କାହିଁକି ହାରିବା ଦରକାର ନବୀନ ସରକାର!

କାହିଁକି ହାରିବା ଦରକାର ନବୀନ ସରକାର!

Share :

ରଙ୍ଗାଚରଣ ପ୍ରଧାନ ମୁଁ ଆଗରୁ କହିଛି ମୁଁ ନିରପେକ୍ଷ ନୁହେଁ। ମୁଁ କିନ୍ତୁ ଦିନେ ନିରପେକ୍ଷତାର ସହ ଚିନ୍ତା କରି ଆମ୍ ଆଦମୀ ପାର୍ଟିର ପକ୍ଷରେ ଛିଡା ହୋଇଛି। ମୁଁ ମନେ କରେ ଯେ ଜଣେ ଯେତେ ଚାହିଁଲେ ବି ନିରପେକ୍ଷ ରାଜନୈତିକ ମତ ରଖିପାରେନା। ବିଶେଷ କରି ନିର୍ବାଚନ ଯେତେବେଳେ ମୁଣ୍ଡ ଉପରେ ଥାଏ ସେତେବେଳେ ଅଧିକାଂଶ ଲୋକ କେଉଁ ନା କେଉଁ ପକ୍ଷରେ ନିଜ ମତ ବନେଇ ସାରିଥାନ୍ତି। ତେଣୁ କାହାରି ମତକୁ ସେଥିରେ ଥିବା ନିରପେକ୍ଷତା ଆଧାରରେ ବିଚାର ନକରି ଭିନ୍ନ ମତ ରୂପେ ଗ୍ରହଣ କରିବା ଉଚିତ୍ ଏବଂ ପାରିଲେ ତାହାର ବିକଳ୍ପ ମତ ରଖିବା ଉଚିତ୍ । ଆଜି ଏହିପରି ଏକ ମତ ପଢିବାକୁ ମିଳିଲା। ସେଥିରେ ଜଣେ ବନ୍ଧୁ ନବୀନ ସରକାରକୁ ହରାଇବା କାହିଁକି ଜରୁରୀ ତାହା ଗଣାଇଛନ୍ତି ଯାହା ଜାଣିବା ଅତ୍ୟନ୍ତ ମହତ୍ବପୁର୍ଣ୍ଣ। ସେ ସବୁ ମତ ଏହି ପରି। (୧) ଯେଉଁ ଦୁର୍ନୀତିଗ୍ରସ୍ତ ବାବୁମାନେ ଓଡିଶାକୁ ଲୁଟିଛନ୍ତି ସେମାନଙ୍କୁ ନବୀନ ଜେଲ୍ ପଠାଇ ନାହାନ୍ତି। ମିଛ ତଥ୍ୟ ଆଧାରରେ ନିଜ ଅଧୀନରେ ଥିବା ଭିଜିଲାନ୍ସ ବିଭାଗକୁ ନବୀନ ଜଣେ ସଚ୍ଚୋଟ ଡିଜିପି ପିଛା ଲଗେଇ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଅପର ପକ୍ଷରେ ଭିଜିଲାନ୍ସ ଡିଜିଙ୍କର ସେ ପଦୋନ୍ନତି କରିଛନ୍ତି। (ବୋଧହୁଏ ସେ ପ୍ରକାଶ ମିଶ୍ରଙ୍କ କଥା ଲେଖିଛନ୍ତି।) (୨) ସହରାଞ୍ଚଳରେ ୧୦ ହଜାର କୋଟି ଟଙ୍କାର ଜମି ଘୋଟାଲା ହୋଇଛି। ଯୋଗ୍ୟତା ନଥାଇ ମଧ୍ୟ ନବୀନଙ୍କ ପ୍ରିୟ ବାବୁ ଓ ବିଚାରପତିମାନେ ଶସ୍ତାରେ ଜମି ପାଇଛନ୍ତି। ତାରା ଦତ୍ତ କମିଟି ସେହି ବାବୁ ଓ ବିଚାରପତିମାନଙ୍କୁ ଚିହ୍ନିତ କରିଥିବା ସତ୍ତ୍ବେ ନବୀନ ସେମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇ ନାହାନ୍ତି। (୩) ରାଜ୍ୟରେ ହୋଇଥିବା ଡାଲି ଘୋଟାଲାରେ କୋଟି କୋଟି ଟଙ୍କାର ନଷ୍ଟ ହୋଇଥିବା ଡାଲି ସ୍କୁଲ୍ ପିଲାମାନଙ୍କୁ ଦିଆ ଯାଇଛି। ଭିଜିଲାନ୍ସ ବିଭାଗ ଏହି ଘୋଟାଲାରେ ସଂପୄକ୍ତ କେତେକ ଆଇଏଏସ୍ ଅଫିସରଙ୍କ ନାମ ପ୍ରକାଶ କରିଥିବା ସତ୍ତ୍ବେ ନବୀନ ଗତ ୫ ବର୍ଷ ମଧ୍ୟରେ ସେମାନଙ୍କୁ ଜେଲ୍ ପଠାଇ ନାହାନ୍ତି। (୪) ନବୀନ ଓଡ଼ିଶାରେ ୧୯ ବର୍ଷ ଶାସନ କରିବା ପରେ ମଧ୍ୟ ରାଜ୍ୟର ୮୨% ଲୋକ ଖାଦ୍ୟ ସୁରକ୍ଷା ଆଇନ୍ ଅନ୍ତର୍ଗତ କାର୍ଡ ପାଇଛନ୍ତି। ଏହା ଲଜ୍ଜାଜନକ ନୁହେଁ କି? ଆମକୁ ଦାରିଦ୍ର୍ୟରୁ ଉପରକୁ ଉଠାଇବା ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏତେ ବର୍ଷ ଧରି କ'ଣ କରୁଛନ୍ତି? (୫) ଓଡ଼ିଶାରେ ଲୋକାୟୁକ୍ତ ଆଇନ୍ ପାଶ ହେବାର ୫ ବର୍ଷ ପରେ ଯାଇ ଲୋକାୟୁକ୍ତ ନିଯୁକ୍ତି ପାଇଲେ। ଭ୍ରଷ୍ଟାଚାର ବିରୁଦ୍ଧରେ ଲଢେଇ କରୁଛନ୍ତି ବୋଲି ଦାବୀ କରୁଥିବା ନବୀନବାବୁ ୪ ବର୍ଷ କାଳ ଲୋକାୟୁକ୍ତ ନିଯୁକ୍ତ କରିବାରେ କାହିଁକି ବିଫଳ ହେଲେ? ଭ୍ରଷ୍ଟାଚାର ଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କୁ ସେ ଲୋକାୟୁକ୍ତ ପାଖକୁ ଯିବାରେ ଏତେଦିନ କାହିଁକି ବଞ୍ଚିତ କଲେ? କ'ଣ ଏହାକୁ କୁହନ୍ତି ରାମରାଜ୍ୟ? ବନ୍ଧୁଙ୍କର ପ୍ରତ୍ୟେକଟି ଅଭିଯୋଗ ସହ ମୁଁ ଏକମତ। ସେ ତାଙ୍କ ଅଭିଯୋଗ ତାଲିକାରେ ପାଣ୍ଡିଆନଙ୍କ କଥା ଯୋଡ଼ି ନାହାନ୍ତି କି ନବୀନ ତାଙ୍କ ରାଜନୈତିକ ଜୀବନରେ କାହାକୁ କାହାକୁ ଧୋକା ଦେଇଛନ୍ତି ସେକଥା ଲେଖିନାହାନ୍ତି। ନା ସେ କେବଳ ପରିବର୍ତ୍ତନ ପାଇଁ ପରିବର୍ତ୍ତନ ଚାହୁଁଛନ୍ତି। ସେଥିପାଇଁ ମୁଁ ଚାହେଁ ନବୀନ ସରକାର ଏଥର ନିଶ୍ଚିତ ଭାବେ ହାରିବା ଜରୁରୀ। ମୁଁ ଜାଣେ ବନ୍ଧୁଙ୍କର ତାଲିକା ଆହୁରି ଲମ୍ବା ହୋଇପାରିବ। ନବୀନଙ୍କ ଶାସନକାଳରେ ରାଜ୍ୟ ଜନସଂଖ୍ୟାର ୨୪% ଆଦିବାସୀ ବାରମ୍ବାର ବିସ୍ଥାପିତ ହୋଇଛନ୍ତି ଏବଂ ତାଙ୍କର ଜଙ୍ଗଲ ବିଭାଗ ବାରମ୍ବାର ସେମାନଙ୍କୁ ଜଙ୍ଗଲ ଅଧିକାର ଆଇନର ସୁଫଳ ପାଇବାରୁ ବଞ୍ଚିତ କରିଛନ୍ତି। ସେମାନଙ୍କ ପାଇଁ ଥିବା ପେସା ଆଇନ୍ ଲାଗୁ ହୋଇପାରି ନାହିଁ। ତାଙ୍କ ଶାସନରେ ଦାଦନ ସମସ୍ୟା ଆହୁରି ଉତ୍କଟ ହୋଇଛି। ରାଜ୍ୟରେ ଅର୍ଦ୍ଧେକ ଡାକ୍ତର ପଦରେ ଡାକ୍ତର ନାହାନ୍ତି ଓ ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ବେସରକାରୀ ଡାକ୍ତରଖାନାଗୁଡିକୁ ଲାଭ କମାଇବା ପାଇଁ ବେଲଗାମ ଛାଡି ଦେଇଛନ୍ତି। ସରକାରୀ ଶିକ୍ଷାବ୍ୟବସ୍ଥା କହିଲେ କେବଳ ଜୀର୍ଣ୍ଣ ସ୍କୁଲ ଘର, ଅଣତାଲିମପ୍ରାପ୍ତ ଓ ସ୍ବଳ୍ପବେତନଭୋଗୀ ଶିକ୍ଷକକୁ ବୁଝାଏ। ଏଣେ ଛତୁ ଫୁଟିଲା ଭଳି ଲାଭଖୋର ଘରୋଇ ସ୍କୁଲ ଗାଁ ଗାଁରେ ଗଢି ଉଠିଛି। ରାଜ୍ୟରେ କୄଷିର ଉନ୍ନତି ପାଇଁ କୌଣସି ଦୀର୍ଘକାଳୀନ ଠୋସ୍ ଯୋଜନା ଥିବା ଭଳି ଆଖିରେ ପଡୁନାହିଁ। ଏମିତି ଲେଖି ବସିଲେ ବହୁତ ଲମ୍ବା ହେବ। ତେବେ ଏକଥା ନିଃସନ୍ଦେହ ଯେ ନବୀନ ସରକାରର ଏକ୍ସପାୟାର୍ ଡେଟ୍ କେବେ ଠାରୁ ଚାଲି ଯାଇଛି। ତେଣୁ ଏ ସରକାର ଯିବା ଉଚିତ୍। ମୁଁ ଆଗରୁ ଲେଖିଛି, ବନ୍ଧୁଙ୍କର ଲେଖାକୁ ମୁଁ ଖଣ୍ଡନ କରିବାକୁ ଚାହେଁ ନାହିଁ ବରଂ ଏକ ବିକଳ୍ପ ବିଚାର ରଖିବାକୁ ଚାହେଁ। ଏହି ବିକଳ୍ପ ବିଚାର ପାଇଁ ମୁଁ ଏକ ବିକଳ୍ପ ସରକାର କଥା ଚିନ୍ତା କରୁଛି। ଆସନ୍ତା ନିର୍ବାଚନରେ ଜୟ ପରାଜୟର ସମ୍ଭାବନା ଦୄଷ୍ଠିରୁ ନୁହେଁ ବରଂ କେବଳ ଦୁଇଟି ବଳବାନ୍ ରାଜନୈତିକ ଦଳକୁ ବିଚାରକୁ ନେବା ପାଇଁ ମୁଁ ଜାଣିଶୁଣି କଂଗ୍ରେସକୁ ଏହି ଆଲୋଚନାରୁ ବାଦ୍ ରଖୁଛି। ବିଜେପି ଓ ବିଜେଡି ଦୁଇଟିଯାକ ଦଳ ଏବେ ବ୍ୟାପକ କ୍ଷମତାଶାଳୀ ଓ ବଳବାନ୍। ଯଦି ବିଜେପି ହିଁ ଏକମାତ୍ର ବିକଳ୍ପ ସରକାର ହୁଏ (କଂଗ୍ରେସର ବିଜୟ ସମ୍ବାବନା ବି ଥାଇପାରେ) ତେବେ କ'ଣ ହେବ? ବିଜେଡିର ପରାଜୟ ପରେ ରାଜ୍ୟରେ ସ୍ବାଗତ କଲାଭଳି ପସନ୍ଦଯୋଗ୍ୟ ଏକ ସରକାର ଲୋକଙ୍କୁ ମିଳି ପାରିବ କି? ପରିସ୍ଥିତିରେ ଉନ୍ନତି ଆସିବ ନା ରାଜ୍ୟ ଦୄତ ଅବକ୍ଷୟ ଆଡକୁ ଯିବ? ବିକାଶ ସମ୍ବନ୍ଧୀୟ ଆଲୋଚନାକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଉ। ତା' ପୁର୍ବରୁ ମାନବତାର କଥା ଆଲୋଚନା ହେଉ। ଏକଥା ସତ ଯେ ବିଜେପି ଶାସିତ ରାଜ୍ୟଗୁଡିକରେ ଆଉ ଦଙ୍ଗା ହେଉନାହିଁ। ମାତ୍ର ସାଂପ୍ରଦାୟିକ ହିଂସା ଖୁଚୁରାରେ ହେଉଛି। ଦଙ୍ଗାକାରୀମାନେ ଲୁଚିଛପି ହିଂସା କରନ୍ତି। ମାତ୍ର ଏବେ ଯେଉଁ ଖୁଚୁରା ଦଙ୍ଗା ଚାଲିଛି ସେଥିରେ ହିଂସାରେ ଲିପ୍ତ ଉଗ୍ର ଭିଡ଼ ଖୋଲାଖୋଲି ନିଜର ହିଂସାକୁ ସୁଟିଂ କରି ୟୁଟ୍ୟୁବରେ ଅପଲୋଡ୍ କରୁଛନ୍ତି। ପୋଲିସ ଓ ଆଇନର ଭୟ ନାହିଁ। ଆପଣ ଭାବୁଥିବେ ଓଡିଶା ବିଜେପି ନେତାମାନେ ସାଂପ୍ରଦାୟିକ ମନୋଭାବ ରଖିନାହାନ୍ତି। କିନ୍ତୁ ସେଇଟା ଭାବିବା ଭୁଲ୍। ମୋଦି ମଧ୍ୟ ବିକାଶର କଥା କହି ଭୋଟ ମାଗିଥାନ୍ତି। ଥରେ ବିଜେପି କୌଣସି ରାଜ୍ୟରେ କ୍ଷମତାକୁ ଆସିଲେ ସରକାର ଆଉ ସେମାନଙ୍କ ନିୟନ୍ତ୍ରଣରେ ନଥାଏ। ଅତି କମରେ ଆଜି ପର୍ଯ୍ୟନ୍ତ ଓଡିଶାରେ ସମାଲୋଚନାରେ ପ୍ରତିକ୍ରୀୟା ପ୍ରକାଶ କରି ପାକିସ୍ଥାନ ଚାଲିଯାଅ ବୋଲି କେହି କହି ନାହାନ୍ତି। ଓଡିଶାରେ ଗତ ୫ ବର୍ଷରେ ୪ ଜଣ ଝିଅ ଯେପରି ଧର୍ଷିତା ହୋଇ ପ୍ରାଣ ହରାଇଲେ ତାହା ନବୀନ ଶାସନର ସବୁଠାରୁ ବଡ଼ କଳଙ୍କିତ ଅଧ୍ୟାୟ। ଧର୍ଷଣ ହୋଇନାହିଁ କହିବା ଓ ଧର୍ଷିତାକୁ ତୁରନ୍ତ ନ୍ୟାୟ ନ ମିଳିବା ଦୋଷ ସିଧା ସଳଖ ମୁଖ୍ୟମନ୍ତ୍ରୀ ମୁଣ୍ଡକୁ ଯିବ। ଏଇ ନିକଟରେ ସୁନ୍ଦରଗଡର ଜଣେ ଅପହୄତା ମହିଳାକୁ ଦିଲ୍ଲୀ ମହିଳା କମିଶନ ପଛେ ରାଜସ୍ଥାନରୁ ଉଦ୍ଧାର କଲେ କିନ୍ତୁ ଓଡିଶାରେ ତାଙ୍କୁ ପ୍ରଶାସନ ତରଫରୁ ସାହାଯ୍ୟର ଆଶ୍ବାସନା ମଧ୍ୟ ମିଳି ନଥିଲା। ମୁଖ୍ୟମନ୍ତ୍ରୀ ନିଜେ ହେଉଛନ୍ତି ଗୄହ ମନ୍ତ୍ରାଳୟ ଦାୟିତ୍ବରେ। ଅନ୍ୟ ପକ୍ଷରେ ଉତ୍ତର ପ୍ରଦେଶ କଥା ଦେଖନ୍ତୁ ଯାହାର ମୁଖ୍ୟମନ୍ତ୍ରୀଙ୍କୁ ଏଠିକାର ବିଜେପି ଷ୍ଟାର୍ ପ୍ରଚାରକ ରୂପେ ବ୍ୟବହାର କରେ। ଜଣେ ମହିଳା ଜଣେ ବିଧାୟକ ବିରୁଦ୍ଧରେ ଧର୍ଷଣ ଅଭିଯୋଗ ଆଣିଲେ। ପୋଲିସ୍ ଏଫ୍ଆଇଆର୍ ଗ୍ରହଣ କଲା ନାହିଁ। ମହିଳାର ପିତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁଃଖ ଶୁଣାଇଲା। ପିତାକୁ ପୋଲିସ୍ ଗିରଫ କରି ହାଜତରେ ରଖିଲା। ହାଜତରେ ବାହାର ଗୁଣ୍ଡା ପଶି ବୄଦ୍ଧ ପିତାକୁ ପିଟି ପିଟି ମାରିଦେଲେ। ସାରା ଦେଶରେ ଏହାର ପ୍ରତିକ୍ରୀୟା ପ୍ରକାଶ ପାଇବା ପରେ ଯାଇ ବିଧାୟକ ଗିରଫ ହେଲା। କ'ଣ ଓଡିଶାରେ ଏବେ ସୁଦ୍ଧା ଏ ପରିସ୍ଥିତି ଆସି ସାରିଛି? ଆପଣ ଓଡିଶାରେ ପ୍ରକାଶ ମିଶ୍ରଙ୍କ କଥା ଉଠାଇଛନ୍ତି। କ'ଣ ନବୀନ ସରକାର ହାରିବା ପରେ ଓଡିଶାକୁ ଏଭଳି ନିନ୍ଦନୀୟ ଘଟଣାରୁ ନିସ୍ତାର ମିଳିବ? ଦିଲ୍ଲୀରେ ତତ୍କାଳୀନ ପ୍ରଧାନ ସଚିବ ରାଜେନ୍ଦ୍ର କୁମାରଙ୍କର କି ଅବସ୍ଥା ହୋଇଛି? ହରିଆନାରେ ବିଜେପି ଶାସନରେ ଅଶୋକ ଖେମକାଙ୍କର କି ଅବସ୍ଥା ହୋଇଛି? ୫ ବର୍ଷ ମଧ୍ୟରେ ତାଙ୍କର ୫ ଥର ବଦଳି ହୋଇ ସାରିଲାଣି। ମୁଖ୍ୟମନ୍ତ୍ରୀ ତାଙ୍କ ସିସିଆରରେ ଖରାପ ମନ୍ତବ୍ୟ ଲେଖିଥିଲେ। ହାଇକୋର୍ଟଙ୍କ ହସ୍ତକ୍ଷେପ ଓ ଭର୍ତ୍ସନା ପରେ ଯାଇ ତାଙ୍କ ସିସିଆର୍ ଠିକ୍ ହେଲା। ଆଉ ଜଣେ ମାଗାସେସେ ପୁରସ୍କାରପ୍ରାପ୍ତ ଆଇଏଏସ ସଞ୍ଜୀବ ଚତୁର୍ବେଦୀଙ୍କର ଆଜି କି ହାଲତ ହୋଇଛି? ମୁଁ ଜାଣିଛି ଆପଣ ଏବେ କହିବେ ଯେ ଭବିଷ୍ୟତରେ ଓଡିଶାରେ ସାମ୍ଭାବ୍ୟ ବିଜେପି ସରକାର ଯଦି ସେମିତି କରେ, ଆପଣ ଏବେ ଯେମିତି ନବୀନ ସରକାରକୁ ବିରୋଧ କରୁଛନ୍ତି, ସେତେବେଳେ ସେମିତି ବିରୋଧ କରିବେ, ଦରକାର ପଡିଲେ ବିରୋଧ ତୀବ୍ରତର କରିବେ। ମାତ୍ର ବିଜେପି ଶାସନରେ ବିରୋଧର କି ଅବସ୍ଥା ହୁଏ ଆପଣ ତାମିଲନାଡୁର କୄଷକମାନଙ୍କୁ ପଚାରନ୍ତୁ, ମନ୍ଦସୋରର ଚାଷୀମାନଙ୍କୁ ପଚାରନ୍ତୁ। ବିରୋଧରେ କଥା କହିବା ପାଇଁ ଟିଭି ଚାନେଲ ରହିବ ନାହିଁ ଓ ବିରୋଧ କରୁଥିବା ସାମ୍ବାଦିକଙ୍କ ଚାକିରୀ ରହିବ ନାହିଁ। ଓଡିଶାରେ ଲକ୍ଷାଧିକ କୋଟି ଟଙ୍କାର ଖଣି ଦୁର୍ନୀତି ବର୍ଷ ବର୍ଷ ଧରି ଖୋଦ୍ ନବୀନବାବୁଙ୍କ ନାକ ତଳେ ଚାଲିଲା। ସିବିଆଇ ତଦନ୍ତ ହେଲାନାହିଁ। ସୁପ୍ରିମ କୋର୍ଟରେ ବି ସିବିଆଇ ତଦନ୍ତ ଦାବୀ ଅଗ୍ରାହ୍ୟ ହୋଇଗଲା। ମାତ୍ର କେଇ ହଜାର କୋଟି ଟଙ୍କାରେ ମାମଲା ରଫାଦଫା ହୋଇଗଲା। ତେବେ ଏଥିପାଇଁ ଆମେ ଦୋଷ ତ ରାଜ୍ୟ ଶାସନ ମୁଖ୍ୟଙ୍କୁ ଦେବା ନା? ଏବେ ଚାଲନ୍ତୁ ନବୀନଙ୍କ ଆବର୍ତ୍ତମାନରେ ଆସିବାର ଥିବା ସାମ୍ଭାବ୍ୟ ବିକଳ୍ପ ସରକାର କଥାକୁ। ଆପଣ ତ କର୍ଣ୍ଣାଟକର ଜନାର୍ଦ୍ଦନ ରେଡିଙ୍କ କଥା ଜାଣିଥିବେ। ବିଜେପିର ତତ୍କାଳୀନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଖଣି ଦୁର୍ନୀତିରେ ଜେଲ୍ ଯାଇଥିଲେ। ତତ୍କାଳୀନ ଲୋକାୟୁକ୍ତ ସନ୍ତୋଷ ହେଗେଡ଼େ ତାଙ୍କୁ ଦୋଷୀ ପ୍ରମାଣିତ କରିଥିଲେ। ଜନାର୍ଦ୍ଦନ ରେଡ୍ଡି ବି ଜେଲରେ ଥିଲେ। ରେଡ୍ଡି ବ୍ରଦର୍ସ ଓ ବିଜେପିର ତୁଙ୍ଗ ନେତାଙ୍କ ମଧ୍ୟରେ ଥିବା ସମ୍ପର୍କ କାହାରିକୁ ଅଛପା ନାହିଁ। ଅବୈଧ ଖଣି ଖୋଳା ଚାଲିଥିବା ବେଳେ ସେମାନେ ମନ୍ଦିରକୁ ବି ଡିନାମାଇଟ୍ ଲଗେଇ ଉଡ଼ାଇ ଦେଇଥିଲେ। ଆପଣ ଏଇନେ କହିବେ ଯେ ୟେଦୁରପ୍ପା କୋର୍ଟ ଦ୍ବାରା ଦୋଷମୁକ୍ତ ହୋଇଛନ୍ତି। ମୋର ପ୍ରଶ୍ନ ହେଲା ଓଡ଼ିଶାର କେଉଁ ମନ୍ତ୍ରୀ ଖଣି ଦୁର୍ନୀତିରେ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଛି କି? କିନ୍ତୁ ବାସ୍ତବତା କ'ଣ ମୁଁ ଜାଣିଛି ଓ ଆପଣ ବି ଜାଣନ୍ତି। ନବୀନ ସରକାର ସମୟରେ ବିଦ୍ୟୁତ ସରବରାହ ବ୍ୟବସ୍ଥା ଧ୍ବଂସ ହୋଇଗଲା। ବିଦ୍ୟୁତ୍ ବିତରକ କମ୍ପାନୀମାନଙ୍କୁ ବାହାର କରିବା ପାଇଁ ହାଇକୋର୍ଟରେ କେଶ୍ ଜିତି ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ ବାହାର କଲେ ନାହିଁ। ସେମାନେ ଗୋଟିଏ ବି ଟଙ୍କା ଇନଭେଷ୍ଟ କଲେ ନାହିଁ। କିନ୍ତୁ ହଜାର ହଜାର କୋଟି ଟଙ୍କା ଧରି ଛୁ ହୋଇଗଲେ। ପ୍ରାଇଭେଟ୍ କମ୍ପାନୀମାନେ ଚାଲିଗଲା ପରେ ମଧ୍ୟ ସେହି ଦୁଇ ଦଶନ୍ଧି ତଳେ ଆରମ୍ଭ ହୋଇଥିବା ଢାଞ୍ଚା ଏବେ ବି ଚାଲିଛି। ସଂସ୍କାର ନାହିଁ। ଏବେ ବି ରାଜ୍ୟରେ ବିଦ୍ୟୁତ୍ ଡିମାଣ୍ଡ କମ୍। ସରକାର ନିଜ ପିଠିକୁ ନିଜେ ଥାପୁଡାଇ କହୁଛନ୍ତି ଆମେ କୁଆଡେ ବଳକା ରାଜ୍ୟ। ଏପଟେ ଗତକାଲି ମୁଁ ସ୍କ୍ରୋଲରେ ପଢୁଥିଲି। ଦରବୄଦ୍ଧିକୁ ସୁପ୍ରିମ୍ କୋର୍ଟର ବାରଣ ସତ୍ତ୍ବେ ସେଠିକାର ଅଦାନୀକୁ ଦରବୄଦ୍ଧି ପାଇଁ ଗୁଜୁରାଟର ବିଜେପି ସରକାର ଅନୁମତି ଦେଇଦେଲେ। ଚୁକ୍ତି ମୁତାବକ ନିଜେ ରାଜ୍ୟ ସରକାର ଅଦାନୀଠାରୁ ସିଂହଭାଗ ବିଦ୍ୟୁତ୍ ଚଢ଼ା ଦରରେ କିଣୁଛନ୍ତି। ଲେଖିବସିଲେ ପୋଷ୍ଟଟି ଆହୁରି ବହୁତ ବଡ଼ ହେବ। ଯେଉଁ ବନ୍ଧୁଙ୍କ ପୋଷ୍ଟ ପଢି ମୁଁ ବିକଳ୍ପ ବିଚାର ରଖିଲି ତାଙ୍କୁ ମୁଁ ବହୁତ ସମ୍ମାନ କରେ। ଓଡିଶା ସରକାରଙ୍କ ଶାସନ ସମ୍ବନ୍ଧରେ ଏମିତି ବି ବହୁତ କମ୍ ତଥ୍ୟ ବାହାରକୁ ଆସୁଥିବା ବେଳେ ସେ ଅନେକ ତଥ୍ୟ ଏକାଠି କରି ବହି ଲେଖିଛନ୍ତି ଯାହା ମୁଁ ପଢିଛି। ସାମ୍ବାଦିକ ଓ ବୁଦ୍ଧିଜୀବୀଙ୍କର ମୂଳ କାମ ହେଉଛି କ୍ଷମତା ବିରୁଦ୍ଧରେ ଲେଖିବା ଓ କହିବା ଯାହା ସେ କରୁଛନ୍ତି। ସେଥିପାଇଁ ତାଙ୍କୁ ମୁଁ ସଲାମ କରୁଛି। ତେବେ ମୁଁ ନିମ୍ନରେ ଏକ ମଜାଦାର ଘଟଣା ଲେଖୁଛି। ଗତକାଲି ମୁଁ ଓମଫେଡ୍ ଷ୍ଟଲରେ ନିତି ଭେଟୁଥିବା ଜଣେ ବିଜେପି ସମର୍ଥକଙ୍କୁ ପଚାରିଲି, ଭାଈ ଏଥର ତମେ ଓଡିଶାରେ କେତେ ସିଟ୍ ପାଉଛ? ତାଙ୍କର ଉତ୍ତର ଥିଲା, ଲୋକସଭାରେ ୭ଟି ଓ ବିଧାନସଭାରେ ୪୦ଟି। ଏହା ଯଦି ସତ ହୁଏ ତେବେ ଏହା କମ୍ ବଡ଼ ସଂଖ୍ୟା ନୁହେଁ। ବିଜେଡି ଶାସନ ସମୟରେ କୌଣସି ବିରୋଧୀ ଦଳ କେବେ ଏତେ ସଂଖ୍ୟକ ସିଟ୍ ପାଇନାହିଁ। ତା’ହେଲେ ତ ତଥାପି ବିଜେଡି ଶାସନକୁ ଆସିବ। ଚାଲନ୍ତୁ ବିଜେପିର ଆସନ ସଂଖ୍ୟା ବଢାଇ ୬୦ କରିଦେବା। ସେମିତି ହେଲେ ବିଜେଡି ହୁଏତ ସଂଖ୍ୟାଗରିଷ୍ଠତାଠାରୁ କମ୍ ସିଟ୍ ପାଇବ। ସେପରି ହେଲେ ବିଜେଡିକୁ କେଉଁ ଦଳ ସମର୍ଥନ ଦେବ? କିଏ ମୁଖ୍ୟମନ୍ତ୍ରୀ ହେବ? ଯଦି ବିଜେପି ବିଜେଡିକୁ ସମର୍ଥନ ନଦିଏ ତେବେ ବିଜେଡି ନିଶ୍ଚିତ ଭାବେ ବିଜେପିରୁ ବିଧାୟକ କିଣିବ। କାରଣ ବିଜେପି ବର୍ତ୍ତମାନ ସେହି ଲୋକମାନଙ୍କରେ ଭରପୂର ଯେଉଁମାନେ ସପ୍ତାହକ ପୂର୍ବେ ବିଜେଡିରେ ଥିଲେ। ଏହାର ଉତ୍ତର ସମସ୍ତଙ୍କୁ ଭଲ ଭାବରେ ଜଣା। ଏ ଆକଳନ ମୋର ନୁହେଁ। ଜଣେ ବିଜେପି ବନ୍ଧୁଙ୍କ ଆକଳନକୁ ଆଧାର କରି ମୁଁ ଏ ପ୍ରଶ୍ନ ପଚାରିଲି। ତେବେ ମୋର ମତରେ ଏ ଏ ଅପାରଗ, ଦୁର୍ନୀତିଖୋର ନବୀନ ସରକାର ଯିବା ଉଚିତ୍। ଆପ୍ ଏଥର ସରକାର ଗଢିବା ସ୍ଥିତିରେ ନାହିଁ। ୧୫ଟି ବିଧାନସଭା ଓ ୧ଟି ଲୋକସଭା ଆସନରେ ଆପ୍ ପ୍ରାର୍ଥୀ ଦେବ। ଯଦି ଦିଲ୍ଲୀରେ ଆପ୍ ସରକାର ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍ ଆଦି କ୍ଷେତ୍ରରେ ଯେଉଁ କାମ କରିଛି ତାହା ବିଦେଶରେ ବି ପ୍ରଶଂସିତ ହେଉଛି। ତେବେ ଓଡିଶାରେ ଆପଣ କାହିଁକି ସମର୍ଥନ କରିବେ ନାହିଁ? ଆପ୍ ସେଠାରେ ସୀମୀତ କ୍ଷମତା ଓ ଆଇଏଏସ୍ ଅଫିସରଙ୍କ ସହ ଶତୄତା ସତ୍ତ୍ବେ ଏତେ ସବୁ କାମ କରିଛି। ଦୁର୍ନୀତି ମାମଲାରେ ନିଜେ ଉପରାଜ୍ୟପାଳଙ୍କ ଦ୍ବାରା ଗଠିତ ଏକ କମିଟି ଆପ୍ ସରକାରକୁ କ୍ଲିନଚିଟ୍ ଦେଇଛି। ମୁଁ ମାନୁଛି ଆପ୍ ଓଡିଶାରେ ବର୍ତ୍ତମାନ ବିଜେଡିକୁ କ୍ଷମତାଚ୍ୟୁତ କରିପାରିବ ନାହିଁ। ମାତ୍ର ଏମିତିରେ ବି ଦୁଇ ଦଶନ୍ଧି ଧରି ଆପଣ ବିଜେଡିର ବିଭିନ୍ନ ତଥାକଥିତ ବିରୋଧୀଙ୍କୁ ସମର୍ଥନ ଦେଇ କେବେ ବିଜେଡିକୁ କ୍ଷମତାଚ୍ୟୁତ କରିପାରିଛନ୍ତି? କେବେ ତ କେବେ ଏକ ବିକଳ୍ପ ରାଜନୀତି ଓ ଉଦ୍ୟମ ଆରମ୍ଭ ହେବା ଉଚିତ୍ ହେବ ନା? ଏବେ କାହିଁକି ନୁହେଁ ? ଆପ୍ ପାଖରେ ନିର୍ବାଚନ ଲଢିବା ପାଇଁ କେତେ ଟଙ୍କା ଅଛି ତାହା ଶୁଣିଲେ ଆପଣ ହସିବେ। କିନ୍ତୁ ଆପ୍ ତଥାପି ସାହସ ଦେଖାଉଛି। ଏଥର ନିର୍ବାଚନରେ ଓଡିଶାରେ ଆପ୍‌ର ଶକ୍ତି ବୄଦ୍ଧି ନିଶ୍ଚୟ ନବୀନବାବୁଙ୍କୁ ପାନେ ଚଖାଇବ ଓ ତାଙ୍କ ସାଥୀ ଦଳମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବ। ଦୟାକରି ଏକ ଶକ୍ତିଶାଳୀ ଆପ୍ ମଧ୍ୟରେ ସେହିସବୁ ଲକ୍ଷଣ ଖୋଜନ୍ତୁ ନାହିଁ ଯାହା ଅନ୍ୟ ଦଳରେ ଦେଖିଲେ ଆପଣ ଶକ୍ତି ବୄଦ୍ଧି ହେଲା ବୋଲି ବିଚାର କରନ୍ତି।

Share :