ଚଟୁ ଆଇଁଷ ବେଣ୍ଟ ନିରାମିଷ!

ଚଟୁ ଆଇଁଷ ବେଣ୍ଟ ନିରାମିଷ!

Share :

ସ୍ବତନ୍ତ୍ର ପ୍ରତିନିଧି ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଏଥର ସେହି ଆସନ ପାଇଁ ପ୍ରାର୍ଥୀ କରିନାହାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଅବଶ୍ୟ ଏହାର କାରଣ କିଛି କହିନାହାନ୍ତି। କିନ୍ତୁ ଦଳ ତରଫରୁ ଗୋଟେ ଧାରଣା ଦିଆଯାଉଛି ଯେ ସେ ଚିଟ୍‌ ଫଣ୍ଡ ଦୁର୍ନୀତିରେ ଅଭିଯୁକ୍ତ ହୋଇ ସେ ଜେଲ୍‌ରେ ଥିବାରୁ ନବୀନଙ୍କ ଭାବମୂର୍ତ୍ତି ରକ୍ଷ କରିବାକୁ ତାଙ୍କୁ ଟିକଟ ଦିଆଯାଇ ନାହିଁ। ଯଦି ସତରେ ଏହି ଯୁକ୍ତିରେ ନବୀନବାବୁ ରାମଚନ୍ଦ୍ର ହାଁସଦାଙ୍କୁ ପ୍ରାର୍ଥୀ କରିନାହାନ୍ତି ତେବେ ବୁଝିବାକୁ ହେବ ଯେ ଆଦିବାସୀଙ୍କ ପାଇଁ ତାଙ୍କର ଅଲଗା ନୀତି, ଧନୀ ଓ ଉଚ୍ଚ ବର୍ଗର ଲୋକଙ୍କ ପାଇଁ ସେ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସେହି ନୀତି ସେ ଅପେକ୍ଷାକୃତ ଗରୀବ ଓ ଆଦିବାସୀଙ୍କ ପାଇଁ ଗ୍ରହଣ କରିନାହାନ୍ତି। ମୟୂରଭଞ୍ଜର ପଡ଼ୋଶୀ ବାଲେଶ୍ବର ଲୋକସଭା ଆସନରୁ ପୁଣି ଥରେ ସାଂସଦ ରବୀନ୍ଦ୍ର ଜେନାଙ୍କୁ ବିଜେଡି ପ୍ରାର୍ଥୀ କରାଯାଇଛି। ରବୀନ୍ଦ୍ରଙ୍କ ବିରୋଧରେ ମଧ୍ୟ ଚିଟ୍‌ ଫଣ୍ଡ ଠକେଇ ଅଭିଯୋଗ ରହିଛି। ତାଙ୍କୁ ମଧ୍ୟ ସିବିଆଇ ନୋଟିସ କରିଥିଲା ଓ ସେ ଜେରାର ସମ୍ମୁଖୀନ ହୋଇଥିଲେ। କେବଳ ଚିଟ୍‌ ଫଣ୍ଡ ନୁହେଁ, ରବୀନ୍ଦ୍ରଙ୍କ ବିରୋଧରେ ଖଣି ଦୁର୍ନୀତି ଅଭିଯୋଗ ମଧ୍ୟ ରହିଛି। ଏପରିକି ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗ ମଧ୍ୟ ତାଙ୍କ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଥିଲା। ସେ ଯେଉଁ କମ୍ପାନୀରେ ଚାକିରି କରିଥିଲେ ପରେ ସେ ସେହି କମ୍ପାନୀର ମାଲିକ ହୋଇଯାଇଥିଲେ। ସେହି କମ୍ପାନୀ ଏକ ସୁକିନ୍ଦା ଖଣିରୁ ଅନେକ ପ୍ରକାର ବେଆଇନ ଉପରେ ହଜାର ହଜାର କୋଟି ଟଙ୍କାର କ୍ରୋମାଇଟ୍‌ ଉତ୍ତୋଳନ କରିଥିବା ଅଭିଯୋଗ ଥିଲା। ବ୍ରହ୍ମଗିରି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ମଧ୍ୟ ନବୀନବାବୁ ଆଉ ଥରେ ପ୍ରାର୍ଥୀ କରିଛନ୍ତି। ତାଙ୍କ ବିରୋଧରେ ବି ଚିଟ୍‌ ଫଣ୍ଡ ଦୁର୍ନୀତି ଅଭିଯୋଗ ରହିଛି। ସେ କାଳେ ଅର୍ଥତତ୍ତ୍ବ ଚିଟ୍‌ ଫଣ୍ଡ ସଂସ୍ଥା ଟଙ୍କାରେ ଗୋଟେ ପାଜେରୋ ଗାଡ଼ି ଚଢ଼ୁଥିଲେ। ତାଙ୍କୁ ଜେରା ପାଇଁ ସମନ୍‌ ବି ହୋଇଥିଲା। ଏଭଳି ଅନେକ ଅଭିଯୁକ୍ତଙ୍କୁ ଦଳୀୟ ପ୍ରାର୍ଥୀ କରିଛନ୍ତି ନବୀନ ପଟ୍ଟନାୟକ। ଚିଟ୍‌ ଫଣ୍ଡ ଦୁର୍ନୀତି ମାମଲାରେ ରାମଚନ୍ଦ୍ର ହାଁସଦାଙ୍କ ପରି କିଛି ଦିନ ଜେଲ୍‌ରେ ଥିଲେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀ। ଭାବମୂର୍ତ୍ତି ପାଇଁ ତାଙ୍କୁ ପ୍ରାର୍ଥୀ କରାଯାଇ ନଥିଲେ ବି ତାଙ୍କ କଥାରେ ତାଙ୍କ ପୁଅକୁ ବିଜେଡି ପ୍ରାର୍ଥୀ କରାଯାଇଛି। ସେହିପରି କଟକ-ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସ୍ଥାନରେ ତାଙ୍କ ପୁଅକୁ ମଧ୍ୟ ଟିକଟ ଦିଆଯାଇଛି। ରାମଚନ୍ଦ୍ର ଓ ଦୁଇ ପ୍ରଭାତ ଗିରଫ ହୋଇ ଜେଲ୍‌ ଯାଇଥିଲେ। ରବୀନ୍ଦ୍ର ଗିରଫ ହୋଇ ନଥିଲେ। ଦୁଇ ପ୍ରଭାତଙ୍କ କ୍ଷେତ୍ରରେ ଯେପରି ତାଙ୍କ ସଂପର୍କୀୟଙ୍କୁ ପ୍ରାର୍ଥୀ କରାଗଲା ରାମଚନ୍ଦ୍ରଙ୍କ କ୍ଷେତ୍ରରେ ସେପରି କରାଗଲା ନାହିଁ। ଆଉ ଦୁର୍ନୀତି ଓ ଅନ୍ୟ ଅପରାଧ ମାମଲାରେ ଅଭିଯୋଗ କଥା ଉଠିଲେ ତ ସ୍ବୟଂ ନବୀନ ପଟ୍ଟନାୟକ ମଧ୍ୟ ନିଜକୁ ପ୍ରାର୍ଥିତ୍ବରୁ ବଂଚିତ କରିବା ଉଚିତ ଥିଲା। କାରଣ ତାଙ୍କ ବିରୋଧରେ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ଅଭିଯୋଗ ରହିଛି। ଏନେଇ ସିବିଆଇ ତାଙ୍କୁ ଜେରା କରିଥିବା କଥା ମଧ୍ୟ ଉଠିଛି। ତାଙ୍କ କର୍ମଚାରୀ ସରୋଜ ସାହୁଙ୍କୁ ମଧ୍ୟ ସିବିଆଇ ଚିଟ୍‌ ଫଣ୍ଡ ଦୁର୍ନୀତି ମାମଲାରେ ଜେରା କରିଛି। ତାଙ୍କର ଅନ୍ୟ ବହୁ ସତୀର୍ଥଙ୍କ ବିରୋଧରେ ଏହିପରି ଦୁର୍ନୀତି ଅଭିଯୋଗ ରହିଛି। ମହାକାଳପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ରସାଚୀ ନାୟକ, ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ମଧ୍ୟ ଚିଟ୍‌ ଫଣ୍ଡ ଦୁର୍ନୀତି ଅଭିଯୋଗ ରହିଛି। ସେଥିପାଇଁ ସିବିଆଇ ସେମାନଙ୍କ ଉପରେ ନୋଟିସ ଜାରି କରିଛି। ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଭାଇଙ୍କ ବିରୋଧରେ ଚିଟ୍‌ ଫଣ୍ଡ ଦୁର୍ନୀତି ଓ ଅନ୍ୟତମ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭାଇଙ୍କ ବିରୋଧରେ ବ୍ଲାକ ରୋଜ୍‌ ଜାହାଜରେ ବେଆଇନ ଲୁହାଗୁଣ୍ଡ ରପ୍ତାନୀ ଅଭିଯୋଗ ଉଠିଛି। ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ନାମ ଡାଲି ଦୁର୍ନୀତିରେ ଉଠିଥିଲା। ତାଙ୍କ ଭାଇଙ୍କ ଭୂମିକା ନେଇ ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ବେଆଇନ ଜମି ଓ ପ୍ଲଟ୍ ଦୁର୍ନୀତି, ନବକଳେବର ଦୁର୍ନୀତି, ପୁରୀ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ହଡ଼ପ, ଚିଲିକା ଚିଙ୍ଗୁଡ଼ି ଘେରି, ସ୍କୁଲ ଆଲମିରାହ ଓ ଆସବାବପତ୍ର କିଣା ଦୁର୍ନୀତି, ଏମଜିଏନଆରଇଜିଏ ଦୁର୍ନୀତି, ଗ୍ରାମୀଣ ବିଦ୍ୟୁତକରଣ ଦୁର୍ନୀତି, ପୋଲ ନିର୍ମାଣ ଦୁର୍ନୀତି ଆଦିରେ ନବୀନ ପଟ୍ଟନାୟକଙ୍କର ଅନେକ ପ୍ରାର୍ଥୀ ସଂପୃକ୍ତ ଥିବା ଅଭିଯୋଗ ରହିଛି। ଅନେକ ପ୍ରାର୍ଥୀଙ୍କ କ୍ଷେତ୍ରରେ ଦୁର୍ନୀତି କରିବାର ଦକ୍ଷତା ହିଁ ମାପକାଠି ଭାବେ ବିବେଚିତ ହେଲା ପରି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକଟ ଦିଆଯାଇଛି।

Share :