ବାଲି ଲୁଟ୍‌ ଯୋଗୁଁ ହଦ ପାଲଟିବ କୋଣାର୍କ!

ବାଲି ଲୁଟ୍‌ ଯୋଗୁଁ ହଦ ପାଲଟିବ କୋଣାର୍କ!

Share :

ଅଜିତ କୁମାର କୋଣାର୍କର ହେଲିପ୍ୟାଡ୍ ସଂଲଗ୍ନ ଅଞ୍ଚଳ, ଚନ୍ଦ୍ରଭାଗା ନିକଟସ୍ଥ ଜଙ୍ଗଲ, କୋଣାର୍କ-ପୁରୀ ବେଳାମର୍ଗ, ଭଗବତୀ ମନ୍ଦିର ନିକଟସ୍ଥ ଜଙ୍ଗଲ ମଧ୍ୟରେ ଥିବା ସମତଳ ଅଞ୍ଚଳରୁ ପ୍ରତ୍ୟହ ଟ୍ରାକ୍ଟର ଯୋଗେ ଲକ୍ଷଲକ୍ଷ ଟଙ୍କାର ବାଲି ଚୋରା ଚାଲାଣ ହେଉଛି। ବର୍ଷେ ବର୍ଷ ଧରି ହେଲିପ୍ୟାଡ଼ ଚନ୍ଦ୍ରଭାଗା ଓ ଭଗବତୀ ମନ୍ଦିର ପଛପଟେ ଥିବା ସରକାରୀ ଜଙ୍ଗଲ ଜମିରୁ ବାଲି ଖୋଳାଯାଇ ଶହ ଶହ ଟ୍ରିପ୍ ବାଲି ବୁହା ଚାଲିଛି। ଅବାଧରେ ବାଲିବୁହା ହେଉଥିବା ଯୋଗଁୁ ଏଅଞ୍ଚଳ ଏବେ ହ୍ରଦରେ ପରିଣତ ହୋଇ ଗଲଣି। ଭବିଷ୍ୟତରେ ଏ ଅଞ୍ଚଳରେ କୌଣସି ନିର୍ମାଣ କାର୍ଯ୍ୟ କରାଗଲେ ଅନ୍ୟ ଅଞ୍ଚଳରୁ ବାଲି ଅଣାଯାଇ ଏଠାରେ ସୃଷ୍ଟି ହୋଇଥିବା ଖାଲ ସବୁ ପୋତିବାକୁ ପଡିବ। ସରକାରଙ୍କ ମାଲିକାନାରେ ଥିବା ଏହି ସବୁ ଅଞ୍ଚଳରୁ ବାଲି ଉଠାଣ ଫଳରେ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଉଛନ୍ତି। ଏଠାରେ ବିଭିନ୍ନ ନିର୍ମାଣ କାର୍ଯ୍ୟନିମନ୍ତେ ରାଜସ୍ୱ ବିଭାଗର ବିନା ଅନୁମତିରେ ଶହ ଶହ ଟ୍ରିପ ବାଲି ଉଠାଣ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଯେଉଁମାନେ ରୟାଲିଟି କାଟୁଛନ୍ତି ସେମାନେ ନିର୍ଦ୍ଧାରୀତ ଟ୍ରିପରୁ ଅଧିକ ଟ୍ରିପ ବାଲି ଉଠାଇ ଅଧିକ ଲାଭାନ୍ୱିତ ହେଉଥିବା ବେଳେ ରାଜସ୍ୱ ବିଭାଗର ସିଂହଭାଗ ରାଜସ୍ୱ ହରିଲୁଟ ହେବାରେ ଲାଗିଛି। ରାଜସ୍ୱ ବିଭାଗର କେତେକ ଅସାଧୁ କର୍ମଚାରୀ ଓ ଦଲାଲଙ୍କ ପକେଟକୁ ମୋଟା ଅଙ୍କର ଫାଇଦା ଯାଉଛି। ପ୍ରଶାସନର ଦୃଷ୍ଟି ଆଢୁଆଳରେ ଚାଲିଥିବା ଏହି ବେନିୟମ କାର୍ଯ୍ୟକୁ ସ୍ଥାନୀୟ କିଛି କୁଜି ନେତା, ଟ୍ରାକ୍ଟର ମାଲିକ ଓ ଦଲାଲ ସହାୟତାରେ ପ୍ରତ୍ୟେକ ଦିନ ଶତାଧିକ ଟ୍ରିପ୍ ବାଲି ଚୋରାରେ ବିକ୍ରୀ କରାଯାଉଛି। ଟ୍ରାକ୍ଟରରେ ବାଲିଘୋଡା ହୋଇ ଯାଉ ନ ଥିବାରୁ ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କ ଆଖିରେ ବାଲି ପଡି ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ତତ୍ ସହିତ ପରିବେଶ ପ୍ରଦୂଷଣ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରେ ହେଉଥିବା ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟରେ ଏହି ଲୁଣି ବାଲି ବ୍ୟବହାର ହେଉଥିବାରୁ ଏହାର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଚୋରା ବାଲି ଚାଲାଣ ସମ୍ପର୍କରେ ବାରମ୍ୱାର ଅଭିଯୋଗ କରାଗଲେ ମଧ୍ୟ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଭଗବତୀ ପୀଠ, ହେଲିପ୍ୟାଡ୍ ଓ ଚନ୍ଦ୍ରଭାଗା ନିକଟସ୍ଥ ଅଞ୍ଚଳରୁ ପ୍ରତ୍ୟେହ ବାଲି ଚାଲାଣ ହୋଇ କୃତ୍ରିିମ ହଦ୍ର ସୃଷ୍ଟି ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଜାଣିନପାରିବା ପରିତାପର ବିଷୟ। ଚନ୍ଦ୍ରଭାଗା ସମୁଦ୍ର କୂଳରେ ଥିବା ଲୁଣି ବାଲି ମଧ୍ୟ ବାଲି ମାଫିଆଙ୍କ କବ୍ଜାରୁ ବାଦ୍ ପଡିନାହଁ। ରାଜସ୍ୱ ବିଭାଗର ରାଜସ୍ୱ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କୋଣାର୍କ ତଥା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ରାଜସ୍ୱ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସ୍ୱାର୍ଥବାଦୀ ନୀତି ଯୋଗଁୁ ରାଜସ୍ୱ ବିଭାଗର ସିଂହ ଭାଗ ରାଜସ୍ୱ କ୍ଷତି ହେବାରେ ଲଗିଛି। ନିଜ ସ୍ୱାର୍ଥ ସାଧନ ପାଇଁ ଉକ୍ତ ବିଭାଗର କର୍ମଚାରୀମାନେ ଆଖିବୁଜି ଦେଇଥିବା ବେଳେ ଗୋପ ଓ କୋଣାର୍କ ତହସିଲ ଅଧିନରେ ଥିବା ବାଲିବନ୍ତ ଗୁଡିକୁ ରାଜସ୍ୱ ବିଭାଗ ପକ୍ଷରୁ କୌଣସି ଆଖିଦୃଶ୍ୟା ପଦକ୍ଷପ ନିଆଯାଉ ନ ଥିବାରୁ ଦୈନିକ ଟ୍ରାକ୍ଟର ମାଧ୍ୟମରେ ଶହ ଶହ ଟ୍ରିପ ବାଲି ଚୋରାରେ ଚାଲାଣ କରାଯାଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ କଛି ଅସାଧୁ କର୍ମଚାରୀ ନିଜର ବ୍ୟକ୍ତିଗତ ଫାଇଦା ହାସଲ କରି ରାଜସ୍ୱ କ୍ଷତି କରୁଥିବା ବାଲିମାଫିଆଙ୍କୁ ପରୋକ୍ଷରେ ସହଯୋଗ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଚୋରା ବାଲି ଚାଲାଣକୁ ବନ୍ଦକରିବା ସହିତ ଏହାର ତଦନ୍ତ କରାଯାଇ ମାଫିଆମାନଙ୍କ ସହିତ ହାତ ମିଳାଇ ରାଜକୋଷ ଲୁଟ୍ କରିଥିବା ଅସାଧୁ ରାଜସ୍ୱ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋଣାର୍କକୁ ବାଲି ମାଫିଆଙ୍କ କବଳରୁ ଉଦ୍ଧାର କରିବା ପାଇଁ ସାଧାରଣରେ ଦାବି ହେଉଛି। ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କରୁ ଖୁଲମଖୁଲ ବାଲି ଚାଲାଣ ଯୋଗୁଁ ପରିବେଶ ଅସନ୍ତୁଳିତ ହେବା ନେଇ ପରିବେଶବିତମାନେ ଉଦବେଗ ପ୍ରକାଶ କରିଛନ୍ତି।

Share :