ଆଇନ ମନ୍ତ୍ରୀଙ୍କ ଭୋଟ ବେପାର!

ଆଇନ ମନ୍ତ୍ରୀଙ୍କ ଭୋଟ ବେପାର!

Share :

ସ୍ବତନ୍ତ୍ର ପ୍ରତିନିଧି ୨୦୧୯ ମାର୍ଚ୍ଚ ୧୪ ତାରିଖ। ସେଦିନ ଗୋଟିଏ ଖବର ଓଡ଼ିଶା ସାରା ଚର୍ଚ୍ଚାର ବିଷୟ ହୋଇଥିଲା। ନବୀନ ପଟ୍ଟନାୟକଙ୍କର ଜଣେ ମନ୍ତ୍ରୀ ସହଯୋଗୀ ସାଲେପୁର ଅଂଚଳରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ବିଜୁ ଜନତା ଦଳକୁ ଭୋଟ ଦେବା ପାଇଁ ଲୋକଙ୍କୁ ସିଧାସଳଖ ଲାଞ୍ଚ ଯାଚିଥିଲେ। ତାହାର ଏଭ ଭିଡିଓ କ୍ଲିପ୍‌ ଭାଇରାଲା ହୋଇଥିଲା। ଭିଡିଓ କ୍ଲିପରେ ସେ ସ୍ପଷ୍ଟ ଭାବେ କହୁଛନ୍ତି, ‘କ୍ୟାମେରା ବନ୍ଦ, ମୋବାଇଲ୍ ବନ୍ଦ’। ଏହା ପରେ ସେ ଉପସ୍ଥିତ ଲୋକମାନଙ୍କୁ କହୁଛନ୍ତି, ପ୍ରଶାନ୍ତ ବେହେରା ଏଠାରୁ ପ୍ରାର୍ଥୀ ହେଉଛନ୍ତି। ଯେଉଁ ବୁଥ୍‌ରୁ ତାଙ୍କୁ ସର୍ବାଧିକ ଭୋଟ ମିଳିବ ସେଠିକୁ ୧୫ ଲକ୍ଷ ବୋନସ୍‌ ମିଳିବ। ଯେଉଁ ପଂଚାୟତରୁ ତାଙ୍କୁ ସବୁଠୁ ଅଧିକ ଭୋଟ ମିଳିବ ସେଠିକୁ ୩୬ ଲକ୍ଷ ଟଙ୍କା ବୋନସ୍‌ ଦିଆଯିବ। ସଂପୃକ୍ତ ମନ୍ତ୍ରୀ ହେଉଛନ୍ତି ପ୍ରତାପ ଜେନା। ସେ ପୁଣି ଏ ରାଜ୍ୟର ସୂଚନା, ଲୋକ ସଂପର୍କ ଓ ସ୍ବାସ୍ଥ୍ୟ ବିଭାଗ ସହିତ ଆଇନ ବିଭାଗର ମନ୍ତ୍ରୀ! ଆଇନ ମନ୍ତ୍ରୀଙ୍କର ଗଣତନ୍ତ୍ର ଜ୍ଞାନ ଯଦି ଏପରି ତେବେ ଏ ସରକାରର ଗଣତନ୍ତ୍ର ଜ୍ଞାନ କିପରି ହୋଇଥିବ ତାହା କେବଳ ଅନୁମାନର କଥା। ସଭାରେ ମନ୍ତ୍ରୀ କହିଥିଲେ ଏମଏଲଏଲ୍ୟାଡ୍‌ ବା ବିଧାୟକ ହାତପାଣ୍ଠିରୁ ଏ ଟଙ୍କା ଦିଆଯିବ। ବିଧାୟକ ଓ ସାଂସଦ ହାତପାଣ୍ଠି କାହାକୁ ଦିଆଯାଏ, କେମିତି ଦିଆଯାଏ, ତାହା କେମିତି ଖର୍ଚ୍ଚ ହୁଏ ସେ ବିଷୟରେ ଊଣାଅଧିକେ ସମସ୍ତେ ଜାଣିଥିବେ। ଏହାର ଅନ୍ୟନାମ ହେଉଛି ଦଳୀୟ କର୍ମୀ ତୋଷଣ ପାଣ୍ଠି। ଏଥିରେ ବି କେହି କେହି ସାଂସଦ ଓ ବିଧାୟକ ନିଜର ଏକ କମିଶନ ରଖିଥାନ୍ତି। ଗୋଟେ ବୁଥ୍‌ମାନେ ଗୋଟେ ଗାଁ ବା ବଡ଼ ଗାଁ ହୋଇଥିଲେ ଗୋଟେ ୱାର୍ଡ଼। ଗୋଟିଏ ୱାର୍ଡ଼ ପାଇଁ ୧୫ ଲକ୍ଷ ଟଙ୍କା ଦିଆଯିବ ମାନେ ଭୋଟ ପିଛା କେତେ ପଡ଼ିଲା ହିସାବ କରନ୍ତୁ। ଭୋଟ ପିଛା ୫ ହଜାର ଟଙ୍କା ଖର୍ଚ୍ଚ ହେଲେ ୧୫ ଲକ୍ଷ ଟଙ୍କାରେ ୩୦୦ ଭୋଟ ହେଲାଣି। ଏଇ ହିସାବରୁ ଜଣାପଡ଼ୁଛି ଏଥର ଯେକୌଣସି ସୂତ୍ରରୁ ହେଲେ ବି ଶାସକ ଦଳ ପ୍ରତି ଭୋଟ ପାଇଁ ଏଇ ହିସାବରେ ଟଙ୍କା ଖର୍ଚ୍ଚ କରିପାରେ। ନଗଦ ଟଙ୍କା ଦେଇ ଭୋଟ କିଣି କ୍ଷମତାରେ ରହିଲେ ତାହାର ସୁଧମୂଳ ଆଦାୟ ହୋଇପାରିବ। ଶାସକ ଦଳର ଏଇ ଭୋଟ ବେପାରର ଅନ୍ୟ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ନୂଆପଡ଼ାରେ। ସେଠାରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ ଭୋଟରମାନଙ୍କୁ ନଗଦ ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି। ସେ ତାଙ୍କ ଗାଡ଼ିରୁ ଟଙ୍କା ବାଣ୍ଟିବାର ଭିଡିଓ ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଧରାପଡ଼ିବା ପରେ ଢୋଲକିଆ କହିଛନ୍ତି ସେ ଦରିଦ୍ର ନାରାୟଣଙ୍କ ସେବା ପାଇଁ ଟଙ୍କା ଦେଉଥିଲେ। ୨୦୧୪ ନିର୍ଚାଚନ ମଧ୍ୟ ଟଙ୍କା କାରବାର ହୋଇଥିଲା। ସେତେବେଳେ ସରକାରୀ ଆମ୍ବୁଲାନ୍ସ, ପିସିଆର ଭ୍ୟାନ ଓ ଏସପି ଓ ଜିଲ୍ଲାପାଳଙ୍କ ଗାଡ଼ିରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଥିଲା। ତତ୍କାଳୀନ ଡିଜି ପ୍ରକାଶ ମିଶ୍ର ପିସିଆର ଭ୍ୟାନକୁ ଭୋଟ ବ୍ୟବସାୟରେ ଲଗାଇବା ବିରୋଧରେ ମତ ଦେଇଥିଲେ। ତେଣୁ ଶାସକ ଦଳର ଅନୁଗତ ଅନ୍ୟବାବୁମାନେ ଖପ୍ପା ହୋଇଥିଲେ ଏବଂ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏକ ମାସ ମଧ୍ୟରେ ତାଙ୍କର ଡିଜି ପଦ ଚାଲିଯାଇଥିଲା। ଖାଲି ସେତିକି ନୁହେଁ, ତାଙ୍କ ବିରୋଧରେ ମିଛ ଦୁର୍ନୀତି ଅଭିଯୋଗ ମଧ୍ୟ ଦାଏର ହୋଇଥିଲା। ସେଥିପାଇଁ ପରେ ଅବଶ୍ୟ ନବୀନ ସରକାରଙ୍କୁ ଓଡ଼ିଶା ହାଇକୋର୍ଟ ଏବଂ ସୁପ୍ରିମ କୋର୍ଟ ତୀବ୍ର ଭର୍ତ୍ସନା କରିଥିଲେ। ୨୦୧୯ ନିର୍ବାଚନରେ ମଧ୍ୟ ଏପରି ଭୋଟ ବେପାର ଆରମ୍ଭ ହୋଇଗଲାଣି। ବିରୋଧୀ ଦଳରଙ୍କ ଅଭିଯୋଗ ଅନୁସାରେ କାଳିଆ ହେଉଛି ଗୋଟେ ଭୋଟ କିଣା ଯୋଜନା। ଭୋଟ ପାଇଁ ଏହା ସରକାରୀ ଲାଞ୍ଚ। ଏହା ବାଦ ଶାସକ ଦଳ ପ୍ରଚାର ସମୟରେ ମଧ୍ୟ ଲୋକଙ୍କ ଭୋଟ କିଣିବା ପାଇଁ ପ୍ରଚୁର ଟଙ୍କା ଖର୍ଚ୍ଚ କରିବ ବୋଲି ଅଭିଯୋଗ ହେଉଛି। ଅବଶ୍ୟ ବିରୋଧୀ ବିଜେପି ବିରୋଧରେ ମଧ୍ୟ ସମ ଅଭିଯୋଗ କରିଛି ବିଜେଡି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି କରିଥିବା ଅଭିଯୋଗ ଅନୁଯାୟୀ ବିଜେପି ନେତାମାନେ ପେଟ୍ରୋଲ ପମ୍ପ ଓ ଗ୍ୟାସ ଡିଲରଙ୍କ ମାଧ୍ୟମରେ ଟଙ୍କା କାରବାର କରିବେ। ଇତିମଧ୍ୟରେ ରାଉରକେଲାରୁ ୨ କୋଟି ଟଙ୍କା ଜବତ ହୋଇଛି। ଏ ଟଙ୍କା ଭୋଟ କିଣାରେ ଲାଗିଥାନ୍ତା ବୋଲି ପୁଲିସ ସନ୍ଦେହ କରୁଛି। କୋରାପୁଟର କଂଗ୍ରେସ ପ୍ରାର୍ଥୀଙ୍କଠାରୁ ମଧ୍ୟ ପୁଲିସ ଲକ୍ଷାଧିକ ଟଙ୍କା ଜବତ କରିବାର ଖବର ଆସିଛି। ତେବେ ପୁଲିସ ଓ ନିର୍ବାଚନ ଅଧିକାରୀମାନେ ଯେ ସବୁ ପ୍ରାର୍ଥୀଙ୍କର ସବୁ ଟଙ୍କା ଜବତ କରିପାରିବେ ତାହା କେହି ହଲପ କରି କହିପାରିବେ ନାହିଁ।

Share :