ଗୋପାଳପୁରରେ ଲିଭିବ ବିଜେଡି ଦୀପ!

ଗୋପାଳପୁରରେ ଲିଭିବ ବିଜେଡି ଦୀପ!

Share :

ହେମାଙ୍ଗ ପ୍ରସାଦ ରାଉଳ ବିଧାନସଭା ନିର୍ବାଚନ କ୍ଷେତ୍ରରେ ଗଂଜାମର ବହୁଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଗୋପାଳପୁର ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି। ଏଠାକାର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ନେତାଙ୍କ ମଧ୍ୟରୁ ଜଣେ ହେଲେ ଶାସକ ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଗଂଜାମ ଜିଲ୍ଲା ସଭାପତି ଡ. ପ୍ରଦୀପ ପାଣିଗ୍ରାହୀ। ଅନ୍ୟ ଜଣକ ହେଲେ ଭାରତୀୟ ଜନତା ପାର୍ଟିର ଜନପ୍ରିୟ ଟାଣୁଆ ନେତା ତଥା ଧୂରୀଣ ସଂଗଠକ ବିଭୂତି ଭୂଷଣ ଜେନା। ଭାଜପା ପ୍ରାର୍ଥୀ ବିଭୂତି ଜେନା ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ଦୁଇଥର ଲଢ଼େଇ କରି ପରାସ୍ତ ହୋଇଥିଲେ। ତେବେ ୨୦୧୯ ବିଧାନସଭା ନିର୍ବାଚନରେ ତାଙ୍କର ସ୍ୱପ୍ନକୁ ସାକାର ହେବାର ସମ୍ଭାବନା ଅଧିକ। କାରଣ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତି ଅଂଚଳବାସୀଙ୍କର ରହିଥିବା ଚାପା ଅସନ୍ତୋଷ। ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବ୍ରହ୍ମପୁର, କୁକୁଡ଼ାଖଣ୍ଡି, ଗୋପାଳପୁର, ଗୋଳନ୍ଥରା ଓ ରଙ୍ଗେଇଲୁଣ୍ଡା ଆଦି ଅଂଚଳ ଅନ୍ତର୍ଭୁକ୍ତ। ଏହି ଅଂଚଳରେ ଅଧିକାଂଶ ଭୋଟର ବିଗତ ଦୁଇ ଦଶନ୍ଧି ଭିତରେ ଯେଉଁ ଶ୍ରଦ୍ଧା ଓ ସମ୍ମାନର ସହ ପ୍ରଦୀପ ପାଣିଗ୍ରାହୀଙ୍କୁ ଜନପ୍ରତିନିଧି ଭାବରେ ବାଛିଥିଲେ ସେଇ ଶ୍ରଦ୍ଧା ଓ ସମ୍ମାନକୁ ଗୋଡ଼ରେ ଏଡ଼ାଇ ଦେଇ ସାଧାରଣ ଜନତାଙ୍କ ସ୍ୱରକୁ ହେୟ ଜ୍ଞାନ କରିଛନ୍ତି। ଏପରିକି ଅନେକଙ୍କ ମୁହଁରୁ ଶୁଣିବାକୁ ମିଳୁଛି ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟବହାର ଓ କଥାବର୍ତ୍ତା ଅନେକଙ୍କୁ ବାଧିଛି। ସାଧାରଣତଃ ଜନପ୍ରତିନିଧି ଜନତା ଜନାର୍ଦ୍ଦନଙ୍କ ସୁଖଦୁଃଖର ସାଥୀ ହେବା କଥା। କିନ୍ତୁ ଜନତା ଯଦି ଜନପ୍ରତିନିଧିର କଟୁ ବ୍ୟବହାରର ଶରବ୍ୟ ହେବେ କହିବେ କାହାକୁ? ସଂପ୍ରତି ଗୋପାଳପୁର ନିର୍ବାଚନ ମଣ୍ଡଳୀର ନିର୍ବାଚନ ମାହୋଲରେ ବିଧାୟକଙ୍କ ଫଟୋ, ପୋଷ୍ଟର ଓ ଚିଠା ଧରି କିଛି ମହିଳା ଦୁଆର ଦୁଆର ବୁଲି ଶଂଖ ଚିହ୍ନରେ ଭୋଟ ଦେବାକୁ କହୁଥିବା ସହ ଗୋଟିଏ ଫର୍ମ ଧରି ବୁଲୁଥିଲେ। ସେଇ ଫର୍ମରେ କାଳିଆ ଯୋଜନାର କଥା ଓ ପିଠା, କଥା ବଖାଣି ଲୋକଙ୍କ ମତ ଆଦାୟ କରୁଥିଲେ। ଏପରିକି କିଛି ମହିଳା ପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଆସିଛୁ କହିବା ପରେ ଲୋଚାପଡ଼ା ଅଂଚଳରେ କିଛି ବାସିନ୍ଦା ପ୍ରତିବାଦ କରି କହିଥିଲେ ଯେ କେଉଁ ଅଧିକାରୀ ଏପରି ପ୍ରୋତ୍ସାହନ ଦେଉଛି? ଏହା ଶୁଣିବା ପରେ ଦୌଡ଼ି ପଳାଇଥିଲେ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିଧାୟକ ଓ ସ୍ଥାନୀୟ ପ୍ରଶାସନିକ କିଛି ଅସାଧୁ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଭୋଟରମାନଙ୍କୁ ପ୍ରଭାବିତ କରାଯାଇଛି। ଏହା ସୋସିଆଲ୍ ମିଡ଼ିଆରେ ମଧ୍ୟ ଭାଇରାଲ୍ ହେବା ସହ ଅଂଚଳର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିର୍ବାଚନ ସମୟରେ କଳ ବଳ କୌଶଳ ଖଟାଇ ତୃତୀୟବାର ବିଧାନସଭାକୁ ଫେରିବାର ଉତ୍କଳ ପ୍ରବଳ ରଖିଥିବା ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ବିଭୂତି ଜେନା କଡ଼ା ଟକ୍କର କେବଳ ଦେବେନି ବରଂ ସେ ଏଇ ନିର୍ବାଚନରେ ବିଜୟ ପାଇଁ ମୋଦିଙ୍କ ବିଚାରକୁ ନେଇ ଘରେ ଘରେ ପହଞ୍ଚାଇ ଭୋଟ ଭିକ୍ଷା କରୁଛନ୍ତି। ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ତାଙ୍କର ଅଟଳ ଯୁବ ବାହିନୀର ହଜାର ହଜାର ଯୁବକ ମୋଦିଜୀଙ୍କ ସୁଶାସନ ଓ ବିଚାରକୁ ନେଇ ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ଚିଟ୍‌ ଫଣ୍ଡ ଟଙ୍କାର ହଡ଼ପକାରୀଙ୍କୁ ଏଇ ନିର୍ବାଚନରେ ସଠିକ ଜବାବ ଦେବାକୁ କହି ବିଭୂତି ଜେନା ଭୋଟ ମାଗୁଛନ୍ତି। ସଂପ୍ରତି ମୋ ଗାଁ ମୋ ବିକାଶର ଚିତ୍ର ପ୍ରାୟତଃ ବିଫଳ ହୋଇଛି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ। ପାନୀୟ ଜଳ ସଂକଟ ତୀବ୍ର ରୂପ ଧାରଣ କରିଥିବାବେଳେ ବ୍ରହ୍ମପୁର ସଂଲଗ୍ନ ଅଂଚଳ ଯାହା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେଇ ଅଂଚଳକୁ ବାତ୍ୟା ପରେ ଆଲୋକୀକରଣ ଏବଂ ଡ୍ରେନ ସହ ପାନୀୟ ଜଳ ମୁନ୍ଦାଏ ସହଜ ଉପଲବ୍ଧ ହୋଇପାରିନି। ନିର୍ବାଚନ ସମୟରେ ବିଧାୟକଙ୍କ ତତ୍ପରତା ପ୍ରକାଶ ପାଇବା ସ୍ୱାଭାବିକ। କିନ୍ତୁ ଏହା ପୂର୍ବରୁ ସେ କେବଳ ପ୍ରତି ସାହିରେ ଦୁଇ ତିନୋଟି ନାମଫଳକ ଭିତ୍ତିପ୍ରସ୍ତର ସ୍ଥାପନ କରିଦେଇ ନିରୁଦ୍ଦିଷ୍ଟ। ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ ନେଇ ରାଜ୍ୟବାସୀ ଉତ୍କଣ୍ଠାର ଅନ୍ୟ ଏକ କାରଣ। ଏହି ଅଂଚଳ ଭାରତ ପର୍ଯ୍ୟଟନ ଶିଳ୍ପର ଏକ ସୁପରିଚିତ ନାମ। କିନ୍ତୁ ଡ. ପ୍ରଦୀପ ପାଣିଗ୍ରାହୀ ବିଚ୍‌ ଫେଷ୍ଟିବାଲ୍‌କୁ ଛାଡ଼ିଦେଲେ ଗୋପାଳପୁର ପର୍ଯ୍ୟଟନ ବିକାଶରେ କୌଣସି ଆଖି ଦୃଶିଆ ପଦକ୍ଷେପ ନେବାର ନଜିର ନାହିଁ। ବିଭୂତି ଜେନା ଭାରତ ସରକାରଙ୍କ ଫଳପ୍ରସୂ ଯୋଜନାକୁ ନେଇ ଭୋଟ ଭିକ୍ଷା କରୁଥିବାବେଳେ ପ୍ରଦୀପ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବସୁଧା, କାଳିଆ, ପିଠାକୁ କଥା କହି ବୁଲୁଛନ୍ତି। କିନ୍ତୁ ନିର୍ବାଚନ ମଣ୍ଡଳୀର ଜନତା ବଡ଼ ଚତୁର। ନେତା ଦ୍ୱୟ ସାତ ହୁଅନ୍ତି କି ସତର, ଲଢ଼େଇ କିନ୍ତୁ ଜବରଦସ୍ତ ଢଂଗରେ ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

Share :