ନବୀନଙ୍କ ବିକଳ୍ପ ହେବ ଆଉ ଏକ ଆଂଚଳିକ ଦଳ!

ନବୀନଙ୍କ ବିକଳ୍ପ ହେବ ଆଉ ଏକ ଆଂଚଳିକ ଦଳ!

Share :

    କଂଗ୍ରେସ ପରି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତାମାନେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ନିବାସ ନବୀନ ନିବାସରେ ଗଅହବନ୍ଦୀ ହେବା ପରେ ଗଣତନ୍ତ୍ରବାଦୀ ଓଡ଼ିଶାପ୍ରେମୀ ବୁଦ୍ଧୀଜୀବୀ, ସାମ୍ବାଦିକ ଓ ରାଜନୀତିଜ୍ଞମାନେ ପୁଣି ଏକ ବିକଳ୍ପ ରାଜନୀତିକ ଶକ୍ତି ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି | ପୂର୍ବରୁ ସେମାନେ କଂଗ୍ରେସ ଓ ପରେ ବିଜେପି ଉପରେ ଭରସା କରିଥିଲେ | ସେମାନେ ଭାବୁଥିଲେ ଯେ ଜାତୀୟ ଦଳ ହୋଇଥିବାରୁ ଏହି ଦୁଇଟି ଦଳ ଓଡ଼ିଶାରେ ନିଶ୍ଚୟ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ଆଚରଣ ପ୍ରଦର୍ଶନ କରିବେ | କିନ୍ତୁ ଏଯାଏଁ ତାହା ହୋଇନାହିଁ | ବରଂ ନବୀନଙ୍କୁ ପ୍ରଶଂସା କରିବାରେ ଏବଂ ସମସ୍ତ ପ୍ରକାର ରାଜନୀତିକ ସହାୟତା ଯୋଗାଇଦେବାରେ ଉଭୟ କଂଗ୍ରେସ ଓ ବିଜେପିର କେନ୍ଦ୍ରୀୟ ନେତାମାନ ଏକ ପ୍ରକାର ପ୍ରତିଯୋଗିତା ଚଳାଇଥିବାର ଦେଖାଯାଇଛି | ଓଡ଼ିଶାର ଆଂଚଳିକ ବିଜୁ ଜନତା ଦଳ ୧୯୯୭ ମସିହାରେ ପ୍ରତିଷ୍ଠା ହେବା ଦିନରୁ ଭାରତୀୟ ଜନତା ପାର୍ଟି ଏହି ଦଳ ସହିତ ମେଣ୍ଟ କରିଥିଲା | ୨୦୦୦ ମସିହାରେ ଏହି ମେଣ୍ଟର ନେତା ଭାବେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ | ସେତେବେଳେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କର ଏନଡିଏ ସରକାର ଥିଲା | ନୀବନଙ୍କ ବିଜେଡି ତାହାର ଅଂଶୀଦାର ଥିଲା | ତେଣୁ ସ୍ବାଭାବିକ ଭାବେ ସେତେବେଳେ ବିଜେପି ନେତାମାନେ ସେତେବେଳ ନବୀନଙ୍କୁ ବିରୋଧ କରୁ ନଥିଲେ | ଅବଶ୍ୟ ସରକାରଙ୍କ ଦୋଷତ୍ରୁଟି ପଦାରେ ପକାଇବାର ନୈତିକ ଦାୟିତ୍ବ ନିର୍ବାହ ନକରି ରାଜ୍ୟ ବିଜେପି ନେତାମାନେ ବିଜେପିର ତତ୍କାଳୀନ କେନ୍ଦ୍ରୀୟ ନେତୃତ୍ବଙ୍କଠାରୁ ଆଉ କେଇ ପାଦ ଆଗେଇ ଯାଇଁ ତାଙ୍କର ଭୂରିଭୂରି ପ୍ରଶଂସା କରିବାରେ ଲାଗିଥିଲେ | ୨୦୦୪ ମସିହାରେ କେନ୍ଦ୍ରରେ ଏନଡିଏ ସରକାର ହଟି କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ଦାୟିତ୍ବ ନେଲା | ସେତେବେଳେ ବିକଳ୍ପ ଖୋଜୁଥିବା ରାଜ୍ୟର ଗଣତାନ୍ତ୍ରିକ ଶକ୍ତି ଭାବୁଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟର କଂଗ୍ରେସ ନେତାମାନେ ନବୀନଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରର ପର୍ଦ୍ଦାଫାସ କରିବା ସଙ୍ଗେସଙ୍ଗେ ତାଙ୍କର ଅପାରଗତା ଓ ଅଗଣତାନ୍ତ୍ରିକ ଆଚରଣର ମଧ୍ୟ ତୀବ୍ର ବିରୋଧ କରିବେ | କିନ୍ତୁ ତାହା ହେଲା ନାହିଁ | କଂଗ୍ରେସର କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସିବା ଅବସରରେ ବାରମ୍ବାର ନବୀନଙ୍କର ପ୍ରଶଂସା କଲେ ଓ ତାଙ୍କ ଅଗଣତାନ୍ତ୍ରିକ ତଥା ଦୁର୍ନୀତିମୂଳକ ସରକାର ସବୁ ପ୍ରକାର କେନ୍ଦ୍ରୀୟ ସୁରକ୍ଷା ଯୋଗାଇଦେଲେ | ଏପରିକି ୨୦୦୯ ମସିହାରେ ନବୀନଙ୍କ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ଓ କନ୍ଧମାଳ ସାଂପ୍ରଦାୟିକ ଦଙ୍ଗା ନିୟନ୍ତ୍ରଣରେ ନବୀନ ପଟ୍ଟନାୟକଙ୍କ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବାବେଳେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାର ମହାର୍ଘ ସୁଯୋଗ ଥିଲେ ମଧ୍ୟ ଉପା ସରକାର ସେପରି କରିନଥିଲେ | ୨୦୦୯ ମସିହାରେ ନବୀନଙ୍କ ’ବିଶ୍ବାସଘାତ’ ଯୋଗୁଁ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିଯିବା ପରେ ବିକଳ୍ପ ସନ୍ଧାନୀମାନେ ଏଥର ବିଜେପିକୁ ବିକଳ୍ପ ଭାବେ ଦେଖିବାକୁ ଆଗ୍ରହ ପ୍ରକାଶ କରିଥିଲେ | ସେତେବେଳେ କିନ୍ତୁ ରାଜ୍ୟ ବିଜେପିର ସେପରି ଶକ୍ତି ନଥିଲା | ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ କଂଗ୍ରେସ ନେତୃତ୍ବାଧୀନ ଉପାକୁ ଅପମାନଜନକ ଭାବେ ପରାସ୍ତ କଲା ଓ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲେ | ନିର୍ବାଚନ ସମୟରେ ନବୀନ ପଟ୍ଟନାୟକ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କର ତୀବ୍ର ସମାଲୋଚନା କରିଥିଲେ | ମୋଦି ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି ବୋଲି ନବୀନ ମନ୍ତବ୍ୟ ଦେଇଥିଲେ | ତେଣୁ ଆଶା କରାଯାଉଥିଲା ଯେ ଏବେ ଅନ୍ତତଃ ବିଜେପିର କେନ୍ଦ୍ରୀୟ ନେତାମାନେ ଓଡ଼ିଶାରେ ନବୀନଙ୍କ ପତନ ପାଇଁ ରାଜନୀତିକ ଉଦ୍ୟମ ଆରମ୍ଭ କରିବେ | କିନ୍ତୁ ତାହା ମଧ୍ୟ ହେଲା ନାହିଁ | ଓଲଟି ବିଜେପିର ଜାତୀୟ ସଭାପତି ଅମିତ ଶାହାଙ୍କ ସମେତ ଅନ୍ୟ କେନ୍ଦ୍ରୀୟ ମନ୍ତ୍ରୀମାନେ ଆସି ନବୀନଙ୍କ ହାତମୁଠା ଟାଣ କରି ଫେରିଲେ | ରାଜ୍ୟ ବିଜେପି ସଭାପତି ଚୟନରେ ମଧ୍ୟ ନବୀନଙ୍କ ବିକଳ୍ପ ଖୋଜାଗଲା ଭଳି ଗୋଟେ ରାଜନୀତିକ ବାର୍ତ୍ତା ଦିଆଗଲା ନାହିଁ | ଅନ୍ୟପକ୍ଷରେ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ବ ରକ୍ଷା କରିବାର ଚତୁର କୌଶଳ ଆପଣାର କରି ନବୀନ ଉଭୟ ଦଳଙ୍କ ସହିତ ଭିତିରି ସଂପର୍କ ରଖିବାରେ ସଫଳ ହେଲେ | ୨୦୦୪-୧୪ ଦଶ ବର୍ଷ ମଧ୍ୟରେ ସେ କେବେ ବି ଉପା ସରକାରର ଦୁର୍ନୀତି ଓ ଅପାରଗତା ବିରୋଧରେ ମୁହଁ ଖୋଲି ନଥିବା ନବୀନ କିନ୍ତୁ ବାରମ୍ବାର କେନ୍ଦ୍ରୀୟ ଅବହେଳା କଥା ଉଠାଇ ରାଜ୍ୟରେ କଂଗ୍ରେସ ବିରୋଧୀ ରାଜନୀତିର କ୍ଷେତ୍ର ଦଖଲ କରିଗଲେ | ସେହିପରି ୨୦୧୪ ପରବର୍ତ୍ତୀ ଦୁଇ ବର୍ଷ ଭିତରେ ବି ନବୀନ ମୋଦି ସରକାରଙ୍କ ଅନୀତି ଓ ଅପାରଗତା ବିରୋଧରେ ନବୀନ ଏଯାଏଁ ପଦୁଟିଏ ବି କହି ନାହାନ୍ତି | ସେହିପରି ବିଜେପି ଓ ଆରଏସଏସର ’ଘୃଣା ଓ ଅସହିଷ୍ଣୁତା’ ରାଜନୀତି ତଥା ସାଂପ୍ରଦାୟିକ ବିଦ୍ବେଷମୂଳକ ପ୍ରଚାର ବିରୋଧରେ ମଧ୍ୟ ସେ ଏଯାଏ କିଛି କହି ନାହାନ୍ତି | କିନ୍ତୁ ସେହି ପୁରୁଣା ’କେନ୍ଦ୍ରୀୟ ଅବହେଳା’ କଥା ଉଠାଇ ଓଡ଼ିଶାରେ ସେ ନିଜର ରାଜନୀତିକ ଭିତିତିଭୂମି ସୁରକ୍ଷିତ ରଖିଛନ୍ତି | କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନବୀନଙ୍କର ଘନିଷ୍ଟ ବାନ୍ଧବୀ | ସେହିପରି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ମଧ୍ୟ ନବୀନଙ୍କର ଜିଗରି ଦୋସ୍ତ | ଏମାନଙ୍କ ବ୍ୟତିତ ଉଭୟ ଦଳର ଆହୁରି ଅନେକ ନେତା ମଧ୍ୟ ନବୀନଙ୍କ ସହିତ ବ୍ୟକ୍ତିଗତ ଭାବରେ ଜଡ଼ିତ | ଦିଲ୍ଲୀର ଅନେକ ସାମ୍ବାଦିକ ମଧ୍ୟ ତାଙ୍କର ପ୍ରିୟ | ସେ ଦିଲ୍ଲୀରେ ଥିବା ସମୟରେ କିଛି ଲୋକଙ୍କ ସହିତ ଏମିତି ସଂପର୍କ ଗଢ଼ିଥିଲେ ଯେ ତାହା ତାଙ୍କ ରାଜନୀତିକ ସୁରକ୍ଷା କବଚ ଭାବରେ ୧୯ ବର୍ଷ ହେଲା କାମ କରି ଆସୁଛି | ଏଭଳି ସ୍ଥିତିରେ ଯେଉଁମାନେ ଓଡ଼ିଶା ଓ ଓଡ଼ିଆଙ୍କ କଥା ଚିନ୍ତା କରୁଛନ୍ତି ସେମାନେ ନବୀନଙ୍କ ବିକଳ୍ପ ସନ୍ଧାନ ପାଇଁ ତାଙ୍କ ବିରୋଧୀମାନଙ୍କୁ ଗୋଟିଏ ଛତା ତଳେ ଏକଜୁଟ କରିବାକୁ ପୁଣି ଥରେ ଉଦ୍ୟମ ଆରମ୍ଭ କରିଛନ୍ତି | ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯଦି ପୁରୁଣା ଜନତା ପରିବାରକୁ ଏକାଠି କରିବାରେ ଏବଂ ଜନତା ଦଳର ପୁରୁଣା ଚକ ଚିହ୍ନ ଫେରି ପାଇବାରେ ସଫଳ ହୁଅନ୍ତି ତେବେ ସେମାନେ ଓଡ଼ିଶାରେ ସଂଯୁକ୍ତ ଜନତା ଦଳ ପତାକା ତଳେ ପୁରୁଣା ଜନତା ନେତାମାନଙ୍କୁ ଏକାଠି କରିବା ଯୋଜନାରେ ଅଛନ୍ତି | ନତୁବା ପୁରୁଣା ଜନତା ପରିବାରର ସଦସ୍ୟ, କଂଗ୍ରେସ ଓ ବିଜେପିରେ ଥିବା ଅନେକ ଅସନ୍ତୁଷ୍ଟ ଏବଂ ଏଯାଏଁ ରାଜନୀତିକ ମଇଦାନରେ ଯୋଗ୍ୟତା ଓ ଦକ୍ଷତା ଅନୁଯାୟୀ ସଫଳତା ଅର୍ଜନ କରି ନଥିବା କେତେ ଜଣ ପ୍ରତିଷ୍ଠିତ ବ୍ୟକ୍ତିତ୍ବ, ସମାଜବାଦୀ ଓ ସାମ୍ୟବାଦୀ ଗଣତାନ୍ତ୍ରିକ ଶକ୍ତିଙ୍କୁ ନେଇ ଓଡ଼ିଶାରେ ଅନ୍ୟ ଏକ ଆଂଚଳିକ ରାଜନୀତିକ ଦଳ ଗଠନ କରିବାକୁ ମଧ୍ୟ ବିକଳ୍ପ ପ୍ରୟାସ ଚାଲିଛି | ଓଡ଼ିଶାର ରାଜନୀତିକ ପରିସ୍ଥିତି ଦୃଷ୍ଟିରୁ କୌଣସି ପ୍ରକାର ଜାତୀୟ ଦଳ ଅପେକ୍ଷା ଏକ ଆଂଚଳିକ ଦଳ ହିଁ ରାଜ୍ୟ ରାଜନୀତିରେ ନବୀନ ପଟ୍ଟନାୟକଙ୍କର ବିକଳ୍ପ ହେବା ଅଧିକ ସହଜ ଓ ସମ୍ଭାବନାପୂର୍ଣ୍ଣ |

Share :