ଶିକ୍ଷାର ମାଧ୍ୟମ ହେଉ ଓଡ଼ିଆ

ଶିକ୍ଷାର ମାଧ୍ୟମ ହେଉ ଓଡ଼ିଆ

ଡି. ଶୁଭମ୍ ଐକ୍ୟ ଓ ଅଖଣ୍ଡତାର ସମାହାରରେ ପୁଷ୍ପିତ, ଆର୍ଯ୍ୟରଷିମାନଙ୍କ ଉଦାର ମାନବିକତାର ଏକ ଶ୍ରେଷ୍ଠ ଉଚ୍ଚାରଣ ବସୁଧୈବ କୁଟୁମ୍ୱକମ। ବହୁ ଭାଷାଭାଷୀ ମଣିଷଙ୍କ ବିଚିତ୍ର ମିଳନ ଭୂମି ଏଇ ଆମ ଭାରତବର୍ଷ। ଭାରତ ଭିତରେ ଓଡ଼ିଆ ଓ ଓଡ଼ିଶାର ମହତ୍ତ୍ୱ ଟିକେ ନିଆରା। ଏହାର କଳେବରରେ ଭରି ରହିଛି ଏକ ନୂତନ ସ୍ୱାତନ୍ତ୍ର୍ୟ। ଏହାର ସଭ୍ୟତାର ପରିଭାଷା ସ୍ୱଚ୍ଛନୀରା ମନ୍ଦାକିନୀର ଧାରା ପରି ପବିତ୍ର। ଶ୍ରମ, ସାଧନା ଓ ସମର୍ପଣର ଉପାଦାନରେ ପରିସ୍ଫୁଟ ଆମ ଓଡ଼ିଶା ପ୍ରଦେଶ ଏକ ମହାଭାରତୀୟ ଚେତନାର ଆଦ୍ୟରୂପ। ଏଠି ଗାଁର ମଧୁମୟ ପରିବେଶ ସାଙ୍ଗକୁ ପରିବାରର ପ୍ରେମପ୍ରଣୟ ବେଶ ଜୀବନ୍ତ। ଆମ ଭାଷା ଆମର ପରିଚୟ, ଆମର ସ୍ବାଭିମାନ। ଏଇ ଭାଷାକୁ ଭିତ୍ତିକରି ଆମକୁ ଏକଜୁଟ କରିଥିଲେ ଉତ୍କଳ ଗୌରବ ବାରିଷ୍ଟର ମଧୁସୂଦନ ଦାସ। ସେଇଥିପାଇଁ ତ ଆମେ ଛାତିଫୁଲେଇ କହିପାରୁଛେ ମୁଁ ଓଡ଼ିଆ, ଓଡ଼ିଆ ମୋର ଭାଷା। ଓଡ଼ିଆର ମନ୍ତ୍ରଧ୍ବିନିରେ ଧ୍ୱନିତ ଓଡ଼ିଶା। ଭାଷା ହିଁ ଜୀବନ ଶକ୍ତି ସଭ୍ୟ ମଣିଷର। ଯେଉଁ ଜାତି ଭାଷାହୀନ ସେ ଜାତି ବର୍ବର। ବୈଦିକ ଯୁଗରେ ବି ବେଦର ଭାଷା ଥିଲା ମୁନିଋଷିମାନଙ୍କ ଭାଷା। ସବୁ ସମୟରେ ଭାଷା ହିଁ ସଭ୍ୟ ଜୀବନକୁ ଯୋଡ଼ିଥାଏ। ଏହାର ଗତି ନିର୍ଣ୍ଣିତ ଓ ସ୍ୱାଦ ବି ଅପରିବର୍ତ୍ତିତ। ଭାଷା ମଣିଷର ଭୂଷଣ। ଓଡ଼ିଆ ଆମ ମାତୃଭାଷା। ବିଶ୍ୱସ୍ତରରେ ପରିଚିତ ଆମ ଓଡ଼ିଶା ଭାଷା। କିନ୍ତୁ ଦୁଃଖର କଥା ଆଜି ଓଡ଼ିଆମାନେ ନିଜ ମାତୃଭାଷା କହିବା ପାଇଁ ଲାଜ କରୁଛନ୍ତି। ଅତ୍ୟନ୍ତ ପରିତାପର ବିଷୟ ଆଜିର ଓଡ଼ିଆମାନେ ବିଦେଶୀ ଭାଷାର ନିଶାରେ ମାତି ଯାଇଛନ୍ତି। ଏବେ ନିବାର୍ଚନର ମାହୋଲ। ସଭିଏଁ ନିଜ ଦଳ ପ୍ରଚାର ପାଇଁ ବ୍ୟସ୍ତ। ଏହା ଭିତରେ ଯେବେ ଓଡ଼ିଆ ଭାଷା ତଳସ୍ତରକୁ ଖସି ନ ଯାଏ ସେଥିପାଇଁ ନଜର ଦେବାକୁ ପଡ଼ିବ। କାହିଁକି ନା ଆମେ ଓଡିଆ , ଆମ ଭାଷା ଓଡ଼ିଆ। ସେଥିପାଇଁ ନିଜକୁ ସଜାଗ ରଖିବାକୁ ହେବ। ଭବିଷ୍ୟତରେ ଯେମିତି ଭାଷା ସମସ୍ୟା ସୃଷ୍ଟି ନ ହଉ, ଏକଥାକୁ ସ୍ମରଣ ରଖିବାକୁ ହବ। ମା’ ର ଭାଷା ହିଁ ମାତୃଭାଷା। ଏହା ଯେତେ ସୁନ୍ଦର ସରସ ସାବଲୀଳ ଅନ୍ୟ କୌଣସି ଭାଷା କେବେ ସମକକ୍ଷ ହୋଇପାରିବ ନାହିଁ। ମାତୃଭାଷାରେ ଗୋଟିଏ ଜାତିର ସ୍ୱାଭିମାନ ପ୍ରକଟିତ। ମାତୃଭାଷାକୁ ନିନ୍ଦା ଆଉ ଅବମାନନା କରିବା ଲୋକ ଜାତିଦ୍ରୋହୀ। ଗଙ୍ଗାଧର ମେହେର ଲେଖିଥିଲେ- ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ? ଯେଉଁ ଦେଶର ଭାଷା ଯେତେ ଉନ୍ନତ ସେ ଦେଶ ସେତେ ବିକଶିତ। କୌଣସି ଉନ୍ନତ ଦେଶର ସାହିତ୍ୟ ଓ ସଂରକ୍ଷଣ ତାହାର ଭାଷା ଦ୍ୱାରା ପ୍ରଭାବିତ ହୋଇଥାଏ। ଫଳରେ ସେ ଦେଶର ଶିକ୍ଷା ଓ ସଂସ୍କୃତି ଆପେଆପେ ବିକଶିତ ହୁଏ। ଠିକ ଏହି କାରଣରୁ ଇଂରାଜୀ ଭାଷା ବିଶ୍ୱ ଦରବାରରେ ଜନାଦୃତ ହୋଇପାରିଛି। ଯେଉଁ ଦେଶର ଭାଷା ଦୁର୍ବଳ, ସେ ଦେଶ ପ୍ରଗତି ସେତେ ମନ୍ଥର। ଯଦିଓ ପୃଥିବୀର ବିକଶିତ ଭାଷାମାନଙ୍କ ମଧ୍ୟରେ ଇଂରାଜୀ ଅନ୍ୟତମ ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଟେଲିଯୋଗାଯୋଗ କ୍ଷେତ୍ରରେ ପ୍ରାଧାନ୍ୟ ଅଧିକ, ତଥାପି ଫ୍ରାନ୍ସ, ଜାପାନ୍, ନେଦରଲ୍ୟାଣ୍ଡ ପ୍ରଭୃତି ଦେଶ ନିଜ ମାତୃଭାଷାରେ ଶିକ୍ଷାଲାଭ କରି ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚ଼ୟ ସୃଷ୍ଟି କରିପାରିଛନ୍ତି। ମାତୃଭାଷାରେ ଶିକ୍ଷାଦାନ କରିବା ଶିକ୍ଷକମାନଙ୍କ ପାଇଁ ସହଜ, ଆଉ ଏହାକୁ ହଜମ କରିବା ଛାତ୍ରମାନଙ୍କ ପାଇଁ ମଧ୍ୟ ସହଜ। ଏହା ମନ ଓ ହୃଦୟ ଉଭୟଙ୍କୁ ଛୁଇଁପାରେ। ହୁଏତ ଅଳ୍ପ କେତେଙ୍କ ପାଇଁ ପ୍ରବାସୀ ଭାଷା ସୁବୋଧ ହୋଇପାରେ, ପରନ୍ତୁ ଅଧିକାଂଶ ପିଲାଙ୍କ ପାଇଁ ଏହା ଦୁର୍ବୋଧ। ତେଣୁ ଯେତେ ଡିଣ୍ଡିମ ପିଟି ପ୍ରବାସୀ ଭାଷା ର ପ୍ରଚ଼ାର କଲେବି ଏହା ଧର୍ମକୁ ଆଖି ଠାର ପରି। ଏବର ଭାରତ ବର୍ଷରେ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନକୁ ପ୍ରସାର କରାଯାଉଛି। ଏହି ଶିକ୍ଷାଧାରରେ ମନୁଷ୍ୟ ପାଶ୍ଚାତ୍ୟର ଅନୁଗାମୀ ହୋଇଯାଇଛି। ଫଳରେ ଆଜି ବୈକୁଣ୍ଠ ନର୍କ ହୋଇଯାଇଛି। ସବୁ ସରକାରୀ କାର୍ଯ୍ୟଳୟରେ ଇଂରାଜୀ ଫଳକ ଲାଗୁଚ଼ି। ସରକାରୀ ଚିଠିପତ୍ରରେ ଇଂରାଜୀ ଶବ୍ଦ। ଯାହାର ପରିଣତି ହେଉଛି ଭାରତର ବ୍ରେନଡ୍ରେନ। ଆମ ଦେଶରେ ବହୁ ଭାଷା ପ୍ରଚଳିତ। ଏମାନଙ୍କ ମଧ୍ୟରେ ସଂହତି ସହାନୁଭୂତି ଭରି ରହିଛି। ବିବିଧତା ଭିତରେ ଏକତା ଆମର ମୂଳମନ୍ତ୍ର। ପରନ୍ତୁ ବର୍ତ୍ତମାନ ସେଇ ମମତାବନ୍ଧନର ଶିଥିଳ ହୋଇଯାଇଛି। ସଂପ୍ରଦାୟିକତା ବଢିଛି। ସୌହାର୍ଦ୍ଦ୍ୟ କମୁଛି। ଓଡିଆ ଲୋକ ଆନ୍ଧ୍ରରେ ଓଡିଆ କହିଲେ ମାଡ଼ ଖାଇବାକୁ ପଡୁଛି। ଅବଶ୍ୟ ଭାରତ ବର୍ଷରେ ଏବେ ଇଂରାଜୀ ଭାଷାରେ ଶିକ୍ଷାଦାନକୁ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଏହାର କୁପରିଣତି କାହାକୁ ଅବିଦିତ ନୁହେ। ଏହାର ଶିକ୍ଷାଧାରାରେ ପ୍ରଭାଭିତ ହୋଇ ମାନବ ପଶ୍ଚାତ୍ୟର ଅନୁଗାମୀ ହୋଇ ପାରିବାରିକ ସମ୍ପର୍କ ଛିନ୍ନ କରୁଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଭାରତରେ ବାସ କରୁଥିବା ଯେତେଜଣ ବ୍ୟକ୍ତି ନୋବେଲ ପୁରସ୍କାର ପାଇଛନ୍ତି ତାଠୁ ଅଧିକ ପ୍ରବାସୀ ଭାରତୀୟ ପାଇଛନ୍ତି। ଏହା ସ୍ପଷ୍ଟ ପ୍ରମାଣିତ କରୁଛି ଯେ ପ୍ରବାସୀ ଭାଷା ମାଧ୍ୟମରେ ଶିକ୍ଷିତ ଯୁବ ଗୋଷ୍ଠୀ ମାତୃଭୂମି ପ୍ରତି ମମତା ନାହିଁ। ଜନ୍ମଭୂମି ପ୍ରତି ଆନୁଗତ୍ୟ ନୁହନ୍ତି। ନିଜର ସ୍ୱାର୍ଥ ସାଧନ ପାଇଁ ମା’ ପେଟରେ ଛୁରୀ ଚ଼ଲେଇବାକୁ ସେମାନେ କୁଣ୍ଠିତ ନୁହନ୍ତି। ଫଳରେ ରାଜ ଠାକୋରଙ୍କ ପରି ନେତାଙ୍କ ଉଦ୍ଭବ ଘଟୁଛି। ମୁମ୍ୱାଇ ଫର୍ ମରାଠୀ ଶବ୍ଦରେ ହିନ୍ଦୁସ୍ତାନ ସ୍ତବ୍ଧ ହୋଇଯାଇଛି। ତେଣୁ ଏ ପ୍ରକାର ଅବ୍ୟବସ୍ଥାରୁ ରକ୍ଷା ପାଇବାକୁ ହେଲେ ମାତୃଭାଷାରେ ଶିକ୍ଷାଦାନ ନିତ୍ୟାନ୍ତ ଜରୁରୀ। ମଣିଷ ନିଜ ସ୍ୱାଭିମାନକୁ ନେଇ ବଂଚେ। ମାତୃଭାଷା ଆମ ମନର ସେହି ସ୍ୱାଭିମାନ ସୃଷ୍ଟି କରେ। ଏହାକୁ ଉଜ୍ଜୀବିତ କରିବା ଏକାନ୍ତ କାମ୍ୟ। ଲେଖିବା ଓଡ଼ିଆ ପଢିବା ଓଡ଼ିଆ କହିବା ଓଡ଼ିଆ କଥା, ବିଶ୍ୱଦରବାରରେ ଉନ୍ନତ କରି ଚାଲିବ ନିଜର ମଥା। ସମ୍ପାଦକ - ଶ୍ୟାମଳ ସୁବର୍ଣ୍ଣ ବାସୁଦେବପୁର, ଭଦ୍ରକ ମୋ - ୯୪୩୮୪୬୭୦୭୯

Share :