ବିଜେପି ପାଇଁ ବ୍ରହ୍ମପୁର କଷ୍ଟ, ଆସ୍କା ସହଜ

ବିଜେପି ପାଇଁ ବ୍ରହ୍ମପୁର କଷ୍ଟ, ଆସ୍କା ସହଜ

Share :

ହେମାଙ୍ଗ ପ୍ରସାଦ ରାଉଳ ସଂପ୍ରତି ଗଂଜାମର ଦୁଇଟି ସଂସଦୀୟ କ୍ଷେତ୍ର ବ୍ରହ୍ମପୁର ଓ ଆସିକା ନିର୍ବାଚନ ମଣ୍ଡଳୀ ନେଇ ମୁଖ୍ୟ ଗଣମାଧ୍ୟମରେ ଓ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜୋର୍‌ ଧରିଛି। ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜୁ ଜନତା ଦଳର ସାଂସଦ ଥିଲେ। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଥିଲେ ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। କଂଗ୍ରେସ ବିପର୍ଯ୍ୟୟ ମୁହଁକୁ ଚାଲିଯିବା ପରେ ନିଜ ରାଜନୈତିକ ଜୀବନକୁ ଜୀବନ୍ୟାସ ଦେବାକୁ ଚନ୍ଦ୍ରଶେଖର ବିଜେଡିକୁ ଲମ୍ପ ମାରିଲେ। ଶଂଖ ବଜାଇ ଶେଖର ଭାଇନା ଆଜି ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ। ବ୍ରହ୍ମପୁର ଆସନରେ ବିରୋଧୀ ଦଳମାନେ ସାମର୍ଥ୍ୟହୀନ। ଏକ ପ୍ରକାର ଅଘୋଷିତ ବିଜୟ ପଥରେ ଚନ୍ଦ୍ରଶେଖର ସାହୁ ବୋଲି ନିର୍ବାଚନ ମଣ୍ଡଳୀର କର୍ମୀ ଓ ନେତା ଗଣନା କରୁଛନ୍ତି। ବିଜୁ ବିଜେପି ଭୃଗୁ ବକ୍ସିପାତ୍ରଙ୍କୁ ସାଂସଦ ପ୍ରାର୍ଥୀ ଭାବରେ ମନୋନୀତ କଲା ପରେ ଚନ୍ଦ୍ରଶେଖର ସାହୁଙ୍କ ପାଇଁ ଏକ ପ୍ରକାର ନିର୍ବାଚନ ବୈତରଣୀ ପାର ହେବା ସହଜ ହୋଇଯାଇଛି। କାରଣ ଚନ୍ଦ୍ରଶେଖର ସାହୁଙ୍କ ତୁଳନାରେ ଭୃଗୁଙ୍କର ଅଭିଜ୍ଞତା ଓ ପ୍ରତିଷ୍ଠା କମ୍। ସେ ପୁଣି ବ୍ରହ୍ମପୁରର ସ୍ଥାୟୀ ବାସିନ୍ଦା ନୁହନ୍ତି। ସେହିପରି କଂଗ୍ରେସର ଚନ୍ଦ୍ରଶେଖର ରେଡ଼ି କେବଳ ନୂଆ ନୁହଁନ୍ତି ଜଣେ ଅନଭିଜ୍ଞ ରାଜନେତା। ନେତୃତ୍ୱ ସହ ସଂପର୍କ ଯୋଡ଼ୁଯୋଡ଼ୁ ତାଙ୍କର ସମୟ ସରିଯିବ। ଦୁର୍ବଳ ସଂଗଠନ ଭିତରେ କଂଗ୍ରେସର ଅସ୍ତିତ୍ବ ହଜିଥିବାବେଳେ ସେ କେବେ ବି ଚନ୍ଦ୍ରଶେଖର ସାହୁଙ୍କ ମୁକାବିଲା କରିପାରିବେ ନାହିଁ ବୋଲି ରାଜନୈତିକ ପଣ୍ଡିତମାନେ ମତ ରଖିଛନ୍ତି। ଏଠାରେ ପ୍ରକୃତ ଲଢ଼େଇ ଭୃଗୁ ଓ ଶେଖରଙ୍କ ମଧ୍ୟରେ ହେବ। ଭୃଗୁଙ୍କ ପାଇଁ ମୋଦୀଙ୍କ ମଳୟ ପବନ ବହିଲେ କେମଜାଣି କିଛିଟା ହଟଚମଟ ସୃଷ୍ଟି ହୋଇପାରେ। ନଚେତ୍ ଶେଖର ବିଜୟୀ ହେବା ନିଶ୍ଚିତ। ନବୀନଙ୍କ କରିସ୍ମା ସହ ଶେଖରଙ୍କ ପୁରୁଣା ରାଜନୈତିକ ପ୍ରତିଷ୍ଠା ଶେଖରଙ୍କ ସପକ୍ଷରେ ଯିବ। ସେହିପରି ଆସିକା ସଂସଦୀୟ କ୍ଷେତ୍ରରେ ମଧ୍ୟ ବିଜେଡ଼ି ଓ ବିଜେପି ମଧ୍ୟରେ ପ୍ରମୁଖ ପ୍ରତିଦ୍ବନ୍ଦ୍ବିତା ହେବା ନିଶ୍ଚିତ। ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କୁ କଂଗ୍ରେସ ବାଟି ଛାଡ଼ିଦେଇ ଚୁପ୍ ରହିଥିବାବେଳେ ବିଜୁ ଜନତା ଦଳ ବାଛିବାଛି ଯେଉଁ ମହିଳାଙ୍କୁ ଠିଆ କରାଇଛି ତାଙ୍କୁ ନେଇ ଜିଲ୍ଲା ରାଜନୀତିରେ ଅନେକ ଚର୍ଚ୍ଚା। ଜିଲ୍ଲାରେ ମିଶନ୍ ଶକ୍ତିର ଅଗ୍ରଦୂତ ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରି ବିଜେଡି ନେତୃତ୍ବ ଅନେକଙ୍କ କଟାକ୍ଷର ସମ୍ମୁଖୀନ ହୋଇଛି। ଗଂଜାମ ପରି ସ୍ୱାଭିମାନୀ ମାଟିରେ ବିଜୁ ପଟ୍ଟନାୟକ, ରାମଚନ୍ଦ୍ର ରଥ ଓ ସ୍ୱୟଂ ନବୀନ ପଟ୍ଟନାୟକ ଲଢ଼େଇ କରୁିଥିବା ସଂସଦୀୟ କ୍ଷେତ୍ର ଆସିକାରେ ପ୍ରମିଳା ବିଷୋୟୀ ଲୋକଙ୍କ ଦ୍ବାରା ଗୃହୀତ ହେବେନି ବୋଲି ସଂକେତ ମିଳିଲାଣି। ୭୦ ବର୍ଷୀୟ ଅପାଠୁଆ ସଭ୍ୟତାର ସ୍ପର୍ଶରେ ଜ୍ଞାନରେ ଦୁର୍ବଳ ଜଣେ ବୟସ୍କାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଦଳର କିଛି ଛାମୁଆ ନେତା ମଧ୍ୟ ଭିତରେ ବିରୋଧ କରିଛନ୍ତି। ସୁପ୍ରିମୋଙ୍କ ନିଷ୍ପତ୍ତି ଦଳ ଉପରେ ଲଦିଦେଇ ଏପରି ପ୍ରାର୍ଥୀ ନିଶ୍ଚୟ ଆସିକା ସଂସଦୀୟ କ୍ଷେତ୍ରର ଗରୀମା ନଷ୍ଟ କରିଛି ବୋଲି ପ୍ରତିକ୍ରିୟା ସାଧାରଣରେ ଶୁଣିବାକୁ ମିଳୁଛି। ବିଜେପି ସାଂସଦ ପ୍ରାର୍ଥୀ ଅନୀତା ପ୍ରିୟଦର୍ଶିନୀଙ୍କୁ ଟିକଟ୍ ଦେଇ ମହିଳା କାର୍ଡ଼ ଖେଳି ମହିଳା ବିରୁଦ୍ଧରେ ମହିଳାଙ୍କୁ ଠିଆ କରାଇଛି। ଅନୀତା ପ୍ରିୟଦର୍ଶିନୀ ରାଜନୀତିରେ ନୂଆପୀଢ଼ିଙ୍କ ଆଦର୍ଶ ବୋଲି ମାନିନେଇ ଯୁବ ଭୋଟରଙ୍କୁ ଆକର୍ଷଣ କରିବା ସହ ବିଜେଡ଼ିର ପ୍ରାର୍ଥୀଙ୍କୁ କଡ଼୍ଡ଼ା ଟକ୍କର ଦେବାରେ ପ୍ରାୟତଃ ସମର୍ଥ। ପିତା ପୂର୍ବତନ ମନ୍ତ୍ରୀ ଗଂଜାମର ଧୂରୀଣ ଅଭିଜ୍ଞ ନେତା ରାମକୃଷ୍ଣ ପଟ୍ଟନାୟକ ଓ ମାଆ ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ କନ୍ୟା ଅନୀତା ବିରୋଧୀ ପ୍ରମିଳାଙ୍କୁ ନିଶ୍ଚୟ ହତାଶ କରିବାର ସଂକେତ ଦେଇଛି। ଆସିକାରେ ବିଜେପିର ସ୍ୱର ବେଳକୁ ବେଳ ଶାଣିତ ହେବା ବେଳେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଶେଖରଙ୍କ ଆଶା ସ୍ୱପ୍ନକୁ ପୂରଣ କରିବ। କିନ୍ତୁ ମୋଦୀ ହାୱାରେ କିଏ କେତେ ହାର ଭୋଟ ପାଇବ ସମୟ ନିର୍ଣ୍ଣୟ କରିବା ସହ ଆସିକାର ପ୍ରାର୍ଥୀ ବିଜେଡ଼ିକୁ ଅଶ୍ୱସ୍ତି ଦେବକି। ଶେଷରେ ରାଜନୈତିକ କ୍ୟାରିୟରରେ ଅ ଅକ୍ଷର ବିବର୍ଜିତା ମହିଳାଙ୍କୁ ଧରାଶାୟୀ କରିବେ ଏହା ଶିକ୍ଷିତ ବର୍ଗ ସଚେତନଶୀଳ ନାଗରିକଙ୍କ ନିର୍ଣ୍ଣୟ ଉପରେ ନିର୍ଭର। ଅପେକ୍ଷା ରହିଲା ନିର୍ବାଚନକୁ।

Share :