ମୋଦି ମାଗିଲେ ଡବଲ ଇଞ୍ଜିନ ସରକାର

ମୋଦି ମାଗିଲେ ଡବଲ ଇଞ୍ଜିନ ସରକାର

Share :

ରାଜନୀତିକ ସମ୍ବାଦଦାତା ଓଡିଶା ଓ କେନ୍ଦ୍ରରେ ବିଜେପିର ଡବଲ ଇଞ୍ଜନ ଲଗାଇବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ଓଡିଶା ତଥା ଭାରତର ଉନ୍ନତି ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହ ଓଡିଶା ସରକାର ଉପରେ ମନଖୋଲି ବର୍ଷିଛନ୍ତି। ଶତ୍ରୁ ପାକିସ୍ତାନ ଘର ଭିତରେ ପଶି ଆତଙ୍କବାଦୀଙ୍କୁ ନିପାତ କରିବା ଭଳି ଦୃଢ ସରକାର ନା ଲାଙ୍ଗୁଡ ଜାକି ଘରେ ଲୁଚି ରହିବା ଭଳି ଦୁର୍ବଳ ସରକାର ମଧ୍ୟରେ ଓଡିଶାବାସୀ ଦୃଢ ସରକାର ପାଇଁ ମତ ଦେବେ ବୋଲି ସେ ଦୃଢ ନିଶ୍ଚିତ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। କୋରାପୁଟ ଜିଲ୍ଲା ଜୟପୁରରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସାଧାରଣ ଜନତାଙ୍କ ଆଶୀର୍ବାଦ ନେବା ପାଇଁ ଚୌକିଦାର ଆପଣଙ୍କ ପାଖକୁ ଆସିଛି। ୨୦୧୪ରେ ଯେତେବେଳେ ଓଡିଶା ଆସିଥିଲି ନିଷ୍ଠା ସହ ଜନତାଙ୍କ ସେବା କରିବି ବୋଲି କହିଥିଲି। ପ୍ରଧାନସେବକ ଭଳି ଏକ ଚେଷ୍ଟା ରହିଛି କି କୌଣସି ନାଗରିକଙ୍କର କିଛି ଅଭାବ ରହିବନି। ଦେଶ ତଥା ଓଡିଶାର ସାଧାରଣ ଜନତା ଯେଭଳି ଭାବେ ମୋତେ ସମର୍ଥନ କରିଛନ୍ତି, ଦିଗ ଦେଖାଇଛନ୍ତି, ବିରୋଧୀଙ୍କ ମୁକାବିଲା କରିଛନ୍ତି ଏଥିପାଇଁ ସେ ସାଧାରଣ ଜନତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡିଶାର ଜନତା କଂଗ୍ରେସ ଓ ବିଜେଡିକୁ ବିକାଶ ପାଇଁ ଯଥେଷ୍ଟ ସମୟ ଦେଇଛନ୍ତି। ମାତ୍ର ଉଭୟ କଂଗ୍ରେସ ଓ ବିଜେଡି ଓଡିଶାର ସାଧାରଣ ଜନତାଙ୍କ ଭରସା ଭାଙ୍ଗିଛନ୍ତି। ଏଥିପାଇଁ ଦଣ୍ଡ ମିଳିବା ଦରକାର। ରାଜ୍ୟ ସରକାର ହଟିବା ଦରକାର। ଯେଉଁ ସରକାର ନକ୍ସଲ ହିଂସା ନିୟନ୍ତ୍ରଣ କରିପାରୁ ନାହାନ୍ତି ତାଙ୍କୁ ଦଣ୍ଡ ମିଳିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଚିଟ ଫଣ୍ଡ ଘୋଟାଲାରେ ସଂପୃକ୍ତ ଦଳ ଓଡିଶାର ଭଲ କରିପାରିବେ କି? କୋରାପୁଟ, ରାୟଗଡା ଆଦିବାସୀ ଅଂଚଳରେ ଆଦିବାସୀଙ୍କ ସମ୍ପତ୍ତି ଲୁଟୁଥିବା ଖଣି ମାଫିଆ ଓଡିଶାକୁ ମଜବୁତ କରିପାରିବେ କି? ଯେଉଁ ରାଜ୍ୟରେ ନାବାଳିକା ଅସୁରକ୍ଷିତ, ଅପରାଧୀଙ୍କୁ ଦଣ୍ଡ ଦେବାରେ ଅସମର୍ଥ, ନାରୀଙ୍କ ପ୍ରତି ହେଉଥିବା ହେଇଥିବା ହିଂସାରେ ନ୍ୟାୟ ଦେଇପାରୁନଥିବା ସରକାର ଓଡିଶାକୁ ମଜବୁତ କରିପାରିବ କି ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଓଡିଶାରେ ଯାହା ଅଛି, ସାରା ଦେଶରେ କେଉଁଠି ନାହିଁ। ଓଡିଶା ପ୍ରାକୃତିକ ସମ୍ପଦରେ ଧନୀ କିନ୍ତୁ ଲୋକ ଗରିବ। ଏଠାରେ ଶାସନ ଚଲାଉଥିବା ଲୋକ ଓଡିଶାକୁ ଗରିବୀ ହିଁ ଦେଇଛନ୍ତି। ଓଡିଶାରେ ଦଲାଲ ଫାଇଦା ନେଉଥିବା ବେଳେ ସାଧାରଣ ଲୋକ ମୁଣ୍ଡ ପିଟିପିଟି କାନ୍ଦୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଆୟୁଷ୍ମାନ ଯୋଜନାରେ ଗରିବ ଲୋକଙ୍କୁ ପରିବାର ପିଛା ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ମାତ୍ର ଓଡିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ନେଇ ଯାହା ଚାଲିଛି ସମସ୍ତେ ଜାଣିଛନ୍ତି। ଓଡିଶାର ଗରିବ ଆଦିବାସୀ ପରିବାରକୁ ସ୍ୱାସ୍ଥ୍ୟ ସୁବିଧା ମିଳୁନି। ଗରିବ କେମିତି ବଂଚୁଛି, ଓଡିଶା ସରକାର ଦେଖିବାକୁ ଚାହୁଁନାହିଁ। ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର ୧୨ କୋଟି ଚାଷୀଙ୍କୁ ସିଧାସଳଖ ଟଙ୍କା ଦିଆଯାଉଛି। କିନ୍ତୁ ଏଥିମଧ୍ୟରୁ ଜଣେ ବି ଓଡିଶାର ଚାଷୀ ନାହାଁନ୍ତି। ଓଡିଶାରେ ରାଜନୈତିକ କାରଣରୁ ଏଥିରେ ବାଧା ଉପୁଜିଛି। ଚାଷୀଙ୍କ ତାଲିକା ଓଡିଶା ସରକାର ପଠାଇନଥିବା ବେଳେ ନିଜ ଯୋଜନାରେ ମିଛ ହିତାଧିକାରୀଙ୍କୁ ସୁଯୋଗ ମିଳୁଛିା ଡିଏମଏଫରେ ଓଡିଶାକୁ ପ୍ରାୟ ୬ ହଜାର କୋଟି ଟଙ୍କା ମିଳିଛି। ମାତ୍ର ଏଥିରୁ ଗରିବ ଅଧିବାସୀଙ୍କ ଭଲ ପାଇଁ କେବଳ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବଳକା ସାଢେ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇନାହିଁ। ତେଣୁ ଏ ସରକାରକୁ ବଦଳେଇବା ଦରକାର ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଓଡିଶାର ଜନସାଧାରଣଙ୍କ ଗୁରୁତ୍ୱ କଥା ଚିନ୍ତା କରିଥିଲେ ଓଡିଶା ସରକାର ଦ୍ୱାରା ବିକାଶ ହୋଇପାରନ୍ତା। ରାଜ୍ୟରେ ଗରିବ ଏବଂ ଆଦିବାସୀଙ୍କ ନାମରେ ଯୋଜନା ହେଉଛି କିନ୍ତୁ ସୁଫଳ ମିଳୁନାହିଁ। କାରଣ, ଏଠାରେ କେନ୍ଦ୍ର ସହ କାନ୍ଧ ମିଳାଇ ଚାଲିପାରୁଥିବା ବିଜେପି ସରକାର ନାହିଁ। ଏହା ଓଡିଶାବାସୀ ଭଲ ଭାବେ ଜାଣନ୍ତି। ଓଡିଶା ବିକାଶରେ ପଛରେ ପଡିଛି। କୋରାପୁଟରେ ଏପରି ଘଟଣା ଦେଶ ଦେଖିଛି କି ମୃତ୍ୟୁ ପରେ ମଧ୍ୟ ଲୋକ ଅପମାନିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ୮ ଲକ୍ଷ ଗରିବଙ୍କୁ ଘର ମିଳିଛି। ଉଜ୍ଜ୍ୱଳା ଯୋଜନାରେ ୪୦ ଲକ୍ଷ ଘରେ ଗ୍ୟାସ ପହଁଚିଛି। ୩୦୦୦ ଗ୍ରାମରେ ଅନ୍ଧାର ହଟିଛି। ୨୪ ଲକ୍ଷ ଘରରେ ବିଜୁଳି ମାଗଣାରେ ପହଁଚିଛି। ଏଥିପାଇଁ ଓଡିଶାବାସୀଙ୍କ ପ୍ରେରଣା ରହିଛି। ଏହି ସଫଳତା ପଛରେ ଓଡିଶାବାସୀଙ୍କ ସମର୍ଥନ ରହିଛି। ୫ ବର୍ଷର ସଫଳତାର ଶ୍ରେୟ ଭାରତ ତଥା ଓଡିଶାର ଜନତା, ମତଦାତା ବୋଲି ସେ କହିଛନ୍ତି। ସେହିପରି ଏପର୍ଯ୍ୟନ୍ତ ଦେଶରେ ବିକାଶସ୍ୱରୂପ ବଚାଇଙ୍କୁ ପଢାଇ, ବୁଜୁର୍ଗଙ୍କୁ ଦବାଇ, ଯୁବାଓ କୋ କମାଇ, କିଷାନଙ୍କୁ ସିଂଚାଇ ଏବଂ ଜନଜନ୍ କି ସୁନାଇ ପାଇଁ ସେ ପୂରା ପ୍ରୟାସ କରିଛନ୍ତି। ଗତ ୫ ବର୍ଷରେ ବନ ଉତ୍ପାଦରେ ସମର୍ଥକ ମୂଲ୍ୟ ତିନିଥର ବୃଦ୍ଧି ପାଇଛି। ପୂର୍ବରୁ ମାତ୍ର ୧୦ଟି ବନଜାତ ଉପରେ ଏମଏସପି ମିଳୁଥିଲା। ଏବେ ଏହା ଶହେରେ ପହଁଚିଛି। ଓଡିଶାର ବିକାଶ ପାଇଁ ରାସ୍ତା, ରେଳ, ଗ୍ୟାସ ସମସ୍ତ ଉଦ୍ୟୋଗ ସହ ଜଡିତ କାମ ହୋଇଛି। ରେଳବାଇରେ ଏଠାରେ ଅଦ୍ଭୁତପୂର୍ବ କାମ ହୋଇଛି। ରାୟଗଡାରେ ରେଳ ଡିଭିଜନ ହୋଇଛି, ନବରଙ୍ଗପୁର- ମାଲକାନଗିରି ରେଳଲାଇନରେ ବିସ୍ତାର ହୋଇଛି। ଏଥିପାଇଁ ଅର୍ଥର କିଛି ଅଭାବ ନହେବା ପାଇଁ ଧ୍ୟାନ ରଖାଯାଇଛି। ମହିଳା, ଯୁବକଙ୍କୁ ରୋଜଗାର ମିଳିଛି। ମୁଦ୍ରା ଯୋଜନାରେ ସଶକ୍ତ କରାଯାଇଛି। ପୂର୍ବରୁ ଓଡିଶା ଏପରି ଏକ ଐତିହାସିକ ଉପଲବ୍ଧିର ସାକ୍ଷୀ ରହିଛି ଯେ ସାରା ବିଶ୍ୱକୁ ଭାରତର ସାମର୍ଥ୍ୟ ସହ ପରିଚିତ କରିଛି। ଅନ୍ତରୀକ୍ଷରେ ଭାରତ ସଫଳ ହୋଇଛି। ଦେଶର ବୈଜ୍ଞାନିକଙ୍କୁ ସଫଳତା ମିଳିଛି। ଏଥିପାଇଁ ଓଡିଶାର ଭୂମିରୁ ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେଇଥିଲେ ମୋଦି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବିରୋଧୀମାନେ ସେନା, ବୈଜ୍ଞାନିକଙ୍କୁ ନୀଚା ଦେଖାଇବାର ପ୍ରୟାସ କରୁଛନ୍ତି। ୬୦ ଦଶକରୁ ଗରିବଙ୍କୁ ଧୋକ୍କା ଦେଉଥିବା ଲୋକ ଦେଶର ବୈଜ୍ଞାନିକ, ସେନା ସାମର୍ଥ୍ୟକୁ ନିନ୍ଦା କରୁଛନ୍ତି। ଏମାନଙ୍କୁ ଦଣ୍ଡ ମିଳିବା ଦରକାର। ଭାରତ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କଲେ ବିରୋଧୀ ଏହାର ପ୍ରମାଣ ମାଗୁଛନ୍ତି। ଗୋଟିଏ ମାସ ହୋଇଗଲା ପାକିସ୍ତାନ ଶବ ଗଣୁଛି କିନ୍ତୁ ବିରୋଧୀ ଏହାର ପ୍ରମାଣ ମାଗୁଛନ୍ତି। ଭୋଟ ଦେବା ପାଇଁ ଗଲାବେଳେ ଆତଙ୍କବାଦୀଙ୍କୁ ଆକ୍ରମଣ କରିଥିବା ସରକାର ଦରକାର ନା ସେମାନଙ୍କୁ ଡରୁଥିବା ସରକାର। କେନ୍ଦ୍ରରେ ନିର୍ଣ୍ଣାୟକ ସରକାର ଦରକାର ନା ନାରାବାଜି ସରକାର ଦରକାର ବୋଲି ସାଧାରଣ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ସେ ଆହ୍ୱାନ କରିଛନ୍ତି। ମୋଦି ଆହୁରି କହିଛନ୍ତି ଯେ ୨୦୧୯ ନିର୍ବାଚନ ସାଂସଦ ଏବଂ ବିଧାୟକ ନିର୍ବାଚନ ନୁହେଁ, ଏହା କେନ୍ଦ୍ର ଏବଂ ରାଜ୍ୟରେ ବିକାଶର ଡବଲ ଇଂଜିନ ଲଗାଉଥିବା ନିର୍ବାଚନ। ଏହା ୫ ବର୍ଷରେ ମଜବୁତ ଓଡିଶା ଗଠନରେ ସହାୟକ ହେବ। ଭାରତୀୟ ଜନତା ପାର୍ଟିର ସରକାର ନଥିବାରୁ ଓଡିଶାରେ ବିକାଶ ହେଇପାରୁନାହିଁ। ଭାରତୀୟ ଜନତା ପାର୍ଟି ସରକାର ଆସିଲେ ପୂର୍ବ ଭାରତ, ଭାରତ, ଓଡିଶା ମଜଭୁତ ହେବ। ଚୌକିଦାର ଓଡିଶାକୁ ମଜବୁତ କରିପାରିବ। ଓଡିଶା ଯୁବକ,କୃଷକ, ମହିଳା ଆଗକୁ ବଢିଲେ ରାଜ୍ୟରେ ମଜବୁତ ସରକାର ହେବ। ଓଡିଶାରେ ପରିବର୍ତନ ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଏବଂ ପ୍ରବକ୍ତା ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବରିଷ୍ଠ ନେତା ବିଜୟ ମହାପାତ୍ର, ନବରଙ୍ଗପୁର ସାସଂଦ ପ୍ରାର୍ଥୀ ବଳଭଦ୍ର ମାଝୀ, କୋରାପୁଟ ସାସଂଦ ପ୍ରାର୍ଥୀ ଜୟରାମ ପାଙ୍ଗୀଙ୍କ ସମେତ ସମସ୍ତ ଲୋକସଭା ଅଧୀନରେ ଥିବା ସମସ୍ତ ବିଧାୟକ ପ୍ରାର୍ଥୀ ଏବଂ ଜିଲ୍ଲା ସଭାପତିମାନେ ଉପସ୍ଥିତ ଥିଲେ।

Share :