କେତେ ପ୍ରାର୍ଥୀ ଦେଇଛି ବେଦାନ୍ତ ଗୋଷ୍ଠୀ?

କେତେ ପ୍ରାର୍ଥୀ ଦେଇଛି ବେଦାନ୍ତ ଗୋଷ୍ଠୀ?

Share :

ସ୍ବତନ୍ତ୍ର ପ୍ରତିନିଧି ଏଥର ନିର୍ବାଚନରେ ବେଦାନ୍ତ କମ୍ପାନୀର ଅନେକ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଜଣ ଦଳ ବଦଳେଇ ଶାସକ ବିଜୁ ଜନତା ଦଳ ତରଫରୁ ଲଢ଼ୁଛନ୍ତି ଆଉ କେତେକ ନୂଆକରି ରାଜନୀତିରେ ମିଶି ପ୍ରାର୍ଥୀ ହୋଇଛନ୍ତି। ଏଭଳି ଏକ ବିଷୟ ଏବେ ରାଜ୍ୟ ଶିଳ୍ପ ଜଗତରେ ଆଲୋଚ୍ୟ ବିଷୟ ହୋଇଛି। ବିଜୁ ଜନତା ଦଳ ଭିତରେ ଥିବା ଏକ ଅସନ୍ତୁଷ୍ଟ ଗୋଷ୍ଠୀର ନେତା ମଧ୍ୟ ଏକଥା ସ୍ବୀକାର କରିଛନ୍ତି। ନିର୍ବାଚନ ସମୟରେ ଚାନ୍ଦା ଦେଉଥିବା ଶିଳ୍ପ ଓ ଖଣି ମହଲରେ ହେଉଥିବା ଆଲୋଚନା ଅନୁଯାୟୀ ଏଥର ଲାଞ୍ଜିଗଡ଼ ଓ ଝାରସୁଗୁଡ଼ାର ଦୁଇ ବିଜେଡି ପ୍ରାର୍ଥୀଙ୍କୁ ବେଦାନ୍ତ କମ୍ପାନୀ ଖଞ୍ଜିଛି। ବେଦାନ୍ତ ମାଲିକ ଅନୀଲ ଅଗ୍ରୱାଲଙ୍କ ସହିତ କଥାବାର୍ତ୍ତା ତୁଟେଇ ଏ ଦୁଇ ଜଣ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି। ବିଜେଡି ସୁପ୍ରିମୋ ମଧ୍ୟ ଏ ବାବଦରେ ସବୁ ହିସାବକିତାବ କରିଥିବା ଶୁଣାଯାଉଛି। ବିଜେଡି ଏଥର ପ୍ରାର୍ଥୀ ଚୟନ କରିବା ପୂର୍ବରୁ ତଥାକଥିତ ‘ବିଜୟ ସମ୍ଭାବନା’ ନେଇ ଏକ ସର୍ବେକ୍ଷଣ ହୋଇଥିଲା ବୋଲି ପ୍ରଚାର କରାଯାଇଥିଲା। ଦଳରେ ଥିବା ନେତାମାନଙ୍କ ମଧ୍ୟରୁ କାହାର ବିଜୟ ସମ୍ଭାବନା କେତେ ତା’ ଉପରେ ସର୍ବେକ୍ଷଣ କରାଯାଇଥିଲା। ସେଥିରେ ଅନେକ ବିଧାୟକ ପରାସ୍ତ ହେବା ନିଶ୍ଚିତ ବୋଲି ଜଣାପଡ଼ିଥିଲା। ବିଜେଡିର ଆଭ୍ୟନ୍ତରୀଣ ସର୍ବେକ୍ଷଣରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଖୋଜାଯାଇ ନଥିଲା। ବିଜେଡି ସର୍ବେକ୍ଷଣ ରିପୋର୍ଟ ନେଇ ଚିନ୍ତା ପ୍ରକାଶ ପାଇବା ପରେ ଦଳର କର୍ପୋରେଟ୍‌ ଗୋଷ୍ଠୀ ସେମାନଙ୍କୁ ସୁହାଇବା ପାଇଁ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଥିଲେ। ଏମିତିରେ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ଉପରେ ବେଦାନ୍ତ କମ୍ପାନୀ ଖପ୍ପା ଥିଲା। ତାହାର କାରଣ ହେଉଛି ସେ ଶାସକ ଦଳରେ ଥିଲେ ମଧ୍ୟ ଆଦିବାସୀଙ୍କ ସ୍ବାର୍ଥକୁ ସଂପୂର୍ଣ୍ଣ ଜଳାଞ୍ଜଳି ଦେଇ ବେଦାନ୍ତର ଏଜେଣ୍ଟ ଭାବେ କାର୍ଯ୍ୟ କରିବାକୁ ଉଚିତ ମନେ କରିନଥିଲେ। ବେଦାନ୍ତ ସପକ୍ଷରେ ସେ ସରକାରଙ୍କୁ ଚିଠି ଲେଖିବାରେ ତତ୍ପର ନଥିଲେ କି ବେଦାନ୍ତ ସପକ୍ଷରେର ସାଧାରଣରେ ପ୍ରଚାର କରୁନଥିଲେ। ଏହି ସୁଯୋଗରେ ବେଦାନ୍ତ କମ୍ପାନୀ କଂଗ୍ରେସର ପ୍ରଦୀପ ଦିସାରୀଙ୍କ ସହିତ ଯୋଗସୂତ୍ର ରକ୍ଷା କରିଥିଲା। ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଦୀପ ଦିସାରୀ ୩୦ ହଜାର ଉପରେ ଭୋଟ ପାଇଥିଲେ। ସେ ବେଦାନ୍ତ ପାଇଁ କାମ କରିବାକୁ ରାଜି ହେବାରୁ କମ୍ପାନୀ ତାଙ୍କୁ ଲାଞ୍ଜିଗଡ଼ ପ୍ରତିନିଧି କରିବାକୁ ପ୍ରସ୍ତାବ ଦେଇଥିଲା। ମାତ୍ର ରାଜ୍ୟରେ ବିଜେଡି ସରକାର ଚାଲିଥିଲେ ପ୍ରଦୀପ କଂଗ୍ରେସ ବିଧାୟକ ଭାବେ ବେଦାନ୍ତ ପାଇଁ ଖୋଲାଖୋଲି କାର୍ଯ୍ୟ କରିପାରିବେ ନାହିଁ। ସେଥିପାଇଁ ତାଙ୍କୁ ଦଳ ବଦଳାଇବାକୁ କମ୍ପାନୀ ପରାମର୍ଶ ଦେଇଥିଲା ବୋଲି ଚର୍ଚ୍ଚା ଚାଲିଛି। କମ୍ପାନୀର ଏହି ପ୍ରସ୍ତାବ ବିଷୟରେ ସବୁ ଦୃଷ୍ଟିରୁ ହିସାବ କିତାବ କରିବା ପରେ ବିଜେଡି ମୁଖ୍ୟ ପରିଚାଳକ ସହମତି ପ୍ରକାଶ କରିଥିଲେ। ଠିକ ସେହିପରି ଝାରସୁଗୁଡ଼ାରେ ସମାନ ଅବସ୍ଥା ଥିଲା। ସେଠାକାର ପୂର୍ବତନ ବିଧାୟକ ନବ କିଶୋର ଦାସ କଂଗ୍ରେସ ଦଳର ପ୍ରତିନିଧି ହୋଇଥିବାରୁ ବେଦାନ୍ତ ପାଇଁ ଖୋଲାଖୋଲି କାମ କରିବା ସମ୍ଭବ ନଥିଲା। ତାଙ୍କ ସହିତ ଅନେକ ଦିନ ହେବ ମୂଲଚାଲ ଚାଲିଥିଲା। ପ୍ରଥମେ ନବ ଦାସ ଦଳ ବଦଳେଇବାକୁ ରାଜି ହେଉ ନଥିଲେ। କିନ୍ତୁ ସରକାରୀ କଳର ଚାପ, ବେଦାନ୍ତ କମ୍ପାନୀର ପ୍ରଲୋଭନ ଓ ଶାସକ ଦଳର ପୁରସ୍କାର ପ୍ରତିଶ୍ରୁତି ପାଇବା ପରେ ସେ ଲୋଭ ସମ୍ବରଣ କରି ନପାରି ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। କଳାହାଣ୍ଡି ଲାଞ୍ଜିଗଡ଼ରେ ବେଦାନ୍ତ କମ୍ପାନୀର ଆଲୁମିନା ପ୍ଲାଣ୍ଟ ଥିବାବେଳେ ଝାରସୁଗୁଡ଼ାରେ ଆଲୁମିନିୟମ ପ୍ଲାଣ୍ଟ ରହିଛି। ଉଭୟ କାରଖାନା ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କର ସମର୍ଥନ ଓ ସହଯୋଗ ଏକାନ୍ତ ଆବଶ୍ୟକ। ସାରା ପୃଥିବୀରେ ବେଦାନ୍ତର ଭାବମୂର୍ତ୍ତି ଭଲ ନାହିଁ। ସେଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ଏହା ବିରୋଧରେ ଅଭିଯାନ ଚାଲିଛି। ଏହି କମ୍ପାନୀ ଦୁର୍ନୀତି, ବେଆଇନ ଖଣି କାରବାର, ମାନବାଧିକାର ଉଲ୍ଲଙ୍ଘନ, ଆଦିବାସୀ ବିରୋଧୀ କାର୍ଯ୍ୟକ୍ରମ, ପରିବେଶ ଓ ଜଙ୍ଗଲ ଆଇନ ଉଲ୍ଲଙ୍ଘନ ଆଦି ଅନେକ ଅଭିଯୋଗରେ ଅଭିଯୁକ୍ତ। ଓଡ଼ିଶାରେ ମଧ୍ୟ ବେଦାନ୍ତ ବିରୋଧୀ ସାମାଜିକ ଓ ପରିବେଶ କର୍ମୀଙ୍କ ସଂଖ୍ୟା କିଛି କମ ନୁହେଁ। ଓଡ଼ିଶାରେ କଳାହାଣ୍ଡି-ରାୟଗଡ଼ା ସୀମାରେ ଥିବା ନିୟମଗିରି ପାହାଡ଼କୁ କବଳିତ କରିବା ପାଇଁ ବେଦାନ୍ତ କମ୍ପାନୀର ଉଦ୍ୟମ ଓ ସେହି ଉଦ୍ୟମରେ ଶାସକ ବିଜୁ ଜନତା ଦଳର ପୂର୍ଣ୍ଣ ସହଯୋଗ କଥା କାହାକୁ ଅଛପା ନୁହେଁ। ପୃଥିବୀର ବିରଳ ତଥା ବିପନ୍ନ ଡଙ୍ଗରିଆ କନ୍ଧଙ୍କର ଜୀବନ ସଂସ୍କୃତି ଉଜାଡ଼ି, ସେମାନଙ୍କୁ ବେଘର ଓ ବେରୋଜଗାର କରି ବେଦାନ୍ତର ଫାଇଦା ପାଇଁ ରାଜ୍ୟ ସରକାର ନିୟମଗିରିକୁ ବେଆଇନ ଭାବେ ବେଦାନ୍ତ ପାଇଁ ଉତ୍ସର୍ଗ କରିବାକୁ ବହୁ ଉଦ୍ୟମ କରିଛନ୍ତି। ମାତ୍ର ତଫସିଲଭୁକ୍ତ ଅଂଚଳରେ ପଂଚାୟତିରାଜ ସଂପ୍ରସାରଣ ଆଇନ ବା ପେସା, ପରିବେଶ ଓ ଜଙ୍ଗଲ ସୁରକ୍ଷା ସଂପର୍କୀତ ଆଇନ ସବୁ ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ଏବଂ ବେଦାନ୍ତର ମିଳିତ ଉଦ୍ୟମକୁ ନିଷ୍ଫଳ କରିବାରେ ସହାୟକ ହୋଇଛି। ତଥାପି, ରାଜନୀତିକ ଓ ପ୍ରାଶାସନିକ ସହଯୋଗରେ ବେଦାନ୍ତ କମ୍ପାନୀ ଉଭୟ ଆଲୁମିନା ଓ ଆଲୁମିନିୟମ ପ୍ଲାଣ୍ଟ ପାଇଁ ପ୍ରଚୁର ପରିମାଣରେ ବକ୍ସାଇଟ୍, କୋଇଲା ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ସହିତ ଜମି ଓ ଜଳ ମଧ୍ୟ ଅକ୍ତିଆର କରିବାକୁ ଚାହୁଁଛି। ବେଦାନ୍ତ ପାଇଁ ଇତିମଧ୍ୟରେ ରାଜ୍ୟ ସରକାର କୋରାପୁଟରେ କେଇଟି ନିମ୍ନମାନର ବକ୍ସାଇଟ ଖାଦାନ ଉତ୍ସର୍ଗ କରିଥିଲେ ବି ନିୟମଗିରି ଉପରେ କମ୍ପାନୀର ନଜର ଲାଗି ରହିଛି। ସେହିପରି ଓଡ଼ିଶାର ଅନ୍ୟାନ୍ୟ ଖଣିଜ ସଂପଦ ଉପରେ ମଧ୍ୟ ଏହି ଅନ୍ତର୍ଜାତୀୟ କମ୍ପାନୀର ନଜର ପଡ଼ିଛି। ଏହି କମ୍ପାନୀ ବିଭିନ୍ନ ବାଟରେ ରାଜ୍ୟର ବିଜେଡି ସରକାର ସହିତ ଜଡ଼ିତ। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଓ ଆହାର ଯୋଜନାରେ କମ୍ପାନୀ ରାଜ୍ୟ ସରକାରଙ୍କର ଭାଗୀଦାର ରହିଛି। ରାଜ୍ୟର ଏକ ବିଖ୍ୟାତ ଶିକ୍ଷା ସଂସ୍ଥା ସହିତ ମଧ୍ୟ ଏହାର ଆର୍ଥିକ ବୁଝାମଣା ରହିଛି। ନିୟମଗିରିର ଯେତେ ଡଙ୍ଗରିଆ କନ୍ଧ ଏହି ଶିକ୍ଷା ସଂସ୍ଥାରେ ପାଠ ପଢ଼ିବେ ସମସ୍ତଙ୍କ ପିଛା ଜଣକା ୨୦ ହଜାର ଟଙ୍କା ଲେଖାଏଁ କମ୍ପାନୀ ଦେବାକୁ ଚୁକ୍ତିବଦ୍ଧ ହୋଇଛି। ଏହିପରି ଅନ୍ୟ କେତେକ ଏନଜିଓ ସହିତ ମଧ୍ୟ କମ୍ପାନୀ ଜଡ଼ିତ ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବେଦାନ୍ତରେ ପୁଞ୍ଜି ଖଟେଇଥିବା କେତେକ ଖୀରସ୍ତାନ ମିଶନାରୀ ସଂସ୍ଥା ମଧ୍ୟ ରାଜ୍ୟର କେତେକ ଶିକ୍ଷା ଓ ଗଣମାଧ୍ୟମ ସଂସ୍ଥାରେ ଅର୍ଥ ବିନିଯୋଗ କରି ଓଡ଼ିଶାର ପ୍ରାକୃତିକ ଓ ମାନବିକ ସଂପଦ ଉପରେ ଆଧିପତ୍ୟ ଜାହିର କରିବାକୁ ଉଦ୍ୟମ ଚଳାଇଛନ୍ତି। ସେଭଳି କେତେକ ସଂସ୍ଥା ସହିତ ରାଜ୍ୟର କେତେକ ଶିକ୍ଷାନୁଷ୍ଠାନ ଓ ଏନଜିଓ ଘନିଷ୍ଟ ଭାବେ ଜଡ଼ିତ ଅଛନ୍ତି। ଏହିସବୁ ସଂସ୍ଥାର କାର୍ପଟଦାରମାନେ ବେଦାନ୍ତ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ନିକଟରେ ଲବି କରୁଛନ୍ତି। ଏବେ ସେପରି କେତେ ଜଣ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ରାଜନୀତିକ ପଦପଦବୀ ପ୍ରାପ୍ତ ହୋଇଛନ୍ତି। ସେମାନେ ଲୋକସଭା ଏବଂ ରାଜ୍ୟସଭାରେ ବେଦାନ୍ତର ବାନା ଉଡ଼େଇବେ। ଏଭଳି ଆଲୋଚନା ନେଇ ବହୁ ପଚରାଉଚୁରା କଲା ପରେ ଶାସକ ଦଳର ଜଣେ ଅସନ୍ତୁଷ୍ଟ ନେତା ଏହା ସ୍ବୀକାର କରି କହିଛନ୍ତି ଯେ ୨୦୦୦ ମସିହାରୁ ବେଦାନ୍ତ କମ୍ପାନୀ ଅର୍ଥରେ ରାଜ୍ୟ ରାଜନୀତିର ଅନେକ ପରିବର୍ତ୍ତନ ଘଟିଛି। ସେହିପରି ରାଜ୍ୟର ଖଣିଜ ଶିଳ୍ପ ମହଲ ସହିତ ଜଡ଼ିତ ଜଣେ ବ୍ୟକ୍ତି କହିଛନ୍ତି ଯେ ସବୁବେଳେ ଶିଳ୍ପପତିମାନେ ରାଜନୀତିକ ଦଳକୁ ଚାନ୍ଦା ଦେଇ ତାଙ୍କର ଏଜେଣ୍ଟମାନଙ୍କୁ ବ୍ୟବସ୍ଥାପକ ସଭାକୁ ପଠାଇବାକୁ ଚେଷ୍ଟା କରିଥାନ୍ତି। ଅନେକ ସମୟରେ ଶିଳ୍ପପତିମାନେ ଏଜେଣ୍ଟ ନପଠେଇ ନିଜେ ଲୋକ ପ୍ରତିନିଧି ପଦ ଗ୍ରହଣ କରି ସରକାର ଓ ଶିଳ୍ପ ସହିତ ସିଧାସଳଖ ସଂପର୍କ ରଖିଥାନ୍ତି। ବାଜାଜ, ଜିନ୍ଦଲ, ମାଲ୍ୟା ଆଦି ଗୋଷ୍ଠୀର ମାଲିକମାନେ ନିଜେ ସଂସଦ ଓ ବିଧାନସଭା ଯାଇଥିବାବେଳେ ଟାଟା, ବିର୍ଲା, ବେଦାନ୍ତ ଆଦି ଗୋଷ୍ଠୀର ଏଜେଣ୍ଟମାନେ ବିଭିନ୍ନ ଦଳରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥାନ୍ତି। ଓଡ଼ିଶାରେ ଏବେ ଏଇ ଧାରା ଚାଲିଛି। ବେଦାନ୍ତ, ଜିନ୍ଦଲ, ଟାଟା, ବିର୍ଲା, ଭୂଷଣ, ତ୍ରିବେଣୀ, ରୁଙ୍ଗଟା ଆଦି ଅନେକ କମ୍ପାନୀର ଏଜେଣ୍ଟମାନେ ବିଭିନ୍ନ ଦଳ ତରଫରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ସ୍ବାଭାବିକ ଭାବେ ଶାସକ ବିଜୁ ଜନତା ଦଳରେ ଏହି କମ୍ପାନୀଗୁଡ଼ିକର ସମର୍ଥକ ସଂଖ୍ୟା ଅଧିକ।

Share :