ବସ୍ତି ବାସିନ୍ଦାଙ୍କୁ ଜମି ମିଳିଲା କି?

ବସ୍ତି ବାସିନ୍ଦାଙ୍କୁ ଜମି ମିଳିଲା କି?

Share :

ପ୍ରଦୀପ ପ୍ରଧାନ ୨୦୧୮ ମେ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରର ବସ୍ତି ବାସିନ୍ଦାମାନଙ୍କ ପାଇଁ ଏକ ନୂଆ ଯୋଜନା ‘ଜାଗା’ର ଶୁଭାରମ୍ଭ କରି ଏକବର୍ଷ ମଧ୍ୟରେ ୧୦ ଲକ୍ଷ ବସ୍ତିବାସିନ୍ଦାଙ୍କୁ ଜମି ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସର୍ବସାଧାରଣରେ ମୁଖ୍ୟତଃ ବସ୍ତିବାସିନ୍ଦାମାନଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହେଲା ଯେ, ରାଜ୍ୟର ସମସ୍ତ ବସ୍ତିବାସିନ୍ଦାମାନେ ଜମି ପାଇବେ ଏବଂ ସେମାନେ ଖୁସିରେ ଘରଦ୍ୱାର କରି ରହିବେ। କିଛି ଲୋକ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରି ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବର୍ଣ୍ଣନା କଲେ। କିନ୍ତୁ ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ଏକ ପ୍ରକାଣ୍ଡ ଠକାମୀ ଏବଂ ଖୁବ୍ ଚତୁରତାର ସହ ସେ ବସ୍ତିବାସିନ୍ଦାଙ୍କୁ ଠକିବାର ପ୍ରୟାସ କରିଥିଲେ ବୋଲି ଖୁବ କମ୍‌ ଲୋକ ବୁଝିଥିଲେ। ଏହା ପରେ ପ୍ରାୟ ଏକ ବର୍ଷ ଅତିବାହିତ ହୋଇଥିଲେ ବି ସବୁ ସହରର ସବୁ ବସ୍ତିବାସିନ୍ଦା ଏଯାଏଁ ଜାଗା ପାଇ ନାହାନ୍ତି। ‘ଓଡ଼ିଶା ବସ୍ତିବାସିନ୍ଦା ଜମି ଅଧିକାର ଆଇନ୍ ୨୦୧୭’ର ଧାରା ୩ ଅନୁଯାୟୀ ରାଜ୍ୟ ସରକାର ମ୍ୟୁନିସିପାଲିଟି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜମି ଯୋଗାଇ ଦେବେ। ସେଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୯ଟି ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏହି ଯୋଜନା ଆରମ୍ଭ କରିଛନ୍ତି। ଏହି ଆଇନ୍ରେ ମହାନଗର ନିଗମଗୁଡ଼ିକରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜମି ପ୍ରଦାନ କରାଯିବ ନାହିଁ। ଅର୍ଥାତ୍ ରାଜ୍ୟରେ ଥିବା ୫ଟି ପ୍ରମୁଖ ମହାନଗର ନିଗମ ଯଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ୱଲପୁର ଏବଂ ରାଉରକେଲାର ବସ୍ତିବାସିନ୍ଦାମାନେ ଏହି ‘ଜାଗା’ ଯୋଜନାରେ ଉପକୃତ ହେବେ ନାହିଁ। କିନ୍ତୁ ରାଜ୍ୟ ସରକାର ଏ ସମ୍ପର୍କରେ ନୀରବ ରହି କେବଳ ବସ୍ତିବାସିନ୍ଦାମାନଙ୍କୁ ଜମି ପ୍ରଦାନ କହି ସମସ୍ତଙ୍କ ମନରେ ଏକ ଭ୍ରମ ସୃଷ୍ଟି କରିଥିଲେ। ବାସ୍ତବରେ ରାଜ୍ୟରେ ବସ୍ତି ଗଢି ଉଠିଥିବା ସବୁଠାରୁ ବଡ଼ ସହରାଞ୍ଚଳ ହେଉଛନ୍ତି ଭୁବନେଶ୍ୱର ଏବଂ କଟକ। ଭୁବନେଶ୍ୱର ମହାନଗର ନିଗମରେ ପ୍ରାୟ ୫୦୦ ବସ୍ତି ଗଢି ଉଠିଛି ଏବଂ ୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ବସ୍ତିରେ ରୁହନ୍ତି। ସେହିପରି କଟକରେ ହାରାହାରି ୨୦୦ରୁ ଉର୍ଦ୍ଧ୍ୱ ବସ୍ତି ରହିଛି ଏବଂ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହିସବୁ ବସ୍ତିରେ ରୁହନ୍ତି। ବସ୍ତିରେ ରହୁଥିବା ପରିବାରଗୁଡ଼ିକ ଅତ୍ୟନ୍ତ ଗରିବ, ଦୁସ୍ଥ, ନିରାଶ୍ରୟ, ଦଳିତ ଏବଂ ଆଦିବାସୀ ଶ୍ରେଣୀର। ଗ୍ରାମାଞ୍ଚଳରେ କାମଧନ୍ଦାର ଅଭାବ, ଉତ୍କଟ ଦାରିଦ୍ର୍ୟ ଏବଂ ସହରରେ ରୋଜଗାର ପାଇବାର ସମ୍ଭାବ୍ୟ ସ୍ଥିତିକୁ ଦେଖି ବହୁ ଗରିବ ଲୋକ ସହରକୁ ଚାଲି ଆସିଛନ୍ତି। ଦୀର୍ଘ ୪୦ ବର୍ଷ ଧରି ସେମାନେ ଅସ୍ଥାୟୀ ଭାବେ ରାସ୍ତା କଡ଼ରେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ନିଜର ପରିବାରକୁ ଧରି ଜୀବନ ନିର୍ବାହ କରନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦିନ ମଜୁରୀଆ, ଠିକା ଶ୍ରମିକ, ରିକ୍ସାବାଲା, ବୁଲାବିକାଳୀ, କ୍ଷୁଦ୍ର ବ୍ୟବସାୟୀ, ଚୌକିଦାର, ଘରୋଇ ଚାକରାଣୀ, ମେହେନ୍ତର କାମ କରୁଥିବା ବ୍ୟକ୍ତି ଇତ୍ୟାଦି। ଏହା ମଧ୍ୟ ସତ୍ୟ ଯେ କିଛି ସରକାରୀ ଅଧିକାରୀ, ଶାସକ ଶ୍ରେଣୀର ଗୁଣ୍ଡା, କର୍ପୋରେଟରମାନେ ବସ୍ତିଗୁଡ଼ିକରେ ଜମି ଜବର ଦଖଲ କରି ଘର ଭଡ଼ା ଦେଇ ବେଶ୍ କିଛି ଅର୍ଥ ରୋଜଗାର କରୁଛନ୍ତି। ବିଜୁଳି, ପିଇବା ପାଣିର ସଙ୍କଟ, ଦୁର୍ଗନ୍ଧପୂର୍ଣ୍ଣ ନାଳ ରାସ୍ତା, ଅପରିଚ୍ଛନ୍ନ, ଅପରିସ୍କାର ପରିବେଶ ମଧ୍ୟରେ ସେମାନେ ଦୁଃଖ କଷ୍ଟରେ କାଳାତିପାତ କରି ମଧ୍ୟ ଭୁବନେଶ୍ୱର ସହରବାସୀଙ୍କୁ ସୁଖସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଜୀବନ ବିତେଇବା ପାଇଁ ସମସ୍ତ ପ୍ରକାରର ସେବା ଯୋଗାଇ ଆସୁଛନ୍ତି। ଦୀର୍ଘବର୍ଷ ଧରି ସହର ମଧ୍ୟରେ ରହିବା ଏବଂ ବେଶ କିଛି ରୋଜଗାର କରି ବଞ୍ଚିବା ମଧ୍ୟରେ ବସ୍ତିବାସିନ୍ଦାମାନେ ସରକାରଙ୍କ ନିକଟରେ ଜମି ଖଣ୍ଡେ ପାଇଁ ବାରମ୍ୱାର ଦାବୀ କରି ଆସୁଛନ୍ତି। ବସ୍ତିବାସିନ୍ଦାଙ୍କୁ ନେଇ ଗଢି ଉଠିଥିବା ବିଭିନ୍ନ ସଂଗଠନ ଏବଂ ସାମାଜିକ ସଂଗଠନମାନେ ମଧ୍ୟ ଜମି ପଟ୍ଟା ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ, ବିକ୍ଷୋଭ କରି ରାଜ୍ୟ ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଜମି ପାଇଁ ଏଭଳି ଆନ୍ଦୋଳନ ପୌରାଞ୍ଚଳ ବା ଏନ୍ଏସି ଅଞ୍ଚଳରେ ହେବାର କେବେ ପରିଲକ୍ଷିତ ହୋଇନାହିଁ। ୨୦୧୭ ମସିହାରେ ‘ଓଡ଼ିଶା ବସ୍ତିବାସିନ୍ଦା ଜମି ଅଧିଗ୍ରହଣ ଆଇନ୍’ ପ୍ରଣୟନ ସମୟରେ ଭୁବନେଶ୍ୱର ଏବଂ କଟକ ମହାନଗର ନିଗମ ବସ୍ତିବାସିନ୍ଦାମାନେ ଆଶା କରିଥିଲେ ସରକାର ସେମାନଙ୍କୁ ଜମି ଅଧିକାର ଦେବେ, ଦୀର୍ଘ ଦିନର ଲଢେଇ ସାକାର ହେବ। କିନ୍ତୁ ରାଜ୍ୟ ସରକାର ୮ପୃଷ୍ଠା ଏବଂ ୧୮ ଧାରା ବ୍ୟାପୀ ଏହି ଆଇନ୍ରେ ମହାନଗର ନିଗମରେ ବାସ କରୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ କୌଣସି ଜମି ପଟ୍ଟା ପ୍ରଦାନର ବ୍ୟବସ୍ଥା କଲେ ନାହିଁ। ଏ ପ୍ରସଙ୍ଗରେ ସରକାରୀ କଳ ବା ଶାସକ ଶ୍ରେଣୀର ଯୁକ୍ତି ହେଉଛି ଭୁବନେଶ୍ୱରରେ ଏତେ ଜମି ଯୋଗାଇ ଦେବା ସମ୍ଭବ ନୁହେଁ ଏବଂ ଜମିର ମୂଲ୍ୟ ବହୁତ। ଏତେ ଜମି ଆସିବ କେଉଁଠୁ? ଭୁବନେଶ୍ୱର ଏବଂ କଟକ ମହାନଗର ନିଗମରେ ରାଜୀବ ଆବାସ ଯୋଜନା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବସ୍ତିବାସିନ୍ଦାଙ୍କୁ ବାସଗୃହ ଯୋଗାଇ ଦିଆଯାଉଥିବାରୁ ସେମାନଙ୍କୁ ଜମି ଦେବା ଆବଶ୍ୟକ ନାହିଁ। ବାସ୍ତବରେ ସରକାରୀ କଳର ଉପରୋକ୍ତ ଯୁକ୍ତି ହାସ୍ୟାସ୍ପଦ, ଗରିବ ବିରୋଧୀ। ଭୁବନେଶ୍ୱର ମହାନଗର ନିଗମରେ ବସ୍ତିବାସିନ୍ଦାମାନେ ସେମାନଙ୍କୁ କୌଣସି ନୂତନ ଜମି ଯୋଗାଇ ଦେବା ପାଇଁ ଦାବୀ କରୁନାହାଁନ୍ତି। ସେମାନେ ଯେଉଁ ସ୍ଥାନରେ ରହୁଛନ୍ତି କେବଳ ସେହି ଜମିକୁ ତାଙ୍କ ନାମରେ ପଟ୍ଟା କରାଇ ଦେବା ପାଇଁ ଦାବୀ କରି ଆସୁଛନ୍ତି। ପୁଣି ମନ୍ତ୍ରୀ, ବିଧାୟକ, ଅଫିସରମାନଙ୍କୁ ଯେପରି ୩୦୦୦ରୁ ୪୦୦୦ ବର୍ଗ ଫୁଟର ଜମି ଯୋଗାଇ ଦିଆଯାଇଛି, ସେମାନେ ଏତେ ପରିମାଣର ଜମି ପାଇଁ କେବେ ଦାବୀ କରିନାହାଁନ୍ତି ବରଂ ସେମାନେ ମାତ୍ର ୮୦୦ ବର୍ଗ ଫୁଟ୍ ଜମି ପାଇବା ପାଇଁ ସରକାରଙ୍କୁ ଜଣାଇଛନ୍ତି। ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦେବା ପାଇଁ ଭୁବନେଶ୍ୱରରେ ଏତେ ଜମି ଆସିବ କେଉଁଠୁ ଯୁକ୍ତି ମଧ୍ୟ ଗ୍ରହଣୀୟ ନୁହେଁ। କାରଣ ସାଧାରଣ ପ୍ରଶାସନ ବିଭାଗରୁ ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବ ତଥ୍ୟ ଅନୁଯାୟୀ ବହୁ ଅନୁଷ୍ଠାନ, ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ସଂସ୍ଥା ଏବଂ ପ୍ରଭାବଶାଳୀ ଲୋକମାନେ ବେଆଇନ୍ ଭାବେ ହାରାହାରି ୧୩୦୦ ଏକରରୁ ଉର୍ଦ୍ଧ୍ୱ ଜମି ମାଡ଼ି ବସିଛନ୍ତି। ସରକାର ସେମାନଙ୍କ କବଳରୁ ଜମି ଉଦ୍ଧାର କରିପାରୁ ନାହାଁନ୍ତି। ସେହିପରି ସିଏଜି ରିପୋର୍ଟ ଅନୁଯାୟୀ ରାଜଧାନୀରେ ଶାସକ ଦଳ ସହିତ ସଂପୃକ୍ତ ଏକ ବେସରକାରୀ ଶିକ୍ଷା ସଂସ୍ଥା ଶତାଧିକ ଏକର ଜମି ବେଆଇନ ଭାବେ ଦଖଲ କରି ରହିଛି। ଏ ସମ୍ପର୍କରେ ସରକାରଙ୍କ ନିକଟରେ ବାରମ୍ୱାର ଅଭିଯୋଗ ହୋଇଥିଲେ ମଧ୍ୟ ଜମି ଉଦ୍ଧାର କରିବା ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି। ବରଂ ବେଆଇନ୍ ଜମି ଦଖଲକୁ ଆଇନ୍ସିଦ୍ଧ କରିବା ପାଇଁ ଚକ୍ରାନ୍ତ କରିଛନ୍ତି। ସେହିପରି ଆହୁରି ଅନେକ ଅନୁଷ୍ଠାନ, ବ୍ୟକ୍ତିବିଶେଷ, ପ୍ରଶାସକ ମିଥ୍ୟା ସତ୍ୟପାଠ ବା ଭୁଲ୍ ତଥ୍ୟ ଦେଇ ଏକାଧିକ ମୂଲ୍ୟର ପ୍ଲଟ ଏବଂ ଏକର ଏକର ଜମି ମାଡ଼ି ବସିଛନ୍ତି। ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନଙ୍କ ଅଧୀନରେ ବେଆଇନ୍ ଭାବେ ଥିବା ଜମି ଗୁଡ଼ିକର ମୂଲ୍ୟ ୫୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ। ବସ୍ତିବାସିନ୍ଦାମାନେ କେବେ ବି ମାଗଣାରେ ସେମାନଙ୍କୁ ଜମି ଯୋଗାଇ ଦେବା ପାଇଁ ଦାବୀ କରିନାହାଁନ୍ତି। ସରକାର ଯେଉଁ ପ୍ରକ୍ରିୟାରେ ମନ୍ତ୍ରୀ, ବିଧାୟକ, ଅଫିସର ଏବଂ ବିଭିନ୍ନ ଅନୁଷ୍ଠାନମାନଙ୍କୁ ଜମି ଯୋଗାଇ ଦେଇଛନ୍ତି, ସେହି ଆଇନଗତ ପ୍ରକ୍ରିୟା ବସ୍ତିବାସିନ୍ଦାମାନଙ୍କୁ ଜମି ଯୋଗାଇ ଦେବାରେ ଅସୁବିଧା ନାହିଁ। ଓଡ଼ିଶା ସରକାର ଜମି ଥଇଥାନ ଆଇନ୍ ଅନୁଯାୟୀ, ସହରାଞ୍ଚଳର ଜମିକୁ ୫ ଭାଗରେ ବିଭକ୍ତ କରି ଗରିବ ବସ୍ତିବାସିନ୍ଦାମାନଙ୍କ ପାଇଁ ଜମି ସଂରକ୍ଷଣ ରଖିବାର ବ୍ୟବସ୍ଥା ରହିଛି। କିନ୍ତୁ ଦୁଃଖର ବିଷୟ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ଗରିବ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଜମି ସଂରକ୍ଷଣ କରିନାହାଁନ୍ତି। କିଛି ବୁଦ୍ଧିଜୀବୀ ଯୁକ୍ତି କରନ୍ତି ଯେ ଭୁବନେଶ୍ୱର ସହରରେ ବସ୍ତିବାସିନ୍ଦାଙ୍କୁ ଜମି ଦେଲେ ବହୁ ଲୋକ ସହରାଭିମୁଖୀ ହେବେ ଏବଂ ଜମି ପାଇଁ ଦାବୀ କରିବେ। ସେମାନଙ୍କ ନାମରେ ବହୁ ଧନିକ ଶ୍ରେଣୀର ଲୋକ, ଟାଉଟର, ଦଲାଲ ଜମି ମାଡି ବସିବେ। ବାସ୍ତବରେ ଏହା ଏକ ସମସ୍ୟା ନୁହେଁ। ଏହାକୁ ରୋକିବା ପ୍ରଶାସନର ଦାୟିତ୍ୱ। ରାଜୀବ ଆବାସ ଯୋଜନାରେ ସରକାର କେତେକ ସ୍ଥାନ ଯଥା ପଥରବନ୍ଧ, କଳାରାହାଙ୍ଗ ଏବଂ ମଇଁଷିଖାଲରେ ୫ ତାଲା ଫ୍ଲାଟ ନିର୍ମାଣ କରି ବାସଗୃହ ଦେଇଛନ୍ତି। କିନ୍ତୁ ଏହିସବୁ ବାସଗୃହଗୁଡ଼ିକ ବାସପଯୋଗୀ ନୁହେଁ। ବିଏମ୍ସି ତରଫରୁ ବାସଗୃହ ଆବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଛି ଏବଂ ବହୁ ଯୋଗ୍ୟ ହିତାଧିକାରୀମାନେ ବାସଗୃହ ପାଇପାରି ନାହାଁନ୍ତି। ଏହି ୫ ତାଲା ଫ୍ଲାଟରେ ଲିଫ୍ଟ ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ବହୁ ବୟସ୍କ ବୃଦ୍ଧ ଲୋକ ହଇରାଣ ହେବେ ଏଥିରେ ସନ୍ଦେହ ନାହିଁ। ବହୁ ବାସଗୃହର ନିର୍ମାଣ ଅତ୍ୟନ୍ତ ନିମ୍ନମାନର ଏବଂ ଉପଯୁକ୍ତ ପରିବେଶର ଅଭାବ ଯୋଗୁଁ ଓ ବହୁ ବସ୍ତିବାସିନ୍ଦା ଏହାକୁ ଛାଡ଼ି ପୁଣି ବସ୍ତିରେ ରହୁଛନ୍ତି। ସିଏଜି ମଧ୍ୟ ଏହି ଫ୍ଲାଟ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ଅର୍ଥ ତୋଷାରପାତ ହୋଇଛି ବୋଲି ଉଲ୍ଲେଖ କରିଛି। ମୁଖ୍ୟତଃ ରଙ୍ଗମାଟିଆଠାରେ ନିର୍ମିତ ଫ୍ଲାଟରେ ବ୍ୟାପକ ଦୁର୍ନୀତି ହେବା ସହ କୋଟି କୋଟି ଟଙ୍କା ଲୁଟ୍ ହୋଇଛି। ଏହିସବୁ ଦୁର୍ନୀତିରେ ମେୟର, କର୍ପୋରେଟର ଏବଂ ବିଏମ୍ସିର ଅଧିକାରୀମାନେ ସମ୍ପୃକ୍ତ ଅଛନ୍ତି। ବସ୍ତିବାସିନ୍ଦାମାନଙ୍କୁ ଜମି ଯୋଗାଇ ଦେବା ନାମରେ କେବଳ କୋଟି କୋଟି ଟଙ୍କା ଲୁଟ୍ କରିବା ଏବଂ ବାସଗୃହଗୁଡ଼ିକୁ ଚଞ୍ଚକତା କରି ନିଜ ଲୋକଙ୍କ ନାମରେ ହାତେଇ ନେବା ବିଏମ୍ସିର ମୁଖ୍ୟ କାମ ହୋଇଛି। ବସ୍ତିବାସିନ୍ଦାମାନଙ୍କୁ ମିଛ କହି ଭୂଆଁ ବୁଲେଇ ସେମାନଙ୍କୁ ବାସଚ୍ୟୁତ କରି ବସ୍ତି ଜମିଗୁଡ଼ିକୁ ବଡ଼ ବଡ଼ କମ୍ପାନୀ ଏବଂ ବ୍ୟବସାୟୀମାନଙ୍କୁ ଦେଇ କୋଟି କୋଟି ଟଙ୍କାର ଲୁଟ୍ ପାଇଁ ଶାସକ ଦଳ ଏବଂ ସରକାରୀ ଅଧିକାରୀମାନେ ଲାଗି ପଡ଼ିଛନ୍ତି। ଉପଦେଷ୍ଟା, ଭୁବନେଶ୍ୱର ବସ୍ତି ଉନ୍ନୟନ ପରିଷଦ ମୋ-୯୯୩୭୮୪୩୪୮୨

Share :