ବହୁ ପଛରେ ଓଡ଼ିଶାର ସ୍ବାସ୍ଥ୍ୟ ସେବା

ବହୁ ପଛରେ ଓଡ଼ିଶାର ସ୍ବାସ୍ଥ୍ୟ ସେବା

Share :

ବିକାଶ ସମ୍ବାଦଦାତା ସ୍ୱାସ୍ଥ୍ୟ ସେବାର ପରିସର ବ୍ୟାପକ ଏବଂ ଏହା ବ୍ୟକ୍ତିର ସାମାଜିକ ଚଳଣୀ, ପାରପାର୍ଶ୍ୱିକ ବ୍ୟବସ୍ଥା ଭଳି ଅନେକ ବିଷୟ ଦ୍ୱାରା ପ୍ରଭାବିତ ହେଉଥିବାରୁ ଜନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ଅସମାନତା ଦେଖାଯାଉଛି। ସ୍ୱାସ୍ଥ୍ୟ ସେବାରେ ଉନ୍ନତ ପ୍ରଦର୍ଶନ ନିମନ୍ତେ ଏକ ଦୃଢ଼ ଓ ସମ୍ମିଳିତ ପ୍ରୟାସ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସିୱାଇଏସଡିର ୩୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ହେଲ୍ଥ ଇନେକ୍ବାଲିଟି ଆଣ୍ଡ ଇକ୍ୟୁଟି ଇନ୍ ଓଡ଼ିଶା (ସ୍ୱାସ୍ଥ୍ୟ ସେବାରେ ଅସମାନତା ଓ ଅସମତା) ଶୀର୍ଷକ ଆଲୋଚନା ଚକ୍ରରେ ଏହି ମତ ପ୍ରକାଶ ପାଇଚି। ଏହି ଆଲୋଚନା ଚକ୍ରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡା. ଲଳିତ ମୋହନ ରଥ, ଜନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ପ୍ରାଧ୍ୟାପକ ଡ. ଭୂପୁତ୍ର ପଣ୍ଡା, ପିଏଚ୍‌ଏଫଆଇର ପ୍ରାଧ୍ୟାପକ ଡା. ଶ୍ରୀଧର କଦମ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅକ୍ସଫାମ୍‌ ଇଣ୍ଡିଆର ଓଡ଼ିଶା ଶାଖା ମୁଖ୍ୟ ଅକ୍ଷୟ କୁମାର ବିଶ୍ୱାଳ ଏହି ଆଲୋଚନା ଚକ୍ରର ପରିଚାଳନା କରିଥିଲେ। ଏହି ଅବସରରେ ସିୱାଇଏସ୍‌ ପକ୍ଷରୁ ପ୍ରସ୍ତୁତ ‘ହେଲ୍ଥ ଇନେକ୍ୱାଲିଟି ଆଣ୍ଡ ଇକ୍ୟୁଟି ଇନ୍ ଓଡ଼ିଶା’ ନାମକ ରିପୋର୍ଟ ଉନ୍ମୋଚନ କରାଯାଇଥିଲା। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୪ (୨୦୧୫-୧୬)ର ତଥ୍ୟ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରମୁଖ ସୂଚକାଙ୍କଗୁଡିକ ସମ୍ପର୍କରେ ଅନୁଶୀଳନ କରାଯାଇ ଜନସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ କିଭଳି ଅଧିକ ବ୍ୟାପକ ଓ ସୁଦୃଢ଼ କରାଯାଇପରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ରିପୋର୍ଟ ଅନୁସାରେ ଭାରତୀୟ ଜନ ସ୍ୱାସ୍ଥ୍ୟ ମାନକ (ଇଣ୍ଡିଆନ ପବ୍ଲିକ ହେଲ୍ଥ ଷ୍ଟାଣ୍ଡାର୍ଡ) ଅନୁସାରେ ଆମ ରାଜ୍ୟରେ ପ୍ରତି ପିଏଚ୍‌ସି ପିଛା ୪-୬ଟି ଓ ପ୍ରତି ସିଏଚ୍‌ସି ପିଛା ୩୦ଟି ଶଯ୍ୟା ଧାର୍ଯ୍ୟ କରାଯାଇଥିବାବେଳେ ଆମ ରାଜ୍ୟରେ ମୋଟ ୧୩୦୫ଟି ପିଏଚ୍‌ସିରେ ମାତ୍ର ୧୦୨୬ଟି ଶଯ୍ୟା ଓ ରାଜ୍ୟର ମୋଟ ୩୭୭ଟି ସିଏଚ୍‌ସିରେ ୫୮୧୭ଟି ଶଯ୍ୟା ରହିଥିବା ଉଲ୍ଲେଖ କରାଯାଇଛି। ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, କୋରାପୁଟ୍, ସୁବର୍ଣ୍ଣପୁର, ରାୟଗଡା, ନବରଙ୍ଗପୁର ଆଦି ୧୩ଟି ଜିଲ୍ଲାରେ କୌଣସି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଦୌ ଶଯ୍ୟା ନାହିଁ। ରାଜ୍ୟରେ ସରକାରୀ ଡାକ୍ତରଖାନାରେ ପ୍ରସବ ବାଦଦ ହାତ ଖର୍ଚ୍ଚ ବା (ଆଉଟ୍‌ ଅଫ ପକେଟ୍‌ ଏକ୍ସପେଣ୍ଡିଚର) ପରିମାଣ ୪୨୨୬ ଟଙ୍କା ରହିଥିବା ବେଳେ ମାଲକାନଗିରିରେ ଏହା ସର୍ବନିମ୍ନ ୧୪୫୪ ଟଙ୍କା ଏବଂ ପୁରୀରେ ସର୍ବାଧିକ ୬୯୭୨ ଟଙ୍କା ରହିଛି। ଦେଶରେ ମାତୃ ମୃତ୍ୟୁ ଅନୁପାତ ୭୦ ଥିବାବେଳେ ଆମ ରାଜ୍ୟରେ ଏହି ଅନୁପାତ ୧୮୦, ଦେଶରେ ନବଜାତ ଶିଶୁ ମୃତ୍ୟୁହାର ୧୨ ଥିବାବେଳେ ଆମ ରାଜ୍ୟରେ ଏହି ହାର ୩୭ ରହିଛି ଏବଂ ଦେଶରେ ୫ ବର୍ଷରୁ କମ୍ ଶିଶୁ ମୃତ୍ୟୁ ହାର ୨୫ ଥିବାବେଳେ ରାଜ୍ୟରେ ଏହି ହାର ୪୫ ରହିଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିୟୋଜିତ ମାନବ ସମ୍ୱଳ ତଥା ଭିତ୍ତିଭୂମି ବିକାଶ ସମ୍ପର୍କିତ ଅନେକ ପ୍ରସଙ୍ଗରେ ଏହି ରିପୋର୍ଟରେ ଆଲୋଚନା କରାଯାଇଛି। ଆମ ଦେଶରେ ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ମଧ୍ୟରେ କମ୍‌ ଓଜନର ଶିଶୁ ହାର ୩୫.୭ ଥିବା ବେଳେ ରାଜ୍ୟରେ ଏହି ହାର ୩୪.୪ ରହିଛି ମାତ୍ର ଯଦି ଜିଲ୍ଲା ସ୍ତରକୁ ଅନୁଶୀଳନ କରାଯାଏ ତେବେ ଉପକୂଳ ଓଡ଼ିଶାର ୧୨ଟି ଜିଲ୍ଲାକୁ ଛାଡ଼ିଦେଲେ ଉତ୍ତର, ପଶ୍ଚିମ, ଦକ୍ଷିଣ ଓ ମଧ୍ୟ ଓଡ଼ିଶାର ଏହି ହାର ରାଜ୍ୟ ତଥା ଦେଶ ହାରଠାରୁ ଅଧିକ। ପ୍ରତିଷ୍ଠା ଦିବସର ସଂଭାଷଣ କାର୍ଯ୍ୟକ୍ରମରେ ବିଶ୍ବ ସମାଜିକ କର୍ମୀ ତଥା ଅକ୍ସଫାମ ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତାଭ ବେହର୍ ଯୋଗଦେଇ କହିଲେ ଯେ ଅସମାନତା ସବୁବେଳେ ଆଦିବାସୀ ଓ ପଛୁଆ ଅଞ୍ଚଳର ଲୋକମାନେ ହିଁ ସାମ୍ନା କରିଥା’ନ୍ତି। ଯେବେ ବି କୌଣସି ଅର୍ଥନୈତିକ ପ୍ରକଳ୍ପ କରାଯାଇଥାଏ ସେତେବେଳେ ଆଦିବାସୀ ଓ ପଛୁଆ ଅଞ୍ଚଳର ଲୋକମାନେ ହିଁ ବିସ୍ଥାବିତ ହୋଇଥା’ନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା ଭଳି ସମସ୍ତ ସାମାଜିକ କ୍ଷେତ୍ରରେ ସର୍ବଦା ପଛୁଆ ବର୍ଗ ତଥା ସମ୍ୱେଦନଶୀଳ ଗୋଷ୍ଠୀ ହିଁ ଅସମାନତାର ଶିକାର ହୋଇଛନ୍ତି। ସମାଜିକ ଅନୁଷ୍ଠାନମାନେ ମିଳିତ ଭାବେ ସବୁ କ୍ଷେତ୍ରରେ ଓ ସବୁ ବର୍ଗରେ ଅସମାନତା ଦୂର କରିବା ପାଇଁ ପ୍ରୟାସ କରିବା ଜରୁରୀ। ଏହି ଅବସରରେ ସିୱାଇଏସ୍‌ଡିର ମାର୍ଗଦର୍ଶକ ଓ ସହ-ପ୍ରତିଷ୍ଠାତା ଜଗଦାନନ୍ଦ କହିଲେ ଯେ ତୃଣମୂଳ ସ୍ତରରେ ଅସମାନତା ଦୂର କରିବା ପାଇଁ ଯୁବ ବର୍ଗଙ୍କୁ ଆଗକୁ ଆସିବା ଆବଶ୍ୟକ ଏବଂ ଗ୍ରାମୀଣ ଶାସନ ବ୍ୟବସ୍ଥାରେ ଯୁବ ଗୋଷ୍ଠୀ, ଅବହେଳିତ, ମହିଳାଙ୍କ ଅଂଶଗ୍ରହଣ ବର୍ତ୍ତମାନ ପରିପ୍ରେକ୍ଷୀରେ ଆହ୍ୱାନ ସୃଷ୍ଟି କରିଛି। ଏହି ଶିବିରରେ ବିଭିନ୍ନ େସ୍ୱଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ଓ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନେ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ନିଜର ମତାମତ ଉପସ୍ଥାପନ କରିଥିଲେ। ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଥିବା ଅସମାନତା ଓ ଅସମତା ଦୂର କରିବା ଦିଗରେ ସରକାର, ଜନସାଧାରଣ, ପଚାଂୟତିରାତ ସଦସ୍ୟ ଓ େସ୍ୱଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନଙ୍କର ସକ୍ରିୟ ସହଯୋଗ ତଥା ଲୋକଙ୍କ ମଧ୍ୟରେ ସଠିକ୍ ସ୍ୱାସ୍ଥ୍ୟ ସେବା ଆପଣାଇବା ପାଇଁ ବ୍ୟବହାରିକ ପରିବର୍ତ୍ତନ ଜରୁରୀ ବୋଲି ମତପ୍ରକାଶ ପାଇଥିଲା। ସିୱାଇଏସ୍‌ଡିର ଅଧ୍ୟକ୍ଷ ସମସ୍ତଙ୍କୁ ଏକତାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ଅପହଞ୍ଚ ଇଲାକାରେ କାର୍ଯ୍ୟ କରୁଥିବା ବିଭିନ୍ନ ଗୋଷ୍ଠୀ ସ୍ତରୀୟ ସଙ୍ଗଠନ ଓ େସ୍ୱଚ୍ଛାସେବୀମାନଙ୍କୁ ସମ୍ମାନୀତ କରାଯାଇଥିଲା।

Share :