜନତା ଦଳ ଭିତରେ ଗୁଂଜରଣ ସୃଷ୍ଟି ହୋଇଥିଲା ଯେ ଏଥର ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଟ୍‌ ଫଣ୍ଡ ଆଦି ବିଭିନ୍ନ ଦୁର୍ନୀତି ଓ ଅପରାଧରେ ଅଭିଯୁକ୍ତ ନେତାମାନଙ୍କୁ ଟିକଟ ଦେବେ ନାହିଁ। କିନ୍ତୁ ଦଳର ସମସ୍ତ ପ୍ରାର୍ଥୀଙ୍କ ନାମ ଜଣାପଡ଼ିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ନବୀନବାବୁ ସେଭଳି ନେତାମାନଙ୍କ ଟିକଟ କାଟି ନାହାନ୍ତି। ବରଂ ଅନେକ ନିର୍ବିବାଦୀୟ ଓ ନିର୍ମଳ ଭାବମୂର୍ତ୍ତି ସଂପନ୍ନ ନେତାଙ୍କର ଟିକଟ କାଟି ଦେଇଛନ୍ତି। ନବୀନବାବୁଙ୍କ ବିଜୁ ଜନତା ଦଳର ଅନେକ ନେତା ଚିଟ୍‌ ଫଣ୍ଡ ଦୁର୍ନୀତିରେ ଜଡ଼ିତ ଥିବା ନେଇ ଅଭିଯୋଗ ରହିଛି। ସେମାନଙ୍କ ମଧ୍ୟରୁ ଅନେକେ ଓଡ଼ିଶା ଭିଜିଲାନ୍ସ ଓ କ୍ରାଇମ ବ୍ରାଞ୍ଚ ଏବଂ ସିବିଆଇ ଜାଲରେ ପଡ଼ିଛନ୍ତି। କେତେକଙ୍କ ବିରୋଧରେ ଜେରା ନୋଟିସ ରହିଛି। କେତେକ ଜେରାର ସମ୍ମୁଖୀନ ହୋଇଛନ୍ତି। କେତେକ ଗିରଫ ହୋଇ ଜେଲ୍‌ରୁ ଜାମିନରେ ଫେରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତଥାକଥିତ ନିର୍ମଳ ଭାବମୂର୍ତ୍ତି ରକ୍ଷା କରିବାକୁ ଏଭଳି ନେତାମାନଙ୍କୁ ଦଳୀୟ ପ୍ରାର୍ଥୀ କରିବେ ନାହିଁ ବୋଲି ପୂର୍ବରୁ ଦଳ ତରଫରୁ ପ୍ରଚାର କରାଯାଉଥିଲା। କିନ୍ତୁ ଦେଖିଲା ବେଳକୁ ସେଇମାନଙ୍କ ମଧ୍ୟରୁ ସବୁଠୁ ପ୍ରଭାବାଶାଳୀ ନେତାମାନେ ଟିକଟ ପାଇଛନ୍ତି। ସେମାନେ ହେଲେ ବିଜୁ ଜନତା ଦଳର ଯୁବ ବାହିନୀର କର୍ଣ୍ଣଧାର। ଛବି ବର୍ଦ୍ଧନ ହତ୍ୟାକାଣ୍ଡ ମାମଲାରେ ମୁକ୍ତ ଓ ଚିଟ୍‌ ଫଣ୍ଡ ଅଭିଯୁକ୍ତ ଅରୁଣ ସାହୁ ପୁନର୍ବାର ନବୀନଙ୍କ ଆଶୀର୍ବାଦ ଲାଭ କରିଥିବାବେଳେ ପ୍ରଦୀପ ପରିଡ଼ା ହତ୍ୟାକାଣ୍ଡରେ ଚର୍ଚ୍ଚିତ ତଥା ଚିଟ୍‌ ଫଣ୍ଡ ଦୁର୍ନୀତିରେ ସିବିଆଇ ଜେରା ନୋଟିସ ପାଇଥିବା ଅତନୁ ସବ୍ୟସାଚୀ ନାୟକ ମଧ୍ୟ ତାଙ୍କର ପ୍ରିୟପାତ୍ର ରହିଛନ୍ତି। ଠିକ ସେହିପରି ଚିଟ୍‌ ଫଣ୍ଡ ଦୁର୍ନୀତିରେ ଚର୍ଚ୍ଚିତ ଦେବୀ ପ୍ରସାଦ ମିଶ୍ର ଓ ସଂଜୟ ଦାସବର୍ମା ମଧ୍ୟ ନବୀନଙ୍କ ପସନ୍ଦର ନେତା ଭାବେ ଟିକଟ ପାଇଛନ୍ତି। ବ୍ଲାକ୍‌ ରୋଜ୍ ଜାହାଜ ବୁଡ଼ି ମାମଲାରେ ସନ୍ଦେହ ଘେରରେ ଥିବା ପ୍ରଣବ ପ୍ରକାଶ ଦାସ, ଡଙ୍କାରି ପାହାଡ଼ ଲୁଟ୍‌ ମାମଲାର ଅନ୍ୟତମ ସନ୍ଦିଗ୍ଧ ପ୍ରଣବ ବଳବନ୍ତରାୟଙ୍କ ଟିକଟ କଟିନାହିଁ। ଟିଟୋ ଲିଙ୍କରେ ଚର୍ଚ୍ଚାକୁ ଆସିଥିବା ଅମର ଶତପଥୀ ବି ନବୀନବାବୁଙ୍କ ପ୍ରିୟ ସହଯୋଗୀ ଭାବେ ପୁଣି ଥରେ ବଡ଼ଚଣାରୁ ପ୍ରାର୍ଥୀ ହୋଇଛନ୍ତି। ଚିଟ୍‌ ଫଣ୍ଡ ଦୁର୍ନୀତିରେ ଝାରପଡ଼ା ଜେଲ୍‌ରୁ ଜାମିନରେ ଫେରିଥିବା ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ବାଳଙ୍କ ସୁପାରିଶ କ୍ରମେ ସେମାନଙ୍କ ପୁଅମାନଙ୍କୁ ବିଜେଡି ପ୍ରାର୍ଥୀ କରାଯାଇଛି। ବେଇଆନ କ୍ରୋମ ଦୁର୍ନୀତି ଓ ଚିଟ୍‌ ଫଣ୍ଡ ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ରବୀନ୍ଦ୍ର ଜେନା ପୁଣି ଥରେ ବାଲେଶ୍ବର ଲୋକସଭା ଆସନରେ ନବୀନଙ୍କ ପସନ୍ଦର ପ୍ରାର୍ଥୀ ହୋଇଥିବାବେଳେ ନବକଳେବର ଭିତ୍ତିଭୂମି ଦୁର୍ନୀତି ଏବଂ ଗୁନ ସିଂହାରୀ ହତ୍ୟାକାଣ୍ଡରେ ଚର୍ଚ୍ଚିତ ମହେଶ୍ବର ମହାନ୍ତି ମଧ୍ୟ ନବୀନଙ୍କର ପ୍ରିୟ ଲୋକଭାବେ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି। ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିଲାବେଳେ ଅସ୍ତ୍ର ଦଲାଲମାନଙ୍କ ସଂପର୍କରେ ଥିବା ଚନ୍ଦ୍ରାସ୍ବାମୀଙ୍କ ଘନିଷ୍ଟ ପିନାକୀ ମିଶ୍ର ବି ପୁଣି ଥରେ ପୁରୀ ଆସନରେ ବିଜେଡି ପ୍ରାର୍ଥୀ। ଡାଲି ଦୁର୍ନୀତି ଅଭିଯୁକ୍ତ ପ୍ରମିଳା ମଲ୍ଲିକ ଓ ଏହି ଦୁର୍ନୀତିରେ ଭିଜିଲାନ୍ସ ନଜରରେ ପଡ଼ିଥିବା ପ୍ରତ୍ୟୁଷ ସାମଲଙ୍କ ବାପା ପ୍ରଫୁଲ୍ଲ ସାମଲ ବି ଦଳୀୟ ପ୍ରାର୍ଥୀ। ଗୁରୁପ୍ରିୟା, ଜାତମୁଣ୍ଡିଆ, ବମିଖାଲ, ଜଟଣୀ ଓ ସମ୍ବଲପୁର ଆଦି ପୋଲ ନିର୍ମାଣ ଦୁର୍ନୀତି ଓ ଦୁର୍ଘଟଣା ଆଦିରେ ବହୁ ଚର୍ଚ୍ଚିତ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କୁ ବି ନବୀନ ନିଜର ସାଥୀ ବାଛିଛନ୍ତି। ଭିଜିଲାନ୍ସ ମାମଲାରେ ଅଭିଯୁକ୍ତ ହୋଇ ନବୀନଙ୍କ ଆଶୀର୍ବାଦରୁ ଖସିଥିବା ପୂର୍ବତନ ପ୍ରାଶାସନିକ ଅଧିକାରୀ ରମେଶ ସାଏ ବି ବିଜେଡି ପ୍ରାର୍ଥୀ। ଏହିପରି ବହୁ ଦୁର୍ନୀତି ଅଭିଯୁକ୍ତ ଯୋଗାଣ ଅଧିକାରୀ ଏବଂ ଏସଟିଏସସି ବିଭାଗର ଅଧିକାରୀ ବି ନବୀନଙ୍କ କୃପା ଲାଭ କରି ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଠିକ ସେହିପରି ରାଜଧାନୀ ଓ ଏହାର ଆଖପାଖ ଅଂଚଳରେ ଜମି ଓ ରିୟଲ ଇଷ୍ଟେଟ୍‌ କାରବାର ନେଇ ବିବାଦରେ ଥିବା କେତେକ ନେତା ବିଜେଡି ଟିକଟ ପାଇଥିବାବେଳେ ବେଆଇନ ଖଣି କାରବାର ଓ ହିସାବ ବହିର୍ଭୂତ ଆୟ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନଜରରେ ଥିବା ସନାତନ ମହାକୁଡ଼ଙ୍କ ସୁପାରିଶରେ କେନ୍ଦୁଝର ଲୋକସଭା ଓ ଚମ୍ପୁଆ ବିଧାନସଭା ପ୍ରାର୍ଥୀ ବାଛିଛନ୍ତି ‘ନିର୍ମଳ’ ଭାବମୂର୍ତ୍ତି ସଂପନ୍ନ ନବୀନ ପଟ୍ଟନାୟକ। ଏହିପରି ଭାବେ ଖୋଜି ଚାଲିଲେ ବିଜେଡି ପ୍ରାର୍ଥୀ ତାଲିକାରେ ଅଧାରୁ ଅଧିକ ଏପରି ବିବାଦୀୟ, ଅଭିଯୁକ୍ତ ଓ ସନ୍ଦିଗ୍ଧ ନେତାଙ୍କ ନାମ ନଜରକୁ ଆସିବ। ଅନ୍ୟମାନଙ୍କ କଥା ଛାଡ଼, ନିଜେ ନବୀନ ପଟ୍ଟନାୟକ ମଧ୍ୟ କୋଇଲା ଦୁର୍ନୀତିରେ ସିବିଆଇ ଜେରାର ସମ୍ମୁଖୀନ ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଛି। ଅଥଚ ପ୍ରିୟଦର୍ଶୀ ମିଶ୍ର, ଡାକ୍ତର ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ, ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ପରି ପ୍ରା ଦୁଇ ଡଜନେ ଉପରେ ନେତା ନବୀନଙ୍କ ପସନ୍ଦର ନେତା ହୋଇପାରି ନାହାନ୍ତି।

Share :