ନାଗରିକତା ଆଇନ ସଂଶୋଧନ ପ୍ରୟାସ ପଛର ରାଜନୀତି

ନାଗରିକତା ଆଇନ ସଂଶୋଧନ ପ୍ରୟାସ ପଛର ରାଜନୀତି

ସରଳ କୁମାର ଦାସ ନାଗରିକତା ସଂଶୋଧନ ବିଲ୍କୁ ବିରୋଧ କରି ଆସାମ ଆନ୍ଦୋଳନ ସମୟରେ ଜୀବନ ହରାଇଥିବା ଆନ୍ଦୋଳନକାରୀଙ୍କୁ ମିଳିଥିବା ସ୍ମୃତିଚିହ୍ନ ଓ ମାନପତ୍ରକୁ ଫେରାଇବା ପାଇଁ ୮୫୫ ଜଣ ପରିବାର ସଦସ୍ୟ ଏକତ୍ରିତ ହେବା, ମଣିପୁରୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅରିବମ ଶ୍ୟାମ ଶର୍ମା ମିଳିଥିବା ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଘୋଷଣା କରିବା ପରେ ପ୍ରଖ୍ୟାତ ଆସାମୀ ଗାୟକ ଭୂପେନ ହଜାରିକାଙ୍କୁ ସଦ୍ୟ ପ୍ରଦାନ କରାଯାଇଥିବା ଭାରତରତ୍ନ ପୁରସ୍କାର ଗ୍ରହଣ କରିବାକୁ ତାଙ୍କ ପୁଅ ମନା କରିଦେବା ଘଟଣାରୁ ସ୍ପଷ୍ଟ ହେଲା ଯେ ସମଗ୍ର ଉତ୍ତର-ପୂର୍ବାଂଚଳରେ ସେହି ବିଲକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ କେତେ ଅଧିକ ଓ ପ୍ରତିବାଦର ସ୍ୱର କେତେ ଶାଣିତ। ରାଜ୍ୟସଭାର ବିଧି ବ୍ୟବସ୍ଥା ଅନୁଯାୟୀ ଲୋକସଭାରେ ପାରିତ ନ ହୋଇ ଯଦି କୌଣସି ବିଲ ରାଜ୍ୟସଭାରେ ବିଚାରାଧୀନ ଥାଏ ତେବେ ତାହା ବିଲୋପ (ଲାପ୍ସ) ହୋଇ ନଥାଏ। ମାତ୍ର ଲୋକସଭାରେ ପାରିତ ହୋଇ ଯଦି କୌଣସି ବିଲ ଲୋକସଭାର କାର୍ଯ୍ୟକାଳ ପୂରିବା ମଧ୍ୟରେ ରାଜ୍ୟସଭାରେ ପାରିତ ହୋଇ ନଥାଏ ତେବେ ସେହି ବିଲ୍ଟି ବିଲୋପ ହୋଇଯାଏ। ଫଳରେ ତାହା ଆଉ ରାଜ୍ୟସଭାରେ ଆଗତ ଓ ପାରିତ ହୋଇ ନଥାଏ। ତଦନୁସାରେ ଲୋକସଭାରେ ଜାନୁଆରୀ ୮ ତାରିଖ ଦିନ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଲ, ୨୦୧୬ ଷୋଡଶ ଲୋକସଭାର ଶେଷ କାର୍ଯ୍ୟ ଦିବସ, ଅର୍ଥାତ୍ ୧୩ ଜାନୁଆରୀ ୨୦୧୯ ସୁଦ୍ଧା ରାଜ୍ୟସଭାରେ ପାରିତ ହୋଇ ନଥିବାରୁ ବୈଷୟିକ ଦୃଷ୍ଟିରୁ ତାର ବିଲୋପ ଘଟିଲା ଓ ଫଳସ୍ୱରୂପ ଉତ୍ତର-ପୂର୍ବାଂଚଳର ବିଭିନ୍ନ ସ୍ଥାନରେ ଲୋକେ ବିଜୟୋତ୍ସବ ପାଳନ କରି ଆନନ୍ଦ ଉଲ୍ଲାସ ପ୍ରଦର୍ଶନ କଲେ। ଆଫଗାନିସ୍ତାନ, ବଙ୍ଗଳାଦେଶ ଓ ପାକିସ୍ତାନରୁ ଉତ୍ପୀଡନର ଶିକାର ହୋଇ ପଳାୟନ କରି ଭାରତରେ ବେଆଇନ ଭାବେ ବସବାସ କରୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ଧର୍ମାବଲମ୍ୱୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଉଦ୍ଦେଶ୍ୟରେ ନାଗରିକତା ଆଇନ, ୧୯୫୫କୁ ସଂଶୋଧନ କରିବାକୁ ୧୯ ଜୁଲାଇ ୨୦୧୬ରେ ଲୋକସଭାରେ ଏକ ବିଲ୍ ଆଗତ ହୋଇଥିଲା। ଏହି ସଂଶୋଧନ ବିଲରେ ପୂର୍ବର ୧୧ ବର୍ଷ ସମୟ ସୀମାକୁ କୋହଳ କରି ଉପରୋକ୍ତ ଶ୍ରେଣୀର କୌଣସି ବ୍ୟକ୍ତି ଭାରତରେ ୬ ବର୍ଷ ଧରି ରହିଥିଲେ ସେ ସ୍ୱାଭାବିକ (ନେଚୁରାଲାଇଜେସନ) ଭାବେ ନାଗରିକତା ପାଇବାକୁ ହକଦାର ହେବେ ବୋଲି ମଧ୍ୟ ପ୍ରାବଧାନ ରହିଲା। ଏହା ଏକ ସଂଯୁକ୍ତ ସଂସଦୀୟ କମିଟି ଦ୍ୱାରା ତର୍ଜମା ହେବା ପରେ ୭ ଜାନୁଆରୀ ୨୦୧୯ରେ ଲୋକସଭାରେ ଆଗତ ହୋଇ ଗୋଟିଏ ଦିନ ମଧ୍ୟରେ ୮ ଜାନୁଆରୀରେ ପାରିତ ହୋଇଗଲା। ବିଲ୍ଟିକୁ ଲୋକସଭାରେ ପାରିତ କରାଇବାରେ ସରକାର ଯେଉଁ ତତ୍ପରତା ଦେଖାଇଲେ, ସେଥିରୁ ଆଶା କରାଯାଉଥିଲା ହୁଏତ ରାଜ୍ୟସଭାରେ ମଧ୍ୟ ତାହା ଖୁବ ଶୀଘ୍ର ପାରିତ ହୋଇଯିବ। କିନ୍ତୁ ତାହା ହୋଇ ପାରିଲା ନାହିଁ, କାରଣ ବିଲଟିକୁ ନେଇ ସମଗ୍ର ଉତ୍ତର-ପୂର୍ବାଂଚଳରେ ଯେଉଁ ଭଳି ବିରୋଧ ପ୍ରଦର୍ଶନ ହେଲା ତାହା ସରକାରଙ୍କୁ ଏକ ରକମ ପଶ୍ଚାତ୍ପଦ ହେବା ପାଇଁ ବାଧ୍ୟ କଲା। ଭାରତ ଏକ ଧର୍ମ ନିରପେକ୍ଷ ଦେଶ ଓ ନାଗରିକତା ସଂଶୋଧନ ବିଲ୍ରେ ଉତ୍ପୀଡିତ ମୁସଲମାନଙ୍କ ପାଇଁ ନାଗରିକତା ପ୍ରଦାନର କୌଣସି ଉଲ୍ଲେଖ ନଥିବାରୁ ଏହା ସମ୍ୱିଧାନର ଧାରା ୧୪ର ବିରୁଦ୍ଧାଚରଣ କରୁଛି ବୋଲି ବିଶେଷଜ୍ଞମାନେ ମତ ବ୍ୟକ୍ତ କରିଛନ୍ତି। ବଙ୍ଗଳାଦେଶୀ ହିନ୍ଦୁ ବଙ୍ଗାଳୀମାନଙ୍କୁ ନାଗରିକତା ପ୍ରଦାନ କରାଗଲେ ଆସାମ ଓ ଅନ୍ୟ ଜନଜାତି ଅଧ୍ୟୁଷିତ ଅଂଚଳର ଜନସଂଖ୍ୟାର ଚରିତ୍ର ବଦଳି ସେଠାକାର ଲୋକେ ସଂଖ୍ୟା ଲଘୁ ପାଲଟିଯିବେ ବୋଲି ଉତ୍ତର-ପୂର୍ବାଂଚଳର ଲୋକମାନଙ୍କ ଆଶଙ୍କା। ତେବେ ଭିନ୍ନ ଭିନ୍ନ ରାଜ୍ୟରେ ବିଲ ପ୍ରତି ଭିନ୍ନ କାରଣରୁ ବିରୋଧ ହେଉଛି। ଏହା ଉଭୟ ୧୯୮୫ର ଆସାମ ଚୁକ୍ତି ଓ ଜାତୀୟ ନାଗରିକ ପଂଜିକା (ଏନଆରସି)ର ବିରୁଦ୍ଧାଚରଣ କରୁଥିବାରୁ ଆସାମର ରାଜନୈତିକ ଦଳଗୁଡିକ ଏହାର ବିରୋଧ କରୁଛନ୍ତି। ପୂର୍ବୋକ୍ତ ଚୁକ୍ତି ଓ ଏନଆରସି ଅନୁଯାୟୀ ୨୫ ମାର୍ଚ୍ଚ ୧୯୭୧ଠାରୁ ଆସାମରେ ପ୍ରବେଶ କରିଥିବା ସମସ୍ତଙ୍କୁ ବିଦେଶୀ ବୋଲି ଗ୍ରହଣ କରାଯିବା କଥା, ଯାହା ବିଲର ପ୍ରାବଧାନରେ ନାହିଁ। ବଙ୍ଗଳାଦେଶୀ ହିନ୍ଦୁ ଶରଣାର୍ଥୀଙ୍କ ଅପେକ୍ଷା ବହୁ ସଂଖ୍ୟାରେ ଚକମା ବୌଦ୍ଧ ଶରଣାର୍ଥୀଙ୍କ ଅନୁପ୍ରବେଶକୁ ଆଶଙ୍କା କରି ମିଜୋରାମରେ ଏହାର ବିରୋଧ ହେଉଛି। ଆସୁ, ଅବସୁ ଭଳି ଉତ୍ତର-ପୂର୍ବାଂଚଳର ୨୪ଟି ଛାତ୍ର ସଂଗଠନ ନର୍ଥ-ଇଷ୍ଟ ଷ୍ଟୁଡେଂଟସ ଅଗାର୍ନାଇଜେସନ ମଂଚରେ ଏକଜୁଟ ହୋଇ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିଲେ। ସେହି ଅଂଚଳର ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ନାଗରିକ ସଂଗଠନ ବିଲକୁ ବିରୋଧ କରିବାକୁ ପଛାଇଲେ ନାହିଁ। ବଙ୍ଗଳାଦେଶରେ ହିନ୍ଦୁମାନେ ପ୍ରକୃତପକ୍ଷେ ଉତ୍ପୀଡନର ଶିକାର ହେଉଥିଲେ ସେଠାରେ ସଦ୍ୟ ସମ୍ପନ୍ନ ନିର୍ବାଚନରେ ୧୭ ଜଣ ହିନ୍ଦୁ ଏମପି କିପରି ଜିତିଲେ ବୋଲି ପାଲଟା ପ୍ରଶ୍ନ କଲେ। କେବଳ ଆସାମର ବଙ୍ଗାଳୀ ହିନ୍ଦୁ ଅଧ୍ୟୁଷିତ ବାରାକ ଉପତ୍ୟକା ଅଂଚଳରୁ ଏହି ବିଲ ସପକ୍ଷରେ ଖୋଲାଖୋଲି ସମର୍ଥନ ମିଳିଲା। ଉତ୍ତର-ପୂର୍ବାଂଚଳରେ ବିଲ୍ର ବିରୋଧ ହେବାର ସମ୍ଭାବନା ସତ୍ୱେ ବିଜେପି ହିସାବ ନିକାଶ କରି ଏକ ସୁଚିନ୍ତିତ ରଣନୀତି ମାଧ୍ୟମରେ ବିଲ୍ଟିକୁ ପାରିତ କରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚେଷ୍ଟା କରିଥିଲା। ପ୍ରଥମତଃ, ଉତ୍ତର-ପୂର୍ବାଂଚଳର ଅଧିକାଂଶ ରାଜ୍ୟରେ ବିଜେପିର ନିଜସ୍ୱ ବା ମେଂଟ ସରକାର ଥିବାରୁ ସେଠାକାର ୨୫ଟି ସଂସଦୀୟ ଆସନ ମଧ୍ୟରୁ ଅଧିକାଂଶରେ ବିଜେପି ବା ସହଯୋଗୀ ଦଳ ବିଜୟୀ ହେବାର ସମ୍ଭାବନା ଦଳ ଦେଖୁଛି। ଦ୍ୱିତୀୟତଃ, ବଙ୍ଗଳାଦେଶରୁ ଆସିଥିବା ହିନ୍ଦୁ ବଙ୍ଗାଳୀଙ୍କୁ ନାଗରିକତା ପ୍ରଦାନ ପ୍ରସଙ୍ଗ ଉଠାଇ ପଶ୍ଚିମବଙ୍ଗର ବଙ୍ଗୀୟ ହିନ୍ଦୁଙ୍କ ହିତୈଷୀ ସାଜିବାର ପ୍ରତ୍ୟୟ ସୃଷ୍ଟି ମାଧ୍ୟମରେ ସେଠାକାର ୪୭ଟି ସଂସଦୀୟ ଆସନ ମଧ୍ୟରୁ ଅଧିକାଧିକ ଆସନ ହାତେଇବାର ଲକ୍ଷ୍ୟ ରଖିଛି। ଇତି ମଧ୍ୟରେ ନାଗରିକତା ସଂଶୋଧନ ବିଲ ଯୋଗୁ ଉତ୍ତର-ପୂର୍ବାଂଚଳର ରାଜନୈତିକ ସମୀକରଣରେ କେତେକ ପରିବର୍ତ୍ତନ ହୋଇ ସାରିଲାଣି ଓ ଆଗାମୀ ଦିନରେ ଏହାର ସମ୍ଭାବ୍ୟ ରାଜନୈତିକ ପ୍ରଭାବ ସମ୍ପର୍କରେ ତର୍ଜମା କରାଯାଇପାରେ। ବିଲକୁ ବିରୋଧ କରି ଏନଡିଏରେ ଭାଗିଦାର ଥିବା ଆସାମ ଗଣ ପରିଷଦ ଏନଡିଏ ତ୍ୟାଗ କରିବା ସହ ଆସାମରେ ବିଜେପି ନେତୃତ୍ୱାଧୀନ ମେଂଟ ସରକାରରୁ ଦୁଇ ମାସ ଧରି ସମ୍ପର୍କ ଚ୍ଛିନ୍ନ କରିବା ପରେ ନିବାଚନ ଅବ୍ୟବହିତ ପୂର୍ବରୁ ପୁଣି ଥରେ ଏନଡିଏରେ ସାମିଲ ହୋଇଛି। କୁହାଯାଉଛି, ବିଜେପିଠାରୁ ନାଗରିକ ବିଲରେ ସଂଶୋଧନର ଆଶ୍ୱାସନା ପାଇବା ପରେ ଦଳ ଏ ଭଳି ପଦକ୍ଷେପ ନେଇଛି। ବିଲକୁ ବିରୋଧ କରିବାରେ ନ୍ୟାସନାଲ ପିପୁଲସ ପାର୍ଟି (ଏନପିପି)ର ନେତା ତଥା ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ଅଗ୍ରଣୀ ଭୂମିକା ଗ୍ରହଣ କରିବା ସଙ୍ଗେସଙ୍ଗେ ଉତ୍ତର-ପୂର୍ବାଂଚଳର ବିଲ ବିରୋଧୀ ୧୧ଟି ରାଜନୈତିକ ଦଳକୁ ଗୋଟିଏ ମଂଚକୁ ଆଣିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଉଲ୍ଲେଖଯୋଗ୍ୟ, ଏମାନଙ୍କ ମଧ୍ୟରୁ ୭ଟି ଦଳ ଏନଡିଏର ସହଯୋଗୀ। ଏଥିମଧ୍ୟରୁ ଏନପିପି, ଏମଏନଏଫ ଭଳି କେତେକ ଦଳ ବିଜେପି ନେତୃତ୍ୱାଧୀନ ନର୍ଥ ଇଷ୍ଟ ଡେମୋକ୍ରାଟିକ ଆଲାଏନ୍ସ (ନେଡା) ଓ ଏନଡିଏରୁ ଓହରିଯିବା ପାଇଁ ଧମକ ଦେଇ ବିଜେପି ଉପରେ ଚାପ ସୃଷ୍ଟି କରିବାକୁ ସମର୍ଥ ହେଲେ। ନାଗରିକତା ସଂଶୋଧନ ବିଲକୁ ବିରୋଧ କରିବା ପାଇଁ ସମଗ୍ର ଉତ୍ତର-ପୂର୍ବାଂଚଳର ଜନତା ଓ ରାଜନୈତିକ ଦଳ ନିଜ ନିଜର ରାଜନୈତିକ, ଜନଜାତିଗତ (ଏଥନିସିଟି) ମତ ପାର୍ଥକ୍ୟକୁ ଭୁଲି ଯେଉଁ ଭଳି ଭାବେ ଗୋଟିଏ ମଂଚରେ ଐକ୍ୟ ପ୍ରଦର୍ଶନ କଲେ ସେଥିରୁ ଆଗାମୀ ଦିନରେ ସେହି ଅଂଚଳରେ କେନ୍ଦ୍ର ବିରୋଧୀ ଏକ ନୂଆ ରାଜନୈତିକ ମଂଚ ଜନ୍ମ ନେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁି ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ପୋଷଣ କଲେଣି। ଏହି ପ୍ରକରଣରେ ବିଜେପି ନେତା ତଥା ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ନୀରବତା ଅବଲମ୍ୱନ ତାଙ୍କ ଭାବମୂର୍ତ୍ତକୁ ମଳିନ କରିଛି। ଏ ସବୁକୁ ବିଶ୍ଳେଷଣ କଲେ ଜଣା ପଡୁଛି, ହୁଏତ ବିଜେପି ଉତ୍ତର-ପୂର୍ବାଂଚଳରୁ ଆଶା ରଖିଥିବା ଅଧିକ ସଂଖ୍ୟକ ଆସନ ଲାଭ କରିବାରେ ସମର୍ଥ ହୋଇ ନପାରେ। ନାଗରିକତା ସଂଶୋଧନ ବିଲ ଯୋଗୁ ପଶ୍ଚିମ ବଙ୍ଗରେ ମଧ୍ୟ ବିଜେପି ସପକ୍ଷରେ ପ୍ରବଳ ଜନମତ ସୃଷ୍ଟି ହୋଇ ତାହା ଦଳକୁ ଅଧିକ ଆସନ ଜିତିବାରେ ସହାୟକ ହେବ ବୋଲି ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ମିଳୁନାହିଁ। କୌଣସି ନିର୍ବାଚନୀ ଲାଭକ୍ଷତିର ହିସାବ ନ କରି କେବଳ ଜନସ୍ୱାର୍ଥ ପାଇଁ ବିଲରେ ସଂଶୋଧନ ଅଣାଯାଇଥିଲେ ତାହା କିପରି ରାଜ୍ୟସଭାରେ ପାରିତ ହେବ ସେ ନେଇ ସରକାର ତତ୍ପରତା ଦେଖାଇଥାନ୍ତେ। ତାହା ହୋଇ ନଥିବାରୁ ବିଲଟିରେ ଯେ ନିର୍ବାଚନୀ ଲାଭ ହାସଲର ଉଦ୍ଦେଶ୍ୟ ମଧ୍ୟ ଅନ୍ତର୍ନିହିତ, ତାହା ସୁସ୍ପଷ୍ଟ। ତେବେ ନାଗରିକ ଆଇନକୁ ସଂଶୋଧନ କରାଇବା ନେଇ ପ୍ରୟାସ ଦଳକୁ ଉଭୟ ଉତ୍ତର-ପୂର୍ବାଂଚଳ ଓ ପଶ୍ଚିମବଙ୍ଗରେ ଇପ୍ସିତ ନିର୍ବାଚନୀ ସଫଳତା ପ୍ରଦାନ କରିବାରେ ସହାୟକ ହେଉଛି ନା ବୁମେରାଂ ଭଳି ଘାତକ ସାବ୍ୟସ୍ତ ହେଉଛି ତାହା ଆଗାମୀ ଦିନରେ ପରିଷ୍କାର ହେବ। ଭୁବନେଶ୍ୱର, ମୋ-୯୪୩୭୦୩୮୦୧୫

Share :