କଂଗ୍ରେସ ଟିଆରପି ନିଲ୍‌!

କଂଗ୍ରେସ ଟିଆରପି ନିଲ୍‌!

Share :

ସ୍ବତନ୍ତ୍ର ପ୍ରତିନିଧି ଏବେ ସବୁ ଦଳରେ ବିଦ୍ରୋହ। ଏ ବିଦ୍ରୋହ ଦେଶ ଓ ଦୁନିଆ ପାଇଁ ନୁହେଁ। ଏହା ମଧ୍ୟ ଜନସ୍ବାର୍ଥ ପାଇଁ ନୁହେଁ। ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ସପକ୍ଷରେ ନୁହେଁ କି ଏହା ମଧ୍ୟ ନୁହେଁ ଦୁର୍ନୀତି ବା ସମ୍ଭ୍ରାନ୍ତବାଦ ବିରୋଧରେ। ଏବେ ବିଭିନ୍ନ ଦଳରେ ଯେଉଁ ବିଦ୍ରୋହ ଚାଲିଛି ତାହା ଟିକଟ ସପକ୍ଷରେ। ଦଳ ତରଫରୁ ଲଢ଼େଇ କରିବାକୁ ଏବେ ଯେତେ ନେତାଙ୍କ ଆଗ୍ରହ ପ୍ରକାଶ ପାଉଛି ଯଦି ଦେଶ ବା ଦେଶବାସୀଙ୍କ ତରଫରୁ ଲଢ଼େଇ କରିବାକୁ ସେତିକି ଆଗ୍ରହ ଥାଆନ୍ତା ତେବେ ଭାରତୀୟ ସେନାରେ ଗୋଟେ ‘ନେତା ରେଜିମେଣ୍ଟ’ ଖୋଲିବା ଦରକାର ପଡ଼ନ୍ତା। ଓଡ଼ିଶାରେ ନିର୍ବାଚନ ବିଜ୍ଞପ୍ତି ଜାରି ସହିତ ବିଭିନ୍ନ ଦଳ ତରଫରୁ ପ୍ରାର୍ଥିତାଲିକା ଘୋଷଣା ପର୍ବ ଆରମ୍ଭ ହୋଇଯାଛି। ଯେଉଁ ଆଶାୟୀ ନିଜ ଦଳର ପ୍ରାର୍ଥିତାଲିକାରେ ସ୍ଥାନ ପାଇ ନାହାନ୍ତି ସେ ନେତୃତ୍ବ ବିରୋଧରେ ବିଷୋଦଗାର କରୁଛନ୍ତି। କେତେକ ନେତାଙ୍କର ଏପରି ବିଷୋଦଗାର ପଛରେ ଅନେକ ଯୁକ୍ତି ଓ ତଥ୍ୟ ରହିଛି, ଅନ୍ୟ କେତେକ ହାତୀ ସୁନାଗଳସ ଢାଳିଲା ନାହିଁ ବୋଲି ଅସୁଖୀ। ଏହି ପ୍ରକ୍ରିୟାରେ ରାଜ୍ୟେର କଂଗ୍ରେସ ଦଳ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ସବୁଠୁ ଅଧିକ ଲାଭ ହୋଇଛି ଭାରତୀୟ ଜନତା ପାର୍ଟିର। ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳର ଅଧିକ ଆଶାୟୀ ନେତୃତ୍ବକୁ ସମାଲୋଚନା କରି ଦଳ ଛାଡ଼ିଛନ୍ତି। ବିଜେଡି ଗଠନରୁ ଏଯାଏଁ ପ୍ରାୟ ପ୍ରତି ନିର୍ବାଚନରେ ନବୀନବାବୁ ବିଧାୟକ ଓ ସାଂସଦ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ ବି କେହି ଦଳଛାଡ଼ି ଯାଉ ନଥିଲେ। ସମସ୍ତେ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ଜାଲରେ ପଡ଼ି ଖାଳେଇରେ ରହୁଥିଲେ। ପ୍ରଥମ ଥର ପାଇଁ ଡଜନେ ଉପରେ ସାଂସଦ ଓ ବିଧାୟକ ବିଜେଡିକୁ ନାତ ମାରି ବିଜେପିରେ ଯୋଗ ଦେଇଛନ୍ତି। କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ହେଉଛନ୍ତି ଏହି ତାଲିକାରେ ସଦ୍ୟତମ। ସେ କନ୍ଧମାଳ ଟିକଟରୁ ବଂଚିତ ହେବା ପରେ ପ୍ରଥମେ କଂଗ୍ରେସ ସହିତ ଯୋଗାଯୋଗ କରିଥିଲେ। ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ବି କହିସାରିଥିଲେ ଯେ ସେ ଦଳରେ ମିଶିସାରିଛନ୍ତି ବୋଲି ଧରନ୍ତୁ, କେବଳ ଘୋଷଣା ବାକି ଅଛି। ମାତ୍ର, ହଠାତ ମାର୍ଚ୍ଚ ୨୩ ତାରିଖରେ ସେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଘରେ ପହଂଚି ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ପୂର୍ବରୁ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେଡିରୁ ବିଜେପିକୁ ଡେଇଁଥିବାବେଳେ କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେହିପରି ନୀଳଗିରି, ଗୁଣୁପୁର, ଆସ୍କା, ଦଶପଲ୍ଲା, ଜୁନାଗଡ଼, ନର୍ଲା, ମୋହନ, ପାରଲାଖେମୁଣ୍ଡି, ସୁନ୍ଦରଗଡ଼ ଆଦି ବିଧାନସଭା ମଣ୍ଡଳୀର ବିଧାୟକ ଓ ଆଶାୟୀମାନେ ମଧ୍ୟ ବିଜେଡି ଛାଡ଼ିଛନ୍ତି। ତେବେ, ବିଜେପି ମଧ୍ୟ ଏହି ଧାରାରୁ ବାଦ ପଡ଼ିନାହିଁ। ବିଜେପି ପ୍ରାର୍ଥିତାଲିକା ଘୋଷିତ ହେବା ପରେ ଭୁବନେଶ୍ବର ଏକାମ୍ର, ଦିଗପହଣ୍ଡି, ଖଡ଼ିଆଳ ଓ ବରଗଡ଼ ଆଦି ଅଂଚଳରେ ଦଳୀୟ ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏଯାଏଁ କେହି ଅବଶ୍ୟ ବିଜେପି ଛାଡ଼ି ନାହାନ୍ତି। କଂଗ୍ରେସ ଦଳରୁ କିନ୍ତୁ ଇସ୍ତଫାର ସୁଅ ବନ୍ଦ ହୋଇନାହିଁ। ପ୍ରାର୍ଥିତାଲିକା ଘୋଷଣା ହେବା ପରେ କଂଗ୍ରେସର ନୀଳଗିରି, ବାଲିଗୁଡ଼ା, ଭବାନୀପାଟଣା, ସୁନ୍ଦରଗଡ଼, କୋରାପୁଟ ଆଦି ଆସନରେ ବିଦ୍ରୋହ ପରିସ୍ଥିତି ସୃଷ୍ଟି ହୋଇଛି। ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଦଳ ଛାଡ଼ିଥିବାବେଳେ ଜଳେଶ୍ବରର ପୂର୍ବ ବିଧାୟକ ମଧ୍ୟ ଦଳ ଛାଡ଼ିଛନ୍ତି। ନୀଳଗିରିରେ ହିଂସାକାଣ୍ଡ ଘଟିଛି। ଏହିପରି ଅନେକ ଆଡ଼େ ଅନେକ ସମସ୍ୟା। କଂଗ୍ରେସ ଦଳର ଏକ ଅଧିକ ଜଟିଳ ସମସ୍ୟା ହେଉଛି ବିଜେଡି ବା କଂଗ୍ରେସ ଛାଡ଼ୁଥିବା ନେତାମାନେ ବିଜେପି ଯାଉଛନ୍ତି, ବିଜେପି ଓ କଂଗ୍ରେସ ଛାଡ଼ୁଥିବା ନେତାମାନେ ବିଜେଡି ଯାଉଛନ୍ତି କିନ୍ତୁ କଂଗ୍ରେସକୁ କେଉଁ ପାର୍ଟିର ପରିତ୍ୟକ୍ତ ନେତାମାନେ ଯାଉ ନାହାନ୍ତି। ଏଥିରୁ ନେତାମାନଙ୍କ ମଧ୍ୟରେ ଏ ଦଳର ଟିଆରପି କେତେ ତାହା ଜଣାପଡ଼ିଯାଉଛି। ଆଉ ଜନତାଙ୍କ ପାଖରେ କଂଗ୍ରେସର ଟିଆରପି କେମିତି ବଢ଼ିବ ତା’ କିଏ କହିବ?

Share :