ଛାମୁ ଛାନିଆ!

ଛାମୁ ଛାନିଆ!

Share :

ସ୍ବତନ୍ତ୍ର ପ୍ରତିନିଧି ଗତ କିଛି ଦିନ ଧରି ବିଜୁ ଜନତା ଦଳରୁ ଯେପରି ନେତାମାନେ ସମୂହ ପ୍ରସ୍ଥାନ କରୁଛନ୍ତି ସେଥିରୁ ନବୀନ ପଟ୍ଟନାୟକଙ୍କ ପାରାଭାଡ଼ି ଖାଲି ହୋଇଯିବା ପରି ଲାଗୁଛି। ସମ୍ଭବତଃ ସେ ପୂର୍ବରୁ ଏହା ଅନୁମାନ କରୁଥିଲେ। ତେଣୁ ଆଗୁଆ ସର୍ତକତାମୂଳକ ପଦକ୍ଷେପ ସ୍ବରୂପ କଂଗ୍ରେସ ଭାଡ଼ିକୁ ଝାଡ଼ିଝୁଡ଼ି ନିଜ ଭାଡ଼ିକୁ ଆଣିଥିଲେ। ତେବେ ଯେଉଁ ଗତିରେ ବିଜେଡି ଭାଡ଼ି ଖାଲି ହେଉଛି ତାହାକୁ କଂଗ୍ରେସ ଭାଡ଼ିର ପାରା ପୂରଣ କରିପାରିବେ କି ନାହିଁ ସନ୍ଦେହ। ଏ ପରିସ୍ଥିତିରେ ନବୀନବାବୁଙ୍କୁ ବୋଧହୁଏ ସଚିବାଳୟ ଖାଲି କରି ବାବୁମାନଙ୍କୁ ମଇଦାନରେ ଉତୁରିବାକୁ ନିର୍ଦ୍ଦେଶ ଦେଇପାରନ୍ତି! ୨୦୧୯ ସାଧାରଣ ନିର୍ବାଚନ ବିଜ୍ଞପ୍ତି ଜାରି ହେବା ପରଠୁଁ ବିଜୁ ଜନତା ଦଳରୁ ନେତାମାନଙ୍କର ପ୍ରସ୍ଥାନର ସୁଅ ଛୁଟୁଛି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ଏହି ଦଳରୁ ଦଶରୁ ଅଧିକ ବିଧାୟକ ଓ ପୂର୍ବତନ ବିଧାୟକ ଏବଂ ତିନି ଜଣ ସାଂସଦ ଇସ୍ତଫା ଦେଇସାରିଲେଣି। ଆଗକୁ ଆହୁରି ଅନେକ ସାଂସଦ ଓ ବିଧାୟକ ଦଳ ଛାଡ଼ିବାର ଧମକ ଦେଇଛନ୍ତି। ବିଜେଡି ଛାଡ଼ିଥିବା ସଂଖ୍ୟାଧିକ ବିଧାୟକ ଓ ସାଂସଦ ବିଜେପିରେ ଯୋଗ ଦେଇଛନ୍ତି। ସେମାନେ ଆଗାମୀ ନିର୍ବାଚନରେ ବିଭୀଷଣ ଭୂମିକା ତୁଲେଇଲେ ଲଙ୍କାର ରାବଣ ଧ୍ବଂସ ହେବ ବୋଲି ରାଜନୀତିକ ମହଲରେ ବ୍ୟଙ୍ଗୋକ୍ତି କରାଯାଉଛି। ଏହା ଛାମୁଙ୍କୁ ଛାନିଆ କରିଛି ବୋଲି ଦଳର ଆଭ୍ୟନ୍ତରୀଣ ମହଲରେ ଗୁଂଜରଣ ଚାଲିଛି। ସେଥିପାଇଁ ଦଳ ଆଉ ପ୍ରାର୍ଥୀ ତାଲିକା ଘୋଷଣା ନକରି ଲୁଚେଇ ଲୁଚେଇ ଟିକଟ ବାଣ୍ଟିବାକୁ ଯୋଜନା କରିଛି। ଏକଥା କହୁ କହୁ ପଦାରେ ପକେଇ ଦେଇଛନ୍ତି ବିଜେଡି ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ। ଭାରତୀୟ ଜନତା ପାର୍ଟିକୁ ସମାଲୋଚନା କରିବାକୁ ଯାଇଁ ସେ କହିଛନ୍ତି ଯେ ଆମେ ଯେଉଁମାନଙ୍କୁ ଟିକଟ ଦେଉନୁ ସେମାନଙ୍କୁ ନେଇ ଦଳ ଗଢ଼ିବାକୁ ଚେଷ୍ଟା କରୁଛି ବିଜେପି। ଆମେ ଯଦି ଆମ ପ୍ରାର୍ଥୀ ତାଲିକା ଘୋଷଣା ନକରି ପ୍ରାର୍ଥୀମାନଙ୍କ ପକେଟରେ ଦେଇଦେବୁ ବା ଆମ ଗୁଇନ୍ଦା ଯାଇଁ ତାଙ୍କୁ ଦେଇ ଆସିବ ତେବେ ବିଜେପି କାହାକୁ ପ୍ରାର୍ଥୀ କରିବ? ସୌମ୍ୟଙ୍କ ଏଇ କଥା ଦି’ପଦରୁ ତାଙ୍କ ମୁଖିଆ ନବୀନଙ୍କ ମାନସିକ ଅବସ୍ଥାକୁ ପଦାରେ ପକାଇ ଦେଇଛି। ନବୀନବାବୁ ଯଦି ତାଙ୍କ ଦଳରୁ ଛୁଟୁଥିବା ଇସ୍ତଫାର ସୁଅ ନେଇ ଚିନ୍ତିତ ନୁହନ୍ତି ତେବେ ତାଙ୍କ ଦଳ ଛାଡ଼ୁଥିବା ନେତାମାନେ କୁଆଡ଼େ ଗଲେ କେଉଁ ଦଳରେ ଯୋଗଦେଲେ ସେନେଇ ତାଙ୍କ ଦଳ କୌଣସି ମନ୍ତବ୍ୟ ଦେବା ଉଚିତ ମଣି ନଥାନ୍ତା। ସେମାନେ ଏପରି ଘଟଣାରେ ନୀରବ ରହିଥାନ୍ତେ। ବିଜେଡି ନିଯୁକ୍ତ ସାଇବର ସେନାନୀଗଣ ଫେସବୁକ୍‌ ଓ ଟୁଇଟର ଆଦି ସୋସିଆଲ ମିଡିଆରେ ଲେଖୁଛନ୍ତି ଯେ ଯେଉଁମାନେ ବିଜେଡି ଛାଡ଼ି ଯାଉଛନ୍ତି ସେମାନେ ସମସ୍ତେ ‘ଅଳିଆ’, ‘ବୋଝ’ ଓ ‘ପଚାମାଛ’। ଯଦି ସତରେ ସେମାନେ ସେଇଆ ତେବେ ବିଜେଡି ନେତାମାନ ଖୁସି ହେବା କଥା। ତାଙ୍କ ଅଳିଆ ଓ ବୋଝକୁ ବିଜେପି ବା ଅନ୍ୟ ଦଳ ଯଦି ମୁଣ୍ଡେଇବାକୁ ରାଜି ହେଉଛନ୍ତି ସେଥିରେ ନବୀନବାବୁ ତାଙ୍କ ଦଳର ଲାଭ ହିସାବ କରିବା କଥା। ତାହା ନକରି ସେ ସୌମ୍ୟଙ୍କ ଜରିଆରେ ଏପରି ଛାନିଆ ଭାବ ପ୍ରକାଶ କରିଛନ୍ତି କାହିଁକି? ପୁଣି ଆଉ ପ୍ରାର୍ଥୀ ତାଲିକା ଘୋଷଣା ନକରି ଲୁଚାଣିଆ ଟିକଟ ବାଣ୍ଟିବା କଥା କାହିଁକି କହୁଛନ୍ତି? ଏଠାରେ ଉଲ୍ଲେଖଯାଗ୍ୟ ଯେ ନିର୍ବାଚନ ନିର୍ଘଣ୍ଟ ଘୋଷଣା ପରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଏହାର କେଇମାସ ପୂର୍ବରୁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ମୟୂରଭଂଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡ଼ୁ ଦଳରୁ ଇସ୍ତଫା ଦେଇସାରିଥିଲେ। ପ୍ରାର୍ଥୀ ଚୟନ ନେଇ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ଅସନ୍ତୁଷ୍ଟ ଥିବାବେଳେ ଢେଙ୍କାନାଳ ସାଂସଦ ତଥାଗତ ସତପଥୀ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେହିପରି ନୀଳଗିରି ବିଧାୟକ ସୁକାନ୍ତ ନାୟକ, ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ଆସ୍କା ବିଧାୟକ ଦେବରାଜ ମହାନ୍ତି, ମୋହନା ବିଧାୟକ ବାସନ୍ତୀ ମଲ୍ଲିକ, ପୂର୍ବତନ ବିଧାୟକ ନିରଂଜନ ପ୍ରଧାନ, କାଶୀନାଥ ମଲ୍ଲିକ, କେ. ନାରାୟଣ ରାଓ, ନୀଳମଣି ବିଷୋଇ, ବସନ୍ତ କୁମାର ବିଷୋଇ ପ୍ରମୁଖ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ସୁନ୍ଦରଗଡ଼ର ଆଶାୟୀ କୁସୁମ ଟେଟେ ଏବଂ ଜୁନାଗଡ଼ ଆଶାୟୀ ପ୍ରମୋଦ ପଟ୍ଟନାୟକଙ୍କ ସମେତ ଅନ୍ୟ ବହୁ ଅଂଚଳର ବିଜେଡି କର୍ମକର୍ତ୍ତା ତଥା ଆଶାୟୀ ଦଳ ଛାଡ଼ିଛନ୍ତି। ପ୍ରାର୍ଥୀ ଚୟନକୁ ନେଇ କଣ୍ଟାବାଞ୍ଜି, ରଘୁନାଥପାଲି, ବ୍ରହ୍ମପୁର, ଭବାନୀପାଟଣା ଓ ନର୍ଲା ଆଦି ସ୍ଥାନରେ ନେତୃତ୍ବ ବିରୋଧରେ ବିଦ୍ରୋହ ପରିସ୍ଥିତି ସୃଷ୍ଟି ହୋଇଛି। ବିଜୁ ଜନତା ଦଳରେ ଏଭଳି ପରିସ୍ଥିତି ପୂର୍ବରୁ କେବେ ଦେଖାଯାଇ ନଥିଲା। ଏହି ଦଳ ଇତିମଧ୍ୟରେ ୬ ଥର ଲୋକସଭା ନିର୍ବାଚନ ଓ ୪ ଥର ବିଧାନସଭା ନିର୍ବାଚନ ଲଢ଼ି ପ୍ରତି ଥର ଅଧିକରୁ ଅଧିକ ଆସନ ହାସଲ କରିଛି। ପ୍ରତି ନିର୍ବାଚନରେ ମଧ୍ୟ ବିଜୟ ସମ୍ଭାବନା ଦୃଷ୍ଟିରୁ ଦଳ ଅନେକ ସଂଖ୍ୟକ ପ୍ରାର୍ଥୀ ପରିବର୍ତ୍ତନ କରିଛି। କିନ୍ତୁ ପ୍ରତି ଥର ଦଳୀୟ ପରିଚାଳକମାନେ ଅସନ୍ତୋଷକୁ ଭିତରେ ଭିତରେ ମୁକାବିଲା କରିବାରେ ସଫଳ ହୋଇଛନ୍ତି। ଦଳର ପ୍ରଥମ ଦଶନ୍ଧି ମଧ୍ୟରେ ପ୍ରସନ୍ନ ପାଟ୍ଟଶାଣୀ ଓ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖଙ୍କ ବିଦ୍ରୋହ ଫସରଫାଟିଲା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଦଳର ସାଂସଦ ଓ ବିଧାୟକମାନେ ବିଷୋଦଗାର କରିଛନ୍ତି। ଦଳ ସେମାନଙ୍କୁ ବହିଷ୍କାର କରିବା ପୂର୍ବରୁ ସେମାନେ ନବୀନଙ୍କ ନେତୃତ୍ବକୁ ଫୁଟ୍‌କିରେ ଉଡ଼େଇ ଇସ୍ତଫା ଦେଇଛନ୍ତି। ଆଉ ତ ଆଉ କଳାହାଣ୍ଡି ରାଜକୁମାର ତଥା ସାଂସଦ ଅର୍କ କେଶରୀ ଦେଓ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ବିଶ୍ବାସଘାତକ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ନବୀନ ନିବାସକୁ ଡକାଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଲଢ଼େଇ କରିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ତାଙ୍କୁ ପ୍ରାର୍ଥୀ ନକରି ଦୁଷ୍ମନ୍ତ ନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ଏହା ବିଶ୍ବାସଘାତ। ମୁଖ୍ୟମନ୍ତ୍ରୀଙ୍କର ଯଦି ଏପରି ଇଚ୍ଛା ଥିଲା ସେ ସିଧାସଳଖ ତାହା କହିପାରିଥାନ୍ତେ। ଏଭଳି ଅଭିଯୋଗ ସମସ୍ତଙ୍କର। ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ତ ଅଧିକ ସାଂଘାତିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ତଫସିଲଭୁକ୍ତ ଜାତି ଓ ଉପଜାତିର କଲ୍ୟାଣ ପାଇଁ ଆସିଥିବା ୮ କୋଟିରୁ ଅଧିକ ଟଙ୍କା ହଡ଼ପ କରିଥିବା ଜଣେ ସରକାରୀ ଅଧିକାରୀଙ୍କୁ ନବୀନ ପଟ୍ଟନାୟକ ଦଳର ପ୍ରାର୍ଥୀ କରିଛନ୍ତି। ଏହି ଅଫିସର ନିକଟରେ ସେବା ନିବୃତ୍ତ ହୋଇଥିଲେ। ସୁନ୍ଦରଗଡ଼ର କୁସୁମ ଟେଟେଙ୍କ ଅଭିଯୋଗ ଅନୁସାରେ ଦଳରେ ତାଙ୍କୁ ଚାକର ଭାବ ଖଟାଗଲା। ଏବେ ଟିକେଟ ନଦେଇ ଚାକର ଭଳି ବ୍ୟବହାର କରାଗଲା। ଏଭଳି ଅଭିଯୋଗ ଓ ସମାଲୋଚନା ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାନିଆ ହୋଇଯାଇଥିବା ଲକ୍ଷ୍ୟ କରାଯାଉଛି। ସେଥିପାଇଁ ସେ ତାଙ୍କ ଦଳର କୌଶଳ ପରିବର୍ତ୍ତନ କରିଛନ୍ତି। ଆଉ ପ୍ରାର୍ଥୀ ଘୋଷଣା ନକରି ଲୁଚାଣିଆ ଟିକଟ ଦେବେ ବୋଲି ସୌମ୍ୟଙ୍କ ଜରିଆରେ ସଂକେତ ଦେଇଛନ୍ତି।

Share :