ବିକାଶ ବିଲରେ ଟାଙ୍ଗରା ପଡ଼ିଛି ଟାଙ୍ଗରପଡ଼ା!

ବିକାଶ ବିଲରେ ଟାଙ୍ଗରା ପଡ଼ିଛି ଟାଙ୍ଗରପଡ଼ା!

ସତ୍ୟଜିତ ସାମନ୍ତରାୟ ଆଜି ଆଉ ରାଜାଙ୍କ ଶାସନ ନାହିଁ। ସେଇଥି ପାଇଁ ବୋଧହୁଏ ଯେଉଁମାନେ କେନ୍ଦୁଝରରେ ରାଜାଙ୍କ ଶାସନର ମୂଳଦୁଆ ପକାଇଥିଲେ ସେମାନଙ୍କର ବିକାଶ ହେଉନାହିଁ! କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଅନ୍ତର୍ଗତ କରଙ୍ଗାଡିହି ପଂଚାୟତର ଭୂୟାଁ ସମ୍ପ୍ରଦାୟର ଆଦିବାସୀ ବହୁଳ ଟାଙ୍ଗରପଡ଼ା ଗ୍ରାମରେ ଆଜିଯାଏ ହୋଇପାରିନି ବିକାଶର ସୂର୍ଯୋଦୟ। ବିକାଶ ହେବ ବା କେମିତି? ସେମାନଙ୍କ ହାତ ପାଆନ୍ତାରେ ଆଜି ଯାଏ ପ୍ରଶାସନ କୌଣସି ବି ମୌଳିକ ସୁବିଧା ଉପଲବ୍ଧ କରାଇପାରିନି। ସର୍ବନିମ୍ନ ସୁବିଧା ପାଇଁ ପଂଚାୟତରେ ପହଁଚିବାକୁ ହେଲେ ୨୦ କିମି ଯିବାକୁ ହୁଏ, ଦୁଇ ଦୁଇଟି ଗାଡି ପରିବର୍ତ୍ତନ କରି। ଗ୍ରାମରେ ବାସ କରନ୍ତି ପ୍ରୟ ୧୨୦୦ ଲୋକ। ଗାଁରେ ରହିଛି ୪ଟି ସାହି- ଡଙ୍ଗାପାଣି, ତେନ୍ତଳା, ଚଟିଡିହି ଓ ମଣ୍ଡପ ସାହି। ୧୪ ବର୍ଷ ବୟସ ଯାଏଁ ସମସ୍ତଙ୍କ ପାଇଁ ଶିକ୍ଷା ଏଠାରେ ସ୍ୱପ୍ନ। ଏଠାରେ ଥିବା ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ାଯାଏ। କିନ୍ତୁ ପାଠ ପଢାଇବା ପାଇଁ ଅଛନ୍ତି ସାତଟି ଶ୍ରେଣୀକୁ ୪ ଜଣ ଶିକ୍ଷକ। ସହର ମଧ୍ୟରେ ଧରା ଧରି କରି ଆବଶ୍ୟକତା ଠାରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଥିବା ବେଳେ ଏଠାରେ ମାତ୍ର ୪ ଜଣ ଶିକ୍ଷକରେ ସ୍କୁଲ ଚାଲେ। ସେମାନେ ଆସନ୍ତି ୧୦ କିମି ଦୂର କାଞ୍ଜିପାଣିରୁ। ଉଚ୍ଚ ଶିକ୍ଷା ପାଇଁ ପିଲାଙ୍କୁ ନିକଟସ୍ଥ କାଞ୍ଜିପାଣିକୁ ଯିବାକୁ ହୁଏ। କଲେଜ ପାଇଁ ଶୁଆକାଟୀ, ତେଲକୋଇ କିମ୍ୱା କେନ୍ଦୁଝର ଉପରେ ନିର୍ଭର କରିବାକୁ ପଡ଼େ। ଏହି ଗ୍ରାମରୁ ପିଲାଙ୍କୁ ନେଇ ଭରବନେଶ୍ୱରରେ କିସ୍ ପାଠ ପଢାଇ ଉଚ୍ଚ ଶିକ୍ଷିତ କରାଇ ପାରୁଥିବା ବେଳେ ସରକାରୀ ଶିକ୍ଷା ବ୍ୟବସ୍ଥା ଅଭାବରୁ ଏହି ଗ୍ରାମର ପିଲାମାନେ ଅଧାରୁ ପାଠ ଛାଡୁଥିବା ଲକ୍ଷ କରାଯାଏ। ଗ୍ରାମକୁ ଯିବାକୁ ହେଲେ ଘାଟୀ ରାସ୍ତା ଆଜି ଯାଏ ସୁଧୁରିଲା ନାହିଁ। ସବୁ ଗ୍ରାମକୁ ଗ୍ରାମ ଉନ୍ନୟନ ବିଭାଗ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କରାଉଥିବା ବେଳେ ଏହି ଗ୍ରାମକୁ ଭଲ ରାସ୍ତା କିମ୍ୱା ବସ ଚଳାଚଳ ନାହିଁ। ଓଡିଶା ସରକାରଙ୍କ ବିଜୁ ବସ ଏହି ଗ୍ରାମ ଦେଖିନାହିଁ। ଏହି ଗ୍ରାମରେ ପିଇବା ପାଣିର ସମସ୍ୟା ଖରା ବଢିବା ସହ ବଢିଥାଏ। ପଂଚାୟତର ଅନୁକମ୍ପାରୁ ହୋଇଥିବା ନଳକୂପ ସବୁ ଖରାଦିନେ ଜଳସ୍ତର କମିବା ଯୋଗୁ ଅଚଳ ହୋଇପଡେ। ଜିଲା ଖଣିଜ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚରେ ଜନସ୍ୱାସ୍ଥ୍ୟ ବିଭାଗ କରୁଥିବା ଉଚ୍ଚ କ୍ଷମତା ସଂପନ୍ନ ପାଣିଟାଙ୍କି ଏମାନଙ୍କ ପାଇଁ ସାତସପାନ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଗଲେ ଲୋକେ ୧୦ କିମି ଦୂର ଚାଲି ଚାଲି କାଞ୍ଜିପାଣିକୁ ଆସିଥାନ୍ତି। ଏଠାରେ ଅନେକ ସମୟରେ ଡାକ୍ତର ରହୁନଥିବାରୁ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆସିବାକୁ ପଡ଼େ। ଏହି ଗ୍ରାମରେ ଆଜି ଯାଏ ବିଜୁଳି ଖୁଣ୍ଟ ପଡ଼ିନି। କେନ୍ଦୁଝରର ବିକାଶରେ ଖର୍ଚ୍ଚ ପାଇଁ ପ୍ରତି ମାସରେ ଯୋଜନା ବୋର୍ଡ ବୈଠକ ବସୁଥିଲେ ବି ଏହି ଗ୍ରାମ ବିଷୟରେ କେବେ ଆଲୋଚନା ହେଉଥିବା ମନେ ହୁଏନାହିଁ। ପ୍ରଶାସନ ଏହି ପୁରାତନ ଭୂୟାଁ ସଂସ୍କୃତି ବିମଣ୍ଡିତ ଗ୍ରାମର ବିକାଶ ଦିଗରେ ଚିନ୍ତାକରି ଓ ପୁରୁଣାଦିନର ସଂସ୍କୃତିକୁ ସଇତି କରି ରଖିବାରେ ପ୍ରୟାସ କଲେ ଏହି ଗ୍ରାମର ଲୋକେ ହୁଏତ ବିକାଶର ସୂର୍ଯୋଦୟ ଦେଖିପାରିବେ।

Share :