କେତେ ଜମି ବିକିଲେଣି ନବୀନବାବୁ?

କେତେ ଜମି ବିକିଲେଣି ନବୀନବାବୁ?

Share :

ସ୍ବତନ୍ତ୍ର ପ୍ରତିନିଧି ବିଜୁ ପଟ୍ଟନାୟକ ପୁଅ। ପିଲା ସଂସାର କରିନି। ତା’ର ପୁଣି ଟଙ୍କା କ’ଣ ହେବ? ସେ କାହିଁକି ଦୁର୍ନୀତି କରିବ? ଏମିତି ଗୋଟେ ଧାରଣା ଲୋକଙ୍କ ମନରେ ବସାବାନ୍ଧି ଯାଇଛି, ବୁଢ଼ିଆଣୀ ଜାଲ ପରି। ବିଶ୍ବାସ କରିବା, ଲୋକଙ୍କ ବିଶ୍ବାସ ଶତକଡ଼ା ଶହେ ସତ। ତେବେ ନିର୍ବାଚନ ଲଢ଼ିବାକୁ ନବୀନବାବୁ ଟଙ୍କା କେଉଁଠୁ ଆଣନ୍ତି? ମୁଖ୍ୟମନ୍ତ୍ରୀ ଭାବେ ସେ ଯେମିତି ଲୋକଙ୍କୁ ଭିକାରୀ ଭାବି ଆହାରାଦି ଯୋଜନା କରିଛନ୍ତି ଶିଳ୍ପପତିମାନେ କ’ଣ ଠିକ ସେମିତି ତାଙ୍କୁ ଭିକାରୀ ଭାବି ବିନା ଆଶାରେ ଟଙ୍କା ଯାଚି ଦଉଛନ୍ତି? ୨୦୧୯ ନିର୍ବାଚନରେ ଓଡ଼ିଶାର ଯେଉଁ ୫.୪୫ ଲକ୍ଷ ନୂଆ ଭୋଟର ଭୋଟଦେବେ ନବୀନ ପଟ୍ଟନାୟକ ରାଜନୀତିକୁ ଆସିବା ସମୟରେ ସେମାନେ ଜନ୍ମ ହୋଇନଥିଲେ। ସେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବା ସମୟରେ ମଧ୍ୟ ସେମାନେ ଜନ୍ମ ହୋଇନଥିବେ। ଇତିମଧ୍ୟରେ ବିତିଗଲାଣି ପ୍ରାୟ ଦୁଇ ଦଶନ୍ଧି। ନୂଆ ଯୁବକ ଓ ଯୁବତୀମାନେ ନବୀନବାବୁଙ୍କ ବିଷୟରେ କିଛି ଜାଣି ନଥିବେ। ଯାହା ଜାଣିଥିବେ ବିଜେଡି ନେତା ଓ କର୍ମୀଙ୍କଠାରୁ ଶୁଣି। ସେମାନେ ଯାହା କହୁଥିବେ ତାହାର ବି ଆଧାର କ’ଣ? ଶୁଣାକଥା! ଯେମିତି ବିଜୁବାବୁ ପ୍ରବାଦ ପୁରୁଷ! ନବୀନବାବୁ ରାଜନୀତିରେ ଯୋଗଦେବା ପରେ ୬ଟି ଲୋକସଭା ନିର୍ବାଚନ ଏବଂ ୫ଟି ବିଧାନସଭା ନିର୍ବାଚନ ଲଢ଼ିଲେଣି। ଲୋକସଭା ନିର୍ବାଚନର ବର୍ଷଗୁଡ଼ିକ ହେଲା ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯। ସେହିପରି ବିଧାନସଭା ନିର୍ବାଚନ ବର୍ଷଗୁଡ଼ିକ ହେଲା ୨୦୦୦, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯। ଏହି ସମୟ ମଧ୍ୟରେ ୨୦୦୨, ୨୦୦୭, ୨୦୧୨ ଓ ୨୦୧୭- ଏମିତିରେ ଚାରିଟି ପଂଚାୟତିରାଜ ନିର୍ବାଚନରେ ମଧ୍ୟ ତାଙ୍କ ଦଳ ଲଢ଼େଇ କରିଛି। ସେତିକି ପୌର ନିର୍ବାଚନରେ ବି ବିଜେଡି ପ୍ରାର୍ଥୀ ଦେଇଛି। ପୁଣି କଲେଜ ନିର୍ବାଚନ, ବର୍ଷକୁ ଥରେ। ଏହି ନିର୍ବାଚନଗୁଡ଼ିକୁ ଛାଡ଼ିଦେଲେ ବି ବିଜେଡିର କାର୍ଯ୍ୟକ୍ରମ ପ୍ରାୟ ବର୍ଷ ସାରା ଲାଗି ରହିଛି। ଏସବୁ ନିର୍ବାଚନ ଓ ରାଜନୀତିକ ସଭାସମିତି ଆୟୋଜନରେ ଟଙ୍କା ଖର୍ଚ୍ଚ ହୁଏ। ବରଂ ଆଗରୁ କମ୍‌ ଖର୍ଚ୍ଚ ହେଉଥିଲା, ନବୀନବାବୁଙ୍କ ବଦାନ୍ୟତା ଯୋଗୁଁ ତାହା ବଢ଼ି ଯାଇଛି। ଆଗରୁ ଯେଉଁ ରାଜନୀତିକ କାମ ପାଇଁ ଲକ୍ଷେ ଲାଗୁଥିଲା ୟାଙ୍କ ଅମଳରେ ସେଥିପାଇଁ ଦଶ ଲକ୍ଷ ଖର୍ଚ୍ଚ ହେଲେ ବି ପରବାୟ ନାହିଁ! ସେଥିପାଇଁ ପଂଚାୟତ ନିର୍ବାଚନରେ ଶାସକ ଦଳର ପ୍ରାର୍ଥୀମାନେ ୫-୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କଲେଣି। ଏମାନଙ୍କ ଦେଖାଦେଖି ବିରୋଧୀ ଓ ସ୍ବାଧୀନ ପ୍ରାର୍ଥୀମାନେ ବି ଲକ୍ଷଲକ୍ଷ ଉଡ଼େଇଲେଣି। ଏସବୁ ବଦଖର୍ଚ୍ଚର ଉଦ୍ଦେଶ୍ୟ କ’ଣ ଜନସେବା? ମଦମାଉଁସ ଖାଇ କିଏ କେଉଁ ପ୍ରକାର ଜନସେବା କରେ? ଭୋଟରଙ୍କ ଭିତରୁ ଯେଉଁମାନେ ଏହା ପୂର୍ବରୁ ଓଡ଼ିଶାର ସବୁଠୁଁ ଦୁର୍ନୀତିଗ୍ରସ୍ତ ସରକାର ସମୟରେ ଭୋଟ ଦେଇଥିବେ ସେମାନେ ଜାଣିଥିବେ ଭୋଟ ଦେବାକୁ ଭୋଟରଙ୍କୁ କେବେ କେହି କେତେ ଟଙ୍କା ନଗଦ ଦିଏ! ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରକୁ ଆଗରୁ ସବୁଠୁଁ ଦୁର୍ନୀତିଗ୍ରସ୍ତ ସରକାର କୁହାଯାଉଥିଲା। ତାଙ୍କ ସମୟରେ ମଧ୍ୟ ନିର୍ବାଚନ ଏତେ ବ୍ୟୟବହୁଳ ହୋଇନଥିଲା ଯାହା ଏଇ ଦୁଇ ଦଶନ୍ଧିରେ ହୋଇଛି। ଏ ଟଙ୍କା କେଉଁଠୁ ଆସୁଛି? ୨୦୧୪ ନିର୍ବାଚନରେ ଭୋଟ ପିଛା ୨ ହଜାର ଟଙ୍କା ଲାଗିଥିଲା। ଏଥର ଭୋଟ ପିଛା ୫-୭ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ଶୁଣିବାକୁ ମିଳୁଛି। ଏ ଟଙ୍କା ଦଉଛି କିଏ? ଲୋକ ବୁଝିବାକୁ କିଛି ଚାନ୍ଦା ଦେଉଥିବେ ଠିକାଦାର। ସେ ଭଲା କାହିଁକି ବିନା ଲାଭରେ ଏଭଳି ପୂଣ୍ୟ କରିବେ? ଟଙ୍କାକ କାମରୁ ୩୦ ପଇସା ଲାଭ ନପାଇଲେ ସେ କ’ଣ ଘରବାଡ଼ି ବିକି ନେତାଙ୍କୁ ଚାନ୍ଦା ଦେବେ? ଆଉ ଦିଅନ୍ତି ଅଫିସର? ସେ ବି କ’ଣ ଦରମା ଟଙ୍କା ଚାନ୍ଦା ଦିଅନ୍ତି? ଦରମା ଟଙ୍କାରୁ ଯେଉଁ ଚାନ୍ଦା ଦିଆଯାଏ ତାହା ପୂଜା ଚାନ୍ଦା, ନିର୍ବାଚନୀ ଚାନ୍ଦା ନୁହେଁ। ନିର୍ବାଚନୀ ଚାନ୍ଦା ଦେଉଥିବା ଅଫିସରମାନେ ଦୁର୍ନୀତି ଉପାୟରେ କୋଟିକୋଟି ଟଙ୍କା ଜମେଇଥାନ୍ତି। ଏ ବର୍ଗର ଅଫିସରମାନେ ଶାସକ ଦଳର ପ୍ରାର୍ଥୀଙ୍କୁ ହିଁ ଅଧିକ ଦେଇଥାନ୍ତି। ନହେଲେ, ବଦଳି ଓ ଭିଜିଲାନ୍ସର ଭୟ। ଶିଳ୍ପପତି ଓ ବ୍ୟବସାୟୀମାନେ ନିର୍ବାଚନୀ ଚାନ୍ଦା ଦେଇଥାନ୍ତି। ସେମାନେ ବି କ’ଣ ବିନା ଲାଭରେ ନେତାଙ୍କୁ ଚାନ୍ଦା ଦେଇ ଜନସେବା କରନ୍ତି? ଟଙ୍କାଏ ଚାନ୍ଦା ଦେଲେ ଦି’ ଟଙ୍କା ଲାଭ ଉଠେଇବା ବ୍ୟବସାୟୀଙ୍କ ଉଦ୍ଦେଶ୍ୟ। ନବୀନବାବୁଙ୍କ ଦଳ ଏହି କୋଡ଼ିଏ ବର୍ଷ ଭିତରେ ଯେତେ ନିର୍ବାଚନ ଲଢ଼ିଛି ସେ ବାବଦ ଖର୍ଚ୍ଚର ମୋଟ ପରିମାଣ କେତେ ହୋଇଥିବ? ନିୟମ ଅନୁସାରେ ରାଜନୀତିକ ଦଳଗୁଡ଼ିକ ପ୍ରତିବର୍ଷ ନିର୍ବାଚନ କମିଶନଙ୍କ ନିକଟରେ ଆୟବ୍ୟୟର ତାଲିକା ଦାଖଲ କରିବା କଥା। ନବୀନବାବୁଙ୍କ ଦଳ ସେଥିରେ ଖିଲାଫି କରିଛି। ଦଳୀୟ ୱେବସାଇଟ୍‌ରେ ବିଜେଡିର ଆୟବ୍ୟୟ ହିସାବ ଦିଆଯାଇ ନାହିଁ। ନିର୍ବାଚନ କମିଶନଙ୍କ ନିକଟରେ ବି ପ୍ରତିବର୍ଷ ହିସାବ ଦାଖଲ ହୋଇନି। ପ୍ରାର୍ଥୀମାନଙ୍କର ଖର୍ଚ୍ଚସୀମା ଥିଲେ ବି ବାସ୍ତବରେ ତା’ଠାରୁ କାହିଁ କେତେ ଗୁଣରେ ପ୍ରଚାର ଓ ପ୍ରଲୋଭନ ଖର୍ଚ୍ଚ ଅଧିକ ହୋଇଥାଏ। ଏହା କେବଳ ବିଜେଡି କରେନି, ସବୁ ଦଳ କରନ୍ତି। ତେବେ ବିଜେଡି ଯେଉଁ ଖର୍ଚ୍ଚ କରେ ତାହା କେଉଁଠୁ ଆସେ? ସେ ବାବଦରେ ନବୀନବାବୁଙ୍କ ସରକାର ଚାନ୍ଦାଦାତାମାନଙ୍କୁ କ’ଣ ଦିଅନ୍ତି? ଜନତା ଟଙ୍କା ନେଇ ଦେଉଥିବା ‘ଆଶୀର୍ବାଦ’ ଓ ନେତା ଟଙ୍କା ନେଇ ଦେଉଥିବା ‘ଆଶୀର୍ବାଦ’ ଭିତରେ କେତେ ଗୁଣ ଫରକ? ନବୀନବାବୁଙ୍କ ସରକାର ସମୟରେ ଦୁର୍ନୀତିର ଅନେକ ଅଭିଯୋଗ ଉଠିଛି। ଛଅ ଲକ୍ଷ କୋଟି ଟଙ୍କାର ବେଆଇନ ଖଣି କାରବାର, ଲକ୍ଷେ କୋଟି ଟଙ୍କାର ବେଆଇନ ବାଲି ଚାଲାଣ, ୨ ଲକ୍ଷ କୋଟି ଟଙ୍କାର ଅନ୍ୟାନ୍ୟ ଲଘୁ ଖଣିଜ ଦ୍ରବ୍ୟ ଚୋରା କାରବାର, ୪୦ ହଜାର କୋଟି ଟଙ୍କାର ଚିଟ୍‌ ଫଣ୍ଟ ଦୁର୍ନୀତି, ୮୦୦ କୋଟି ଟଙ୍କାର ଡାଲି ଦୁର୍ନୀତି, ୭୦୦ କୋଟି ଟଙ୍କାର ଏମଜିଏନଆରଇଜିଏ ଦୁର୍ନୀତି, ପ୍ରାୟ ୫୦୦ କୋଟି ଟଙ୍କାର ସେତୁ ନିର୍ମାଣ ଦୁର୍ନୀତି, ୧୦୦ କୋଟି ଟଙ୍କାର ପୁଲିସ ପୋଷାକ କିଣା ଦୁର୍ନୀତି, ୨୩୦୦ କୋଟି ଟଙ୍କାର ସ୍କୁଲ ଆସବାବପତ୍ର କିଣା ଦୁର୍ନୀତି, ଅନ୍ୟୁନ ୩୦ ହଜାର କୋଟି ଟଙ୍କାର ପାଣି ପଂଚାୟତ ଦୁର୍ନୀତି- ଏ ତାଲିକା ଏମିତି ଅନେକ ଲମ୍ବା। ସବୁ ଦୁର୍ନୀତି ହିସାବ କଲେ ନବୀନବାବୁଙ୍କ ସମୟରେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଉଠିଛି। ଏହି ଦୁର୍ନୀତିର ଦଶ ପ୍ରତିଶତ ଯଦି ନେତାଙ୍କ ପାଖକୁ ଯାଇଥିବ ତେବେ ତାହା ୧ ଲକ୍ଷ କୋଟି ଟଙ୍କା ହେବ। ଏହି ସମୟ ମଧ୍ୟରେ ନବୀନବାବୁଙ୍କ ସହିତ ରହିଥିବା ନେତା ଓ ଅଫିସରମାନଙ୍କର ସଂପତ୍ତି କେତେଗୁଣ ବଢ଼ିଛି? ନବୀନବାବୁଙ୍କ ସତ୍ୟପାଠ ଅନୁଯାୟୀ ଗଲା ୫ ବର୍ଷରେ ତାଙ୍କ ସଂପତ୍ତିର ମୂଲ୍ୟ ୫ ଗୁଣ ବୃଦ୍ଧି ପାଇଛି। ଏ ହିସାବ କେତେ ସ୍ବଚ୍ଛ ତାହା ଲୋକେ ବି ହିସାବ କରିପାରିବେ। ଭୁବନେଶ୍ବର ବିମାନବନ୍ଦର ନିକଟରେ ୨ ଏକର ଜମି ଉପରେ ତିଆରି ହୋଇଛି ବିଶାଳ ଅଟ୍ଟାଳିକା ନବୀନ ନିବାସ। ଏହାର ଦାମ ମାତ୍ର ୯.୫ କୋଟି ଟଙ୍କା ହିସାବ କରାଯାଇଛି। ସେହିପରି ଦିଲ୍ଲୀ ଏପିଜେ ଅବ୍ଦୁଲ କାଲାମ ରୋଡ଼ରେ ଥିବା ୧୧୧୧ ବର୍ଗ ମିଟର ଜମିରେ ଥିବା ଘରର ଦାମ ୪୩ କୋଟି ଟଙ୍କା ହିସାବ କରାଯାଇଛି। ଏହି ଅବମୂଲ୍ୟାୟନ ଜରିଆରେ ନବୀନବାବୁଙ୍କ ସଂପତ୍ତିର ପ୍ରକୃତ ମୂଲ୍ୟକୁ କମାଇ ଦିଆଯାଇଛି। ତା’ଛଡ଼ା ଅନ୍ୟ ସବୁ ନେତାଙ୍କ ଭଳି ସେ କେବଳ ତାଙ୍କ ସଂପତ୍ତି କଥା କହିଛନ୍ତି। ଅନ୍ୟମାନଙ୍କର ପତ୍ନୀ ଥିବାରୁ ପତ୍ନୀଙ୍କ ସଂପତ୍ତି ହିସାବ ଦେଇଥାନ୍ତି। ନବୀନବାବୁ ଅବିବାହିତ। ତେବେ ତାଙ୍କ ଭାଇ, ଭଉଣୀ ଓ ପୁତୁରା ଝିଆରୀ ଅଛନ୍ତି। ସେମାନଙ୍କ ପାଇଁ ସେ କ’ଣ କିଛି କରି ନଥିବେ? ନବୀନବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ଭାଇ ପେମ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟ୍ଟାଙ୍କର ସଂପତ୍ତି ପରିମାଣ ବଢ଼ିଛି ନା ନାହିଁ। ତାଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ଆୟସୂତ୍ର କ’ଣ? ତାଙ୍କ ସଂପତ୍ତି ପରିମାଣ କେତେ? ନବୀନବାବୁ ରାଜନୀତିରେ ପ୍ରବେଶ କରିବା ପରଠୁଁ ପ୍ରେମବାବୁ କେତେକ କମ୍ପାନୀ ଗଢ଼ିଲେଣି? କେତେ କମ୍ପାନୀ ବନ୍ଦ କଲେଣି? ତାଙ୍କ ପରିବାରର ଅଂଶୀଦାରିରେ ଚାଲିଥିବା କମ୍ପାନୀଗୁଡ଼ିକ କ’ଣ ଉତ୍ପାଦନ କରନ୍ତି? କ’ଣ ବିପଣନ କରନ୍ତି? ଏସବୁ ବିଷୟରେ ଓଡ଼ିଶାର ଲୋକେ କିଛି ଜାଣନ୍ତି କି? ବିଜୁବାବୁଙ୍କ ଭକ୍ତମାନେ ଗୋଟେ କଥା ସଫଳତାର ସହିତ ପ୍ରଚାର କରାଇଛନ୍ତି ଯେ ସେ କୋଟିପତିରୁ କୋଠିହୀନ ହୋଇଛନ୍ତି। ୧୯୮୯-୯୦ ନିର୍ବାଚନ ସମୟରେ ତାଙ୍କର ଦିଲ୍ଲୀଘରର ଗୋଟିଏ ଅଂଶ ସେ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ନିର୍ବାଚନ ଖର୍ଚ୍ଚ ପାଇଁ। ନବୀନବାବୁ ଏତେ ନିର୍ବାଚନ ଲଢ଼ିଲେଣି, କେତେ ଘର ବିକିଲେଣି?

Share :