ଓଡ଼ିଶାରେ କାହା ପାଇଁ ବଞ୍ଚିତ ପଛୁଆ ବର୍ଗ?

ଓଡ଼ିଶାରେ କାହା ପାଇଁ ବଞ୍ଚିତ ପଛୁଆ ବର୍ଗ?

ଦେବେନ୍ଦ୍ର ପୃଷ୍ଟି ମାସେ ନୁହେଁ, ବର୍ଷେ ନୁହେଁ, ବିତିଗଲାଣି ତିନି ଦଶନ୍ଧି। ତଥାପି ଓଡ଼ିଶାର ପଛୁଆ ବର୍ଗର ଲୋକମାନଙ୍କୁ ଏଯାଏଁ ମିଳିନି ନ୍ୟାୟ। ସମ୍ବିଧାନ ଅନୁସାରେ ଓଡ଼ିଶାରେ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ଏଯାଏଁ ପଛୁଆ ବର୍ଗର ପିଲାଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷିତ ହୋଇନାହିଁ। ଏହି ସମୟ ମଧ୍ୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ପରି ରାଜନେତା। ୧୯୯୦ ଅଗଷ୍ଟ ୭ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂହ ସମଗ୍ର ଦେଶର ପଛୁଆ ବର୍ଗ ପାଇଁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ସୁପାରିଶ ଲାଗୁ କଲେ। ଏହି ସୁପାରିଶ କରିଥିଲେ ବିପି ମଣ୍ଡଳ କମିଶନ। କମିଶନ ବସିଥିଲା ଇନ୍ଦିରା ଗାନ୍ଧୀଙ୍କ ସମୟରେ। ସୁପାରିଶ ବି ତାଙ୍କରି ସମୟରେ ହୋଇଥିଲା। କିନ୍ତୁ ଦୁଇ ଦଶନ୍ଧି ଧରି ତାହାକୁ କୌଣସି ସରକାର କାର୍ଯ୍ୟକାରୀ କରି ନଥିଲେ। ଭାରତ ସରକାରଙ୍କର ଏହି ନିଷ୍ପତ୍ତି ଦେଶର ଅନେକ ରାଜ୍ୟରେ ଲାଗୁ ହୋଇସାରିଛି। ମାତ୍ର ପଛୁଆ ବର୍ଗ ଅଧ୍ୟୁସିତ ଓଡ଼ିଶାରେ ଓଡ଼ିଶା ସରକାର ଆଜି ପର୍ଯ୍ୟନ୍ତ ଏହି ସୁପାରିଶକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରି ନାହାନ୍ତି। ୧୯୯୦-୯୫ ମଧ୍ୟରେ ମୁଖ୍ୟମନ୍ତ୍ରୀ ଥିବା ବିଜୁ ପଟ୍ଟନାୟକ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ପରେ ଜାନକୀ ବଲ୍ଲଭ ପଟ୍ଟନାୟକ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ। ସେ ମଧ୍ୟ ଏହାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କଲେ ନାହିଁ। ୨୦୦୦ ମସିହାରୁ ଏଯାଏଁ ମୁଖ୍ୟମନ୍ତ୍ରୀ ଅଛନ୍ତି ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକ। ତାଙ୍କ ସରକାର ବି ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରି ନାହାନ୍ତି। ରାଜ୍ୟରେ ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ବଦଳରେ ମାତ୍ର ୧୧ ପ୍ରତିଶତ ସ୍ଥାନ ସଂରକ୍ଷଣ ସୁବିଧା ଲାଗୁ ହୋଇଛି। ବାକି ୧୬ ପ୍ରତିଶତ ହଡ଼ପ କରିଛନ୍ତି ଉଚ୍ଚ ବର୍ଗର ନେତା ଓ ସେମାନଙ୍କର ସମର୍ଥକ ଗୋଷ୍ଠୀ। ଓଡ଼ିଶା ଜନସଂଖ୍ୟାର ପ୍ରାୟ ୫୪ ପ୍ରତିଶତ ହେଲେ ପଛୁଆ ବର୍ଗର ଲୋକ। ରାଜ୍ୟ ଜନସଂଖ୍ୟାର ୧୭ ପ୍ରତିଶତ ହେଲେ ତଫସିଲଭୁକ୍ତ ଜାତି ବା ଦଳିତ ସଂପ୍ରଦାୟର ଲୋକ, ୨୨ ପ୍ରତିଶତ ହେଲେ ତଫସିଲଭୁକ୍ତ ଉପଜାତି ବା ଆଦିବାସୀ ସଂପ୍ରଦାୟର। ଏ ୯୪ ପ୍ରତିଶତ ବାଦ ବାକି ୭ ପ୍ରତିଶତ ମଧ୍ୟରେ ସାଧାରଣ ବର୍ଗ, ଖୀରସ୍ତାନ ଓ ମୁସଲମାନ ଜନସଂଖ୍ୟା ଅନ୍ତର୍ଭୁକ୍ତ। ଭାରତୀୟ ସମ୍ବିଧାନରେ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି ପାଇଁ ଜନସଂଖ୍ୟାର ସମାନୁପାତିକ ସଂରକ୍ଷଣ ବ୍ୟବସ୍ଥା ରହିଛି। କିନ୍ତୁ ପଛୁଆ ବର୍ଗ ପାଇଁ ପ୍ରଥମରୁ ସଂରକ୍ଷଣ ନଥିଲା। ଶିଳ୍ପାୟନ ଓ ସହରାୟନର ପ୍ରଭାବ ଏବଂ ସାମ୍ବିଧାନିକ ଅଧିକାର ଯୋଗୁଁ ସ୍ବାଧୀନତା ପରେ ଏହି ବର୍ଗର ଲୋକମାନଙ୍କର ହଜାର ହଜାର ବର୍ଷର କୌଳିକ ବୃତ୍ତି ଚାଲିଗଲା। ସେମାନଙ୍କୁ ବୃତ୍ତିକୁ ହଡ଼ପ କଲେ ଧନୀ ଓ ଶିକ୍ଷିତ ବର୍ଗର ଲୋକମାନେ। ଏହି ପ୍ରକ୍ରିୟାରେ ତେଲି, ତନ୍ତୀ, ଗୁଡ଼ିଆ, କାଚରା, ପାଟରା, ବଣିଆ, ଗୋପାଳ, ମାଳି, ବାରିକ, କୁମ୍ଭାର, କମ୍ମାର, ଚମ୍ମାର ଆଦି ବହୁ ଜାତିର ଲୋକ ବୃତ୍ତି ଓ ବେଉସା ହରେଇଲେ। ସେମାନଙ୍କର ବିକଳ୍ପ ବୃତ୍ତି କିଛି ନଥିଲା। ବଂଚିବାର ବିକଳ୍ପ ସାଧନ ବି ନଥିଲା ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ସହସ୍ର ସହସ୍ର ବର୍ଷ ଧରି ପଛୁଆ ରହିଥିବା ଏହି ସବୁ ଜାତିର ଲୋକମାନଙ୍କର। ସ୍ବାଧୀନତା ପରେ ସରକାର ମୁଖ୍ୟତଃ ଏହି ତିନି ବର୍ଗର ଲୋକମାନଙ୍କର ଆର୍ଥିକ ସଶକ୍ତିକରଣ ନିମନ୍ତେ ଅନେକ ପ୍ରକାର ଦାରିଦ୍ର୍ୟ ଦୂରୀକରଣ ଯୋଜନା କରିଛନ୍ତି। କିନ୍ତୁ ସେ ସବୁ ଯୋଜନାର ସୁଫଳ ମଧ୍ୟ ହଡ଼ପ ହୋଇଯାଇଛି ଉଚ୍ଚବର୍ଗ ଅଧ୍ୟୁସି ଶାସନ ଓ ପ୍ରଶାସନ କଳ ଦ୍ବାରା। ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏହା ହୃଦବୋଧ କଲାବେଳକୁ ସ୍ବାଧୀନତାର ଚାରି ଦଶନ୍ଧି ବିତିଗଲାଣି। ସେ ଲୋକଙ୍କ ହାତକୁ କ୍ଷମତା ଦେବା ପାଇଁ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ମାନ୍ୟତା ଦେବାକୁ ପ୍ରୟାସ ପ୍ରକଟ କରିଥିଲେ। ତାଙ୍କ ପରେ ନରସିଂହ ରାଓ ସରକାରଙ୍କ ସମୟରେ ୭୩ତମ ସମ୍ବିଧାନ ସଂଶୋଧନ ଆଇନ ପ୍ରଣୀତ ହେଲା ଓ ପଂଚାୟତିରାଜ ବ୍ୟବସ୍ଥା ବାଧ୍ୟତାମୂଳକ ହେଲା। ସେହି ପ୍ରକ୍ରିୟାରେ ସଂରକ୍ଷଣ ସୁବିଧା ନେଇ ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଉପଜାତି ଓ ପଛୁଆ ବର୍ଗର କିଛି କିଛି ଲୋକଙ୍କର ରାଜନୀତିକ ସଶକ୍ତିକରଣ ପାଇଁ ବାଟ ଫିଟିଲା। ତଥାପି ଶାସନ କଳରେ ଭାଗୀଦାର ହେବା ପାଇଁ ତାହା ଯଥେଷ୍ଟ ନଥିଲା। ଏହା ଅନୁଭବ କରି ଭାରତ ସରକାର ପଛୁଅ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ। ଏହା ବିରୋଧରେ ଉଚ୍ଚ ବର୍ଗର ଲୋକମାନେ ସୁପ୍ରିମ କୋର୍ଟରେ ମକଦ୍ଦମା କରିଥିଲେ। ସୁପ୍ରିମ କୋର୍ଟ ମଣ୍ଡଳ କମିଶନଙ୍କୁ ସୁପାରିଶ ବା ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ଅସାମ୍ବିଧାନିକ ଘୋଷଣା କରି ନଥିଲେ। ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି ପାଇଁ ପୂର୍ବରୁ ରହିଥିବା ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ଅସାମ୍ବିଧାନିକ ଘୋଷିତ ହୋଇନାହିଁ। ତେଣୁ ଏ ତିନି ବର୍ଗର ଲୋକଙ୍କ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ବୈଧତା ପ୍ରଦାନ କରିଥିଲେ ସୁପ୍ରିମ କୋର୍ଟ। ମାତ୍ର, ଓଡ଼ିଶା ସରକାର କୋର୍ଟ ରାୟର ଭୁଲ ତର୍ଜମା କରି ପଛୁଆ ବର୍ଗ ପାଇଁ ଏଯାଏଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରି ନାହାନ୍ତି। ଏଥିପାଇଁ ସରକାର ସବୁବେଳେ ସୁପ୍ରିମ କୋର୍ଟଙ୍କର ଏକ ରାୟକୁ ଯୁକ୍ତି ଭାବେ ଦର୍ଶଇ ଆସିଛନ୍ତି। କିନ୍ତୁ ଏହି ରାୟରେ ଉଲ୍ଲେଖ ଥିବା ଏକ ସର୍ତ୍ତ ଏବଂ ୨୦୧୦ ମସିହାର ସୁପ୍ରିମ କୋର୍ଟ ଦେଇଥିବା ଅନ୍ୟ ଏକ ରାୟକୁ ଓଡ଼ିଶା ସରକାର ଯୁକ୍ତିର ଆଧାର କରିନାହାନ୍ତି। ଓଡ଼ିଶାର ସରକାରଙ୍କର ନିଯୁକ୍ତ ମହାଧିବକ୍ତା ବା ଅଡ଼ଭୋକେଟ ଜେନେରାଲ ପଛୁଆ ବର୍ଗ ପରିବର୍ତ୍ତେ ଉଚ୍ଚ ବର୍ଗର ସ୍ବାର୍ଥ ପାଇଁ କାର୍ଯ୍ୟ କରିଛନ୍ତି। ୧୯୯୩ ମସିହାରେ ଇନ୍ଦ୍ର ସାହାଣି ବନାମ ଭାରତ ସରକାର ମାମଲାରେ ସୁପ୍ରିମ କୋର୍ଟ ଏକ ଐତିହାସିକ ରାୟ ଦେଇ କହିଥିଲେ ଯେ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ଏହ ରାୟର ୯୪-କ ପାରାରେ ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ସମ୍ବିଧାନର ୧୬(୪) ଧାରା ଅନୁସାରେ ପର୍ଯ୍ୟାପ୍ତ ପ୍ରତିନିଧିତ୍ବ ଆନୁପାତିକ ପ୍ରତିନିଧିତ୍ବ ନୁହେଁ। ସମ୍ବିଧାନର ୩୩୦ ଓ ୩୩୨ ଧାରାରେ ଆନୁପାତିକ ସଂରକ୍ଷଣ କଥା କୁହାଯାଇଛି। ଏହା ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି ପାଇଁ ପ୍ରଯୁଜ୍ୟ। ତେବେ ସମ୍ବିଧାନର ୧୬(୪) ଧାରା ଅନୁସାରେ ସରକାର ଅନ୍ୟ ବର୍ଗ ପାଇଁ ଏଭଳି ସଂରକ୍ଷଣ ସୁବିଧା ଦେଇପାରିବେ ମାତ୍ର କେତେକ ସ୍ବତନ୍ତ୍ର ପରିସ୍ଥିତି ଭିନ୍ନ ଅନ୍ୟ ସମସ୍ତ କ୍ଷେତ୍ରରେ ଏହି ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। ଓଡ଼ିଶାରେ ସ୍ବତନ୍ତ୍ର ପରିସ୍ଥିତି ରହିଛି। ଭାରତର ଅନ୍ୟ କୌଣସି ରାଜ୍ୟରେ ଜନସଂଖ୍ୟାର ୧୭ ପ୍ରତିଶତ ତଫସିଲଭୁକ୍ତ ଜାତି ବା ଦଳିତ ସଂପ୍ରଦାୟ ଅଧିକାର କରିନାହିଁ। ସେହିପରି ଓଡ଼ିଶାର ଆଦିବାସୀଙ୍କ ଅନୁପାତ ମଧ୍ୟ ୨୨ ପ୍ରତିଶତ। ଏ ଦୁଇ ବର୍ଗ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥା ବେଆଇନ ନୁହେଁ। ଏମାନଙ୍କ ପାଇଁ ଓଡ଼ିଶାରେ ୩୯ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ସାମ୍ବିଧାନିକ। ତେଣୁ ଏହା ମଧ୍ୟ ବେଆଇନ ନୁହେଁ। ଓଡ଼ିଶାରେ ଏହା ଲାଗୁ ହେଲେ ମୋଟ ସଂରକ୍ଷଣ ହାର ୬୬ ପ୍ରତିଶତ ହେବ। ଏହା ୫୦ ପ୍ରତିଶତ ଟପିଯାଉଥିବା ଯୁକ୍ତି କରି ରାଜ୍ୟ ସରକାର ପଛୁଆ ବର୍ଗ ପାଇଁ ସଂରକ୍ଷଣ ସୁବିଧାକୁ ୧୧ ପ୍ରତିଶତରେ ସୀମୀତ ରଖିଛନ୍ତି। ସରକାର ଯଦି ଓଡ଼ିଶା ଜନତତ୍ତ୍ବ ବା ଡେମୋଗ୍ରାଫିର ବାସ୍ତବ ଚିତ୍ର ହାଇକୋର୍ଟ କିମ୍ବା ସୁପ୍ରିମ କୋର୍ଟଙ୍କ ଆଗରେ ଉପସ୍ଥାପନ କରିଥାନ୍ତେ ତେବେ ପଛୁଆ ବର୍ଗର ପିଲାମାନେ ନିଶ୍ଚିତ ଭାବେ ଏହି ସୁବିଧା ପାଇଥାନ୍ତେ। ୧୯୯୩ ମସିହାର ଇନ୍ଦ୍ର ସାହାଣୀ ବନାମ ଭାରତ ସରକାର ମାମଲାର ୧୭ ବର୍ଷ ପରେ ସୁପ୍ରିମ କୋର୍ଟ ଅନ୍ୟ ଦୁଇଟି ମାମଲାରେ ଯେଉଁ ରାୟ ପ୍ରଦାନ କରିଥିଲେ ତାହା ପୂର୍ବ ରାୟର କଠୋରତାକୁ କୋହଳ କରିଥଦେଇଥିଲା। ସେହି ସମୟରେ ତାମିଲନାଡ଼ୁ ସରକାରଙ୍କର ସଂରକ୍ଷଣ ହାର ୬୯ ପ୍ରତିଶତ ଓ କର୍ଣ୍ଣାଟକ ସରକାରଙ୍କ ସଂରକ୍ଷଣ ହାର ୭୩ ପ୍ରତିଶତ ଥିଲା। ତା’ ବିରୋଧରେ ସୁପ୍ରିମ କୋର୍ଟରେ ମାମଲା ଦାଏର ହୋଇଥିଲା। ଏହି ଦୁଇ ମାମଲାର ବିଚାର କରି ପ୍ରଧାନ ବିଚାରପତି ଏସଏଚ କାପାଡ଼ିଆ, ବିଚାରପତି କେଏସ ରାଧାକୃଷ୍ଣନ ଓ ସ୍ବତନ୍ତ୍ର କୁମାର କହିଥିଲେ ଯେ ରାଜ୍ୟଗୁଡ଼ିକ ଯଦି ଉପଯୁକ୍ତ ତଥ୍ୟ ଓ ଯୁକ୍ତି ଉପସ୍ଥାପନ କରିପାରିବେ ତେବେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଟପି ପାରିବ। ତାମିଲନାଡ଼ୁ ସଂରକ୍ଷଣ ବ୍ୟବସ୍ଥା ସମ୍ବିଧାନର ନବମ ପରିଚ୍ଛଦ ଅନ୍ତର୍ଗତ ହୋଇଥିବାରୁ ତାହା ନ୍ୟାୟିକ ସମୀକ୍ଷା କ୍ଷମତା ପରିସର ବାହାରକୁ ଚାଲିଯାଇଛି। ଓଡ଼ିଶା ସରକାର ମଧ୍ୟ ନିଜର ପଛୁଆ ବର୍ଗ ସଂରକ୍ଷଣ ଆଇନକୁ ସମ୍ବିଧାନର ନବମ ପରିଚ୍ଛଦରେ ସ୍ଥାନିତ କରି ରାଜ୍ୟ ଜନସଂଖ୍ୟାର ୬୪ ପ୍ରତିଶତଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିପାରିଥାନ୍ତେ। ତା’ଛଡ଼ା ଓଡ଼ିଶା ସରକାର କୋର୍ଟରେ ଓଡ଼ିଶାର ସ୍ବତନ୍ତ୍ର ଡେମୋଗ୍ରାଫି କଥା ମଧ୍ୟ ଉପସ୍ଥାପନ କରିପାରିଥାନ୍ତେ। କିନ୍ତୁ ଓଡ଼ିଶାର ଉଚ୍ଚ ବର୍ଗ ନେତାମାନେ ତାହା କରାଇଦେଇ ନାହାନ୍ତି। ସେଥିପାଇଁ କଂଗ୍ରେସର ଶ୍ରୀକାନ୍ତ ଜେନା ଓ ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ବାଇଁ ପୟାୟ ସବୁବେଳେ ଯୁକ୍ତି କରିଛନ୍ତି। ଶ୍ରୀକାନ୍ତ ଜେନା ଏବେ କଂଗ୍ରେସରୁ ବହିଷ୍କୃତ। ରଣେନ୍ଦ୍ର ପ୍ରତାପଙ୍କ ପ୍ରାର୍ଥିପତ୍ରକୁ ବେଆଇନ ଭାବେ ଯାଞ୍ଚବେଳେ ରଦ୍ଦ କରାଯାଇଥିଲା। ସଂପ୍ରତି ପଛୁଆ ବର୍ଗର ଏହି ହକ୍‌ ପାଇଁ ସ୍ବର ଉତ୍ତୋଳନ କରିଛନ୍ତି ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ତାଙ୍କର ଅନେକ ସାଧାରଣ ସଭାରେ ଏ ବର୍ଷ ଉତ୍ଥାପନ କରି କହିଛନ୍ତି ଯେ ନବୀନ ପଟ୍ଟନାୟକ ସରକାର ପ୍ରାୟ ଦୁଇ ଦଶନ୍ଧି ଧରି କ୍ଷମତାରେ ଥିଲେ ବି ରାଜ୍ୟ ଜନସଂଖ୍ୟାର ୫୪ ପ୍ରତିଶତ ଲୋକଙ୍କୁ ସମ୍ବିଧାନ ଅନୁସାରେ ନ୍ୟାୟ ପ୍ରଦାନ କରିନାହାନ୍ତି। ତାଙ୍କ ସରକାରଙ୍କ ଅପାରଗତା ଓ ମନ୍ଦ ଉନ୍ଦେଶ୍ୟ ପ୍ରଣୋଦିତ ଅବହେଳା ଯୋଗୁଁ ପଛୁଆ ବର୍ଗର ଯୁବକଯୁବତୀମାନେ ପ୍ରତି ବର୍ଷ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଉପଯୁକ୍ତ ଅଧିକାରରୁ ବଞ୍ଚିତ ରହିଛନ୍ତି। ତାଙ୍କ ଯୁକ୍ତି ଅନୁସାରେ ଓଡ଼ିଶାର କୁଲତା, କୁଡ଼ୁମି, ଅଘରିଆ, ଚଷା, ଗୋପାଳ, ବାରିକ ଆଦି ପଛୁଆ ବର୍ଗର ଲୋକମାନେ ହିଁ ମୁଖ୍ୟତଃ ରାଜ୍ୟର ଚାଷକାର୍ଯ୍ୟ ସହିତ ସଂପୃକ୍ତ ଅଛନ୍ତି। ସେମାନଙ୍କର ସାମ୍ବିଧାନିକ ଅଧିକାରର ଛେନାପୋଡ଼ ହଡ଼ପ କରିଥିବା ନବୀନ ସରକାର ଏବେ କାଳିଆ ଛାତ୍ରବୃତ୍ତି ନାମରେ ଏକ ଲେମ୍ବନଚୁସ୍‌ ଧରେଇ ଦେଇଛନ୍ତି। ପଛୁଆ ବର୍ଗର ପ୍ରତିନିଧିତ୍ବ କରୁଥିବା ଧର୍ମେନ୍ଦ୍ର ପ୍ରଧାନ ନିଜ ପେଟ୍ରୋଲିୟମ ମନ୍ତ୍ରଣାଳୟରେ ପଛୁଆ ବର୍ଗଙ୍କ ପାଇଁ ରହିଥିବା ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଲାଗୁ କରିଛନ୍ତି। ତାଙ୍କ ଉଦ୍ୟମରେ ଗଲା ୪ ବର୍ଷ ହେଲା ପେଟ୍ରୋଲ ପମ୍ପ ଓ ଗ୍ୟାସ ଡିଲରସିପ ଆବଣ୍ଟନରେ ପଛୁଆ ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା କାର୍ଯ୍ୟକାରୀ ହେଉଛି। ଠିକ ସେହିପରି ସାଧାରଣ ବର୍ଗର ଗରୀବ ମେଧାବୀ ପିଲାଙ୍କ ପାଇଁ ଏବେକାର ମୋଦୀ ସରକାର ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଏହାକୁ ମଧ୍ୟ ନବୀନ ପଟ୍ଟନାୟକ ସରକାର ଓଡ଼ିଶାରେ ଲାଗୁ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାନ୍ତି। କେନ୍ଦ୍ରର ମୋଦୀ ସରକାର ଜାତୀୟ ସ୍ତରରେ ପଛୁଆ ବର୍ଗ କମିଶନ ଗଠନ କରିଛନ୍ତି। ତାଙ୍କ ପୂର୍ବରୁ କୌଣସି ସରକାର ପଛୁଆ ବର୍ଗ ପାଇଁ ଏପରି ଏକ କମିଶନର ଆବଶ୍ୟକତା ଅନୁଭବ କରିନଥିଲେ। ଓଡ଼ିଶାର ସାଧାରଣ ବର୍ଗ ଓ ପଛୁଆ ବର୍ଗର ମେଧାଶକ୍ତି ହେଉଛି ରାଜ୍ୟର ଅନ୍ୟତମ ପ୍ରାକୃତିକ ସମ୍ବଳ। ଏସବୁ ବର୍ଗର ପିଲାମାନେ ଉପଯୁକ୍ତ ସଂରକ୍ଷଣ ସୁବିଧା ଜରିଆରେ ଆଇଏଏସ, ଆଇପିଏସ, ଆଇଏଫଏସ ପରି ଉଚ୍ଚ ଚାକିରିରେ ଯୋଗଦେଇପାରିବେ। ଏସବୁ ବର୍ଗର ପିଲାମାନେ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ସୁବିଧା ହାସଲ କଲେ ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଅଗ୍ରଗତି କରିପାରିବେ। ସେମାନେ ହୋଇପାରିବେ ବୈଜ୍ଞାନିକ, ଅର୍ଥନୀତିଜ୍ଞ, ପ୍ରଶାସକ ଓ ପରିଚାଳକ।

Share :