ନବୀନଙ୍କ ଲାଭ ପାଇଁ ବୋଝ ମୁଣ୍ଡେଇବେ ଜନତା!

ନବୀନଙ୍କ ଲାଭ ପାଇଁ ବୋଝ ମୁଣ୍ଡେଇବେ ଜନତା!

Share :

ସ୍ବତନ୍ତ୍ର ପ୍ରତିନିଧି ବିଜୁ ଜନତା ଦଳ ଭିତରେ ରହିଥିବା ଓ ଦିନକୁ ଦିନ ଜୋର୍‌ରେ ବହୁଥିବା ଅସନ୍ତୋଷର ଝାଞ୍ଜି ପବନକୁ ମୁକାବିଲା କରିବା ପାଇଁ ନବୀନ ପଟ୍ଟନାୟକ ଯେଉଁ କୌଶଳ ପ୍ରୟୋଗ କରିଛନ୍ତି ତା’ ଫଳରେ ଓଡ଼ିଶାବାସୀଙ୍କ ଉପରେ ଆଉ ଏକ ମିନି ନିର୍ବାଚନର ବୋଝ ଲଦି ହେବା ନିଶ୍ଚିତସେଥିପାଇଁ ପୁଣି ଖର୍ଚ୍ଚ ହେବ ଓ ତାହା ବହନ କରିବେ ଓଡ଼ିଶାର ସାଧାରଣ ଜନତା। ସେମାନଙ୍କ ଟିକସ ଟଙ୍କାରେ ଏକାଧିକ ଆସନରେ ଉପନିର୍ବାଚନ ହେବା ଲଢ଼ାଯିବ। ନବୀନ ପଟ୍ଟନାୟକ ଏଥର ପାଞ୍ଚ ଜଣ ରାଜ୍ୟସଭା ସଦସ୍ୟଙ୍କୁ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ କରିଛନ୍ତି। ସେମାନେ ହେଲେ ସୌମ୍ୟ ରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ପ୍ରତାପ ଦେବ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ଅନୁଭବ ମହାନ୍ତି। ସୌମ୍ୟ ରଂଜନ ପଟ୍ଟନାୟକ ଖଣ୍ଡପଡ଼ାରେ ବିଧାନସଭା ପ୍ରାର୍ଥୀ ହୋଇଥିବାବେଳେ ଅଚ୍ୟୁତ ସାମନ୍ତ କନ୍ଧମାଳ ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ସେହିପରି ପ୍ରତାପ ଦେବ ଆଳିରେ ବିଧାନସଭା ପ୍ରାର୍ଥୀ ହୋଇଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଅନୁଭବ ମହାନ୍ତି ମଧ୍ୟ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଏହି ପାଞ୍ଚ ଜଣ ନେତାଙ୍କ ବିଜୟ ସମ୍ଭାବନାକୁ ବିଚାର କରି ଦଳ ପ୍ରାର୍ଥୀ କରିଛି ବୋଲି କୁହାଯାଉଛି। ଯଦି ଏହା ତେବେ ଖୁବଶୀଘ୍ର ଓଡ଼ିଶାରେ ପାଞ୍ଚଟି ଯାକ ରାଜ୍ୟସଭା ଆସନ ଖାଲି ହେବ ଓ ସେଥିପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। କାରଣ ନିୟମ ଅନୁଯାୟୀ ଏହି ନେତାମାନଙ୍କୁ ଯେକୌଣସି ଗୋଟିଏ ଆସନରୁ ଇସ୍ତଫା ଦେବାକୁ ହେବ। ଯଦି ବିଜୟୀ ନେତାମାନେ ରାଜ୍ୟସଭାରେ ରହିବାକୁ ଚାହିଁବେ ତେବେ ତିନିଟି ବିଧାନସଭା ଓ ଦୁଇଟି ଲୋକସଭା ଆସନରେ ପୁଣି ଥରେ ଭୋଟ ହେବା ନିଶ୍ଚିତ। ତେବେ ଦଳୀୟ ସୂତ୍ରରୁ ଯାହା ଜଣାପଡ଼ୁଛି ଏହି ନେତାମାନେ ଜିତିଲେ ରାଜ୍ୟସଭା ଆସନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସନ୍ନ ଆଚାର୍ଯ୍ୟ ଏବେ ରାଜ୍ୟସଭା ସଦସ୍ୟ ଅଛନ୍ତି। ଏହି ସଭାର ସଦସ୍ୟ ହିସାବରେ ସେ ଭାରତୀୟ ସଂସଦର ସଭ୍ୟ। ଯଦି ସେ ବରଗଡ଼ରୁ ଜିତିବେ ତେବେ ସେ ଭାରତୀୟ ସଂସଦର କନିଷ୍ଠ ସଦନ ଲୋକସଭାର ସଦସ୍ୟ ହେବେ। ଉଚ୍ଚ ସଦନର ଜଣେ ସଦସ୍ୟଙ୍କୁ କେଉଁ ଉଦ୍ଦେଶ୍ୟରେ ନବୀନବାବୁ ନିମ୍ନ ସଦନକୁ ପଠାଉଛନ୍ତି ତାହାର ଅର୍ଥ ଅସ୍ପଷ୍ଟ। ପ୍ରସନ୍ନବାବୁ ଜିତିଲେ ସଂସଦରେ ଖାଲି ଘର ବଦଳାଇବା କଥା। ଠିକ ସେହିପରି ଅନୁଭବ ମହାନ୍ତି। ସେ ମଧ୍ୟ ରାଜ୍ୟସଭାରୁ ଲୋକସଭାକୁ ଯିବେ। କାମ ଏକା। ଖାଲି ପ୍ରକୋଷ୍ଠ ଅଲଗା। ଅନ୍ୟତମ ରାଜ୍ୟସଭା ସଦସ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବ ବିଧାନସଭାକୁ ଆସିବେ। ରାଜ୍ୟସଭା ସଦସ୍ୟ ପଦଠାରୁ ବିଧାନସଭା ସଦସ୍ୟ ପଦର ମର୍ଯ୍ୟାଦା ଓ ବେତନାଦି ଯଥେଷ୍ଟ କମ୍‌ ହୋଇଥିଲେ ମଧ୍ୟ ସେମାନେ ନବୀନବାବୁଙ୍କ ପରବର୍ତ୍ତୀ ସରକାରରେ ମନ୍ତ୍ରୀ ହେବା ଆଶାରେ ଦିଲ୍ଲୀରୁ ଭୁବନେଶ୍ବରକୁ ବଦଳି ହେବାକୁ ଇଚ୍ଛା ପ୍ରକାଶ କରିଥାଇ ପାରନ୍ତି। ଯଦି ଏହି ନେତାମାନେ ବିଧାନସଭା ଓ ଲୋକସଭା ଆସନ ଜିତିଲା ପରେ ବି ରାଜ୍ୟସଭାରୁ ଇସ୍ତଫା ନଦେବେ ତେବେ ପୁଣି ଥରେ ସେହିସବୁ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଯଦି ସେମାନେ ରାଜ୍ୟସଭାରୁ ଇସ୍ତଫା ଦେବେ ତେବେ ସେଠାରେ ଓଡ଼ିଶାର ପାଂଚ ଆସନ ଖାଲି ହେବ। ସେଥିପାଇଁ ନିର୍ବାଚନ ଜରୁରୀ ହେବ। ସେହି ଖାଲି ଆସନ ପାଇଁ କାହାକୁ କାହାକୁ ପ୍ରାର୍ଥୀ କରିବାକୁ ନବୀନବାବୁ ପ୍ରତିଶ୍ରୁତି ଦେଇଥିବା ରାଜନୀତିକ ମହଲରେ ଚର୍ଚ୍ଚାରେ ଅଛି। ଦଳୀୟ ସୂତ୍ର ଅନୁସାରେ ଖାଲି ହେବାକୁ ଥିବା ଏହି ପାଂଚ ଆସନରେ ନବୀନବାବୁ ଅମର ପଟ୍ଟନାୟକ, ସୁବ୍ରତ ବାଗଚି, ପ୍ରସନ୍ନ ପାଟ୍ଟଶାଣୀ ଓ ଲୋକସଭା ନିର୍ବାଚନ ହାରିଲେ ଅରୂପ ପଟ୍ଟନାୟକଙ୍କୁ ଦିଲ୍ଲୀ ପଠାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏମାନଙ୍କ ସହିତ ଜଣେ ମହିଳାଙ୍କୁ ମଧ୍ୟ ସେ ରାଜ୍ୟସଭାକୁ ପଠାଇବାକୁ ମନସ୍ଥ କରିଥିବା ଶୁଣାଯାଉଛି। ତେବେ କିଏ ସେହି ମହିଳା ତାହା କେହି ଜାଣିନାହାନ୍ତି। ସେହିପରି ନିଜେ ନବୀନ ପଟ୍ଟନାୟକ ମଧ୍ୟ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ବାଧ୍ୟ। ଏବେ ସେ ହିଞ୍ଜିଳି ଓ ବିଜେପୁର ଦୁଇ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଯଦି ଦୁଇଟା ଯାକ ଜିତିଲେ ତେବେ କେଉଁ ଗୋଟାକରୁ ଇସ୍ତଫା ଦେବେ। ସେ ହିଞ୍ଜିଲି ଛାଡ଼ିଲେ ସେଠି ଉପନିର୍ବାଚନ ହେବ, ବିଜେପୁର ଛାଡ଼ିଲେ ସେଠି। ତେବେ ନିରପେକ୍ଷ ଭାବେ ବିଚାର କଲେ ନବୀନବାବୁଙ୍କର ଏହି କୌଶଳ ଯୋଗୁଁ ସର୍ବସାଧାରଣଙ୍କର ଟଙ୍କା ଅଯଥାରେ ଖର୍ଚ୍ଚ ହେବା ନିଶ୍ଚିତ। ଏହି ଅଯଥା ଖର୍ଚ୍ଚରେ କାହାର ଲାଭ? ଏଭଳି ଉପନିର୍ବାଚନ ହେଲେ କ’ଣ ଓଡ଼ିଆ ଚାଷୀଙ୍କ ବିଲକୁ ପାଣି ମାଡ଼ିବ? ନା ଓଡ଼ିଶା ଲୋକଙ୍କ ଗାଁରେ ଡାକ୍ତରଖାନା ହୋଇଯିବ? ନବୀନବାବୁଙ୍କର ଏପରି ରାଜନୀତିରେ ତାଙ୍କର ବ୍ୟକ୍ତିଗତ ରାଜନୀତିକ ସ୍ବାର୍ଥ ନିହିତ ଅଛି। ଅଥଚ ସେଥିପାଇଁ ସେ ଓଡ଼ିଶାବାସୀଙ୍କ ଉପରେ ଖର୍ଚ୍ଚର ବୋଝ ପକାଇ ଦେଇଛନ୍ତି।

Share :