ଏମାନେ କାହାର ଗେହ୍ଲା ପୁଅ!

ଏମାନେ କାହାର ଗେହ୍ଲା ପୁଅ!

Share :

ସ୍ବତନ୍ତ୍ର ପ୍ରତିନିଧି ଖରା ଦିନ ଆସିନାହିଁ। ଏବେ ତ ବସନ୍ତ ଋତୁ। କିନ୍ତୁ ଓଡ଼ିଶାର ଅନେକ ଅଂଚଳରେ ଆରମ୍ଭ ହୋଇଗଲାଣି ଜଳକଷ୍ଟ। ଗାଁ ଗାଁର ମହିଳାମାନେ ପରିବାର ପାଇଁ ପାନୀୟ ଜଳ ସଂଗ୍ରହ କରିବାକୁ ମାଇଲ୍ ମାଇଲ୍‌ ବାଟ ଚାଲିବାକୁ ବାଧ୍ୟ ହେଉଛନ୍ତି। ଅନେକ ସହରରେ ବି ପାନୀୟ ଜଳକଷ୍ଟ ଉତ୍କଟ ହେଲାଣି। ଦୀର୍ଘ ଦୁଇ ଦଶନ୍ଧି ଧରି ନିରଙ୍କୁଶ କ୍ଷମତାରେ ଥିଲେ ବି ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଓଡ଼ିଶା ଲୋକମାନଙ୍କର ଏଇ ମୌଳିକ ଆବଶ୍ୟକତାଟି ପୂରଣ କରିନାହାନ୍ତି। ଅଥଚ, ତାଙ୍କ ଦଳକୁ କିମ୍ବା ତାଙ୍କ ଦଳର ନେତାମାନଙ୍କୁ ନିର୍ବାଚନୀ ଚାନ୍ଦା ଦେଉଥିବା କମ୍ପାନୀଙ୍କୁ ଜଳ ଯୋଗାଇବାରେ ନବୀନ ସରକାର କୌଣସି କୁଣ୍ଠା ପ୍ରକାଶ କରିନାହାନ୍ତି, ସେମାନେ କୋଟିକୋଟି ଟଙ୍କାର ଜଳକର ଫାଙ୍କି ଚାଲିଥିବା ସତ୍ତ୍ବେ। ଓଡ଼ିଶା ସରକାର ଓଡ଼ିଶାର ସବୁ ଚାଷ ଜମିକୁ ଏଯାଏଁ ଜଳସେଚନ ସୁବିଧା ଦେଇପାରି ନାହାନ୍ତି। ସବୁ ଗାଁ ଓ ସହରକୁ ଶସ୍ତା ଓ ସୁବିଧାରେ ପାନୀୟ ଜଳ ଯୋଗାଇପାରି ନାହାନ୍ତି। ଅଥଚ କେବଳ ଆର୍ଥିକ ଫାଇଦା ପାଇଁ ରାଜ୍ୟରେ କଳ କାରଖାନା ପ୍ରତିଷ୍ଠା କରିଥିବା ୧୧୩ଟି କମ୍ପାନୀଙ୍କୁ ରାଜ୍ୟ ସରକାର ଅବାଧରେ ଜଳ ଯୋଗାଇ ଚାଲିଛନ୍ତି। ମହାନଦୀ ଶୁଖିଲା ପଡ଼ିବା ପାଇଁ ନବୀନ ପଟ୍ଟନାୟକ ସରକାର ଛତିଶଗଡ଼ ସରକାରଙ୍କୁ ଦୋଷ ଦେଉଥିବାବେଳେ ୨୦୧୦-୧୭ ସାତ ବର୍ଷ ମଧ୍ୟରେ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରୁ ୧୧୩ଟି କମ୍ପାନୀଙ୍କୁ ୧୨୨୯.୮୫୭ କ୍ୟୁସେକ୍‌ ଜଳ ଆବଣ୍ଟନ କରାଯାଇଛି। କିନ୍ତୁ ଏ ବାବଦରେ ସରକାରଙ୍କ ନିକଟରେ ଜଳକର ପଇଠ ହୋଇନାହିଁ। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଜଳସଂପଦ ମନ୍ତ୍ରୀ ଭାବେ ୧୫ ବର୍ଷ ରହିଛନ୍ତି। ତାଙ୍କରି ସମୟରେ ହିଁ ଅନେକ କମ୍ପାନୀଙ୍କୁ ଜଳ ଆବଣ୍ଟନ କରାଯାଇଛି। କିନ୍ତୁ ସେମାନେ ଜଳକର ପଇଠ ନକଲେ ମଧ୍ୟ ଜଳସଂପଦ ବିଭାଗ ତରଫରୁ ଜଳଯୋଗାଣ ବନ୍ଦ ହୋଇନାହିଁ। ଏନେଇ କୋର୍ଟରେ ମାମଲା କରି କମ୍ପାନୀମାନେ ସ୍ଥଗିତାଦେଶ ହାସଲ କରିଛନ୍ତି। ଅଥଚ ସେହି ସ୍ଥଗିତାଦେଶ ହଟାଇବା ନେଇ ରାଜ୍ୟ ସରକାର କୋର୍ଟରେ ତତ୍ପରତା ପ୍ରକାଶ କରିନାହାନ୍ତି। କେତେକ କମ୍ପାନୀ ଜଳକର ପଇଠ ନକରିବାକୁ ୨୦୦୦ ମସିହାରୁ ସ୍ଥଗିତାଦେଶ ହାସଲ କରିଛନ୍ତି। ସେହି ବର୍ଷ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଥିଲେ। ଇତିମଧ୍ୟରେ ୧୯ ବର୍ଷ ବିତିଗଲାଣି। କିନ୍ତୁ ସରକାର କୋର୍ଟରେ ମାମଲା ନଲଢ଼ି ପକେଇ ରଖିଛନ୍ତି ଓ କମ୍ପାନୀମାନଙ୍କୁ ସୁବିଧା ଉପରେ ସୁବିଧା ଦେଇ ଚାଲିଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ନବୀନ ସରକାରଙ୍କ ପୂର୍ବରୁ ଏବଂ ତାଙ୍କ ସରକାର ସମୟରେ ରାଜ୍ୟର ୨୮୭ କମ୍ପାନୀ ଉପରେ ୩୪୧୧ କୋଟି ଟଙ୍କାର ଜଳକର ବାକି ପଡ଼ିଛି। ଏହା ଉପରେ ସୁଧ ହିସାବ କରାଗଲେ ମୋଟ ଦେୟ ପରିମାଣ ୫ ହଜାର କୋଟି ଟଙ୍କା ଟପିବ। ବଡ଼ବଡ଼ କମ୍ପାନୀଙ୍କ ଉପରେ ଏତେ ଟଙ୍କାର ଜଳକର ବାକି ପଡ଼ିଥିବାବେଳେ ସରକାର ସାଧାରଣ ଲୋକଙ୍କର ବକେୟ ପାଇଁ ଜଳ ସଂଯୋଗ କାଟିଦେଉଛନ୍ତି। ୨୦୧୮ ମାର୍ଚ୍ଚ ସୁଦ୍ଧା ଏହି ହିସାବ କରାଯାଇଛି। ଜଳକର ଫାଙ୍କି ଚାଲିଥିବା କେତେକ ବଡ଼ବଡ଼ କମ୍ପାନୀଙ୍କ ନାମ, ସେମାନଙ୍କ ଉପରେ ବାକି ଥିବା ଜଳକର ପରିମାଣ ଏବଂ କେବେଠାରୁ ବାକି ପଡ଼ିଛି ସେ ତଥ୍ୟ ନିମ୍ନରେ ଉଲ୍ଲେଖ କରାଗଲା। ୧. ବଲ୍ଲାରପୁର ଇଣ୍ଡଷ୍ଟ୍ରିଜ, ଚୌଦ୍ବାର-୨୫୫.୨୧ କୋଟି (୩୦.୫.୨୦୦୦)। ୨. ଆରତୀ ଷ୍ଟିଲ-୪୦.୦୭ କୋଟି (ମାର୍ଚ୍ଚ ୨୦୧୩)। ୩. ମାହେଶ୍ବରୀ ଇସ୍ପାତ ଲିଃ-୨୩.୬୬ କୋଟି (ନଭେମ୍ବର ୨୦୧୧)। ୪. ଦକ୍ଷିଣପୂର୍ବ ରେଲବାଇ, ଝାରସୁଗୁଡ଼ା- ୨୧୧.୩୨ କୋଟି (୧.୪.୨୦୦୦)। ୫. ଓରିଏଣ୍ଟ ପେପର ମିଲ୍ସ, ବ୍ରଜରାଜନଗର- ୧୨୯.୧୫ କୋଟି (୧.୪.୧୯୯୯)। ୬. ମେସର୍ସ ଭୂଷଣ ଲିଃ- ୫୦.୨୬ କୋଟି (ଡିସେମ୍ବର ୨୦୦୪)। ୭. ଟାଟା ରିଫ୍ରାକ୍ଟରିଜ ଲିଃ- ୩୯.୦୮ କୋଟି (୧.୪.୧୯୯୯)। ୮. ମେସର୍ସ ଶ୍ୟାମ ଡିଆରଆଇ- ୬୨.୨୪ କୋଟି (ସେପ୍ଟେମ୍ବର ୨୦୦୬)। ୯. ରାଠି ଷ୍ଟିଲ ଆଣ୍ଡ ପାୱାର- ୨୦.୭୪ କୋଟି ୧୦. ମେସର୍ସ ଇଏସପିଏଲ ଲିଃ- ୧୩.୬୮ କୋଟି (ଅକ୍ଟୋବର ୨୦୦୬)। ୧୧. ଶ୍ରୀ ମହାବୀର ଫେରୋ ଆଲଏଜ୍‌, ଜିଆବାହାଲ- ୩୪.୧୫ କୋଟି (ମାର୍ଚ୍ଚ ୨୦୧୨)। ୧୨. ଆଧୁନିକ ମେଟାଲିକ୍ସ- ୨୯.୭୨ କୋଟି (ସେପ୍ଟେମ୍ବର ୨୦୧୩)। ୧୩. ବେଦାନ୍ତ ଆଲୁମିନା ଲିମିଟେଡ଼- ୧୦.୮୬ କୋଟି ୧୪. ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର- ୩୯.୫୦ କୋଟି ୧୫. ନାଲକୋ, ଅନୁଗୁଳ- ୬୫୫.୪୬ କୋଟି (୧.୪.୧୯୯୯)। ୧୬. ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଢେଙ୍କାନାଳ- ୨୬.୫୨ କୋଟି (୧.୪.୧୯୯୩)। ୧୭. ଭୂଷଣ ଷ୍ଟିଲ ଲିମିଟେଡ଼- ୩୩.୦୨ କୋଟି ୧୮. ବିଆରଜି ଆଇରନ ଆଣ୍ଡ ଷ୍ଟିଲ, ଖୁଣ୍ଟୁଣି- ୧୧.୬୩ କୋଟି (ଅକ୍ଟୋବର ୨୦୧୦)। ୧୯. ଟାଟା ଷ୍ଟିଲ, ଯୋଡ଼ା- ୯୩.୬୧ କୋଟି (ଜାନୁଆରୀ ୧୯୯୬)। ୨୦. ଜେକେ କର୍ପୋରେସନ ଲିଃ, ଜେକେପୁର- ୧୬.୨୪ କୋଟି (୨୬.୯.୧୯୯୪)। ୨୧. ଏସ୍‌ସାର ଷ୍ଟିଲ ଇଣ୍ଡିଆ, କେନ୍ଦୁଝର- ୧୦.୫୯ କୋଟି ୨୨. ସେବା ପେପର୍ ମିଲ୍‌, ଜୟପୁର- ୪୪୩.୮୩ କୋଟି (୨୦୦୦)। ୨୩. ନାଲକୋ, ଦାମନଯୋଡ଼ି- ୧୪୭.୩୫ କୋଟି (୧.୧୦.୧୯୯୯)।

Share :