ଶ୍ରୀ ବହ୍ନିମାନ ଗାଁ, ସାହି, ପଡ଼ା ଏବଂ ସହରର ବସ୍ତିରେ ରହୁଥିବା ସମସ୍ତ ଗରିବ ଏବେ ଖୁସି ହୁଅ। ସରକାର ଘୋଷଣା କରିଛନ୍ତି ଯିଏ ତୁମଙ୍କୁ ଖାଦ୍ୟ ଦେବା ପାଇଁ ମନା କରିବେ ସେ ଦଣ୍ଡ ପାଇବାକୁ ହକଦାର ହେବେ। ବାସ୍ ଏବେଠାରୁ ଆଉ ଭୋକରେ ମରିବ ନାହିଁ। ଯେତେବେଳେ ଭୋକ ଲାଗିବ ନିଜ ଇଚ୍ଛାରେ ଯାହାଙ୍କୁ ଖାଦ୍ୟ ମାଗିବ ସେ ଖାଦ୍ୟ ଦେବାକୁ ବାଧ୍ୟ। ସେ ୱାର୍ଡମେମ୍ୱର, ସମିତିସଭ୍ୟ, ସରପଞ୍ଚଠାରୁ ଏମ୍.ଏଲ୍.ଏ., ଏମ୍ପି ସମସ୍ତେ ଭୋକିଲାଙ୍କୁ ଖାଦ୍ୟ ଦେବାକୁ ବାଧ୍ୟ। ଖାଲି ନେତା ନୁହଁନ୍ତି, ଯେକୌଣସି ଭୋକମୁକ୍ତ ନାଗରିକ ମଧ୍ୟ ଖାଦ୍ୟ ଦେବାକୁ ବାଧ୍ୟ ଅଟନ୍ତି। ଯଦି କିଏ ଖାଦ୍ୟ ନଦେଉଛନ୍ତି- ତେବେ ତାଙ୍କୁ ସରକାରଙ୍କ ବିଜ୍ଞାପନକୁ ଦେଖାଅ। ଯେଉଁ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ରହିଛି ଏବଂ ଯେଉଁ ବିଜ୍ଞାପନରେ ଲେଖାଯାଇଛି କେହିବି ଜଣେ ଭୋକରେ ମରିବେ ନାହିଁ। ଯଦି କେହି ମରିବେ ସେଥିପାଇଁ ରାଷ୍ଟ୍ର-ରାଜ୍ୟ, ବ୍ଲକ୍, ପଞ୍ଚାୟତ, ଗାଁ-ୱାର୍ଡ-ପଡ଼ା ଦାୟୀ ରହିବେ। ଅର୍ଥାତ ରାଷ୍ଟ୍ର-ରାଜ୍ୟ, ପଞ୍ଚାୟତ-ଗାଁ-ପଡ଼ା କହିଲେ ତ ଭୋକ। ସେ ହିଁ ଦାୟୀ ରହିବେ ହିଁ ରହିବେ। ହଁ ପ୍ରଥମେ ଦାୟୀ ରହିବେ ଖାଦ୍ୟ-ଯୋଗାଣ ମନ୍ତ୍ରୀ, ପରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଗାଁ ୱାର୍ଡ ମେମ୍ୱରଯାଏ। ସରକାରୀ ବିଜ୍ଞାପନରେ ତ ମାଗଣାରେ ଖାଦ୍ୟ ମିଳବ ବୋଲି କୁହାଯାଇଛି। ତେଣୁ ମାଗଣାରେ ଖାଇବ ତ ମାଗିବ। କେହି ମନା କରିବେ ନାହିଁ। କେହି ଟଙ୍କା ମାଗିବେ ନାହିଁ। ସତକଥା ହେଲା ଦେଶ ଏବଂ ରାଜ୍ୟରେ ଭୋକିଲା ସଂଖ୍ୟା କମୁନାହିଁ। ଜନତା ଗରିବ ହୋଇ ରହିବାକୁ ଚାହୁଁଛନ୍ତି। ସରକାର ଗରିବ-ଭୋକିଲାଙ୍କ ପାଇଁ ଖାଦ୍ୟ ନିରାପତ୍ତା ଆଇନ ତିଆରି କରିଛନ୍ତି। ଏହି ଆଇନ ଅନୁସାରେ କେହି ଭୋକରେ ମରିବା ଅର୍ଥ ରାଷ୍ଟ୍ର ରାଜ୍ୟ ଦାୟୀ। ସରକାର ମାଗଣାରେ ପଇସାଟିଏ ନନେଇ ଭୋକିଲା ପରିବାରର ଆକାର ଦେଖି କେଉଁ ପରିବାରକୁ ୧୦୦ ଟଙ୍କାରେ ତ ଆଉ କେଉଁ ପରିବାରକୁ ୫୦୦/୧୦୦୦ ଟଙ୍କାର ଚାଉଳ-ଗହମ ଯୋଗାଉଛନ୍ତି। ସରକାରଙ୍କ ଲକ୍ଷ୍ୟ ମହତ। ସୂଚନା ଅଧିକାର ଆଇନ ଅନୁଯାୟୀ ଯଦି ଜଣାପଡ଼ୁଛି, କେହି ଭୋକରେ ଅଛନ୍ତି ତାଙ୍କୁ ଖାଦ୍ୟ ମିଳୁନି, ଯଦି କିଏ ଗରିବଙ୍କ ଖାଦ୍ୟକୁ ଛଡାଇ ନେଉଛନ୍ତି, ଯଦି କେହି ସରକାରୀ ବାବୁ, ନେତା ଗରିବଙ୍କ ପାଇଁ ଆସିଥିବା ଟଙ୍କାକୁ ଚଳୁ କରିଦେଉଛନ୍ତି, ବାବୁ ଏବଂ ନେତାଙ୍କର ବର୍ଷକୁ ବର୍ଷ ୧୦୦ରୁ ଏକ ହଜାର ପ୍ରତିଶତ ସଂପତ୍ତି ବଢୁଛି, ତେବେ ଏହି ଆଇନ ଅନୁଯାୟୀ ତଥ୍ୟ ମାଗ। ସରକାର ତ ସୂଚନା ଅଧିକାର ଆଇନକୁ ପ୍ରୟୋଗ କରି ଦୁର୍ନିତୀର ଅବସାନ ପାଇଁ ବିଜ୍ଞାପନ ମାଧ୍ୟମରେ ଡେଙ୍ଗୁରା ଦେଉଛନ୍ତି। ଆଇନ ଅନୁଯାୟୀ ତଥ୍ୟ ନ ଦେଲେ ସଂପୃକ୍ତ ଅଧିକାରୀ ଦଣ୍ଡ ପାଇବେ ହିଁ ପାଇବେ। ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେବା ପରେ ପରେ ସରକାର ଅନୁପଯୋଗୀ-ଅନାବଶ୍ୟକ ଖର୍ଚ୍ଚ କମାଇ ଦେଇଛନ୍ତି। ଜଗିରଖି-ଦେଖି-ଚାହିଁ କାର୍ଯ୍ୟ କରୁଛନ୍ତି। ବଜେଟ୍ ହ୍ରାସ ହେଉଛି। କିନ୍ତୁ ସରକାରଙ୍କ ବିଜ୍ଞାପନ ଜନତାଙ୍କ ପାଇଁ ଉପଯୋଗୀ ହେଉଛି। ଏଥିରୁ ଜଣାପଡୁଛି ଆମ ସରକାର କେତେ ବଢ଼ିଆ କାମ କରୁଛନ୍ତି। ଏସବୁ ଯୋଜନା, ଆଇନ ବିଜ୍ଞାପନର ଇତିହାସ ହୋଇଯାଇଛି। ସରକାରଙ୍କ ବିଜ୍ଞାପନ ପ୍ରକାଶ ପାଇବା ପରେ ଯେଉଁ ଯେଉଁ ସମସ୍ୟା ଏବଂ ଏହାର ନିରାକରଣ ପାଇଁ ବିଜ୍ଞାପନ ପ୍ରକାଶ ପାଉଛି-ଏ ସବୁ ଇତିହାସରେ ସ୍ଥାନ ପାଉଛି। ଜନତାଙ୍କ ପାଇଁ ପ୍ରମାଣ ପାଲଟିଯାଉଛି। ଏପରି ବିଜ୍ଞାପନ ପ୍ରକାଶ ବା ପ୍ରସାରଣ ହେଉଛି- ସବୁ ବିଜ୍ଞାପନ ସତ ପାଲଟିଯାଉଛି। ବିଜ୍ଞାପନରେ ମିଛର ସ୍ଥାନ ନଥାଏ। ନେତାଙ୍କର କଥା ଅଧିକ କାମ କମ। କିନ୍ତୁ ଖାଦ୍ୟ, ବିଶୁଦ୍ଧ ପିଇବା ପାଣି ସମସ୍ତଙ୍କ ପାଇଁ ଉପଲବ୍ଧ ହେଉ କି ନହେଉ, ବିଜ୍ଞାପନକୁ ସତ ବୋଲି ଗ୍ରହଣ କରିବାକୁ ହେବ। ସରକାର ତ ଟୋଲ୍ ଫ୍ରି ନମ୍ୱର ଦେଉଛନ୍ତି। ବିଜ୍ଞାପନ ଅନୁଯାୟୀ ଯଦି କେହି ଖାଦ୍ୟ ଭୋକରେ ଥିବା ଲୋକଙ୍କୁ ନଦେବେ ସେ ଦଣ୍ଡ ପାଇବେ ଏହା ଧାର୍ଯ୍ୟ। କିନ୍ତୁ ଭୋକରେ ଥିବା ଲୋକ ଜଣଙ୍କ ପାଖରେ ଯଦି ଚାଉଳ-ଗହମ କିଣିବାକୁ ଟଙ୍କା ନଥାଏ, କ’ଣ କଣ୍ଟ୍ରୋଲ ଦୋକାନ ମାଗଣାରେ ଦେବ କି? ରାସନକାର୍ଡ ତ ଅନେକ ସ୍ଥାନରେ ଆଧାରହୀନ- ଆଉ କାହା ପାଇଁ ଆଧାରଶୀଳା ପାଲଟିଛି। ଅନେକ ଆଧାର ସହ ଯୋଡି ହୋଇ ପାରିନାହାନ୍ତି। ଭୋକିଲା ଲୋକ ତ ସରକାରୀ ଗୋଦାମରୁ କି କଣ୍ଟ୍ରୋଲ ଦୋକାନରୁ ଖାଦ୍ୟ ଲୁଟି ଆଣି ଭୋକ ମେଣ୍ଟାଇ ପାରିବେ ନାହିଁ। ହୋଟେଲ କି ଢ଼ାବା ମାଲିକ ସରକାରୀ ବିଜ୍ଞାପନ ଆଧାରରେ ଭୋକରେ ଥିବା ଲୋକଙ୍କୁ ଖାଦ୍ୟ ଦେଇ ବିଲ୍ କରି ସରକାରଙ୍କ ଠାରୁ ଟଙ୍କା ପାଇପାରିବେ ନାହିଁ। ଏହା ହୋଇପାରିଲେ ନେତା-ଅଫିସରଙ୍କ ଫାଇଦା ହୋଇପାରନ୍ତା। ବିଲ୍ରେ ନିଜ ତହବିଲ୍ ଭରି ଥାଆନ୍ତା। ଯେପରି ବନ୍ୟା, ବାତ୍ୟାର ବିଲ୍। ବେକାରଙ୍କ ପାଖରେ ନିଯୁକ୍ତି ବା କାମ ନାହିଁ। ଟଙ୍କା କେଉଁଠୁ ଆଣିବେ? ସରକାରୀ କଣ୍ଟ୍ରୋଲ ଦୋକାନରୁ ସ୍ଖଉଳ କିଣିବା ପାଇଁ କିଏ ଦେବେ ତାଙ୍କୁ ଖାଦ୍ୟ ସାମଗ୍ରୀ? ନଦେଲେ କିଏ ଦଣ୍ଡ ଦେବେ? ଯାହାଙ୍କର କର୍ତ୍ତବ୍ୟ ରହିଛି ଉତ୍ତରଦାୟୀ ହେବା କଥା। ଏହି ନେତାଙ୍କର ଫଟୋ-ନିଦ୍ଦେର୍ଶ ଦେଉଥିବା ରୂପରେ ଖବରକାଗଜର ହେଡ୍ ଲାଇନରେ ଛପା ହୋଇଛି। ବିଜ୍ଞାପନ କେତେବେଳେ ସୂଚନା ଦେବା କାମ ତୁଲାଉଥିଲା। ଏବେ ଲୋକଙ୍କୁ ଲୋଭୀ ଏବଂ ମୁର୍ଖ ତିଆରି କାମ କରୁଛି। ସରକାରୀ ବିଜ୍ଞାପନ ତ ଟିଭି ଚେନେଲ ଏବଂ ଖବରକାଗଜର ଜୀବନ ଧାରା ନମିଳିଲେ ମରିଯିବେ। ସରକାରଙ୍କ ଅନୁମତି ନେଇ କଂପାନୀ ହରେକମାଲ୍ ବିକ୍ରୟର ବିଜ୍ଞାପନ ଦେଉଛନ୍ତି।