ବିଶ୍ବାସଘାତକ ନା ବିଶ୍ବସ୍ତ ସେବକ?

ବିଶ୍ବାସଘାତକ ନା ବିଶ୍ବସ୍ତ ସେବକ?

Share :

ସ୍ବତନ୍ତ୍ର ପ୍ରତିନିଧି ପୂର୍ବ କେତେ ଥର ପରି ଏଥର ନିର୍ବାଚନରେ ମଧ୍ୟ ଉଠିଛି ‘ବେଇମାନ ଓ ବିଶ୍ବାସଘାତକ’ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇଛନ୍ତି ଟିକଟ ପାଇ ନଥିବା କେତେକ ପ୍ରାର୍ଥୀ। ଏଥର ପ୍ରଥମେ ଏ ବିଷୟ ଉଠାଇଥିଲେ କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ। ୨୦୧୪ ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରାଯିବାର ତିନି ଦିନ ପୂର୍ବରୁ ନବୀନ ନିବାସକୁ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଡକରା ଆସିଥିଲା। ସେମାନେ ଯାଇଥିଲେ। ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସାଭପତି ନବୀନ ପଟ୍ଟନାୟକ ତାଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ସେମାନେ ଫେରିବା ପରେ ତାଙ୍କ ଟିକଟ କାଟି ଦିଆଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ ଅର୍କ କେଶରୀ। ସେ ଗଣମାଧ୍ୟମରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଯଦି ତାହା ଚାହୁଁଥିଲେ ତେବେ ସେ ସିଧାସଳଖ ତାଙ୍କୁ କହିପାରିଥାନ୍ତେ। ମାତ୍ର ସେ ପଛରୁ ଛୁରୀ ମାରିଲେ। ଠିକ ଏହିପରି ଅଭିଯୋଗ କରିଛନ୍ତି କଳାହାଣ୍ଡି ବିଜେଡି ସାଧାରଣ ସଂପାଦକ ପ୍ରମୋଦ ପଟ୍ଟନାୟକ। ସେ ଗଣମାଧ୍ୟମକୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏଥର ପ୍ରାର୍ଥୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର, ପୁଣି ଥରେ ଦିବ୍ୟ ଶଙ୍କର ମିଶ୍ରଙ୍କୁ ପ୍ରାର୍ଥୀ କରାଗଲା। ମୁଖ୍ୟମନ୍ତ୍ରୀ ତାଙ୍କୁ ଠକିଛନ୍ତି ବୋଲି କହି ସେ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ଜଣେ ଠକ ବୋଲି ଅଭିଯୋଗ କରିଛନ୍ତି। ଦଳୀୟ ପ୍ରାର୍ଥୀ ଘୋଷଣା ପରେ ଦଳ ଛାଡ଼ୁଥିବା ସଂଖ୍ୟାଧିକ ବିଜେଡି ନେତା ଏହିପରି ଅଭିଯୋଗ କରୁଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହିତ ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ ବୃଦ୍ଧି ପାଇବାରେ ଲାଗିଛି। ତେବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏପରି ଅଭିଯୋଗ ନୂଆ ନୁହେଁ। ତାଙ୍କ ବିରୋଧରେ ୨୦୦୦ ମସିହାରୁ ଏପରି ଅଭିଯୋଗ ହୋଇଆସିଛି। ୨୦୦୦ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଲଖର ଶେଷ ଦିନରେ ବିଜୟ ମହାପାତ୍ରଙ୍କ ଟିକଟ କାଟି ସେ ଏହିପରି ‘ବିଶ୍ବାସଘାତ’ କରିଥିଲେ। ସେତେବେଳେ ବିଜୟ ମହାପାତ୍ର ଥିଲେ ତାଙ୍କ ଦଳର ରାଜନୀତିକ ବ୍ୟାପାର କମିଟି ମୁଖ୍ୟ। ପ୍ରାର୍ଥୀ ଚୟନରେ ତାଙ୍କର ମୁଖ୍ୟ ଭୂମିକା ଥିଲା। ଜନତା ଦଳ ଭାଙ୍ଗିବା ଓ ବିଜୁ ଜନତା ଦଳ ଗଢ଼ିବାରେ ମଧ୍ୟ ତାଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଥିଲା। କିନ୍ତୁ ତାଙ୍କୁ ବିଲ୍‌କୁଲ୍‌ କିଛି ନଜଣାଇ ଭିତରେ ଭିତରେ ନବୀନବାବୁ ତାଙ୍କ ଟିକଟ ରଦ୍ଦ କରି ଅତନୁ ସବ୍ୟସାଚରୀ ନାୟକଙ୍କୁ ଦଳୀୟ ଟିକଟ ଦେଲେ। ଏମିତି ସମୟରେ ନବୀନ ପଟ୍ଟନାୟକ ‘ବିଶ୍ବାସଘାତ’ କଲେ ଯେ ପୂର୍ବରୁ ଦଳୀୟ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ବିଜୟ ମହାପାତ୍ରଙ୍କ ପାଖରେ ସ୍ବାଧୀନ ପ୍ରାର୍ଥୀ ଲଢ଼ିବା ପାଇଁ ବି ଆଉ ସୁଯୋଗ ନଥିଲା। ଠିକ ସେହିପରି ଦିନେ ସନ୍ଧ୍ୟାରେ ସେ ହଠାତ ବିଜେଡିର ତତ୍କାଳୀନ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିଦେଲେ। ତା’ ପୂର୍ବରୁ ସେ ତାଙ୍କୁ ନିଜ ପ୍ରକୋଷ୍ଠକୁ ଡକାଇଥିଲେ। ସୌଜନ୍ୟମୂଳକ ଭାବେ କଥାବାର୍ତ୍ତା କରିଥିଲେ। ସେତେବେଳେ ସେ ତାଙ୍କୁ ବାଦ ଦେବା ବିଷୟରେ କିଛି ବି ସଂକେତ ଦେଇ ନଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରୁ ଫେରି ନଳିନୀ ମହାନ୍ତି ନିଜ ମନ୍ତ୍ରୀ ପ୍ରକୋଷ୍ଠରେ ଟିଭି ନ୍ୟୁଜରୁ ନିଜର ବହିଷ୍କାର ସଂପର୍କରେ ଅବଗତ ହେଲେ। ତାଙ୍କ ସହିତ କମଳା ଦାସ ଓ ପ୍ରଶାନ୍ତ ନନ୍ଦ ବି ମନ୍ତ୍ରୀପଦ ହରାଇଥିଲେ। ସେମାନଙ୍କୁ ମଧ୍ୟ ସୌଜନ୍ୟ ଦୃଷ୍ଟିରୁ ଆଗୁଆ ଅବଗତ କରାଯାଇ ନଥିଲା। କାହାକୁ ମନ୍ତ୍ରୀ କରିବେ, କାହାକୁ କରିବେ ନାହିଁ, କାହାକୁ ବାଦ ଦେବେ- ଏସବୁ ମୁଖ୍ୟମନ୍ତ୍ରୀଙ୍କର ଇଚ୍ଛାଧୀନ ବ୍ୟାପାର। ତେବେ ଗଣତାନ୍ତ୍ରିକ ସୌଜନ୍ୟ ଦୃଷ୍ଟିରୁ ସେ ଏ ବିଷୟରେ ଆଗୁଆ କଥା ହେବା କଥା। କାରଣ ମନ୍ତ୍ରୀମାନେ କେବଳ ମୁଖ୍ୟମନ୍ତ୍ରୀଙ୍କର କ୍ୟାବିନେଟ ସହଯୋଗୀ ନୁହନ୍ତି ତାଙ୍କ ଦଳୀୟ ସହଯୋଗୀ ମଧ୍ୟ। ନିଜ ସାଥୀ ଓ ସହଯୋଗୀଙ୍କୁ ଏପରି ବ୍ୟବହାର ପ୍ରଦର୍ଶନ କରିବା ନିଶ୍ଚିତ ଭାବେ ଭଦ୍ର ଆଚରଣ ନୁହେଁ। ତାଙ୍କ ସଂପର୍କରେ ଏଭଳି ଅନେକ କଥା କୁହାଯାଏ। ସେ କାଳେ ନବୀନ ନିବାସକୁ ଡାକି ଲେମ୍ବୁ ପାଣି ପିଇବାକୁ ଦେଲେ ମାନେ ପିଇବା ଲୋକର ପଦପଦବୀ ଗଲା ବୋଲି ସଂକେତ ମିଳେ! ୨୦୦୯ ନିର୍ବାଚନ ପୂର୍ବରୁ ସେ ତାଙ୍କ ରାଜନୀତିକ ସଫଳତାର ପ୍ରମୁଖ ଭାଗୀଦାର ଭାରତୀୟ ଜନତା ପାର୍ଟି ସହିତ ‘ବିଶ୍ବାସଘାତ’ କରିଥିଲେ ବୋଲି ସେହି ଦଳ ଅଭିଯୋଗ କରିଥିଲା। ସେତେବେଳକୁ ଉଭୟ ଦଳ ମଧ୍ୟରେ ୧୧ ବର୍ଷର ମେଣ୍ଟ ସଂପର୍କ ଥିଲା। କିନ୍ତୁ ସେହି ନିର୍ବାଚନରେ ଆସନ ବୁଝାମଣା ନେଇ ନବୀନ ନିବାସରେ ଆଲୋଚନା କରୁଥିବା ସମୟରେ ସେ ବିଜେପି ସାଂସଦ ଚନ୍ଦନ ମିତ୍ରଙ୍କୁ ମୁଖ୍ୟ ଦରଜା ଦେଖେଇ ଦେଇଥିଲେ। ଚନ୍ଦନ ମିତ୍ର ବୁଝିଲା ବେଳକୁ ନବୀନ ବିଜେପିକୁ ଧକ୍କା ମାରି ସାରିଥିଲେ। ତାଙ୍କର ପ୍ରଥମ ମୁରବୀ ରାମକୃଷ୍ଣ ପଟ୍ଟନାୟକ, ରାଜନୀତିକ ମୁଣ୍ଡ ପ୍ୟାରୀ ମୋହନ ମହାପାତ୍ର, ତୁଣ୍ଡ ଡାକ୍ତର ଦାମୋଦର ରାଉତ, ବିଶ୍ବସ୍ତ ଅନୁଗତ ପ୍ରଫୁଲ୍ଲ ଘଡ଼ାଇ- ଏମିତି ଅନେକ ନେତାଙ୍କ ସହିତ ‘ବେଇମାନୀ ଓ ବିଶ୍ବାସଘାତ’ କରିଛନ୍ତି ନବୀନ ପଟ୍ଟନାୟକ। ମାତ୍ର, ଓଡ଼ିଶାବାସୀ ତାଙ୍କୁ ସେ ଦୃଷ୍ଟିରେ ଦେଖିନାହାନ୍ତି। ସେ ଓଡ଼ିଆ ନଶିଖି ଓଡ଼ିଆଙ୍କ ସହିତ ବିଶ୍ବାସଘାତ କରିଛନ୍ତି। କିଛି ନହେଲେ ଓଡ଼ିଆଙ୍କୁ ଠକିଛନ୍ତି ନିଶ୍ଚୟ। କାରଣ ସେ ଆରମ୍ଭରୁ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ‘ଓଡ଼ିଆ ଶିଖିବାକୁ ଆଉ ଅଳ୍ପ ଦିନ ଲାଗିବ’ ବୋଲି ବାରମ୍ବାର କହିଛନ୍ତି। ସେଥିପାଇଁ ରାଜକିଶାର ମିଶ୍ର ନାମକ ଜଣେ ପ୍ରଫେସରଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ ସେହି ପ୍ରଫେସର ନିଜ ଅମନଯୋଗୀ ଛାତ୍ରଙ୍କ ହାବଭାବ ଦେଖି ଆଉ ନବୀନ ନିବାସ ଗଲେ ନାହିଁ। ତାଙ୍କ ସମୟରେ ଓଡ଼ିଶାର ୬ ଲକ୍ଷ କୋଟି ଟଙ୍କାର ଖଣିଜ ସଂପଦ ଲୁଟ୍‌ ହେଲା। ସେ ଜଗି ପାରିଲେ ନାହିଁ। ଯଦିଓ ସେ ପୂର୍ବରୁ ପଂଚାୟତ ପ୍ରତିନିଧିମାନଙ୍କୁ କହିଥିଲେ ଯେ ଆପଣମାନେ ଗାଁ ଜଗନ୍ତୁ ମୁଁ ସଚିବାଳୟ ଜଗିଛି। ତାଙ୍କରି ସମୟରେ ଲକ୍ଷେ କୋଟି ଟଙ୍କାର ବାଲି ଓଡ଼ିଶାର ବିଭିନ୍ନ ନଦୀରୁ ଚୋରା ଚାଲାଣ ହୋଇଗଲା ସେ ଚୋରଙ୍କୁ ଧରିଲେ ନାହିଁ। ତାଙ୍କ ସମୟରେ ୨୦ ଲକ୍ଷ ଓଡ଼ିଆଙ୍କର ପ୍ରାୟ ୪୦ ହଜାର ଟଙ୍କା ଚିଟ୍‌ ଫଣ୍ଡ ଲୁଟେରାମାନେ ନେଇଗଲେ ସେ କାହାକୁ ଦଣ୍ଡ ଦେଲେ ନାହିଁ। ବରଂ ସେହି ଲୁଟେରାଙ୍କ ମଧ୍ୟରୁ ଅନେକେ ଏବେ ବି ତାଙ୍କ ସହିତ ଅଛନ୍ତି। ତାଙ୍କ ଦଳ ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଆଣିଦେବ ବୋଲି ପ୍ରତିଶ୍ରୁତି ଦେଇଛି, ଆରମ୍ଭରୁ। ବାଇଶ ବର୍ଷ ହୋଇଗଲା ସେ ତାହା ପାରିଲେ ନାହିଁ। ସବୁ କଥାରେ କେନ୍ଦ୍ର ଅବହେଳା କରୁଛି ବୋଲି ଅଭିଯୋଗ କରୁଥିବା ନବୀନବାବୁ ନିଜର ପାରିବା ପଣିଆ ଉପରେ କେବେ ସମୀକ୍ଷା କରି ନାହାନ୍ତି। ଓଡ଼ିଶାବାସୀ ତାଙ୍କୁ ଯେଭଳି ପ୍ରତି ନିର୍ବାଚନରେ ଅଧିକରୁ ଅଧିକ ଆସନ ଦେଇଚାଲିଛନ୍ତି ସେଥିରେ ତାଙ୍କର ଶକ୍ତି ବଢ଼ିବା କଥା ଏବଂ ସେ କେନ୍ଦ୍ରଠାରୁ ଓଡ଼ିଶାର ଦାବି ହାସଲ କରିବା ଦିଗରେ ସେହି ଶକ୍ତି ପ୍ରୟୋଗ କରିବା କଥା। ମାତ୍ର, ସେଥିରେ ସେ ବିଫଳ ହୋଇଛନ୍ତି। ଅବଶ୍ୟ ତାଙ୍କର ରାଜନୀତିକ ଶକ୍ତି ବୃଦ୍ଧି ପାଇଛି ଓ ଦୁଇ ଦଶନ୍ଧି ଧରି ସେ ଗାଦୀରେ ଅଛନ୍ତି। ଓଡ଼ିଶା ଓ ଓଡ଼ିଆଙ୍କର ଶକ୍ତି, ସଂପଦ ଓ ସ୍ବାଭିମାନ ଧ୍ବଂସ ହେବା ନେଇ ସେ କେବେ ଚିନ୍ତା ପ୍ରକଟ କରିନାହାନ୍ତି। ସେହିପରି ସେ ଅନେକ ସମୟରେ ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ସେଥିରୁ ଅନେକେ ପୂରଣ ହୋଇନାହିଁ। ଏବେ ସେଥିପାଇଁ ପ୍ରଶ୍ନ ଉଠୁଛି, ତାଙ୍କ ସମୟରେ ଓଡ଼ିଆରେ ଓଡ଼ିଶା ଶାସନ ଚାଲିଲା? ସବୁ ନାମ ଫଳକ ଓଡ଼ିଆରେ ଲେଖାଗଲା? ରସଗୋଲାର ଜିଆଇ ଟ୍ୟାଗ ମିଳିଲା? ୬ ଲକ୍ଷ କୋଟି ଟଙ୍କାର ଖଣିଜ ଡକାୟତ ଧରାଗଲେ? ୧ ଲକ୍ଷ କୋଟି ଟଙ୍କାର ବାଲିଚୋର ଜେଲ୍‌ ଗଲେ? ଚିଟ୍‌ ଫଣ୍ଡ ଚୋରମାନେ ଦଳରୁ ବିଦା ହେଲେ? ରତ୍ନ ଭଣ୍ଡାର ଚାବି ମିଳିଲା? ଓଡ଼ିଶା ଭିକାରୀ ଓ କାଙ୍ଗାଳ ଶୂନ୍ୟ ହେଲା? ସବୁ ଚାଷଜମିକୁ ସେଚସୁବିଧା ମିଳିଲା? ସବୁ ବ୍ଲକରେ ଶୀତଳ ଭଣ୍ଡାର ହେଲା? ଚାଷୀକୁ ଉଚିତ ଦର ମିଳିଲା? ପଞ୍ଚାୟତରୁ ସଚିବାଳୟ ଯାଏଁ ଶାସନ ଦୁର୍ନୀତିମୁକ୍ତ ହେଲା? ୟାଙ୍କ ପୂର୍ବରୁ ଓଡ଼ିଶାକୁ ଲୁଟିଥିବା ଲୋକମାନେ ଦଣ୍ଡ ପାଇଲେ? ଖାଦ୍ୟ ଓ ପୋଷାକରେ ଓଡ଼ିଶା ଆତ୍ମନିର୍ଭରଶୀଳ ହେଲା? ବେରୋଜଗାରଙ୍କୁ ନିଯୁକ୍ତି ସୁଯୋଗ ମିଳିଲା? ଏଭଳି ଅନେକ ପ୍ରତିଶ୍ରୁତି ଦେଇ ଓଡ଼ିଶାବାସୀଙ୍କ ସହିତ ସେ ପ୍ରତାରଣା କରିଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଛନ୍ତି। ମାତ୍ର, ଏ ଅଭିଯୋଗ ସବୁ ତାଙ୍କର ଭୋଟ ବ୍ୟାଙ୍କ ଗରୀବ ଓଡ଼ିଆଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ। ସେମାନେ ନବୀନବାବୁଙ୍କୁ ସବୁଠୁ ବିଶ୍ବସ୍ତ ସେବକ କିମ୍ବା ସଚ୍ଚୋଟ ସମ୍ରାଟ ଭାବେ ଗ୍ରହଣ କରିନେଇଛନ୍ତି।

Share :