ବେଧଡ଼କ ଚାଲିଛି ପାଣି ପାଉଚ୍ ବ୍ୟବସାୟ

ବେଧଡ଼କ ଚାଲିଛି ପାଣି ପାଉଚ୍ ବ୍ୟବସାୟ

Share :

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର୍ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବଂ ମହାନଗର ନିଗମ ପକ୍ଷରୁ ବାରମ୍ୱାର ପାଣି ପାଉଚ୍ର ବ୍ୟବହାରକୁ ନିଷିଦ୍ଧ କରାଯାଉଥିଲେ ସୁଦ୍ଧା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମ ତଥା ବ୍ରହ୍ମପୁର ସହର ନିକଟବର୍ତ୍ତୀ ପଞ୍ଚାୟତଗୁଡ଼ିକରେ ଛତୁଫୁଟିଲା ଭଳି ପାଣି ପାଉଚ୍ କାରଖାନା ଚାଲିଛି। ଏହି କାରଖାନାରୁ ଦୈନିକ ଗାଡ଼ି ଗାଡ଼ି ପାଣିପାଉଚ୍ ବସ୍ତା ବ୍ରହ୍ମପୁର ସହର ମଧ୍ୟରେ ପ୍ରବେଶ କରି ଖୁଲମ୍ଖୁଲା ବ୍ରିକି ହେଉଛି, ସତେ ଯେମିତି ଏହା ଉପରେ କାହାର ଦୃଷ୍ଟି ପଡ଼ୁନି। ବ୍ରହ୍ମପୁର ସହରରେ ଏହାର ବହୁଳ ଭାବେ ବିକ୍ରୀ ଚାଲିଛି। ପ୍ରତିଦିନ ବିଭିନ୍ନ ଭୋଜି, ଛୋଟମୋଟ କାର୍ଯ୍ୟକ୍ରମ ଏବଂ ଖୋଦ୍ ସରକାରୀ କାର୍ଯ୍ୟକ୍ରମ ଏବଂ ଭୋଜିରେ ମଧ୍ୟ ପାଣି ପାଉଚ୍ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ବ୍ରହ୍ମପୁର ମହାନଗର ନିଗମ ଏବଂ ପ୍ରଶାସନ ପରୋକ୍ଷରେ ଏହାକୁ ସମର୍ଥନ ଦେଉଥିବା ପରିଲକ୍ଷିତ ହେଉଛି। ପାଣିପାଉଚ୍ କାରଖାନାଗୁଡ଼ିକ ଉପରେ ଚଢ଼ାଉ ନକରାଯାଇ ଛୋଟମୋଟ ଦୋକାନଗୁଡ଼ିକ ଉପରେ ଆଖିଦୃଶିଆ ଚଢ଼ାଉ କରି ବାଃବାଃ ନେଉଥିବା ଦେଖିବାକୁ ମିଳୁଛି। ମହାନଗର ନିଗମ କମିଶନର୍ ସହରରେ ବିଭିନ୍ନ ପାଣିପାଉଚ୍ ବିକ୍ରୀ ହେଉଥିବା ଦୋକାନମାନଙ୍କରେ ଚଢ଼ାଉ କରି ଏହାର ବିକ୍ରୀକୁ ରୋକିବାକୁ ଉଦ୍ୟମ ଜାରି ରହିଛି ବୋଲି ଗଣମାଧ୍ୟମ ନିକଟରେ ବାରମ୍ୱାର ପ୍ରକାଶ କରୁଛନ୍ତି। କିନ୍ତୁ ବ୍ରହ୍ମପୁର ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ବିଏମ୍ସି କମିଶନର୍ଙ୍କ ଜ୍ଞାତସାରରେ ବହୁ ବେଆଇନ୍ ଏବଂ ବିନା ଲାଇସେନ୍ସରେ ପାଣି ପାଉଚ୍ କାରଖାନା ଖୋଲୁଛି। ସହରରେ ପାଣିପାଉଚ୍ ବିକ୍ରୀକୁ ନିଷିଦ୍ଧ କରାଯାଇଥିବା ବିଏମ୍ସି ଏବଂ ପ୍ରଶାସନ ପକ୍ଷରୁ ବାରମ୍ୱାର କୁହାଯାଉଥିବା ସ୍ଥଳେ ବିଏମ୍ସି ପକ୍ଷରୁ ସହରର କିଛି ଛୋଟଛୋଟ ପାନ ଦୋକାନ୍ ମାନଙ୍କରେ ଚଢ଼ାଉ କରି ପାଣି ପାଉଚ୍ ବିକ୍ରୀକୁ ବାରଣ କରୁଥିବା ବେଳେ ବଡ଼ବଡ଼ ଦେକାନ୍ ଏବଂ ପାଣି ପାଉଚ୍ କାରଖାନା ଉପରେ ଚଢ଼ାଉ କରାଯାଉନାହିଁ। ବର୍ତ୍ତମାନ ଗ୍ରୀଷ୍ମର ପ୍ରଭାବ ବୃଦ୍ଧି ପାଉଥିବା ବେଳେ କରଖାନା ମାଲିକମାନେ ବହୁ ପରିମାଣରେ ପାଣିପାଉଚ୍ ବଜାରକୁ ଛାଡ଼ି ମାଲାମାଲ୍ ହେଉଛନ୍ତି। ଜିଲ୍ଲାର କିଛି ବିଭାଗୀୟ ଅସାଧୁ ଅଧିକାରୀଙ୍କୁ ହାତବାରିସି ଭାବେ ବ୍ୟବହାର କରି ବ୍ୟବସାୟୀ ମାନେ ଏହି ବ୍ୟବସାୟ ଚଳାଇଛନ୍ତି। ପ୍ରଶାସନ ତରଫରୁ ବେଆଇନ୍ କାରଖାନା ପ୍ରତି କୌଣସି ପଦକ୍ଷେପ ନେବା ତ ଦୂରର କଥା ପାଣିର ମାନ୍ୟତାକୁ ମଧ୍ୟ ଯାଞ୍ଚ କରାଯାଉନାହିଁ। ଏହି ବ୍ୟବସାୟୀ ମାନେ ଖୋଲାପାଣିକୁ ପ୍ୟାକେଟ୍ କରି ବିଭିନ୍ନ କମ୍ପାନୀର ନାମ ଦେଇ ବଜାର୍ରେ ଅବାଧରେ ବିକ୍ରୀ କରି ଚାଲିଛନ୍ତି। ତଳଦିନେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏହି ପାଣି ପାଉଚ୍ ନିଷିଦ୍ଧକୁୁ ନେଇ ଘୋଷଣା କରାଯାଇଥିଲା। ପ୍ରଶାସନିକ ଅଧିକାରୀଙ୍କ ଭୋଜିଭାତରେ ମଧ୍ୟ ଏହି ପାଣିପାଉଚ୍ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ସହରରେ ବିଭିନ୍ନ ସ୍ଥାନରେ ୨୫ ଟଙ୍କା ବ୍ୟୟରେ ଏକ କଣ୍ଟେନର ପାଣି ଘରକୁ ଘର ବୁଲି ବିକ୍ରି କରୁଛନ୍ତି। କିନ୍ତୁ ଏହା କୌଣସି ଫିଲଟର କରି ଅଣାନଯାଇ ସିଧାସଳଖ ଟେପ୍ରୁ ଭର୍ତ୍ତି କରି ଅଣାଯାଇଥିବା ନଜରକୁ ଆସିଛି। ତଳେ ଦିନେ ପ୍ରଶାସନ ପଲିଥିନ ବିକ୍ରି ଉପରେ କଟକଣା ଜାରି କରିଥିଲେ ମଧ୍ୟ ଏହି ପାଣିପାଉଚ୍ ବିକ୍ରିକୁ ଦେଖିଲେ ଏହା ଦୁଇଦିନିଆ ଭାଗବତ ସଦୃଶ୍ୟ ହୋଇଛି। ଅଳ୍ପଦିନ ପାଇଁ ଏହି ଉପରଠାଉରିଆ ଚଢ଼ାଉ କରାଯାଇ ତାହା ବର୍ତ୍ତମାନ ସଂପୂର୍ଣ୍ଣ ବନ୍ଦ ହୋଇଛି। ବର୍ତ୍ତମାନ ଏବେ ସବୁସ୍ଥାନରେ ଖୁଲମ୍ଖୁଲା ପଲିଥିନ ବିକ୍ରି ଆରମ୍ଭ ହୋଇଗଲାଣି। ଏସବୁ କି ଦେଖିଲେ ଜିଲ୍ଲା ପ୍ରଶାସନ ସତେ ଯେମିତି ମୋତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡ଼ା କାଠ ନ୍ୟାୟରେ ଚାଲିଛି।

Share :