ରାଜନୀତିରେ ସୌଦାଗର

ରାଜନୀତିରେ ସୌଦାଗର

Share :

ପ୍ରକାଶ ରଥ ଚାଣକ୍ୟଙ୍କ ଅନୁଯାୟୀ ରାଜନୀତି ହେଉଛି ଶ୍ରେଷ୍ଠ ନୀତି। ମାନବ କଲ୍ୟାଣ ନିମନ୍ତେ ଶାସକ, ପ୍ରଜାପାଳକ ହିସାବରେ କାର୍ଯ୍ୟ କରିଥାଏ। ପୁରାଣ ବର୍ଣ୍ଣିତ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ବଳି ମହାରାଜ, ହରିଶ୍ଚନ୍ଦ୍ର ପ୍ରମୁଖ ପ୍ରଜାମାନଙ୍କ ନିମନ୍ତେ ନିଜର ସ୍ୱାର୍ଥ ତ୍ୟାଗ କରି କେତେବେଳେ ବନବାସକୁ ଯାଇଛନ୍ତି ତ କେତେବେଳେ ନିଜ ପତ୍ନୀଙ୍କୁ ଛାଡ଼ିଛନ୍ତି ଅଥବା ପ୍ରାଣତ୍ୟାଗ କରିଛନ୍ତି। ରାଜତନ୍ତ୍ରକୁ ହଟାଇ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଆମ ପୂର୍ବପୁରୁଷମାନେ, ଜୀବନ ଯୌବନକୁ ବାଜି ଲଗାଇ ଶେଷରେ ଗଣତନ୍ତ୍ରର ଶୁଭାରମ୍ଭ କରିଥିଲେ। ହେଲେ କ୍ଷୋଭର ବିଷୟ ଗଣତନ୍ତ୍ର ପ୍ରତିଷ୍ଠା ଆରମ୍ଭରୁ ଆମ ରାଜନେତାମାନେ ନିଜ ବ୍ୟକ୍ତିଗତ ସ୍ୱାର୍ଥରକ୍ଷା ପାଇଁ ଗଣତନ୍ତ୍ରକୁ ନିଜତନ୍ତ୍ରରେ ପରିଣତ କରିଛନ୍ତି। ଏବେ କିନ୍ତୁ ଗଣତନ୍ତ୍ରରେ ଅମଲାତନ୍ତ୍ର ହେଉଛନ୍ତି ସର୍ବଶକ୍ତିମାନ। ରାଜନେତାମାନଙ୍କର ଦୂରଦୃଷ୍ଟି ଅଭାବରୁ ଗଣତନ୍ତ୍ରରେ ଅମଲାତନ୍ତ୍ରୀମାନେ ନିଜତନ୍ତ୍ରକୁ ଅଗ୍ରାଧିକାର ଦେଇ ସାଧାରଣ ଜନତାଙ୍କୁ ଛତରଖିଆ କରିସାରିଲେଣି। ରାଜନୀତିକୁ ଭଲ ଲୋକଟିଏ ଆସିବାକୁ ଘୃଣା କରୁଛି। ଭଲ ଛାତ୍ରଟିଏ ପର ପାଖରେ ଚାକିରୀ କରି ଜୀବନ ବିତାଉଛି ସିନା ରାଜନୀତିକୁ ଯାଉନାହିଁ ବାଧ୍ୟବାଧକତାରେ। ଆଜିକାଲି ରାଜନୀତି ପାଇଁ ଅର୍ଥବଳ ହିଁ ପ୍ରମୁଖ ଅସ୍ତ୍ର ସାଜିଛି। ଫଳରେ ବଡ଼ ବଡ଼ ଠିକାଦାର, ଜମି ବେପାରୀ, ବାଲି ବେପାରୀ, ଖଣି ବେପାରୀ, ମଦ ବେପାରୀ, ଗାଡ଼ିବେପାରୀ, ଗାଈ ବେପାରୀ, ଯୁବତୀଚାଲାଣକାରୀ ଓ ଭ୍ରଷ୍ଟ ସରକାରୀ ଅଧିକାରୀମାନେ ରାଜନୀତିକୁ କବ୍ଜା କରିନେଇଛନ୍ତି। ପଞ୍ଚାୟତସ୍ତରରୁ ଆରମ୍ଭ କରି ନଗର ନିଗମ ବିଧାନସଭା ଓ ଲୋକସଭାକୁ ନିର୍ବାଚିତ ହେଉଛନ୍ତି ଏହି ସୌଦାଗରମାନେ। ପୂର୍ବ କାଳରେ ଓଡ଼ିଆ ସାଧବ ପୁଅମାନେ ବଣିଜ ବେପାର କରିବାକୁ ବୋଇତ ସାହାଯ୍ୟରେ ଜାଭା, ସୁମାତ୍ରା ଓ ବାଲି ଦ୍ୱୀପକୁ ଯାଉଥିଲେ। ବେପାର ବଣିଜ ସାରି, ଅର୍ଥ ଉପାର୍ଜନ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ ସହ ଜନସେବାରେ ନିଜ ଅର୍ଥର କିଛି ପରିମାଣକୁ ବ୍ୟବହାର କରୁଥିଲେ। କିନ୍ତୁ ଏବେ ଦୁର୍ନୀତି ଓ ଭ୍ରଷ୍ଟାଚାର କରି ବିପୁଳ ଅର୍ଥର ମାଲିକାନା ସାଜିଥିବା କଳାବଜାରୀ ସୌଦାଗରମାନେ ରାଜନୀତିକୁ ଅସ୍ତ୍ର କରି ସରପଞ୍ଚ, କର୍ପୋରେଟର, ବିଧାୟକ ଓ ସାଂସଦ ହୋଇ ନିଜ କଳାଧନକୁ ସୁରକ୍ଷା ଦେଉଛନ୍ତି। ସ୍ଥଳବିଶେଷରେ ବିଭିନ୍ନ ରାଜନୈତି ଦଳରୁ ଟିକେଟ କିଣି, ପ୍ରାର୍ଥୀ ହୋଇ, ଓଡ଼ିଶାର ଗରିବ ଜନତାଙ୍କୁ କିଛି ଦିନ ମଦ ମାଉଁସ ଖୁଆଇ, ନିର୍ବାଚନ ପୂର୍ବଦିନ ମୁଣ୍ଡପିଛା ୨୦୦ରୁ ୨୦୦୦ ପର୍ଯ୍ୟନ୍ତ ଦେଇ ଭୋଟ କିଣି ଖର୍ଚ୍ଚ ହୋଇଥିବା ଅର୍ଥର ଶହେଗୁଣା ଲୁଟ୍ କରୁଛନ୍ତି ରାଜକୋଷରୁ। ଏଥିରେ ଗଣନ୍ତ୍ରର ସୁରକ୍ଷା ହେବ କେମିତି? ଫଳରେ ଲୋକେ ଗରିବ ତାଲିକାରେ ନାମ ଲେଖାଇବେ ହିଁ ଲେଖାଇବେ। ଯେଉଁ ରାଜ୍ୟରେ ଦଶରୁ ପନ୍ଦର ଦିନ ମଦ ମାଉଁସ ଖାଇ, ଭୋଟ ପିଛା ୫୦୦ ନେଇ ଭଲ ପ୍ରାର୍ଥୀ ନ ଦେଖି ଚୋର ଡକାୟତଙ୍କୁ ପାଞ୍ଚବର୍ଷ ପାଇଁ ଲୁଟ୍ କରିବାକୁ ଛାଡ଼ି ଦେଉଛେ, ସେ ରାଜ୍ୟ ପ୍ରଗତିର ଶୀର୍ଷରେ ପହଞ୍ଚି ପାରିବ କି? ତେଣୁ ଆମ ଯୁବକ ଦାଦନ ଖଟିବାକୁ ପଡ଼ୋଶୀ ରାଜ୍ୟକୁ ଯିବ, ଆମ ଝିଅମାନେ ଦଲାଲ ମାନଙ୍କ ଦ୍ୱାରା ଚାଲାଣ ହୋଇ ଶୋଷଣର ଶିକାର ହେବେ, ଆମ ବୁଢାବୁଢୀମାନେ ଭୋକ ଉପାସରେ ପଡ଼ିରହିବେ ମୃତ୍ୟୁକୁ ଅପେକ୍ଷା କରି, ଆମର ଆଗାମୀ ଭବିଷ୍ୟତ ଖାଦ୍ୟ ଅଭାବରୁ ନଗଡ଼ାର ଶୀର୍ଷକ ବନିବେ, ଆମ ସରଳ ଆଦିବାସୀମାନେ ଶାସନ ବିରୋଧୀ ହୋଇ ନକ୍ସଲ ସାଜିବେ, ଆମ ଚାଷୀମାନେ ଋଣ ଭାରରେ ଆତ୍ମହତ୍ୟା କରିବେ, ଗର୍ଭବତୀ ମହିଳା ଓ ମୃତକମାନେ ଗାଡ଼ି ନପାଇ ଦୋଳା ବା କାନ୍ଧରେ ବୁହାହେବେ, ଆମ ସାହିତ୍ୟିକ ଓ ସାମ୍ୱାଦିକମାନେ ଭୟରେ ନିଜ କଲମକୁ ଶାଣିତ ନ କରି ସ୍ପଷ୍ଟ ଲେଖିବେ ନାହିଁ ଓ ଆମ ଛାତ୍ର ଓ ଯୁବ ସମାଜ ନିଜ ହକ୍ ପାଇଁ ଲଢେଇ ନ କରିପାରି ପଙ୍ଗୁ ହୋଇଯିବେ। ଆଜି କାଲିର ରାଜନୀତି ପାଇଁ ପାଣ୍ଠିର ଆବଶ୍ୟକତା ତ ରହିଛି। ଗାନ୍ଧିଜୀ ମଧ୍ୟ ଦେଶ ସ୍ୱାଧୀନ ପାଇଁ ସ୍ୱାଧୀନତା ସଂଗ୍ରାମ ସମୟରେ ଶିଳ୍ପପତିମାନଙ୍କୁ ଆନ୍ଦୋଳନ ନିମନ୍ତେ ପାଣ୍ଠି ଦେବା ପାଇଁ ନିବେଦନ କରୁଥିଲେ ଓ ସଫଳ ହୋଇଥିଲେ ମଧ୍ୟ। ଏଥିନିମନ୍ତେ ଗାନ୍ଧିଙ୍କ ବିରଳା ଭବନରେ ରହଣିକୁ ବାମପନ୍ଥୀମାନେ ବିଦ୍ରୁପ କରିଥିଲେ। ପୃଥିବୀର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକାରେ ବର୍ତ୍ତମାନର ରାଷ୍ଟ୍ରପତି ହେଉଛନ୍ତି ଜଣେ ସଫଳ ବ୍ୟବସାୟୀ। ବିଭିନ୍ନ ଦେଶରେ ତଥା ଭାରତରେ ଟ୍ରମ୍ପଙ୍କ କୋଠାବାଡ଼ି ବେପାର ରହିଅଛି। ତାଙ୍କ ବିରୁଦ୍ଧରେ ସବୁଠାରୁ ବଡ଼ ଅଭିଯୋଗ ହେଉଛି ସେ ନିଜ ସ୍ୱାର୍ଥ ପାଇଁ ନିଜ ଦେଶର ଚରମ ଶତ୍ରୁ ରୁଷ୍ର ସାହାଯ୍ୟ ନେଇଥିଲେ ନିଜେ ନିର୍ବାଚନ ଜିତିବା ପାଇଁ। ରାଷ୍ଟ୍ରପତି ହେବା ଠାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ବିବାଦରେ ରହୁଛନ୍ତି ବେପାରୀ ରାଷ୍ଟ୍ରପତି ଟ୍ରମ୍ପ। ତାଙ୍କ ଦଳର ସଦସ୍ୟମାନେ ମଧ୍ୟ ତାଙ୍କୁ ସମର୍ଥନ କରୁନାହାଁନ୍ତି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ। ମଧ୍ୟ ପ୍ରାଚ୍ୟ ଓ ଆରବ ରାଜ୍ୟ ଗୁଡ଼ିକର ଶାସକମାନେ ତେଲ ବେପାରରେ ସିଧାସଳଲଖ ସାମିଲ୍। ଫଳରେ ସେହି ଦେଶଗୁଡ଼ିକରେ ଗୋଟିଏ ପଟେ ପ୍ରାଚୁର୍ଯ୍ୟର ଅସୁମାରୀ ବୈଭବ ଥିବାବେଳେ ଅନ୍ୟ ପଟେ ଗରିବ ଜନତା ରକ୍ତ ପିପାସୁ ହୋଇ ଲଢେଇ ଜାରି ରଖିଛନ୍ତି। ଆମ ଦେଶରେ ବିଭିନ୍ନ ରାଜନୈତିକ ଦଳ ନିଜ ଟିକେଟ ଓ ପଦ ପଦବୀ ବିକିବା ଅଭିଯୋଗ ହୁଏ। ଏହି ପରିପ୍ରେକ୍ଷୀରେ ପ୍ରାୟତଃ ବହୁଜନ ସମାଜ ପାର୍ଟିର ମାୟାବତୀଙ୍କୁ ଦୋଷାରୋପ କରାଯାଇଥାଏ। କିନ୍ତୁ ଅନ୍ୟ ଦଳଗୁଡ଼ିକ ମଧ୍ୟ ଏଥିରେ ପଛୁଆ ନାହାଁନ୍ତି। ଦେଶର କୁଖ୍ୟାତ ତଥା ପଳାତକ ମଦବେପାରୀ ବିଜୟ ମାଲ୍ୟା ରାଜ୍ୟସଭା ଟିକେଟ କିଣି ସଂସଦକୁ ଯାଇଥିଲେ। ଗତ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଦଳ ଟିକେଟ ବିକିଥିଲେ ବୋଲି ତାଙ୍କ ଦଳର ବିଧାୟକ ଓ ବର୍ତ୍ତମାନର ସଭାପତି ଅଭିଯୋଗ କରିଥିଲେ। ଚଳିତ ବର୍ଷ ସାଧାରଣ ନିର୍ବାଚନରେ ମଧ୍ୟ ଇଚ୍ଛୁକ ପ୍ରାର୍ଥୀମାନେ ପକେଟ୍ରେ କୋଟିଏରୁ ଦୁଇକୋଟି ଧରି ବୁଲୁଛନ୍ତି ଦଳୀୟ ଟିକେଟ ନିମନ୍ତେ। ଏଥିରେ ସର୍ବାଗ୍ରେ ଅଛନ୍ତି ଇଞ୍ଜିନିୟର, ବିଡ଼ିଓ, ଯନ୍ତ୍ରୀ, ଠିକାଦାର ଓ କଳାବେପାରୀ ପ୍ରମୁଖ। ସୋସିଆଲ ମିଡ଼ିଆରେ ଟିକେଟ ନିମନ୍ତେ ଦୁଇ କୋଟିରୁ ପାଞ୍ଚ କୋଟି ନିଲାମ ଡ଼କାଯାଉଛି ବୋଲି ପ୍ରସାରିତ ହେଉଛି। ଏଥିରେ ସଫଳ ହେଉଥିବା ସୌଦାଗରମାନେ ଦଳ, ରାଜ୍ୟ, ଦେଶ ତଥା ଜନତାଙ୍କ ସ୍ୱାର୍ଥ ପାଇଁ କାମ କରିବେ ତ? ଅଧ୍ୟକ୍ଷ, ରାଜ୍ୟ ନାଗରିକ ସମାଜ ଫୋନ-୯୪୩୭୨୮୫୦୯୨,

Share :