ବିଜୁ ଜନତା ଦଳ ପ୍ରାଇଭେଟ ଲିମିଟେଡ଼!

ବିଜୁ ଜନତା ଦଳ ପ୍ରାଇଭେଟ ଲିମିଟେଡ଼!

Share :

ସ୍ବତନ୍ତ୍ର ପ୍ରତିନିଧି ୨୦୧୯ ମାର୍ଚ୍ଚ ୩୦ ତାରିଖ ଅପରାହ୍ନରେ ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ରଘୁନାଥ ମହାନ୍ତି ତାଙ୍କ ପଦରୁ ଇସ୍ତଫା ଦେଲେ। ଓଡ଼ିଶା ସରକାରଙ୍କ ଅଧୀନସ୍ତ ଏହି ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ରଘୁନାଥ ମହାନ୍ତି ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀ ବା ବିଭାଗୀୟ ମନ୍ତ୍ରୀଙ୍କୁ ତାଙ୍କର ଇସ୍ତଫାପତ୍ର ଦେଇ ନଥିଲେ। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବେସରକାରୀ ବାସଭବନ ନବୀନ ନିବାସକୁ ଯାଇଥିଲେ। ସେଇଠି ସେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କଲେ ବୋଲି ଘୋଷଣା କଲେ। ନବୀନବାବୁ ମୁଖ୍ୟମନ୍ତ୍ରୀ ସତ କିନ୍ତୁ ନବୀନ ନିବାସ ତ ଓଡ଼ିଶା ସରକାରଙ୍କ ଠିକଣା ନୁହେଁ! ତଥାପି କାହିଁକି କେଜାଣି ମନ୍ତ୍ରୀ ଓ ଅଫିସରମାନେ ନବୀନ ନିବାସରେ ଯାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥାନ୍ତି। ଅବଶ୍ୟ ଅନେକ ସରକାରୀ ଘୋଷଣା ସଚିବାଳୟରୁ ହୋଇଥାଏ। ତେବେ ନବୀନ ନିବାସ ହିଁ ସରକାରଙ୍କ ସ୍ଥାୟୀ ଠିକଣା ବୋଲି ଏକ ବାର୍ତ୍ତା ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଆଚରଣ ମାଧ୍ୟମରେ ପ୍ରସାର ପ୍ରଚାର କରାଇଛନ୍ତି। ଏବେ ନିର୍ବାଚନ ଋତୁ। ଦଳର ପ୍ରାର୍ଥୀ ହେବାକୁ କେତେ ଲୋକ ଆବେଦନ କରୁଛନ୍ତି, ସମସ୍ତେ ନବୀନ ନିବାସ ଆଗରେ ଧାଡ଼ିବାନ୍ଧି ଘଣ୍ଟାଘଣ୍ଟା ଅପେକ୍ଷା କରୁଛନ୍ତି। ଦଳରେ କିଏ କିଏ ନୂଆ ନେତା ଆସି ମିଶୁଛନ୍ତି। ନବୀନ ନିବାସରେ ସଭାପତି ନବୀନ ପଟ୍ଟନାୟକ ହିଁ ଏହା ଘୋଷଣା କରୁଛନ୍ତି ଓ ସେଇଠି ଗଣମାଧ୍ୟମକୁ ଫଟୋ ପୋଜ୍‌ ଦିଆଯାଉଛି। ପ୍ରାର୍ଥୀ ଚୟନ ହେଉଛି ସେଇଠି, ତାଲିକା ଘୋଷଣା ବି ହେଉଛି ସେଇଠି। ସତେକି ଯେମିତି ନବୀନ ନିବାସ ହିଁ ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ! ଯଦିଓ ଦଳର ମୁଖ୍ୟ କାର୍ଯ୍ୟାଳୟ ପାଇଁ ସରକାରଙ୍କ ତରଫରୁ ୟୁନି ୬ ମେଡିକାଲ ନିକଟରେ ଏକ ବିଶାଳ ସରକାରୀ କ୍ବାର୍ଟର ଯୋଗାଇ ଦିଆଯାଇଛି। ଏ ନିର୍ବାଚନ ସମୟରେ ମଧ୍ୟ ସେହି କାର୍ଯ୍ୟାଳୟ ଖାଁ ଖାଁ, କାଉ ଉଡ଼ୁନି ସେଠି। ସତ କଥା ହେଉଛି, ନବୀନ ନିବାସର ମାଲିକ ଓଡ଼ିଶା ସରକାର ନୁହନ୍ତି କି ବିଜୁ ଜନତା ଦଳ ନୁହେଁ। ଏହା ଏକ ଘରୋଇ ଠିକଣା। ଦୁଇ ଏକରରୁ ଅଧିକ ଜମି ଉପରେ ପ୍ରତିଷ୍ଠିତ ନବୀନ ନିବାସର ଦୁଇ ତୃତୀୟାଂଶ ମାଲିକାନା ନବୀନ ପଟ୍ଟନାୟକଙ୍କ ନାମରେ ଅଛି। ବାକି ଏକ ତୃତୀୟାଂଶର ମାଲିକାନା ତାଙ୍କ ଭାଇ ପ୍ରେମ ପଟ୍ଟନାୟକଙ୍କ ନାମରେ। ଏଭଳି ଏକ ଘରୋଇ କୋଠାରେ ଓଡ଼ିଶାର ପ୍ରାଦେଶିକ ସରକାର ବା ସେହି ସରକାର ଦାୟିତ୍ବରେ ଥିବା ବିଜୁ ଜନତା ଦଳର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ବହୁ ପୂର୍ବରୁ ଏକ ବିତର୍କିତ ବିଷୟ ହୋଇ ରହିଆସିଛି। ପ୍ରଦେଶ କଂଗ୍ରେସର ଯାହା କିଛି ନୀତି ଓ ନିଷ୍ପତ୍ତି ଗ୍ରହଣ କରାଯାଏ ତାହା ମାଷ୍ଟରକ୍ୟାଣ୍ଟିନ ସ୍ଥିତ କଂଗ୍ରେସ ଭବନରେ, ସଭାପତି ନିରଂଜନ ପଟ୍ଟନାୟକଙ୍କ ଘରେ ନୁହେଁ। ସେହିପରି ରାଜ୍ୟ ବିଜେପିର ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ରାମ ମନ୍ଦିର ସନ୍ନିକଟ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଗ୍ରହଣ କରାଯାଏ, ନେତା ଧର୍ମେନ୍ଦ୍ର ପ୍ରଧାନ କି ସଭାପତି ବସନ୍ତ ପଣ୍ଡାଙ୍କ ଘରେ ନୁହେଁ। ନବୀନ ନିବାସକୁ ବିଜୁ ଜନତା ଦଳ ଓ ରାଜ୍ୟ ସରକାରଙ୍କ ମୁଖ୍ୟ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯିବା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ ନୁହେଁ। ନବୀନ ନିବାସର ପ୍ରତିଷ୍ଠାତା ବିଜୁ ପଟ୍ଟନାୟକ ମଧ୍ୟ ତାଙ୍କ ଜୀବଦ୍ଦଶାରେ ନବୀନ ନିବାସରେ ଦଳ ଓ ସରକାରୀ କାର୍ଯ୍ୟ କରୁ ନଥିଲେ। ସେ ନିୟମିତ ଜନତା ଦଳ ଅଫିସକୁ ଯାଉଥିଲେ ଓ ସେଇଠି ସବୁ ନିଷ୍ପତ୍ତି ଘୋଷଣା କରୁଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ଥିଲାବେଳେ ସବୁ ସରକାରୀ ନିଷ୍ପତ୍ତି ସଚିବାଳୟରେ ଚୂଡ଼ାନ୍ତ ହେଉଥିଲା। ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧିରେ ଖାସ ନବୀନ ପଟ୍ଟନାୟକଙ୍କ ଯୋଗୁଁ ନବୀନ ନିବାସ ଓଡ଼ିଶା ସରକାର ଓ ଶାସକ ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ଭାବେ ବ୍ୟବହୃତ ହୋଇଚାଲିଛି। ନବୀନ ନିବାସରୁ ଦଳ ଓ ସରକାର ସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଉଥିବାରୁ ରାଜ୍ୟ ସରକାର ଏକ ଘରୋଇ ସଂସ୍ଥା ଭଳି କାର୍ଯ୍ୟକରୁଛି। ଏତେ ବଡ଼ ନିର୍ବାଚନ ଲଢ଼ୁଛି ବିଜେଡି, ଏହାର କାର୍ଯ୍ୟକାରୀ କମିଟି ବସିଛି? ନିର୍ବାଚନ କମିଟି ବସିଛି? ପ୍ରାର୍ଥୀ ଚୟନ କମିଟି ବୋଲି କିଛି ଅଛି? ଇସ୍ତାହାର କମିଟି ବୋଲି ଯାହା ଗଠିତ ହୋଇଛି ତାହାର ବୈଠକ କେଉଁଠି ବସିଛି? ଅଧିକନ୍ତୁ ବିଜେଡି ସଂସଦୀୟ ଦଳର ଅନେକ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହୋଇଛି, ସାଂସଦମାନେ ସେଇଠି ବସି ସବୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅବଶ୍ୟ ସାଂସଦମାନେ ନିଷ୍ପତ୍ତି ଗ୍ରହଣ କରନ୍ତି କି ସେମାନଙ୍କୁ ନିଷ୍ପତ୍ତି ଶୁଣାଇ ଦିଆଯାଏ, ତାହା ସେମାନେ ହୃଦୟଙ୍ଗମ କରିଥିବେ। ସରକାରରେ ମଧ୍ୟ ଏଇ ଅଭିଯୋଗ ଉଠି ଆସିଛି। ନବୀନ ପଟ୍ଟନାୟକଙ୍କ ଅମଳରେ କେବେ ବି କୌଣସି କ୍ୟାବିନେଟ ବୈଠକରେ କୌଣସି ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ହୁଏ ନାହିଁ। କ୍ୟାବିନେଟ ମନ୍ତ୍ରୀମାନେ ଖାଲି ସଂକଳ୍ପପତ୍ର ବା ଆଜେଣ୍ଡାରେ ଦସ୍ତଖତ କରି ଫେରନ୍ତି। କୌଣସି ମନ୍ତ୍ରୀ ସେମାନଙ୍କ ବିଭାଗର କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରନ୍ତି ନାହିଁ କି ଘୋଷଣା ମଧ୍ୟ କରନ୍ତି ନାହିଁ। ସତେ କି ତାହା ଏକ ଅପରାଧ! ଏ ଦୁଇ ଦଶନ୍ଧି ଭିତରେ ସରକାରର ପ୍ରାୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଘୋଷଣା କରିଛନ୍ତି। ସଚିବାଳୟ କିରାଣୀଙ୍କ ନିଯୁକ୍ତି ଓ ବଦଳିଠାରୁ ଆରମ୍ଭ କରି ଦ୍ବିତୀୟ ଓ ପ୍ରଥମ ଶ୍ରେଣୀର ଅଫିସରଙ୍କ ପର୍ଯ୍ୟନ୍ତ ସବୁ କିଛି ନିଯୁକ୍ତି ଓ ବଦଳିର କ୍ଷମତା ହଡ଼ପ କରିନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ କେବଳ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା ମୁଖ୍ୟମନ୍ତ୍ରୀଙ୍କଠାରେ ନ୍ୟସ୍ତ ଥିଲା। ଅନ୍ୟ ସବୁ ବର୍ଗର କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି କ୍ଷମତା ବିଭାଗୀୟ ମନ୍ତ୍ରୀଙ୍କଠାରେ ନ୍ୟସ୍ତ ଥିଲା। ନବୀନବାବୁଙ୍କ ସମୟରେ ସେ ବ୍ୟବସ୍ଥା ଆଉ ନାହିଁ। ନବୀନବାବୁଙ୍କ ସମୟରେ ଅଧିକାଂଶ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦୁର୍ବଳ ମନ୍ତ୍ରୀ ଓ ଶକ୍ତିଶାଳୀ ସଚିବ ନିଯୁକ୍ତ କରି ତୃତୀୟ ମହଲା ଜରିଆରେ ସବୁକିଛି ନିୟନ୍ତ୍ରଣ କରାଯାଇଛି। ଏବଂ ତୃତୀୟ ମହଲାର ସବୁ ନିଷ୍ପତ୍ତି ମୂଳରେ ଜଣେ ଅଧିକାରୀ। ସେହି ଅଧିକାରୀ ନବୀନ ନିବାସରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ବିଜେଡି ଶାସନରେ ଏ ଧାରା ଏତେ ପୁରୁଣା ଯେ ପ୍ରାୟ ଦଶ ବର୍ଷ ତଳେ ‘ଓଡ଼ିଶା ସରକାର, ନବୀନ ନିବାସ’ ବୋଲି ଏକ ନାରା ଉଠିଥିଲା। ସେତେବେଳେ ବିରୋଧୀ ନେତାମାନେ ଅଭିଯୋଗ କରୁଥିଲେ ଯେ ବିଜୁ ଜନତା ଦଳ ହେଉଛି ଏକ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ। ଏହି କମ୍ପାନୀର ଅଧ୍ୟକ୍ଷ ହେଲେ ପ୍ରେମ ପଟ୍ଟନାୟକ। ନବୀନ ପଟ୍ଟନାୟକ ହେଲେ ଏହାର ପରିଚାଳନା ନିର୍ଦ୍ଦେଶକ। ଓଡ଼ିଶାର ମୁଖ୍ୟ ଶାସନ ସଚିବ ଏହି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ବା ସିଇଓ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସମାଲୋଚନା କରାଯାଉଥିଲା। ଏବେ ବି ଅଭିଯୋଗ ହେଉଛି ଯେ ରାଜ୍ୟର ଆଇଏଏସ ଓ ଆଇପିଏସ ଅଫିସରମାନେ ବିଜୁ ଜନତା ଦଳର ପଦାଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି।

Share :